
ତାତି ଆଉ ପ୍ରବଳ ଗୁଳୁଗୁଳି ଓଡ଼ିଶାବାସୀଙ୍କୁ କଲବଲ କରୁଥିବା ବେଳେ ଧୋକ୍କା ଦେଇଛି ମୌସୁମୀ। ଜଲଦି ନୂହେଁ ଟିକେ ବିଳମ୍ବରେ ଆସିବ ବୋଲି ଆଗୁଆ ସୂଚେଇ ଦେଇଛି। ମାନେ ଏଥର କେରଳ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କିଛି ଦିନ ବିଳମ୍ବରେ ପ୍ରବେଶ କରିବ। ମେ ୩୦ ନୁହଁ, ଚଳିତ ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଯଦିଓ ବିଳମ୍ବରେ ମୌସୁମୀ ଆସିବ, ହେଲେ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସାଧାରଣତଃ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୧ରେ କିମ୍ବା ମେ ୩୦ରେ କେରଳ ଛୁଇଁଥାଏ। ହେଲେ ଏଥର ଏହା ସାମାନ୍ୟ ବିଳମ୍ବରେ ଆସିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତିରେ କୁହାଯାଇଛି “ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌମୁସୀ ବାୟୁ କେରଳ ଆସିବାରେ ସାମାନ୍ୟ ବିଳମ୍ବ ହେବ। ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି। ଏହା ୪ ଦିନ ଏପଟ ସେପଟ ମଧ୍ୟ ହୋଇପାରେ।” କେରଳ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ।
ଗତବର୍ଷ ମେ’ ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିଲା। ୨୦୨୧ରେ ଏହା ଜୁନ ୩ ଓ ୨୦୨୦ରେ ମୌସୁମୀ ଜୁନ ୧ରେ କେରଳରେ ତା’ର ଉପସ୍ଥିତି ଜାହିର କରିଥିଲା। ଗତ ମାସରେ ଆଇଏମଡି କହିଥିଲା ଯେ ଚଳିତ ବର୍ଷ ଏଲ. ନିନୋର ପ୍ରଭାବ ପଡ଼ିପାରେ। ତଥାପି ସମଗ୍ର ଦେଶରେ ସ୍ୱାଭାବିକ ବର୍ଷା ହେବ। ଆଇଏମଡି କହିଛି ଯେ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ପ୍ରଭାବରେ ୯୬% ବର୍ଷା ହେବ। ଏହାର ଅର୍ଥ ସ୍ୱାଭାବିକ ବର୍ଷା ହେବ। ଏଠାରେ କହି ରଖୁଛୁ, ୯୬%ରୁ ୫ ପ୍ରତିଶତ ଉପର ତଳ ବର୍ଷାକୁ ସ୍ୱାଭାବିକ ବର୍ଷା କୁହାଯାଏ।
ସାରା ଦେଶରେ ସ୍ୱାଭାବିକ ବର୍ଷାର ଆକଳନ ହୋଇଥିଲେ ମଧ୍ୟ ଉତ୍ତର ପଶ୍ଚିମ ଭାରତର କିଛି ରାଜ୍ୟରେ ସ୍ୱାଭାବିକ ଠାରୁ କମ ବର୍ଷା ହେବାର ଆଶଙ୍କା ରହିଛି। ମୌସୁମୀ ବର୍ଷାର ପ୍ରଭାବ ଏଲ. ନିନୋ ଉପରେ ନର୍ଭର କରିଥାଏ। ଏଲ. ନିନୋର ପ୍ରଭାବ ପଡ଼ିଲେ ବର୍ଷାର ମାତ୍ରା ସାଧାରଣତଃ କମ ହୋଇଥାଏ। ଦକ୍ଷିଣ ଓ ପଶ୍ଚିମ ଭାରତରେ ଯଦି ମୌସୁମୀ ବର୍ଷା ଉପରେ ଏଲ ନିନୋର ପ୍ରଭାବ ପଡ଼ିବ, ତା’ହେଲେ ମରୁଡ଼ି ସମସ୍ୟା ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି।
ମୌସୁମୀ ଉପରେ ଚାଷୀମାନେ ନିର୍ଭର କରନ୍ତି। ତେଣୁ ସମସ୍ତେ ଭଲ ମୌସୁମୀ ବର୍ଷାକୁ ଅପେକ୍ଷା କରିଛନ୍ତି। ଏଲ ନିନୋର ପ୍ରଭାବ ଯଦି ମୌସୁମୀର ଦ୍ୱିତୀୟ ଭାଗରେ ଶକ୍ତିଶାଳୀ ହେବ, ତା’ହେଲେ ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ଚାଷ କାମ ପ୍ରଭାବିତ ହେବାର ଆଶଙ୍କା ରହିଛି।