ପ୍ରଥମେ ପତ୍ନୀ ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ମେଟ୍ରୋ କର୍ମଚାରୀ

ଦିଲ୍ଲୀର ଜ୍ୟୋତି କଲୋନୀରୁ ହୃଦୟ ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ ଏହି ଭୟଙ୍କର ଘଟଣା ଘଟାଇଛନ୍ତି । ସେ ପ୍ରଥମେ ନିଜ ପତ୍ନୀ ଏବଂ ଝିଅକୁ ହତ୍ୟା କରି ପରେ ଆତ୍ମହତ୍ୟା କରିଛନ୍ତି । ହେଲେ ଏହି ଭୟଙ୍କର ପଦକ୍ଷେପ ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

ପୋଲିସର ସୂଚନା ଅନୁସାରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) କର୍ମଚାରୀ ସୁଶୀଲ କୁମାର ମଙ୍ଗଳବାର ଦିନ ପୂର୍ବ ଦିଲ୍ଲୀର ଜ୍ୟୋତି କଲୋନୀ ଅଞ୍ଚଳରେ ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ।

ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ PCRକୁ କଲ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ସହକର୍ମୀ ସୁଶୀଲ କୁମାର(୪୩)ଙ୍କୁ ଭେଟିବା ପାଇଁ ଅଫିସରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ସାକ୍ଷାତ ମିଳିନଥିଲା । ଯେତେବେଳେ ସେ ସୁଶୀଲଙ୍କୁ କଲ କରିଥିଲେ, ସେ କଲରେ କାନ୍ଦିବାକୁ ଲାଗିଲେ । ଫୋନରେ ସୁଶୀଲ କହିଥିଲେ ଯେ, ସେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ସୁଶୀଲ କୁମାରଙ୍କ ଘରେ ପହଞ୍ଚିଥିଲା । ପୋଲିସ ଘରେ ତିନିଟି ମୃତଦେହ ଜବତ କରିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସୁଶୀଲ କୁମାରଙ୍କ ମୃତଦେହ ଛାତରେ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ପତ୍ନୀ ଅନୁରାଧା (୪୩) ଏବଂ ଛଅ ବର୍ଷର ଝିଅକୁ ଛୁରାମାଡ଼ କରାଯାଇଥିଲା । ଉଭୟଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ପୋଲିସ କହିଛି ଯେ, ସୁଶୀଲ ତାଙ୍କ ୧୩ ବର୍ଷର ପୁଅକୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା, କିନ୍ତୁ ସେ ବଞ୍ଚିଯାଇଥିଲେ । ଦିଲ୍ଲୀ ଜିଟିବି ହସ୍ପିଟାଲରେ ପୁଅର ଚିକିତ୍ସା ଚାଲିଛି ।

Leave a Reply

Your email address will not be published. Required fields are marked *