Category: ମୁଖ୍ୟ ଖବର

  • ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ପାସହାରରେ ଛାତ୍ରୀ ଆଗୁଆ

    ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଦିନ ୧୦ଟାରେ ପ୍ରକାଶ ପାଇଛି ମାଟ୍ରିକ୍ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ବୋର୍ଡ ଷ୍ଟାଫଙ୍କ ଉପସ୍ଥିତିରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା ହୋଇଛି । ଚଳିତଥର ମାଟ୍ରିକରେ ପାସ୍ ହାର ରହିଛି ୯୬.୪ ପ୍ରତିଶତ । ୩ ହଜାର ୨୨୨ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ରହିଛି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି ।

    ଅପରାହ୍ଣ ୧୨ଟା ସୁଦ୍ଧା ବୋର୍ଡ ୱେବ୍ ସାଇଟରେ ରେଜଲ୍ଟ ଉପଲବ୍ଧ ହେବ। www. bseodisha.ac.in ୱେବ୍‌ସାଇଟ୍‌ରେ ଛାତ୍ରଛାତ୍ରୀ ରେଜଲ୍ଟ ଚେକ୍‌ କରିପାରିବେ। SMS ମାଧ୍ୟମରେ ମଧ୍ୟ ପରୀକ୍ଷାର୍ଥୀମାନେ ଫଳାଫଳ ଜାଣିପାରିବେ । OR10 ଲେଖି ସ୍ପେଶ୍‌ ଦେବା ପରେ ନିଜ ରୋଲ୍ ନମ୍ବରକୁ ଟାଇପ୍‌ କରି 5676750 ନମ୍ବରକୁ ପଠାଇ ଜାଣିପାରିବେ। ପରୀକ୍ଷା ଫଳକୁ ନେଇ ଯଦି କୌଣସି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ । ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ଜାରି କରାଯାଇଛି । ନମ୍ବରଟି ହେଲା ୦୬୭୧-୨୪୧୫୪୬୦ ।

    ଚଳିତ ବର୍ଷ ମୋଟ ୫ ଲକ୍ଷ ୨୭ ହଜାର ୩୭୪ ଜଣ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୧୬ ହଜାର ୪୩୫ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩୮୬ ଜଣଙ୍କୁ ଏମ୍‌ପି କରାଯାଇଥିବା ବେଳେ ୫ ଲକ୍ଷ ୮ ହଜାର ୪୦୪ ଜଣ ପାସ୍ କରିଛନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧୫୮ ଜଣ A1 ଗ୍ରେଡରେ ପାସ୍ କରିଛନ୍ତି । ୨୯ ହଜାର ୮୩୮ ଜଣ A2, ୭୭ ହଜାର ୫୬୭ ଜଣ B1ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

    ୧ ଲକ୍ଷ ୧୮ ହଜାର ୭୫୦ ଜଣ B2, ୧ ଲକ୍ଷ ୨୧ ହଜାର ୬୧୧ ଜଣ C ଗ୍ରେଡରେ ପାସ୍ କରିଛନ୍ତି । ସେହିପରି ୯୫ ହଜାର ୬ ଜଣ D,୬୧ ହଜାର ୪୭୪ ଜଣ E ଗ୍ରେଡରେ ପାସ୍ କରିଥିବା ବେଳେ ୭୬୪୫ ଜଣ F ଗ୍ରେଡରେ ପାସ୍ କରିଛନ୍ତି । ଏଥର ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ମୋଟ ୫ ଲକ୍ଷ ୧୬ ହଜାର ୪୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨ଲକ୍ଷ ୫୭ ହଜାର ୧୦୬ ଜଣ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୫୧ ହଜାର ୨୯୮ ଜଣ ଛାତ୍ର ପାସ୍ କରିଛନ୍ତି । ପରୀକ୍ଷା ଫଳକୁ ନେଇ ଯଦି ପରୀକ୍ଷାର୍ଥୀଙ୍କର କିଛି ଆପତ୍ତି ଅଭିଯୋଗ ଥାଏ ତେବେ ଗୋଟିଏ ମାସ ମଧ୍ୟରେ ଛାତ୍ରଛାତ୍ରୀମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଜଣାଇପାରିବେ। ସେଥିପାଇଁ ବୋର୍ଡ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ନମ୍ବର ୦୬୭୧-୨୪୧୫୪୬୦ ଜାରି କରାଯାଇଛି ।

  • ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ୪ ଦିନର କସରତ ପରେ ଲାଗିଲା ମୋହର, ସିଦ୍ଧରମୈୟା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

    ମେ’ ୧୩ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବହୁମତ ହାସଲ କରି ସେଲିବ୍ରେସନ କରିଥିଲା । ହେଲେ ଦଳକୁ ଟେନସନ ଦେଇଥିଲା କିଏ ମୁଖ୍ୟମନ୍ତ୍ରୀ ହେବେ । ଡିକେ ଶିବକୁମାର ନା ସିଦ୍ଧରମୈୟା, କାହାକୁ ସିଏମ୍ ପଦବୀ ଦିଆଯିବ ସେ ନେଇ ଅଙ୍କକଷା ଚାଲିଥିଲା । ଦୀର୍ଘ ୪ ଦିନର କସରତ ପରେ ଶେଷରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ନେତା ସିଦ୍ଧରମୈୟା । ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାରଙ୍କ ନାଁ ଘୋଷଣା ହୋଇଛି । ଚାରି ଦିନର ରାଜନୈତିକ କସରତ ପରେ କର୍ଣ୍ଣାଟକ ଅଚଳାବସ୍ଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଗତ ମଧ୍ୟରାତ୍ରିରେ ଏଭଳି ଘୋଷଣା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ । ଏହି ପଦବୀ ଲାଗି ପ୍ରମୁଖ ଦାବିଦାର ଥିବା ଡି.କେ ଶିବକୁମାରଙ୍କୁ ଶେଷରେ ମନାଇଛି ଦଳ । ମେ’ ୨୦ରେ ବେଙ୍ଗାଳୁରୁରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

    ଗତକାଲି ଅର୍ଥାତ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ, ପୂର୍ତତନ ସାଂସଦ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଏକାଧିକ ପର୍ଯ୍ୟାୟ ଆଲୋଚନା ହୋଇଥିଲା । ଶୀର୍ଷ ପଦବୀକୁ ନେଇ ନେତାଙ୍କ ସହ ଆଲୋଚନା ଜାରି ଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଜାରିଥିବା ଅଚଳାବସ୍ଥାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।

    ଗତ ୧୩ ତାରିଖରେ କର୍ଣ୍ଣାଟକ ରେଜଲ୍ଟ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସସ୍‌ପେନ୍ସ ଲାଗି ରହିଥିଲା । ନୂଆ ସରକାର ଗଠନ ହେବା କରିବାକୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଲୋଚାନ ବି ହୋଇଥିଲା । ମୁଖ୍ୟମନ୍ତ୍ରୀ ରେସରେ ଥିବା ୨ ପ୍ରତିଦ୍ବନ୍ଦ୍ବୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ସେମାନେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ଶେଷରେ ରାହୁଲ ଗାନ୍ଧି ଓ ଖଡଗେଙ୍କ ସହ ଏକତ୍ର ବୈଠକ ପରେ ଶେଷରେ ସିଏମଙ୍କ ନାଁ ଘୋଷଣା ହୋଇଥିଲା ।

  • କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

    ଲାଞ୍ଚ ନେଇ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଡିପିଓ । ତାଙ୍କ ଅଫିସରେ କାର୍ଯ୍ୟରତ କିରାଣିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ଅନ୍ୟ ଏକ ଘଟଣାରେ ବେଗୁନିଆପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି ।

    ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ରିଲିଜ୍ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନମିତା ରାଣୀ ପାଉଲ । ଜୟପୁର ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ । ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ କିରାଣି ଅଶ୍ୱିନୀ କୁମାର ପ୍ରଧାନ ମଧ୍ୟ ଧରାପଡ଼ିଛନ୍ତି । ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ମହିଳାଙ୍କ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ । ଏନେଇ ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା, ଭିଜିଲାନ୍ସରେ ଅଭିଯୋଗ କରିବାରୁ ଜାଲ ବିଛାଇ ଧରିଥିଲା ଭିଜିଲାନ୍ସ ଟିମ୍ ।

    କୁଲେସିକାଙ୍କ ଠାରୁ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ପାଉଲଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ନେଇ ଅଧିକ ତଦନ୍ତ କରୁଛି ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପଦବୀରେ ନିଯୁକ୍ତି ପତ୍ର ଦେବା ପାଇଁ କୁଲେସିକାଙ୍କ ଠାରୁ ଅଶ୍ୱିନୀ ଓ ସିଡିପିଓ ପୂର୍ବରୁ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ ଜଣିଆ ଟିମ୍ ଏହି ରେଡ୍ କରିଥିଲେ ।

    ସେପଟେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଭତ୍ତା କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଉଭୟ ମାମଲାରେ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

  • ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା,ଦୁଇ ଭାଇଙ୍କୁ ଧରିଲା STF

    ସୋନପୁର ଫରେଷ୍ଟ ଡିଭିଜନରୁ ବଜ୍ରକାପ୍ତା ଉଦ୍ଧାର । ନଛିପୁର ସୋନପୁର-ମେନରୋଡ୍ ରାସ୍ତାକଡ଼ରୁ ଦୁଇଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି କ୍ରାଇମବ୍ରାଞ୍ଚ STF। ଗୋଟିଏ ବଜ୍ରକାପ୍ତାର ଓଜନ ୭ କିଲୋଗ୍ରାମ୍ । ଅନ୍ୟ ବଜ୍ରକାପ୍ତାର ଓଜନ ୩ କିଲୋଗ୍ରାମ । ବଜ୍ରକାପ୍ତା ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଧରିଛି ପୋଲିସ ।

    ସୋନପୁର ଜିଲ୍ଲା ଲଚ୍ଛିପୁର ଥାନା ଝଙ୍କରପାଲି ଗାଁର ବେଦବ୍ୟାସ ଧରୁଆଙ୍କୁ ଗିରଫ କରାଯାଇଛି । ତାଙ୍କ ଭାଇ ନବଦୀପ ଧରୁଆଙ୍କୁ ମଧ୍ୟ ଧରିଛି ଧରିଛି STF ଟିମ୍ । ବନ୍ୟଜନ୍ତୁ ଆଇନ୍ ଉଲ୍ଲଂଘନ କରିଛନ୍ତି ଦୁଇ ଭାଇ । ତେଣୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି ।
    ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟତଃ ଏଭଳି ବନ୍ୟଜନ୍ତୁ ଶିକାର କରି ଗିରଫ ହେଉଛନ୍ତି ଅଭିଯୁକ୍ତ । କିଏ ହାତୀ ଶିକାର କରୁଛି ତ କିଏ କୁଟୁରା । ଆଉ ବଜ୍ରକାପ୍ତା ଚୋରା ଚାଲାଣ କରି ମାଲେମାଲ ହେଉଛନ୍ତି । ଏଭଳି ସ୍ଥିତିରେ କ୍ରାଇମବ୍ରାଞ୍ଚ STF ଟିମ୍ ପକ୍ଷରୁ ଚଢ଼ାଉ ଅଭିଯାନ ଜାରି ରହିଛି ।

    ଗତ କିଛି ଦିନ ପୂର୍ବେ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ବଜ୍ରକାପ୍ତା ଡିଲ୍ ବେଳେ ବନପାଳ ସମେତ ୬ ଜଣଙ୍କୁ ଗିରଫ କରିଥିଲା କପ୍ତିପଦା ଥାନା ପୋଲିସ । ସେହିପରି କେନ୍ଦୁଝର ବନଖଣ୍ଡ ବିଜେପି ରେଞ୍ଜ କାଞ୍ଜିପାଣି ନିକଟ ଟାଙ୍ଗରାପଡ଼ା ଗାଁରୁ ବଜ୍ରକାପ୍ତା ଉଦ୍ଧାର ସହ ଜଣଙ୍କୁ ଗିରଫ କରାଯାଇଥିଲା ।

  • ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ଧନୀ ହେବା ନିଶାରେ ୯ ବର୍ଷର ପୁଅକୁ ହତ୍ୟା

    ହରିୟାଣାର ସୋନିପଥରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳକ ଶୀଘ୍ର ଧନୀ ହେବାକୁ ଲକ୍ଷ ରକଇ ୯ ବର୍ଷର ପୁଅକୁ ଅପହରଣ କରିବା ସହ ତାକୁ ହତ୍ୟା କରିଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିଥଇବା ବେଳେ ଅଧିକ ପଚରାଉଚୁରା କରିଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଯାହା କହିଥିଲା ସେଥିରେ ପୋଲିସର ହୋସ ଉଡିଯାଇଥିଲା । ୯ ବର୍ଷର ପୁଅକୁ ଯିଏ ହତ୍ୟା କରିଛି ତାର ମଧ୍ୟ ବୟସ ବି କିଛି ବେଶି ନୁହେଁ । ଅଭିଯୁକ୍ତକୁ ମାତ୍ର ୧୫ ବର୍ଷ ବୟସ ହୋଇଛି ।

    ଅଭିଯୁକ୍ତ କହିଥିଲା ଯେ, ତାଙ୍କ ଘରର ଆର୍ଥିକ ଅବସ୍ଥା ଅତି ଶୋଚନୀୟ ଥିଲା । ତେଣୁ ସେ ଶୀଘ୍ର ସେ ଟଙ୍କା ଯୋଗାଡ କରି ଧନୀ ହେବାକୁ ଚାହୁଁଥିଲା । ତେଣୁ ସେ ଫିଲ୍ମ ଷ୍ଟାଇଲକୁ ଆପଣାଇ ସେ ୯ ବର୍ଷର ପୁଅକୁ ଅପହରଣ କରିନେଇଥିଲା । ଅପହରଣ ପରେ ନାବାଳକର ପରିବାରକୁ ଫୋନରେ ୬ ଲକ୍ଷ ଟଙ୍କା ମାଗିଥିଲା । ଆଉ ଏହାପରେ ବହାଲଗଡ ଥାନା ଅନ୍ତର୍ଗତ ଟିଡିଆଇ ଏସପିନିଆର ବେସମେଣ୍ଟରେ ଥିବା ଏକ ପାଣିଟାଙ୍କିରୁ ସେହି ନାବାଳକର ଶରୀର ଲହୁଲୁହାଣ ଅବସ୍ଥାରେ ମିଳିଥିଲା । ଆଉ ସେହି ୯ ବର୍ଷର ପୁଅର ମୃତ୍ୟୁ ହୋଇଯାଇଥିଲା ।

    ଏହାପରେ ଆଖପାଖର ସବୁ ସିସିଟିଭିକୁ ଚେକ୍ କରିଥିଲା ପୁଲିସ ଏବଂ ଏଥିରେ ଜଣେ ନାବାଳକ ସହ ମୃତ ଅର୍ଚ୍ଚିତ ବୁଲୁଥିବାର ଦେଖିବାକୁ ମିଳିଥିଲା । ପୁଲିସ ନାବାଳକକୁ ଖୋଜି ଜେରା କରିବା ପରେ ପୁରା ଘଟଣା ସାମନାକୁ ଆସିଛି ।

  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

    କର୍ଣ୍ଣାଟକ ଦଖଲ ପରେ ଏଯାଏ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଡୁନି । କିଏ ହେବେ କର୍ଣ୍ଣାଟକ ସିଏମ୍ ସିଦ୍ଧରମୈୟା ନା ଶିବକୁମାର । ଏହା ଭିତରେ ପୁଣି ସୁନି ୱାକଫ୍ ବୋର୍ଡର ଦାବି । ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

    କର୍ଣ୍ଣାଟକ ସିଏମ୍ ପଦ ରାଜନୀତି ଜୋର୍ ଧରିଛି । କର୍ଣ୍ଣାଟକ ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର । କାରଣ କିଛି ରାଜ୍ୟରେ କଂଗ୍ରେସ ଶାସନକୁ ଆସିବା ମାତ୍ରେ କେଁ ପଶୁଛି । ଅଡୁଆ ପରିସ୍ଥିତିର ସାମ୍ନା କରୁଛି ଦଳ । ତେଣୁ ଏଥର ବି ଦଳୀୟ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

    କର୍ଣ୍ଣାଟକରୁ ଦିଲ୍ଲୀ ଦରବାର । ସେଠି ବି ହୋଇପାରୁନି କୌଣସି ନିଷ୍ପତ୍ତି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । କାରଣ ସିଦ୍ଧରମୈୟା ବରିଷ୍ଠ ଏବଂ ଶେଷ ନିର୍ବାଚନ ଲଢ଼ିଥିବା ପୂର୍ବରୁ ଜଣାଇଛନ୍ତି । ତାଙ୍କର ଲୋକପ୍ରିୟତା ବି ରହିଛି । ହେଲେ ଶିବକୁମାରଙ୍କ ପ୍ରତି ଏବେ ସମର୍ଥନ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର, ବିଦ୍ରୋହ ନକରି ଶାନ୍ତିରେ ସମାଧାନ ପାଇଁ ଚାହୁଁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ବି ସେ ଜଣେ ସାଧାରଣ ବିଧାୟକ ଭାବେ ଦଳରେ ରହିବେ ବୋଲି ଜଣାଇଛନ୍ତି ।

    ଡିକେ ଶିବକୁମାର ଓ ସିଦ୍ଧରମୈୟା, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହେଲେ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଅଗ୍ରାହ୍ୟ କରିଛନ୍ତି ଶିବକୁମାର । ସିଦ୍ଧରମୈୟା କେତେବେଳେ ବିରୋଧୀ ଦଳ ନେତା ହୋଇଛନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଏବେ ହାଇକମାଣ୍ଡ ସବୁ ପ୍ରକାରର ନିଷ୍ପତ୍ତି ନେଇପାରିବେ ବୋଲି ରୋକଠୋକ୍ କହିଛନ୍ତି ଶିବକୁମାର ।

    ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପରଦା ହଟିପାରୁନି । ରେସରେ କିନ୍ତୁ ସିଦ୍ଧରମୈୟା ଆଗରେ ଅଛନ୍ତି । ତେଣୁ ଖୁବଶୀଘ୍ର ଖଡଗେ କର୍ଣ୍ଣାଟକ ଯାଇ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କ ଠାରୁ ମତାମତ ଆଣିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଘୋଷଣା କରିବେ ଅଧ୍ୟକ୍ଷ ।

    ସେପଟେ, ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି । ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ,ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ସ୍ଥିତି ଜଟିଳ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ ।

  • ଯଦି ଦଳ କହିବ ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିରୁଦ୍ଧରେ ଲଢିବି: ଦିଗବିଜୟ ସିଂ

    ଯଦି ଦଳ କହିବ ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିରୁଦ୍ଧରେ ଲଢିବି: ଦିଗବିଜୟ ସିଂ

    ମଧ୍ୟପ୍ରଦେଶ ରାଜନୀତିରେ ଅନେକ ଟାଣୁଆ ନେତା ରହିଛନ୍ତି । କଂଗ୍ରେସରେ କମଲନାଥ, ଦିଗବିଜୟ ସିଂହଙ୍କୁ ଛାଡିଦେଲେ ବିଜେପିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ ଓ କଂଗ୍ରେସରୁ ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ରହିଛନ୍ତି । ଦୀର୍ଘ ଦିନ ଧରି ରାହୁଲ ଗାନ୍ଧୀଙ୍କ ଅତି ନିକଟତର ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶେଷରେ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ କିପରି ସହାୟକ ହୋଇଥିଲା ତାହା କାହାକୁ ଅଛପା ନାହିଁ । ଏବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ବୟାନ ମଧ୍ୟପ୍ରଦେଶ ରାଜନୀତିରେ ଝଡ ସୃଷ୍ଟି କରିଛି ।

    କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମଙ୍ଗଳବାର କହିଛନ୍ତି ଯେ, ଯଦି ଦଳ ତାଙ୍କୁ କହିବେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଗୁନାରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ, ତେବେ ସେ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ଦଳର ଦୁର୍ବଳ ଆସନ ଗୁଡିକରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିବା ଅଭିଯାନରେ ଦିଗବିଜୟ ସିଂ ମଙ୍ଗଳବାର ଦିନ ସିବନୀ ଗସ୍ତରେ ଆସିଥିଲେ ।

    ଏକ ପ୍ରଶ୍ନର ଉତ୍ତରରେ ଦିଗବିଜୟ ସିଂ କହିଛନ୍ତି, “ମୁଁ ବର୍ତ୍ତମାନ ଜଣେ ରାଜ୍ୟସଭା ସଦସ୍ୟ ଏବଂ ମୋତେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ମୁଁ ଦଳର ଜଣେ ସୈନିକ, ଦଳ ମୋତେ ଯାହା କରିବାକୁ ନିର୍ଦ୍ଦେଶ ଦେବେ ମୁଁ କରିବି…. ମୋର ସଂସଦୀୟ କ୍ଷେତ୍ର ଗୁନା ନୁହେଁ, ରାଜଗଡ । ଗତଥର ମୋତେ ଭୋପାଳରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା, ଯାହା ମୋର ଆସନ ନୁହେଁ । କିନ୍ତୁ ମୁଁ ଜଣେ ଦଳର କର୍ମୀ ଏବଂ ଏହାର ସୈନିକ । ଦଳ ମୋତେ ଯାହା ଆଦେଶ ଦେବେ ମୁଁ ତାହା ପାଳନ କରିବି । “

    ସିଂ ୨୦୧୯ରେ ଭୋପାଳରୁ ବିଜେପିର ପ୍ରଜ୍ଞା ସିଂ ଠାକୁରଙ୍କ ଠାରୁ ହାରିଥିବା ବେଳେ ଗୁନାରେ ସିନ୍ଧିଆକୁ ବିଜେପିର କୃଷ୍ଣ ପାଲ ସିଂ ଯାଦବଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସିନ୍ଧିଆ ଗୁନାରୁ ଚାରି ଥର ପ୍ରତିଦ୍ବନ୍ଦିତା କରିଛନ୍ତି । ଶେଷରେ ସନ୍ଧିଆ କଂଗ୍ରେସ ଛାଡି ମାର୍ଚ୍ଚ ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ ।

  • ନାଇଜେରିଆରେ ସାମ୍ପଦାୟିକ ହିଂସା, ଦୁଇ ଗୋଷ୍ଠି ମଧ୍ୟରେ ଗୁଳିଗୋଳା, ୩୦ ଜଣଙ୍କ ମୃତ୍ୟୁ

    ନାଇଜେରିଆରେ ସାମ୍ପଦାୟିକ ହିଂସା, ଦୁଇ ଗୋଷ୍ଠି ମଧ୍ୟରେ ଗୁଳିଗୋଳା, ୩୦ ଜଣଙ୍କ ମୃତ୍ୟୁ

    ମଙ୍ଗଳବାର ଦିନ କେନ୍ଦ୍ରୀୟ ନାଇଜେରିଆରେ ମେଷପାଳକ ଏବଂ କୃଷକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜଣେ ସ୍ଥାନୀୟ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି ।

    ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବା ବେଳେ ଖ୍ରୀଷ୍ଟିଆନ ମାନେ ଦକ୍ଷିଣରେ ରୁହନ୍ତି । ବିଭାଜନକୁ ନେଇ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରାୟତଃ ଝଗଡା ହୋଇଥାଏ । ଏଠାରେ ଲୋକମାନେ ବର୍ଷ ବର୍ଷ ଧରି ଜାତି ଓ ଧାର୍ମିକ ହିଂସା ସହ ସଂଗ୍ରାମ କରିଆସୁଛନ୍ତି ।

    କେନ୍ଦ୍ରୀୟ ନାଇଜେରିଆର ସୂଚନା ଏବଂ ଯୋଗାଯୋଗ କମିଶନର ଡାନ ମଂଞ୍ଜାଙ୍ଗ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ହିଂସାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ, ମେଷପାଳକ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ମେଷପାଳକ ମାନେ ମୁସଲମାନ ଏବଂ କୃଷକମାନେ ଖ୍ରୀଷ୍ଟିଆନ ଧର୍ମର ଥିଲେ । ଧାର୍ମିକ ମତଭଦ ଯୋଗୁଁ ଏପରି ହିଂସା ସଂଗଠିତ ହୋଇଥିବା କୁହାଯାଉଛି ।

    ମଙ୍ଗୁ ଜିଲ୍ଲାର ବବୋଇର ବିଭିନ୍ନ ଗ୍ରାମରେ ଏହି ହିଂସା ଘଟିଥିବା ପୋଲିସ କହିଛି । କେନ୍ଦ୍ରୀୟ ନାଇଜେରିଆ ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି ଯେ, ଦିନରେ ପ୍ରାୟ ୧୧:୫୬ ମିନିଟରେ ଆମ ପାଖକୁ ଏକ ଜରୁରୀକାଳୀନ କଲ ଆସିଥିଲା, ଯେଉଁଥିରେ ଗୁଳିଗୋଳା ହୋଇଥିବା ସୂଚନା ଦିଆଯାଇଥିଲା ।

    ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କୁ ଉକ୍ତ ଅଞ୍ଚଳରେ ନିୟୋଜିତ କରାଯାଇଛି ଏବଂ ହୁଡଲୁମ୍ସ ଲୋକ (ଏହା ଏକ ସ୍ଥାନୀୟ ଶବ୍ଦ, ଯାହା ଅପରାଧିକ ଲୋକଙ୍କ ପାଇଁ ବ୍ୟବହାର କରାଯାଏ) ଥିବା ଅଞ୍ଚଳରେ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଉତ୍ତର ପଶ୍ଚିମ ଏବଂ ମଧ୍ୟ ନାଇଜେରିଆରେ ପ୍ରାୟତଃ ହତ୍ୟା, ସାମୁହିକ ଅପହରଣ ଏବଂ ଲୁଟପାଟ ଭଳି ଘଟଣା ଦେଖିବାକୁ ମିଳିଥାଏ ।

    ଏଠାରେ ଭୟଙ୍କର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଗ୍ୟାଙ୍ଗମାନେ ପ୍ରାୟତଃ ଗାଁ ଗୁଡ଼ିକୁ ଲୁଟିବା କାମ କରନ୍ତି । ଚଳିତ ବର୍ଷ ଏପ୍ରିଲରେ ପଡୋଶୀ ବେନ୍ୟୁ ରାଜ୍ୟର ଏକ ଗ୍ରାମ ଉପରେ ବନ୍ଧୁକଧାରୀ ମାନେ ଆକ୍ରମଣ କରିବା ସମୟରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଧିକାରୀ ମାନେ ମେଷପାଳକ ମାନଙ୍କୁ ଦାୟୀ କରିଥିଲେ ।

  • କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

    କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ହତ୍ୟା ଧମକ

    କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ଫୋନ୍ କଲ ମାଧ୍ୟମରେ ଏହି ଧମକ ଦିଆଯାଇଛି । ଏ ସମ୍ପର୍କରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି । ବର୍ତ୍ତମାନ ପୋଲିସ ଏହାର ଅନୁସନ୍ଧାନ କରୁଛି ।

    ଏହା ପୂର୍ବରୁ ନୀତିନ ଗଡକରୀଙ୍କୁ ଦୁଇଥର ମାରିବା ପାଇଁ ଧମକ ଦିଆଯାଇଛି । ଜାନୁଆରୀ ୧୪ ତାରିଖରେ ନାଗପୁର କାର୍ଯ୍ୟାଳୟକୁ ପ୍ରଥମ ଧମକ କଲ୍ କରାଯାଇଥିଲା । ଜୟଶ ପୂଜାରୀ ନାମକ ଜଣେ ବ୍ୟକ୍ତି ପ୍ରଥମ ଥର ଫୋନ କରିଥିଲା ଆଉ ସେ ୧୦୦ କୋଟି ଟଙ୍କା ଦାଦାବଟି ମାଗିଥିଲା । ମାର୍ଚ୍ଚ ୨୧ରେ ଦ୍ୱିତୀୟ ଥର ପାଇଁ ତାଙ୍କ କାର୍ଯ୍ୟାଳୟକୁ ଫୋନ କରି ଧମକ ଦିଆଯାଇଥିଲା । ଯେତେବେଳେ ସେ ଦ୍ୱିତୀୟ ଥର ଫୋନ କରିଥିଲେ, ସେତେବେଳେ ସେ ୧୦ କୋଟି ଟଙ୍କା ମାଗିଥିଲା ।

    ଧମକ ଦେଉଥିବା ଜୟଶ ପୂଜାରୀଙ୍କ ଉପରେ ନାଗପୁର ପୋଲିସ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ (UAPA) ମାର୍ଚ୍ଚ ମାସରେ ଲାଗୁ କରିଛି । ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତ ଜୟେଶ ପୂଜାରୀଙ୍କ ପିଏଫଆଇ, ଲଶ୍କର-ଏ-ତାଇବା ଏବଂ ଦାଉଦ ଇବ୍ରାହିମ ଗ୍ୟାଙ୍ଗ ଭଳି ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଛି ।

  • ପ୍ରଥମେ ପତ୍ନୀ ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ମେଟ୍ରୋ କର୍ମଚାରୀ

    ପ୍ରଥମେ ପତ୍ନୀ ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟା କଲେ ମେଟ୍ରୋ କର୍ମଚାରୀ

    ଦିଲ୍ଲୀର ଜ୍ୟୋତି କଲୋନୀରୁ ହୃଦୟ ଥରାଇବା ଭଳି ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ ଏହି ଭୟଙ୍କର ଘଟଣା ଘଟାଇଛନ୍ତି । ସେ ପ୍ରଥମେ ନିଜ ପତ୍ନୀ ଏବଂ ଝିଅକୁ ହତ୍ୟା କରି ପରେ ଆତ୍ମହତ୍ୟା କରିଛନ୍ତି । ହେଲେ ଏହି ଭୟଙ୍କର ପଦକ୍ଷେପ ପଛର କାରଣ କଣ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

    ପୋଲିସର ସୂଚନା ଅନୁସାରେ, ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) କର୍ମଚାରୀ ସୁଶୀଲ କୁମାର ମଙ୍ଗଳବାର ଦିନ ପୂର୍ବ ଦିଲ୍ଲୀର ଜ୍ୟୋତି କଲୋନୀ ଅଞ୍ଚଳରେ ତାଙ୍କ ପତ୍ନୀ ଏବଂ ଝିଅକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛି ।

    ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏକ PCRକୁ କଲ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା । ଦିଲ୍ଲୀ ମେଟ୍ରୋର ଜଣେ କର୍ମଚାରୀ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ସହକର୍ମୀ ସୁଶୀଲ କୁମାର(୪୩)ଙ୍କୁ ଭେଟିବା ପାଇଁ ଅଫିସରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ସାକ୍ଷାତ ମିଳିନଥିଲା । ଯେତେବେଳେ ସେ ସୁଶୀଲଙ୍କୁ କଲ କରିଥିଲେ, ସେ କଲରେ କାନ୍ଦିବାକୁ ଲାଗିଲେ । ଫୋନରେ ସୁଶୀଲ କହିଥିଲେ ଯେ, ସେ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ।

    ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ସୁଶୀଲ କୁମାରଙ୍କ ଘରେ ପହଞ୍ଚିଥିଲା । ପୋଲିସ ଘରେ ତିନିଟି ମୃତଦେହ ଜବତ କରିଛି । ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ସୁଶୀଲ କୁମାରଙ୍କ ମୃତଦେହ ଛାତରେ ଝୁଲୁଥିବା ଦେଖିବାକୁ ମିଳିଛି । ତାଙ୍କ ପତ୍ନୀ ଅନୁରାଧା (୪୩) ଏବଂ ଛଅ ବର୍ଷର ଝିଅକୁ ଛୁରାମାଡ଼ କରାଯାଇଥିଲା । ଉଭୟଙ୍କ ମୃତଦେହ ଘର ଭିତରୁ ମିଳିଥିଲା । ପୋଲିସ କହିଛି ଯେ, ସୁଶୀଲ ତାଙ୍କ ୧୩ ବର୍ଷର ପୁଅକୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲା, କିନ୍ତୁ ସେ ବଞ୍ଚିଯାଇଥିଲେ । ଦିଲ୍ଲୀ ଜିଟିବି ହସ୍ପିଟାଲରେ ପୁଅର ଚିକିତ୍ସା ଚାଲିଛି ।