କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରେସର ଆଗରେ ସିଦ୍ଧରମୈୟା, ଅଧ୍ୟକ୍ଷଙ୍କ ଘୋଷଣାକୁ ଅପେକ୍ଷା

କର୍ଣ୍ଣାଟକ ଦଖଲ ପରେ ଏଯାଏ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କ ଛିଡୁନି । କିଏ ହେବେ କର୍ଣ୍ଣାଟକ ସିଏମ୍ ସିଦ୍ଧରମୈୟା ନା ଶିବକୁମାର । ଏହା ଭିତରେ ପୁଣି ସୁନି ୱାକଫ୍ ବୋର୍ଡର ଦାବି । ଏବେ କଂଗ୍ରେସ ଅଧ୍ୟକ୍ଷଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ।

କର୍ଣ୍ଣାଟକ ସିଏମ୍ ପଦ ରାଜନୀତି ଜୋର୍ ଧରିଛି । କର୍ଣ୍ଣାଟକ ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର । କାରଣ କିଛି ରାଜ୍ୟରେ କଂଗ୍ରେସ ଶାସନକୁ ଆସିବା ମାତ୍ରେ କେଁ ପଶୁଛି । ଅଡୁଆ ପରିସ୍ଥିତିର ସାମ୍ନା କରୁଛି ଦଳ । ତେଣୁ ଏଥର ବି ଦଳୀୟ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।

କର୍ଣ୍ଣାଟକରୁ ଦିଲ୍ଲୀ ଦରବାର । ସେଠି ବି ହୋଇପାରୁନି କୌଣସି ନିଷ୍ପତ୍ତି । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ହାଇକମାଣ୍ଡ ଚାହୁଁଛନ୍ତି । କାରଣ ସିଦ୍ଧରମୈୟା ବରିଷ୍ଠ ଏବଂ ଶେଷ ନିର୍ବାଚନ ଲଢ଼ିଥିବା ପୂର୍ବରୁ ଜଣାଇଛନ୍ତି । ତାଙ୍କର ଲୋକପ୍ରିୟତା ବି ରହିଛି । ହେଲେ ଶିବକୁମାରଙ୍କ ପ୍ରତି ଏବେ ସମର୍ଥନ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ପିସିସି ସଭାପତି ଶିବକୁମାର, ବିଦ୍ରୋହ ନକରି ଶାନ୍ତିରେ ସମାଧାନ ପାଇଁ ଚାହୁଁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପଦ ନ ମିଳିଲେ ବି ସେ ଜଣେ ସାଧାରଣ ବିଧାୟକ ଭାବେ ଦଳରେ ରହିବେ ବୋଲି ଜଣାଇଛନ୍ତି ।

ଡିକେ ଶିବକୁମାର ଓ ସିଦ୍ଧରମୈୟା, ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ହେଲେ କ୍ଷମତା ଭାଗବଣ୍ଟା ଫର୍ମୁଲାକୁ ଅଗ୍ରାହ୍ୟ କରିଛନ୍ତି ଶିବକୁମାର । ସିଦ୍ଧରମୈୟା କେତେବେଳେ ବିରୋଧୀ ଦଳ ନେତା ହୋଇଛନ୍ତି ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଏବେ ହାଇକମାଣ୍ଡ ସବୁ ପ୍ରକାରର ନିଷ୍ପତ୍ତି ନେଇପାରିବେ ବୋଲି ରୋକଠୋକ୍ କହିଛନ୍ତି ଶିବକୁମାର ।

ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ପରଦା ହଟିପାରୁନି । ରେସରେ କିନ୍ତୁ ସିଦ୍ଧରମୈୟା ଆଗରେ ଅଛନ୍ତି । ତେଣୁ ଖୁବଶୀଘ୍ର ଖଡଗେ କର୍ଣ୍ଣାଟକ ଯାଇ ବିଧାୟକ ଏବଂ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବେ । ସେମାନଙ୍କ ଠାରୁ ମତାମତ ଆଣିବା ପରେ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଘୋଷଣା କରିବେ ଅଧ୍ୟକ୍ଷ ।

ସେପଟେ, ସୁନ୍ନି ୱାକଫ୍ ବୋର୍ଡ ଅଧ୍ୟକ୍ଷ ସଫି ସାଦିଙ୍କ ଦାବି ଏବେ କଂଗ୍ରେସକୁ ଅଡୁଆରେ ପକାଇଛି । ସୁନ୍ନି ଉଲମା ବୋର୍ଡ ନେତାମାନେ ଦାବି କରିଛନ୍ତି ଯେ କଂଗ୍ରେସ ଜଣେ ମୁସଲମାନଙ୍କୁ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରିବା ସହ ଆଉ ୫ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯେପରିକି ସ୍ୱାସ୍ଥ୍ୟ,ରାଜସ୍ୱ ଏବଂ ଗୃହ ବିଭାଗ ଇତ୍ୟାଦି ମୁସଲମାନ ବିଧାୟକଙ୍କ ଅଧୀନରେ ରଖାଯାଉ । ସ୍ଥିତି ଜଟିଳ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ମଲ୍ଲିକାର୍ଜ୍ଜୁନ ଖଡଗେ ।

Leave a Reply

Your email address will not be published. Required fields are marked *