ନାଇଜେରିଆରେ ସାମ୍ପଦାୟିକ ହିଂସା, ଦୁଇ ଗୋଷ୍ଠି ମଧ୍ୟରେ ଗୁଳିଗୋଳା, ୩୦ ଜଣଙ୍କ ମୃତ୍ୟୁ

ମଙ୍ଗଳବାର ଦିନ କେନ୍ଦ୍ରୀୟ ନାଇଜେରିଆରେ ମେଷପାଳକ ଏବଂ କୃଷକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ୩୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଜଣେ ସ୍ଥାନୀୟ ଅଧିକାରୀ ଏହି ବିଷୟରେ ସୂଚନା ଦେଇଛନ୍ତି ।

ନାଇଜେରିଆରେ ଅଧିକାଂଶ ମୁସଲମାନ ଉତ୍ତର ଅଞ୍ଚଳରେ ରହୁଥିବା ବେଳେ ଖ୍ରୀଷ୍ଟିଆନ ମାନେ ଦକ୍ଷିଣରେ ରୁହନ୍ତି । ବିଭାଜନକୁ ନେଇ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ପ୍ରାୟତଃ ଝଗଡା ହୋଇଥାଏ । ଏଠାରେ ଲୋକମାନେ ବର୍ଷ ବର୍ଷ ଧରି ଜାତି ଓ ଧାର୍ମିକ ହିଂସା ସହ ସଂଗ୍ରାମ କରିଆସୁଛନ୍ତି ।

କେନ୍ଦ୍ରୀୟ ନାଇଜେରିଆର ସୂଚନା ଏବଂ ଯୋଗାଯୋଗ କମିଶନର ଡାନ ମଂଞ୍ଜାଙ୍ଗ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ହିଂସାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ସେ କହିଛନ୍ତି ଯେ, ମେଷପାଳକ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ମେଷପାଳକ ମାନେ ମୁସଲମାନ ଏବଂ କୃଷକମାନେ ଖ୍ରୀଷ୍ଟିଆନ ଧର୍ମର ଥିଲେ । ଧାର୍ମିକ ମତଭଦ ଯୋଗୁଁ ଏପରି ହିଂସା ସଂଗଠିତ ହୋଇଥିବା କୁହାଯାଉଛି ।

ମଙ୍ଗୁ ଜିଲ୍ଲାର ବବୋଇର ବିଭିନ୍ନ ଗ୍ରାମରେ ଏହି ହିଂସା ଘଟିଥିବା ପୋଲିସ କହିଛି । କେନ୍ଦ୍ରୀୟ ନାଇଜେରିଆ ପୋଲିସର ମୁଖପାତ୍ର ଆଲଫ୍ରେଡ ଆଲାବୋ କହିଛନ୍ତି ଯେ, ଦିନରେ ପ୍ରାୟ ୧୧:୫୬ ମିନିଟରେ ଆମ ପାଖକୁ ଏକ ଜରୁରୀକାଳୀନ କଲ ଆସିଥିଲା, ଯେଉଁଥିରେ ଗୁଳିଗୋଳା ହୋଇଥିବା ସୂଚନା ଦିଆଯାଇଥିଲା ।

ଏହି ଘଟଣା ପରେ ସୁରକ୍ଷାକର୍ମୀଙ୍କୁ ଉକ୍ତ ଅଞ୍ଚଳରେ ନିୟୋଜିତ କରାଯାଇଛି ଏବଂ ହୁଡଲୁମ୍ସ ଲୋକ (ଏହା ଏକ ସ୍ଥାନୀୟ ଶବ୍ଦ, ଯାହା ଅପରାଧିକ ଲୋକଙ୍କ ପାଇଁ ବ୍ୟବହାର କରାଯାଏ) ଥିବା ଅଞ୍ଚଳରେ ୨୪ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ଉତ୍ତର ପଶ୍ଚିମ ଏବଂ ମଧ୍ୟ ନାଇଜେରିଆରେ ପ୍ରାୟତଃ ହତ୍ୟା, ସାମୁହିକ ଅପହରଣ ଏବଂ ଲୁଟପାଟ ଭଳି ଘଟଣା ଦେଖିବାକୁ ମିଳିଥାଏ ।

ଏଠାରେ ଭୟଙ୍କର ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଗ୍ୟାଙ୍ଗମାନେ ପ୍ରାୟତଃ ଗାଁ ଗୁଡ଼ିକୁ ଲୁଟିବା କାମ କରନ୍ତି । ଚଳିତ ବର୍ଷ ଏପ୍ରିଲରେ ପଡୋଶୀ ବେନ୍ୟୁ ରାଜ୍ୟର ଏକ ଗ୍ରାମ ଉପରେ ବନ୍ଧୁକଧାରୀ ମାନେ ଆକ୍ରମଣ କରିବା ସମୟରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଅଧିକାରୀ ମାନେ ମେଷପାଳକ ମାନଙ୍କୁ ଦାୟୀ କରିଥିଲେ ।

Leave a Reply

Your email address will not be published. Required fields are marked *