ଯଦି ଦଳ କହିବ ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିରୁଦ୍ଧରେ ଲଢିବି: ଦିଗବିଜୟ ସିଂ

ମଧ୍ୟପ୍ରଦେଶ ରାଜନୀତିରେ ଅନେକ ଟାଣୁଆ ନେତା ରହିଛନ୍ତି । କଂଗ୍ରେସରେ କମଲନାଥ, ଦିଗବିଜୟ ସିଂହଙ୍କୁ ଛାଡିଦେଲେ ବିଜେପିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣ ଓ କଂଗ୍ରେସରୁ ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ରହିଛନ୍ତି । ଦୀର୍ଘ ଦିନ ଧରି ରାହୁଲ ଗାନ୍ଧୀଙ୍କ ଅତି ନିକଟତର ରହିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶେଷରେ ମଧ୍ୟପ୍ରଦେଶର କଂଗ୍ରେସ ସରକାରକୁ ଭାଙ୍ଗିବାରେ କିପରି ସହାୟକ ହୋଇଥିଲା ତାହା କାହାକୁ ଅଛପା ନାହିଁ । ଏବେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ବୟାନ ମଧ୍ୟପ୍ରଦେଶ ରାଜନୀତିରେ ଝଡ ସୃଷ୍ଟି କରିଛି ।

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ମଙ୍ଗଳବାର କହିଛନ୍ତି ଯେ, ଯଦି ଦଳ ତାଙ୍କୁ କହିବେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଗୁନାରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ, ତେବେ ସେ ପ୍ରସ୍ତୁତ ଅଛନ୍ତି । ଚଳିତ ବର୍ଷ ଶେଷ ଆଡକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ଦଳର ଦୁର୍ବଳ ଆସନ ଗୁଡିକରେ କଂଗ୍ରେସ କର୍ମୀଙ୍କୁ ଏକଜୁଟ କରିବା ଅଭିଯାନରେ ଦିଗବିଜୟ ସିଂ ମଙ୍ଗଳବାର ଦିନ ସିବନୀ ଗସ୍ତରେ ଆସିଥିଲେ ।

ଏକ ପ୍ରଶ୍ନର ଉତ୍ତରରେ ଦିଗବିଜୟ ସିଂ କହିଛନ୍ତି, “ମୁଁ ବର୍ତ୍ତମାନ ଜଣେ ରାଜ୍ୟସଭା ସଦସ୍ୟ ଏବଂ ମୋତେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ଆବଶ୍ୟକତା ନାହିଁ । କିନ୍ତୁ ମୁଁ ଦଳର ଜଣେ ସୈନିକ, ଦଳ ମୋତେ ଯାହା କରିବାକୁ ନିର୍ଦ୍ଦେଶ ଦେବେ ମୁଁ କରିବି…. ମୋର ସଂସଦୀୟ କ୍ଷେତ୍ର ଗୁନା ନୁହେଁ, ରାଜଗଡ । ଗତଥର ମୋତେ ଭୋପାଳରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା, ଯାହା ମୋର ଆସନ ନୁହେଁ । କିନ୍ତୁ ମୁଁ ଜଣେ ଦଳର କର୍ମୀ ଏବଂ ଏହାର ସୈନିକ । ଦଳ ମୋତେ ଯାହା ଆଦେଶ ଦେବେ ମୁଁ ତାହା ପାଳନ କରିବି । “

ସିଂ ୨୦୧୯ରେ ଭୋପାଳରୁ ବିଜେପିର ପ୍ରଜ୍ଞା ସିଂ ଠାକୁରଙ୍କ ଠାରୁ ହାରିଥିବା ବେଳେ ଗୁନାରେ ସିନ୍ଧିଆକୁ ବିଜେପିର କୃଷ୍ଣ ପାଲ ସିଂ ଯାଦବଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ସିନ୍ଧିଆ ଗୁନାରୁ ଚାରି ଥର ପ୍ରତିଦ୍ବନ୍ଦିତା କରିଛନ୍ତି । ଶେଷରେ ସନ୍ଧିଆ କଂଗ୍ରେସ ଛାଡି ମାର୍ଚ୍ଚ ୨୦୨୦ରେ ବିଜେପିରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *