କୋରାପୁଟ ଏବଂ ଗଞ୍ଜାମରେ ଲାଞ୍ଚ କାରବାର, ୩ ଜଣ ଗିରଫ

ଲାଞ୍ଚ ନେଇ ଶେଷରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସିଡିପିଓ । ତାଙ୍କ ଅଫିସରେ କାର୍ଯ୍ୟରତ କିରାଣିଙ୍କୁ ମଧ୍ୟ ଧରିଛି ଭିଜିଲାନ୍ସ ଟିମ୍ । ଅନ୍ୟ ଏକ ଘଟଣାରେ ବେଗୁନିଆପଡ଼ା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି ।

ଅଙ୍ଗନବାଡି କର୍ମୀମାନଙ୍କୁ ନିଯୁକ୍ତି ରିଲିଜ୍ ଅର୍ଡର ଦେବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ନମିତା ରାଣୀ ପାଉଲ । ଜୟପୁର ଭିଜିଲାନ୍ସ ହାତରେ ସେ ଧରାପଡ଼ିଛନ୍ତି । କୋରାପୁଟ ଜିଲ୍ଲା ନାରାୟଣପାଟଣା ବନ୍ଧୁଗାଁର ସିଡିପିଓ ନମିତା ରାଣୀ ପାଉଲ । ସିଡିପିଓଙ୍କ ଅଫିସରେ କାର୍ଯ୍ୟରତ କିରାଣି ଅଶ୍ୱିନୀ କୁମାର ପ୍ରଧାନ ମଧ୍ୟ ଧରାପଡ଼ିଛନ୍ତି । ବନ୍ଧୁଗାଁ ବ୍ଲକର ଦେର୍କା ଅଙ୍ଗନବାଡି କେନ୍ଦ୍ରରେ ମହିଳାଙ୍କ ନିଯୁକ୍ତିପତ୍ରର ରିଲିଜ ଅର୍ଡର ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉଭୟ ଅଭିଯୁକ୍ତ । ଏନେଇ ଅଙ୍ଗନୱାଡି କର୍ମୀଙ୍କ ବାପା ରାଉତ କୁଲେସିକା, ଭିଜିଲାନ୍ସରେ ଅଭିଯୋଗ କରିବାରୁ ଜାଲ ବିଛାଇ ଧରିଥିଲା ଭିଜିଲାନ୍ସ ଟିମ୍ ।

କୁଲେସିକାଙ୍କ ଠାରୁ ଅଶ୍ୱିନୀ ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ତାଙ୍କ ଠାରୁ ଏହି ଟଙ୍କା ଜବତ କରିବା ସହ ତାଙ୍କୁ ଓ ସିଡିପିଓ ପାଉଲଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କୁ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟ ନେଇ ଅଧିକ ତଦନ୍ତ କରୁଛି ଟିମ୍ । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପଦବୀରେ ନିଯୁକ୍ତି ପତ୍ର ଦେବା ପାଇଁ କୁଲେସିକାଙ୍କ ଠାରୁ ଅଶ୍ୱିନୀ ଓ ସିଡିପିଓ ପୂର୍ବରୁ ଏକ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ଏନେଇ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ମାଲକାନଗିରି ଓ ଜୟପୁରର ୧୧ ଜଣିଆ ଟିମ୍ ଏହି ରେଡ୍ କରିଥିଲେ ।

ସେପଟେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରୁଣ ନାୟକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ଭତ୍ତା କରାଇବାକୁ ଜଣେ ହିତାଧିକାରୀଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଉଭୟ ମାମଲାରେ ତଦନ୍ତ କରୁଛି ଭିଜିଲାନ୍ସ ଟିମ୍ ।

Leave a Reply

Your email address will not be published. Required fields are marked *