ବିହାରରେ ବାଗେଶ୍ୱର ରାଜନୀତି ଜୋରଦାର

ପୁଣି ଚର୍ଚ୍ଚାରେ ବାଗେଶ୍ୱର ବାବା। ବାଗେଶ୍ୱର ବାବା ଓରଫ ଧୀରେନ୍ଦ୍ର ଶାସ୍ତ୍ରୀ। ବାବାଙ୍କର କଥା ପ୍ରବଚନ ଶିବିର ବିହାରର ପାଟନାରେ ଚାଲିଥିବା ବେଳେ ବାବାଙ୍କ ଦର୍ଶନ ପାଇଁ ସେଠାରେ ଦେଖିବାକୁ ମିଳିଛି ଅସମ୍ଭବ ଜନ ସମାଗମ। ସେପଟେ ପାଟନାର ଆୟକର ବିଭାଗ ଅଫିସ ନିକଟରେ ଥିବା ବାବାଙ୍କ ପୋଷ୍ଟରକୁ କେହି ରାତିରେ ଚିରି ଦେଇଥିବା ବେଳେ ଡାକ ବଙ୍ଗଳା ଛକ ନିକଟରେ ଥିବା ପୋଷ୍ଟରରେ କେହି ବୋଳିଦେଇଛି କାଳି । ଖାଲି ସେତିକି ନୁହେଁ ବାବାଙ୍କୁ ୪୨୦ ବୋଲି ମଧ୍ୟ ଲେଖି ଦେଇଛି। ଯାହାକୁ ନେଇ  ତେଜିଛି ରାଜନୀତି।

ହିନ୍ଦୁ ରାଷ୍ଟ୍ର ଗଠନର ନାରା ଦେଇ ଚର୍ଚ୍ଚାକୁ ଆସିଥିବା ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କୁ ନେଇ ବିହାରରେ ରାଜନୀତି ଜୋରଦାର। ବାବାଙ୍କ ପାଟନା ପ୍ରବଚନ  ଶିବିର ଓ ବାବାଙ୍କ ଦର୍ଶନ ପାଇଁ ଯେଉଁ ଭିଡ ବିହାର ତଥା ଦେଶ ଦେଖିଛି ତାହା ପୂର୍ବରୁ କେବେ କୌଣସି ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଦେଖିବାକୁ ମିଳି ନ ଥିଲା। ସେପଟେ ରାତିର ଆନ୍ଧାରରେ ଗୋଟିଏ ପୋଷ୍ଟରରେ କଳା ବୋଳା ହୋଇଛି ତ ପୁଣି ଅନ୍ୟ ପୋଷ୍ଟରକୁ ଫାଡି ଦିଆଯାଇଛି। ଏପରି କାମକୁ ବିଜେପି ସରକାରୀ କଳ ଓ ବଳର କାମ କହିଥିବା ବେଳେ  ବାବା ଉପରେ ଟିକ୍କାଟିପଣୀ ଦେବାରୁ ପଛେଇନି ଜେଡିୟୁ ଓ ଆରଜେଡି  ମୁଖ୍ୟ।

ବାବାଙ୍କ ହିନ୍ଦୁ ରାଷ୍ଟ୍ର ଗଠନକୁ ନେଇ ଆହ୍ୱାନକୁ ନୀତିଶ ନାପସନ୍ଦ କରିଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଧୀରେନ୍ଦ୍ର ଶାସ୍ତ୍ରୀ କଣ କେଉଁ  ବାବା କହି କରିଛନ୍ତି ପରିହାସ । ସେପଟେ ଆରଜେଡିର ନେତା ଶକ୍ତି ସିଂହ ଯାଦବ ବାବାଙ୍କ ଜନ ସମାବେଶକୁ ବିଜେପି ପ୍ରାୟୋଜିତ କହିଛନ୍ତି। ସେ ବାବାଙ୍କୁ ହିନ୍ଦୁ ଫାଶୀବାଦ ବା ହିନ୍ଦୁ ବିରୋଧୀ କହିବାକୁ ପଛେଇ ନାହାନ୍ତି। ସେହିପରି ଜେଡିୟୁ ନେତା ଜଗଦାନନ୍ଦ ସିଂହ ବାବାଙ୍କୁ ମଦାରୀ ବା ମାଙ୍କଡ ନଚାଳି ବୋଲି କହିଛନ୍ତି। ବାବାଙ୍କ ଦର୍ଶନ ପାଇଁ ଦେଖା ଦେଉଥିବା ଭିଡ ଉପରେ ଜଗଦାନନ୍ଦ ସିଂହ କହିଛନ୍ତି କି, ମଦାରୀ ମଧ୍ୟ ଲୋକଙ୍କୁ ଜୁଟାଇବାରେ ସକ୍ଷମ ହୋଇଥାଏ। ଏ ମଦାରୀ ଶିକ୍ଷିତ ଲୋକଙ୍କୁ ଭୁଆଁ ବୁଲାଉଛି।

ସେପଟେ ବାବାଙ୍କ ଶିବିରର ୪ର୍ଥ ଦିନରେ ତେଜପ୍ରତାପ ନିଜ ନିରବତା ଭାଙ୍ଗି ବାବା କିଏ ବୋଲି ପ୍ରଶ୍ନ କରିବା ସହ ବିହାର କୃଷ୍ଣ ରାଜ୍ୟ ବୋଲି କହିଛନ୍ତି। କାରଣ ବାବା ବାଗେଶ୍ୱର ଭାରତକୁ ରାମଙ୍କ ରାଜ୍ୟ କହିଥାନ୍ତି। ଆହୁରି ତେଜପ୍ରତାପ କହିଛନ୍ତି କି ବିଜେପି ଧର୍ମ ନାମରେ ଦେଶ ଭାଙ୍ଗିବାକୁ ଚେଷ୍ଟା କରୁଛି। ସେହିପରି କଂଗ୍ରେସ ନେତା ଇରଫାନ ଅଂସାରୀ ବାବାଙ୍କୁ ତାଙ୍କ ଦରବାରରେ ଆଲ୍ଲା ହୋ ଆକବର  କି ୟା ଅଲ୍ଲୀ କହିବାକୁ ଦେଇଛନ୍ତି ପରାମର୍ଶ ।

ତେବେ ବିହାରରେ ବାବା ବାଗେଶ୍ୱରଙ୍କୁ ବିରୋଧ କରି ଦରବାର ଲଗାଇ ନ ଦେବାକୁ ସରକାରର ସବୁ କଳ କୌଶଳ ଫେଲ ମାରିଛି। ଖାଲି ସେତିକି ନୁହେଁ ବିହାରରେ  ପ୍ରବଳ ତାତି ଓ ପ୍ରଖର ରୌଦ୍ର ତାପ ସତ୍ତ୍ୱେ ବାବାଙ୍କ ଦରବାରକୁ ଛୁଟିଛି ଲୋକଙ୍କ ସୁଅ। ଏସବୁ ଭିତରେ ଦେଖିବାକୁ ରହିଲା ବାସ୍ତବରେ ଆତ୍ମଘୋଷିତ ବାବା ବାଗେଶ୍ୱରଙ୍କର କୌଣସି ଐଶ୍ୱରିକ ଶକ୍ତି ରହିଛି ନା ବିଭିନ୍ନ କୌଶଳ ପ୍ରୟୋଗ କରି ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

Leave a Reply

Your email address will not be published. Required fields are marked *