Category: ଦେଶ-ବିଦେଶ

  • ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

    ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

    ତାମିଲନାଡୁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଭିଲୁପୁରମ୍ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ତିନିଜଣ ମହିଳାଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ରବିବାର ଭିଲୁପୁରମ୍ ଜିଲ୍ଲାର ମାରାକାନାମ ନିକଟ ଏକକିୟାରକୁପ୍ପାମରେ ରହୁଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମଇ ୧୨ରେ ଚେଙ୍ଗଲପାଟ୍ଟୁ ଜିଲ୍ଲାର ମଦୁରାନ୍ତଗମରେ ଦୁଇ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା ।

    ଆଧିକାରୀ ସୂଚନା ମୁତାବକ, ରବିବାର  ବିଷାକ୍ତ ମଦ ପିଇବାରୁ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଅବୈଧ ମଦ ସେବନ ହେତୁ ଏହି ସବୁ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଦୁଇ ଡଜନରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ଓ ସେମାନେ ସମସ୍ତେ ଏବେ ଭଲ ଅଛନ୍ତି | ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଉତ୍ତର) ଏନ କାନନ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବାର ଆଶ୍ଵସନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ୧୦ ପୀଡିତ ନିଶ୍ଚିତ  ଇଥାନଲ-ମିଥାନୋଲ ପଦାର୍ଥ ସହିତ ବିଷାକ୍ତ ମଦ ସେବନ କରିଥିଲେ।

    କାନନ କହିଛନ୍ତି ଯେ ତାମିଲନାଡୁର ଉତ୍ତର ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ଦୁଇଟି ପୃଥକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏଥିସହ ଏପର୍ଯ୍ୟନ୍ତ ପୋଲିସ ଦୁଇଟି ଘଟଣା ମଧ୍ୟରେ ସଂଯୋଗର କୌଣସି ପ୍ରମାଣ ପାଇ ନାହିଁ, କିନ୍ତୁ କୌଣସି ସମ୍ଭାବ୍ୟ ସଂଯୋଗ ଜାଣିବା ପାଇଁ ପୋଲିସ ଗୋଟିଏ ଦିଗରୁ ଖୋଳତାଡ଼ ଅଭିଯାନ ଜାରି ରଖିଛି ।  ଗୋଟିଏ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଏବଂ ଅନ୍ୟଟି ଭିଲୁପୁରମ୍ ଜିଲ୍ଲାରେ ।  ଭିଲୁପୁରମ ଜିଲ୍ଲାର ଅମରନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ନକଲି ମଦ ମଧ୍ୟ ଜବତ କରାଯାଇଛି। ଏଥିରେ ମିଥାନୋଲର ମାତ୍ରା ଜାଣିବା ପାଇଁ ଏହାକୁ ଯାଞ୍ଚ ପାଇଁ  ଲ୍ୟାବକୁ ପଠାଯାଇଛି।

    ଚେଙ୍ଗଲପାଟ୍ଟୁ ଜିଲ୍ଲାର ଦ୍ୱିତୀୟ ଘଟଣା ବିଷୟରେ ଆଇଜି ଏନ କାନନ କହିଛନ୍ତି ଯେ, ଏଠାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ  ଜାରି କରାଯାଇଛି । ଏଠାର ଘଟଣାରେ ଅଭିଯୁକ୍ତ ଅମାବାସାଇଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି,  ସମସ୍ତ ମୃତକ ନିଶ୍ଚିତ ଭାବରେ ଇଥାନଲ ଏବଂ ମିଥାନୋଲ ମିଶ୍ରିତ ପଦାର୍ଥ ସହିତ ବିଷାକ୍ତ ମଦ୍ୟପାନ କରିଥିବେ ଯାହା ମୃତ୍ୟୁର କାରଣ ହୋଇଛି। ଉଭୟ ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଘଟଣା ସମ୍ପର୍କରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

  • ସୁନା ସମୃଦ୍ଧ ଶ୍ରେଣୀରେ ଭାରତର ସ୍ଥାନ ୯

    ସୁନା ସମୃଦ୍ଧ ଶ୍ରେଣୀରେ ଭାରତର ସ୍ଥାନ ୯

    କାହିଁ କେଉଁ କାଳରୁ ମଣିଷର ବିଭିନ୍ନ ଧାତୁରେ ନିର୍ମିତ ଅଳଙ୍କାର ପ୍ରତି ରହିଆସୁଛି ଦୁର୍ବଳତା। ସେ ସୁନା ହେଉ ବା ହୀରା, ଅବା ରୂପା, ଏହି ସବୁ ବହୁମୂଲ୍ୟ ଧାତୁର ଅଳଙ୍କାର ପିନ୍ଧିବା ଓ ଧାତୁକୁ ଗଚ୍ଛିତ ରଖିବାରେ ମଣିଷ ସଦା ସର୍ବଦା ଲାଗିଆସିଛି। ସେହି ସବୁ ଧାତି ଭିତରେ ସବୁଠୁ ଅଧିକ ଅକର୍ଷଣ ଓ ଚାହିଦା ରହିଛି ସୁନାର। ଖାଲି ବ୍ୟକ୍ତି ବିଶେଷରେ ନୁହେଁ, ରାଜ୍ୟ ଓ ରାଷ୍ଟ୍ର ମଧ୍ୟ ଏହି ଧାତୁକୁ ନେଇ ଗୌରବ ଅନୁଭବ କରନ୍ତି। ଯୋଉଁ ରାଷ୍ଟ୍ର ପାଖରେ ଯେତେ ଅଧିକ ସୁନା ସେ ସେତେ ସମୃଦ୍ଧଶାଳୀ ରାଷ୍ଟ୍ର। ଗତବର୍ଷ ଡିସେମ୍ବରରେ ସୁନା ଗଚ୍ଛିତ ରଖିଥିବା ରାଷ୍ଟ୍ରଙ୍କର ଏକ ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ଭାରତ ରହିଛି ନବମ ସ୍ଥାନରେ।  

    ସୁନାରେ ସୃଦ୍ଧର ଦେଶମାନଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛି  ଯୁକ୍ତରାଷ୍ଟ୍ର ଆମେରିକା। ଆମେରିକା ପାଖରେ ବିଶ୍ୱର ସବୁ ଦେଶଠାରୁ ରହିଛି ଅଧିକ ସୁନା। ସୁନା ସମୃଦ୍ଧ ରାଷ୍ଟ୍ର ତାଲିକା ଅନୁଯାୟୀ, ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ରହିଛି।  ଆମେରିକା ପଛକୁ ଆସେ ଜର୍ମାନୀ।  ଜର୍ମାନ ୩ ହଜାର ୩୫୫ ମେଟ୍ରିକ୍ ଟନ୍ ସୁନା ଠୁଳ କରି ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

    ସେହିପରି ଇଟାଲୀ ୨ ହଜାର ୪୫୨ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରଖି  ତୃତୀୟ ସ୍ଥାନରେ ରହିଛି। ତାଲିକାରେ ଫ୍ରାନ୍ସ ୪ର୍ଥ ସ୍ଥାନରେ ରହିଥିବା ବେଳେ ତା ପଖରେ ରହିଛି ୨ ହଜାର ୨୯୯ ମେଟ୍ରିକ୍ ଟନ୍‌ ସୁନା। କିନ୍ତୁ ପରମାଣୁ ଶକ୍ତିକୁ ନେଇ ସମୃଦ୍ଧ ଚାଇନା ପାଖରେ ୨ ହଜାର ୧୧ ଟନ୍ ସୁନା ଗଚ୍ଛିତ ରହିଛି। ଚାଉନା ପଛକୁ ଆସୁଛି ସୁଇଜରଲ୍ୟାଣ୍ଡ। ସୁଇଜରଲାଣ୍ଡ ପାଖରେ ୧ ହଜାର ୪୦ ଟନ୍ ସୁନା ଥିବା ବେଳେ ଜାପାନ ପାଖରେ ୮୪୬ ଟନ୍ ସୁନା ଗଚ୍ଛିତ ରହିଛି।

    କିନ୍ତୁ ସୁନାକୁ ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର କରିଥିବା ଭାରତ ସୁନା ସମୃଦ୍ଧ ତାଲିକାରେ ୯ମ ସ୍ଥାନରେ ରହିଛି। ଭାରତ ପାଖରେ ରହିଛି ୭୮୭ ଟନ୍ ସୁନା। ଭାରତ ପରେ ଏହି ତାଲିକାରେ ନେଦରଲାଣ୍ଡ, ତୁର୍କୀ, ସାଉଦି ଆରବ, ୟୁକେ, ସ୍ପେନ୍, ପୋଲାଣ୍ଡ, ସିଙ୍ଗାପୁର, ବ୍ରାଜିଲ, ସ୍ୱୀଡେନ୍ ରହିଛନ୍ତି।

    ବିଶ୍ୱରେ ମାନ୍ଦା ଅବସ୍ଥାକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ସୁନାର ଦାମ ବେଳକୁ ବେଳ ଅଧିକ ହେବାରେ ଲାଗିଛି। ପ୍ରତିଦେଶର ରିଜର୍ଭ ବ୍ୟାଙ୍କଗୁଡ଼ିକ ସୁନା ଜମା କରି ରଖୁଛନ୍ତି। ଏହାକୁ ଏକ୍ସଚେଞ୍ଚରେ ବ୍ୟବହାର କରାଯାଉଛି।

  • ଆଇସିଏସସି ଦଶମ, ଆଇଏସସି ଦ୍ୱାଦଶ ଫଳ ପ୍ରକାଶ

    ଆଇସିଏସସି ଦଶମ, ଆଇଏସସି ଦ୍ୱାଦଶ ଫଳ ପ୍ରକାଶ

    ରବିବାର ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ଆଇସିଏସ୍‌ଇ) ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିଛି। ଦ୍ୱାଦଶରେ ମଧ୍ୟ ଛାତ୍ରୀମାନଙ୍କର ପ୍ରଦର୍ଶନ ଛାତ୍ରମାନଙ୍କ ତୁଳନାରେ ଭଲ ରହିଛି। ଛାତ୍ରୀମାନଙ୍କ ପାଶହାର  ୯୮.୦୧ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାଶହାର ୯୫.୯୬ ପ୍ରତିଶତ ରହିଛି। ଦ୍ୱାଦଶ ଟପ୍ପରଙ୍କ ମଧ୍ୟରେ ରିୟା ଅଗ୍ରୱାଲ,ଇପ୍ସିତା ଭଟ୍ଟାଚାର୍ଯ୍ୟ, ମୋହଦ ଆର୍ଯ୍ୟ ତାରିକ, ସୁଭମ କୁମାର ଅଗ୍ରୱାଲ, ମାନିଆ ଗୁପ୍ତା ରହିଛନ୍ତି।

    ଦଶମରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରୁଶୀଲ କୁମାର, ଅନନ୍ୟା କାର୍ତ୍ତିକ, ଶ୍ରେୟା ଉପାଧ୍ୟାୟ, ଉଦୟ ସରଦେଶାଇ, ଯଶ ମନୀଷ ଭାସିନ, ତନୟ ସୁଶୀଲ ଶାହା, ହିୟା ସାଙ୍ଗଭି, ଅଭିଷି ସିଂ, ସମ୍ବିଟ ମୁଖୋପାଧ୍ୟାୟ ରହିଛନ୍ତି। ଦଶମ ଶ୍ରେଣୀରେ ନଅ ଜଣ ଛାତ୍ରୀ ୪୯୯ ମାର୍କ ହାସଲ କରି ପରୀକ୍ଷାରେ ଶୀର୍ଷରେ ରହିଛନ୍ତି। ଆଇସିଏସସି ୧୦ମରେ ମଧ୍ୟ ଛାତ୍ରୀମାନେ ମାରିଛନ୍ତି ବାଜି। ଛାତ୍ରୀମାନଙ୍କର ପାସ ପ୍ରତିଶତ ୯୯.୨୧ ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ ପ୍ରତିଶତ ୯୮.୭୧ ପ୍ରତିଶତ ରହିଛି। ଏହା ଛାତ୍ରଙ୍କ ତୁଳନାରେ ୦.୫ ପ୍ରତିଶତ ଅଧିକ।

    ଦ୍ୱାଦଶ ଛାତ୍ରୀଛାତ୍ରମାନଙ୍କର ସାମଗ୍ରିକ ପାଶହାର ୯୬.୯୩ ପ୍ରତିଶତ ଯାହା ଗତ ବର୍ଷ ତୁଳନାରେ ୨.୪୫ ପ୍ରତିଶତ କମ ରହିଛି । ସେହିପରି ଦଶମରେ ସାମଗ୍ରିକ ପାଶହାର ୯୮.୯୪ ପ୍ରତିଶତ ରହିଛି । ଏହା ପୂର୍ବ ବର୍ଷ ତୁଳନାରେ ୧.୦୩ ପ୍ରତିଶତ ହ୍ରାସ ପାଇଛି।

    ଆଇସିଏସସି ଦଶମ ପରୀକ୍ଷାରେ ରାଜ୍ୟରେ  ପ୍ରିୟଙ୍କା ପରାସର ଓ ବିଷ୍ଣୁ ପ୍ରସାଦ ଶତପଥୀ ହୋଇଛନ୍ତି ଟପ୍ପର। ଉଭୟେ ୯୯.୪୦% ମାର୍କ ରଖି ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେହିପରି ସଞ୍ଜନା ପଲେଇ, ପ୍ରତିକା ମିଶ୍ର, ପ୍ରେମା ମଞ୍ଜରୀ, ଆୟଷ ନନ୍ଦ ୯୯.୨୦% ମାର୍କ ରଖିଛନ୍ତି। ଅନୁଷ୍କା ମିତ୍ତଲ, ଓଜଲ ଆକାଶ, ଓକାର ମହାପାତ୍ର ଓ ଅମରେନ୍ଦ୍ର ସ୍ୱାଇଁ ୯୯.୦ ପ୍ରତିଶତ ମାର୍କ ରଖି ରାଜ୍ୟର ଗୌରବ ପାଲଟିଛନ୍ତି।

    ସେହିପରି ଆଇସିଇ ଦ୍ୱାଦଶ ପରୀକ୍ଷାରେ ଦିଶା ଗୋଏଲ ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ୯୮.୨୬ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଥିବା ବେଳେ ସ୍ତୁତିଲେଖା ପଟ୍ଟନାୟକ ୯୮.୦୦%, ସୁଦୀପ ଅଧିକାରୀ ଓ ଶ୍ରୀୟା ଦତ୍ତ ୯୭.୫ ପ୍ରତିଶତ ମାର୍କ ରଖିଛନ୍ତି।

    ସୂଚନାଯୋଗ୍ୟ ଚଳିତ ବର୍ଷ ଆଇଏସ୍‌ସି ଦଶମ ଶ୍ରେଣୀ ବୋର୍ଡ ପାଇଁ ୨.୩୬ ଲକ୍ଷ ପରୀକ୍ଷା ଦେଇଥିଲେ। ଦ୍ବାଦଶ ପରୀକ୍ଷାରେ ୫ ଜଣ ମିଳିତ ଭାବେ ଟପ୍ପର ହୋଇଛନ୍ତି। ସେମାନେ ୯୫.୭୫ ପ୍ରତିଶତ ନମ୍ବର ରଖିଛନ୍ତି। ସେମାନଙ୍କ ମଧ୍ୟରେ ଦିଶା ଓଡିଶାର।

  • ଫେସବୁକରେ ଲାଇଭ୍ କରି ପ୍ରେମିକର ଆତ୍ମହତ୍ୟା, ପ୍ରଥମେ ପ୍ରେମିକାକୁ ମାରିଥିଲା ଗୁଳି ଆଉ ତାପରେ…

    ଫେସବୁକରେ ଲାଇଭ୍ କରି ପ୍ରେମିକର ଆତ୍ମହତ୍ୟା, ପ୍ରଥମେ ପ୍ରେମିକାକୁ ମାରିଥିଲା ଗୁଳି ଆଉ ତାପରେ…

    ଆଜିର ଯୁବ ପିଢିଙ୍କୁ ନିଷାଜାତ ଦ୍ରବ୍ୟ ଅପକ୍ଷା ଅଧିକ ଘାରିଛି ପ୍ରେମ ନିଷା । ଏକତରଫା ପ୍ରେମ ହେଉ କିମ୍ବା ଉଭୟ ସାଇଡ ପ୍ରେମ, ସବୁଠି ବିବାଦ ବଢି ଚାଲିଛି ଆଉ ମୁଣ୍ଡ ଗଡିଚାଲିଛି । ଏବେ ସେମିତି ଏକ ହୃଦୟ ଥରାଇଲା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବକ ପ୍ରଥମେ ନିଜ ପ୍ରେମିକାକୁ ହତ୍ୟା କରିବା ପରେ ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ପ୍ରେମିକ ଜଣକ ଆତ୍ମହତ୍ୟା କରିବା ସମୟରେ ଫେସବୁକ୍ ଲାଇଭ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

    ଫେସବୁକ ଲାଇଭରେ ପ୍ରେମିକ ଜଣକ କହୁଛି, ‘ଖୁସିକୁ ମାରିଦେଲି, ଏବେ ନିଜେ ବି ମରିବି..ମୁଁ ଲୋକେସନ ପଠାଇ ଦେଉଛି, ଶେଷରେ ୮୭ ନମ୍ବର ଥିବା ମୋବେଇଲ୍ ନମ୍ବର ମୋର ଚାଲୁ ଅଛି । ଏହି ନମ୍ବରରେ କଲ୍‌ କରିପାରିବେ । ଅନୁରାଧା ଦିଦିଙ୍କୁ ଲାଇଭ୍‌ ଲୋକେସନ୍‌ ପଠାଇ ଦେଇଛି । ଖୁସିକୁ ହତ୍ୟା କରିବା ପରେ ଏବେ ତା’ ପାଖକୁ ଯାଉଛନ୍ତି । ବାୟ… ସବୁଦିନ ପାଇଁ ବିଦାୟ ନେଉଛି” ଫେସବୁକରେ ଲାଇଭ୍ ଆସି ଏପରି କହି ଆତ୍ମହତ୍ୟା କରିଥିଲେ ଅଙ୍କିତ କୁମାର ନାମକ ଜଣେ ଯୁବକ ।

    ଘଟଣାଟି ହେଉଛି ମେ ୧୩ ତାରିଖ ଅପରାହ୍ନର । ମାତ୍ର ଦିନକ ପୂର୍ବରୁ ଅଙ୍କିତ ରାଞ୍ଚିରେ ନିବେଦିତା ନାମକ ଜଣେ ଝିଅକୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ଶନିବାର ଦିନ ଅଙ୍କିତ ବିହାରର ଅଯୋଧ୍ୟାପୁରୀ ସ୍ଥିତ ଏକ ଘରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ଯେଉଁ ପିସ୍ତଲରେ ସେ ନିଜର ପ୍ରେମିକା ନିବେଦିତା ଓରଫ୍‌ ଖୁସିଙ୍କୁ ଗୁଳି ମାରିଥିଲେ, ସେହି ପିସ୍ତଲ୍‌ରେ ଆତ୍ମହତ୍ୟା କରିଛନ୍ତି । ନିବେଦିତାର ହତ୍ୟା ମାମାଲାରେ ଅଭିଯୁକ୍ତ ଅଙ୍କିତ୍‌କୁ ଗିରଫ କରିବା ପାଇଁ ବିହାରର ନୱାଡା ସମେତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା ପୋଲିସ୍‌ । ହେଲେ ପୋଲିସ ତା’ର କୌଣସି ଟେର୍ ପାଇନଥିଲା ।

    ଅଙ୍କିତ କୁମାର ନାମକ ଏହି ଯିବକ ବିହାରର ଅରଗୋଡ଼ାରେ ଏକ ଭଡା ଘର ରହୁଥିଲା । ଆଉ ନିବେଦିତା ଅରଗୋଡ଼ା ଥାନା ଅନ୍ତର୍ଗତ ପଟେଲ ଚକ୍ ନିକଟରେ ଥିବା ଏକ ହଷ୍ଟେଲରେ ରହୁଥିଲେ । ନିବେଦିତାଙ୍କ ଘର ବିହାରର ନବାଦା ଜିଲ୍ଲାରେ ।

    ଅଙ୍କିତ ଏବଂ ନିବେଦିତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା । ହେଲେ ଦୁହିଙ୍କ ଭିତରେ କ’ଣ ହେଲା କେଜାଣି ନିବେଦିତା ଅଙ୍କିତଙ୍କର ୨ ମାସ ଧରି କଥାବାର୍ତ୍ତା ବନ୍ଦ ଥିଲା । ଆଉ ଏଥିରେ ରାଗିଯାଇଥିଲା ଅଙ୍କିତ । ସନ୍ଧ୍ୟା ବେଳେ ନିବେଦିତା ତାଙ୍କ ସାଙ୍ଗ ସହିତ ଜଳଖିଆ ସାରି ଫେରୁଥିବା ବେଳେ ଅଧା ବାଟରେ ତାଙ୍କୁ ଗୁଳି ମାରିଥିଲା ଅଙ୍କିତ । ନିବେଦିତା ସେହିଠାରେ ଟଳିପଡିବା ସହିତ ତାଙ୍କ ସାଙ୍ଗ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହାପରେ ଅଙ୍କିତ ମଧ୍ୟ ତାଙ୍କ ପ୍ରେମିକ ନିବେଦିତାଙ୍କ ପାଖକୁ ଚାଲିଗଲେ ।

  • ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ୨୬୦୦ କେଜି ଡ୍ରଗ୍ସ ଜବତ

    ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ୨୬୦୦ କେଜି ଡ୍ରଗ୍ସ ଜବତ

    ଭାରତୀୟ ନୌସେନାର ଗୁଇନ୍ଦା ୟୁନିଟ୍ ଏବଂ NCBର ମିଳିତ ଅଭିଯାନ ବେଳେ ବଡ଼ ସଫଳତା । ଆରବ ସାଗରରେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହା ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି ଜଣାପଡ଼ିଛି । ପ୍ରାୟ ୨୬ ଶହ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ନୌସେନା ଓ ଏନସିବି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହେବ । ଜବତ କରାଯାଇଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ଡ୍ରଗ୍ସ ଜବତ ହୋଇଥିବା ନୌସେନାର ଜଣେ ଅଧିକାରୀ କହିଛନ୍ତି ।

    ଘଟଣାରେ ମାଫିଆକୁ ଗିରଫ କରିଛି ମିଳିତ ଟିମ୍ । ୨ ହଜାର ୬୦୦ କେଜି ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି । ଧରାପଡ଼ିଥିବା ମାଫିଆକୁ କୋଚି ବନ୍ଦର ନିଆଯାଇଛି । ଏନସିବି ଏବଂ ନୌସେନା ପକ୍ଷରୁ ମିଳିତ ତଦନ୍ତ କରାଯାଉଛି । ଏହି ରାକେଟରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ ଜାରି ରହିଛି ।ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଏନେଇ ପୂର୍ବରୁ ଖବର ମିଳିଥିଲା । ଆରବ ସାଗର ରାସ୍ତାରେ ଡ୍ରଗ୍ସ ମାଫିଆମାନେ ଭାରତର କୌଣସି ସମୁଦ୍ରୀ ଉପକୂଳରେ ଡ୍ରଗ୍ସ ଡେଲିଭର କରିବାକୁ ଚାହୁଁଥିବା ନେଇ ସୂଚନା ମିଳିବା ପରେ ସତର୍କ ଥିଲା ଟିମ୍ ।

    ଖବରକୁ ଭିତ୍ତି କରି ନୌସେନା ଏବଂ ଏନସିବି ଏକ ମିଳିତ ଅପରେସନକୁ ରୂପ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ଡ୍ରଗ୍ସ ଧରିଥିଲେ । ନୌସେନାର ଜାହାଜ INSTEGF-45 ଏହି ଡ୍ରଗ୍ସ କନସାଇନମେଣ୍ଟ ଆରବ ସାଗର ଅଞ୍ଚଳରୁ ଧରିଛି । ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜରାଟକୁ ଲାଗି ବିଭିନ୍ନ ଅଞ୍ଚଳରୁ ଅନେକ ଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । ହେଲେ ଭାରତ ଅଣାଯାଉଥିବା ଏହା ଏପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି କହିଛନ୍ତି ଅଧିକାରୀ । ପୂର୍ବରୁ ଡ୍ରଗ୍ସ ମାମଲାରେ ଅନେକ ମାଫିଆ ଗିରଫ ହୋଇଛନ୍ତି । ନୌସେନା, ପୋଲିସ, NCB ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଗତିବିଧି ଉପରେ ନଜର ରଖି ଅନେକ ମାଫିଆଙ୍କୁ ଗିରଫ କରିଛି । ଏବେ ଇରାନରୁ ଆସିଥିବା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ କିଏ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଟିମ୍ ।

  • କିଣିଥିଲେ ୭୦୦୦ ହଜାରରେ, ବିକିଲେ ୪୧ ଲକ୍ଷରେ

    କିଣିଥିଲେ ୭୦୦୦ ହଜାରରେ, ବିକିଲେ ୪୧ ଲକ୍ଷରେ

    କୌଣସି ସାମଗ୍ରୀ କିଣିଲେ ସମୟ ସହ ତାଳ ଦେଇ ତାର ମୂଲ୍ୟ ହ୍ରାସ ହୋଇଥାଏ।  ଏହାକୁ ଡେପ୍ରିସିଏସନ କୁହାଯାଏ। ଏହି ଡେପ୍ରିସିଏସନ ପାଇଁ ଥରେ କୌଣସି ଜିନିଷ କିଣି ତାକୁ କିଛି ଘଣ୍ଟାରେ ବିକିଲେ ମଧ୍ୟ ତାର ମୂଲ୍ୟ ହ୍ରାସ ହୋଇଥାଏ। ସେଥିପାଇଁ ଅନେକ ମଧ୍ୟ ବହୁ କ୍ଷତି ସହିଥାନ୍ତି। ହେଲେ ୬୦ ବର୍ଷ ତଳେ କିଣାଯାଇଥିବା ଏକ ଘଣ୍ଟାକୁ ଜଣେ ବ୍ୟକ୍ତି କିଣା ମୂଲ୍ୟର ସାଢେ ୫ଗୁଣା ଅଧିକ ଦରରେ ବିକ୍ରି କରିଛନ୍ତି।  ୭୦୦୦ ଟଙ୍କାରେ କିଣାଯାଇଥିବା ଘଣ୍ଟା ବର୍ତ୍ତମାନ ୪୧ ଲକ୍ଷରୁ ଅଧିକ ମୂଲ୍ୟରେ ବିକ୍ରି ହୋଇଛି। ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ମୃତ୍ୟୁ ପରେ ପିତାଙ୍କ ଘଣ୍ଟାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକିଥିଲେ ନିଲାମ। ଆଉ ବ୍ୟକ୍ତିଙ୍କ ପିତା ୬୦ ବର୍ଷ ପୂର୍ବେ ୭୦୦୦ ଟଙ୍କାରେ କିଣିଥିବା ଘଣ୍ଟାକୁ ବିକ୍ରି କରିଛନ୍ତି ୪୧ ଲକ୍ଷ ଟଙ୍କାରେ। ତେବେ ଏହା କିପରି ସମ୍ଭବ ହେଲା?  ଆସନ୍ତୁ ଜାଣିବା ଏହାର କାରଣ।

    ରିପୋର୍ଟ ଅନୁଯାୟୀ, ଏହା ହେଉଛି ଏକ ଆଣ୍ଟିକ୍ ୱାଚ୍, ଯାହା ସ୍ୱିସ୍ କମ୍ପାନୀ ରୋଲେକ୍ସ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ୬ ଦଶନ୍ଧି ପୁରୁଣା ହୋଇଥିଲେ ମଧ୍ୟ ଘଣ୍ଟାଟି କାମ କରୁଛି I ଏହା ବ୍ୟତିତ,  ଏହାର ନିଜସ୍ୱ ଏକ ଇତିହାସ ରହିଛି | ଏହି କାରଣରୁ ୬୦ ବର୍ଷର ଘଣ୍ଟା ୪୧ ଲକ୍ଷ ପାଉଣ୍ଡରୁ ଅଧିକ ମୂଲ୍ୟରେ ବିକ୍ରି ହୋଇପାରିଛି ।  ନିକଟରେ ଏହା TW GAZE ଦ୍ୱାରା ପରିଚାଳିତ ଅନଲାଇନ୍ ନିଲାମରେ ବିକ୍ରି ହୋଇଥିଲା | କିଣିଥିବା ବ୍ୟକ୍ତି ତାଙ୍କର ପରିଚୟ ଲୁଚାଇବା ସର୍ତ୍ତରେ କହିଛନ୍ତି କି, ବ୍ରିଟେନ ବାସିନ୍ଦା ସାଇମନ୍ ବର୍ନେଟ୍ ୧୯୬୩ ରେ ଏହି ଘଣ୍ଟାଟି କିଣିଥିଲେ | ସାଇମନ୍ ରୟାଲ୍ ନୌସେନାର ସର୍ଚ୍ଚ-ଉଦ୍ଧାରକାରୀ ଡାଇଭର ଥିଲେ | ୨୦୧୯ ରେ ତାଙ୍କ ମୃତ୍ୟୁ ହୋଇଥିଲା।  ଏହି ଘଣ୍ଟାଟି ତାଙ୍କ ପୁଅ ପିଟର ବର୍ନେଟ୍ କୁ ଉତ୍ତରାଧିକାରୀ ଭାବେ ମିଳିଥିଲା I ପିଟର ପୋଲିସ ସେବାରୁ ଅବସର ନେଇଛନ୍ତି। କିନ୍ତୁ ଆଣ୍ଟିକ ଘଣ୍ଟା ପିନ୍ଧି ବୁଲିବା ତାଙ୍କୁ ଅସହଜ ଲାଗୁଥିଲା | ଏଥି ସହ ତାର ରକ୍ଷଣ ବେକ୍ଷଣ କରିପାରୁନଥିଲେ। ତେଣୁ ସେ ଏହାକୁ ନିଲାମ କରିବାକୁ ନିଷ୍ପତି ନେଇଥିଲେ I

    British Pound Sterling banknotes are stacked in piles at the Money Service Austria company’s headquarters in Vienna, Austria, on Nov. 16, 2017.

    ପିଟରଙ୍କ ପିତା ଏହି ଆଣ୍ଟିକ ଘଣ୍ଟା (୧୯୬୩ ରୋଲକ୍ସ ସବମେରିନର୍ ୱାଚ୍) କୁ ୭୦ ପାଉଣ୍ଡ (ପ୍ରାୟ ୭୦୦୦ ଟଙ୍କା) ରେ କିଣିଥିଲେ |କିନ୍ତୁ ବର୍ତ୍ତମାନ ଏହା ୪୦,୦୦୦ ପାଉଣ୍ଡ (ପ୍ରାୟ ୪୧ ଲକ୍ଷ ଟଙ୍କା) ରେ ବିକ୍ରି ହୋଇଛି | ତେବେ,  ପିଟର ପିତାଙ୍କ ଜିନିଷ ନିଲାମରେ ବିକ୍ରୟ କରିବା ସହଜ ନଥିଲା। ପିଟର ଏସମ୍ପର୍କ କୁହନ୍ତି, ‘ଏଥିରେ ଅନେକ ସ୍ମୃତି ଯୋଡି ହୋଇ ରହିଥିଲା | ତେଣୁ ତାକୁ ବିକ୍ରୟ କରିବା ମୋ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତି ଥିଲା କିନ୍ତୁ ମୁଁ ଏତେ ଦାମୀ ଘଣ୍ଟା ପିନ୍ଧି କୌଣସି ସ୍ଥାନକୁ ଯାଇପାରୁନଥିଲି |ବର୍ତ୍ତମାନ ପିଟର ଘଣ୍ଟା ବିକ୍ରୟରୁ ପାଇଥିବା ରାଶିରେ ବହୁତ ଖୁସି |

  • ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୋକା’

    ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୋକା’

    ଶେଷରେ ସ୍ଥଳଭାଗ ଛୁଇଁଲ ଅତି ଭୀଷଣ ବାତ୍ୟା ‘ମୋକା’ । ବାଂଲାଦେଶର କକ୍ସବଜାର ଏବଂ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ବାଂଲାଦେଶ,ମିଆଁମାର ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଏଥିସହ ଘଣ୍ଟାକୁ ୨ ଶହ କିଲୋମିଟର ବେଗରେ ପବନ ବହୁଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି । ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମିତ କରାଯାଇଛି । ୩୦ ହଜାରରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

    ସାମୁଦ୍ରିକ ବାତ୍ୟା ‘ମୋକା’ମୁକାବିଲା ପାଇଁ ପୂର୍ବରୁ ଜୋରଦାର ପ୍ରସ୍ତୁତି କରିଥିଲେ ବାଂଲାଦେଶ ସରକାର । ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

    ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କକ୍ସ ବଜାର ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଥିବାରୁ ସେଠାରେ ସ୍ଥିତି ଉପରେ ନଜର ରଖାଯାଇଛି । ସେହି ଅଞ୍ଚଳ ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା କରାଯାଉଛି । ୮ ହଜାର ୬୦୦ ରେଡ୍ କ୍ରିସେଣ୍ଟ ସ୍ୱେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଅନ୍ୟାନ୍ୟ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁଁ ୮ରୁ ୧୨ ଫୁଟର ଜୁଆର ଆସିବା ଆଶଙ୍କା ରହିଛି । ସେଥିପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

    ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ଢାକା ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି । ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା । ଏଥିଯୋଗୁଁ ଗ୍ୟାସ୍ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି।

    ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’। ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ରହିଛି ମୋକା ।

  • କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସରେ ଫାଟ !

    କର୍ଣ୍ଣାଟକ: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସରେ ଫାଟ !

    କଂଗ୍ରେସର କର୍ଣ୍ଣାଟକ ଦଖଲ ପରେ ଚାରିଆଡ଼େ ଏବେ ସେଲିବ୍ରେସନ । ମୋଦି ମ୍ୟାଜିକ୍ ଫେଲ୍ ପରେ କ୍ଷମତା ହାତେଇଛି କଂଗ୍ରେସ । ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦେଖାଦେଇଛି କେଁ । କିଏ ହେବେ କର୍ଣ୍ଣାଟକ ସିଏମ୍ । ପଦବୀ ପାଇଁ ଶିବକୁମାର ଏବଂ ସିଦ୍ଧରମେୟା ଦୁଇ ଜଣ ମୁଖ୍ୟ ଦାବିଦାର ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଚୟନ କରିବା ଦଳକୁ ସସପେନ୍ସରେ ପକାଇଛି । କୁହାଯାଉଛି ଯେ ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି ।

    ନିର୍ବାଚନରେ ବଡ଼ ବିଜୟ ପରେ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲି ତାହା ପୂରା କରିଛି । ମୁଁ ଅଖଣ୍ଡ କର୍ଣ୍ଣାଟକର ଲୋକଙ୍କ ପାଦରେ ପଡ଼ି ଆଶୀର୍ବାଦ ଭିକ୍ଷା କରୁଛି ଏବଂ ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଉଛି । ଲୋକମାନେ ଆମ ଉପରେ ବିଶ୍ୱାସ କଲେ ଆଉ ଭୋଟ୍ ଦେଲେ । ମୁଁ ଭୁଲିପାରିବିନି ଯେ ଯେବେ ସୋନିଆ ଗାନ୍ଧି ମୋତେ ଭେଟିବା ପାଇଁ ଜେଲ୍ ଆସିଥିଲେ । ବିଶ୍ୱାସ ଦେଖାଇଥିବାରୁ ଗାନ୍ଧି ପରିବାର ଏବଂ ସିଦ୍ଧରମେୟାଙ୍କ ସମେତ ଦଳର ସମସ୍ତ ନେତାଙ୍କୁ ଧନ୍ୟବାଦ ଜଣାଉଛି ।

    ଅନ୍ୟପକ୍ଷରେ ସିଦ୍ଧରମେୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ । ଏହା ଏକ ବଡ଼ ବିଜୟ ଅଟେ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ । ସେମାନେ ବିଜେପି ସରକାରର ନୀତିକୁ ଅତିଷ୍ଟ ହୋଇଯାଇଥିଲେ । ଏହି ନିର୍ବାଚନ ଲୋକସଭା ନିର୍ବାଚନର ଏକ ସିଢି ଅଟେ । ମୋତେ ଆଶା ଅଛି ଯେ ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ।

    ଅନ୍ୟପକ୍ଷରେ ବିଜେପି ଏବେ ସୁଯୋଗ ଅପେକ୍ଷାରେ ରହିଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ଦଳ । ଯଦି ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଅନ୍ୟକୁ ଟାଣି ଆଣିବ ଭାରତୀୟ ଜନତା ପାର୍ଟି । ପୂର୍ବରୁ ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିଲେ । ହେଲେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ କିଛି କହିନାହାଁନ୍ତି । କିନ୍ତୁ ସମର୍ଥକମାନେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ସିଦ୍ଧରମେୟାଙ୍କ ଏହା ଶେଷ ନିର୍ବାଚନ, ଆଗକୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଏପରି ସ୍ଥିତିରେ ଶେଷଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ କଂଗ୍ରେସ ।

    ଯଦି ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ନମିଳେ ତଥାପି ଦଳ ସହ ସେ ବିଦ୍ରୋହ କରିବେନି । କାରଣ ପୂର୍ବରୁ ବିଜେପି, ନିଜ ଦଳରେ ସାମିଲ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଅଫର କରିଥିଲା । ହେଲେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏମିତି କି ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା । ଏହି କାରଣରୁ ସେ କେବେ ବି ଦଳ ସହ ବିଦ୍ରୋହ କରିବେନି ବୋଲି କୁହାଯାଉଛନ୍ତି । ସିଦ୍ଧରମେୟା ହିଁ ପୁଣିଥରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବା ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଆଗାମୀ ଦିନରେ ଏହା ସ୍ପଷ୍ଟ ହୋଇଯିବ ଯେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରୁଛି ।

  • ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ, ମୁମ୍ବାଇସ୍ଥିତ ପୈତୃକ ବାସଭବନରେ ଚଢ଼ାଉ

    ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି ବିବାଦ, ମୁମ୍ବାଇସ୍ଥିତ ପୈତୃକ ବାସଭବନରେ ଚଢ଼ାଉ

    ସମୀର ୱାଙ୍ଖଡେଙ୍କ ନାଁ ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ଗିରଫ କରିବା ପରେ ଦେଶରେ ଯେଉଁ ଜଣେ ବଡ ଅଫିସରଙ୍କ ନାଁ ଶୁଣିବାକୁ ମିଳୁଥିଲା ସିଏ ହେଉଛନ୍ତି ସମୀର ୱାଙ୍ଖଡେ । କହିବାକୁ ଗଲେ ୨୦୨୧ ପରଠାରୁ ବିବାଦ ସମୀର ୱାଙ୍ଖଡେଙ୍କ ପିଛା ଛାଡୁନି । ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଥିବା ବେଳେ ଶନିବାର ପୁଣିଥରେ ତାଙ୍କ ଘରେ ସିବିଆଇ ଚଢାଉ କରିଛି । ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ପୂର୍ବତନ ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ ସେତେବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ପାଇଁ ସିଂଘମର ପରିଚୟ ପାଇଥିଲେ । ସବୁ ଜାତୀୟ ଗଣମାଧ୍ୟମରେ ଗୋଟିଏ ଚର୍ଚ୍ଚା, ସମୀର ୱାଙ୍ଖଡେଙ୍କ ଭଳି ଅଫିସର ବିରଳ ଦେଖିବାକୁ ମିଳନ୍ତି ।

    ଆଉ ବର୍ତ୍ତମାର ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ମାମଲା ଦାଏର କରିଛି ସିବିଆଇ । ଏହି ମାମଲାରେ ତାଙ୍କ ସହ ଅନ୍ୟ ଅଧିକାରୀଙ୍କ ସମେତ କିଛି ବାହାର ବ୍ୟକ୍ତିଙ୍କ ନାଁ ମଧ୍ୟ ଯୋଡି ହୋଇଯାଇଛି । ମାମଲା ରୁଜୁ ହେବାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପୈତୃକ ଘରେ ସିବିଆଇ ରେଡ୍ କରିଛି । ଏହାକୁ ନେଇ ୱାଙ୍ଖଡେ କହିଛନ୍ତି, ବିନା କାରଣରେ ତାଙ୍କୁ ଫଶାଯାଉଛି, ଜଣେ ଦେଶଭକ୍ତ ହେବାର ଶାସ୍ତି ତାଙ୍କୁ ଦିଆଯାଉଛି ।

    ଏଠାରେ ଜଣାଇଦେଉଛୁ, ଶୁକ୍ରବାର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ସମୀରଙ୍କ ମୁମ୍ବାଇ ସ୍ଥିତ ପୈତୃକ ବାସଭବନରେ ୧୩ ଘଣ୍ଟା ଯାଏଁ ତଲାସି କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କ ପତ୍ନୀ ଓ ପିଲାଙ୍କ ସହ ରହୁଥିବା ଘରେ ରେଡ କରାଯାଇଥିଲା ।ଏପରି କି ସମୀର ୱାଙ୍ଖଡେଙ୍କୁ ତାଙ୍କ ଶ୍ୱଶୁର ଘରକୁ ମଧ୍ୟ ଛାଡିନଥିଲା ସିବିଆଇ । ୨୦୨୧ ମସିହାରେ ମୁମ୍ବାଇ କ୍ରୁଜରେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ରେଭ୍ ପାର୍ଟିରେ ଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ସମୀର ୱାଙ୍ଖଡେଙ୍କ ଉପରେ ଗୋଟିଏ ଗୋଟିଏ ବିବାଦ ଘନେଇବାରେ ଲାଗିଛି ।

  • ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ‘ମୋକା’

    ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ ‘ମୋକା’

    ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’ । ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ହୋଇଥିବା ବେଳେ ଗତିପଥ ବଦଳାଇଛି ।

    ଅତି ଉଗ୍ର ସାମୁଦ୍ରିକ ବାତ୍ୟା ‘ମୋକା’ର ଘଣ୍ଟାପ୍ରତି ବେଗ ରହିଛି ୧୭ କିଲୋମିଟର । ଗତ ୬ ଘଣ୍ଟା ଧରି ଏହି ବେଗରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି । ଆଜି ଭୋର୍‌ ସାଢ଼େ ୫ଟାରେ ଉତ୍ତରପୂର୍ବ ଏବଂ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗର ୩୨ ନମ୍ବର ବୁଲେଟିନ୍‌ରୁ ସ୍ପଷ୍ଟ ହୋଇଛି । ସାମୁଦ୍ରିକ ବାତ୍ୟା ‘ମୋକା’ଏବେ ପୋର୍ଟ ବ୍ଲେୟାର୍‌ର ଉତ୍ତର-ଉତ୍ତରପଶ୍ଚିମରୁ ପ୍ରାୟ ୭୯୦ କିଲୋମିଟର୍‌, ବାଂଲାଦେଶ କକ୍ସ୍‌ ବଜାରର ଦକ୍ଷିଣ-ଦକ୍ଷିଣପଶ୍ଚିମରୁ ୩୦୦ କିଲୋମିଟର ଏବଂ ମିଆଁମାର ସିତ୍ତ୍ୱେରର ଦକ୍ଷିଣ ପଶ୍ଚିମରୁ ୨୧୦ କିଲୋମିଟର୍‌ ଦୂରରେ ବାତ୍ୟା କେନ୍ଦ୍ରଭୂତ ରହିଛି ।

    ଧୀରେ ଧୀରେ ସାମୁଦ୍ରିକ ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଜି ମଧ୍ୟାହ୍ନ ବେଳକୁ ଅତି ଉଗ୍ର ରୂପ ଧାରଣ କରିବ ସାମୁଦ୍ରିକ ବାତ୍ୟା ‘ମୋକା’ । କକ୍ସବଜାର ଓ ସିତ୍ତ୍ବେ ପାଖ ଦେଇ କ୍ୟାୟୁକପ୍ୟୁ ରାସ୍ତାରେ ଗତି କରିବ । ଏହି ସାମୁଦ୍ରିକ ବାତ୍ୟା ଦକ୍ଷିଣପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର୍‌ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଜି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାପ୍ରତି ୧୮୦ରୁ ୧୯୦ କିଲୋମିଟର ରହିପାରେ । ତେବେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।