ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ୨୬୦୦ କେଜି ଡ୍ରଗ୍ସ ଜବତ

ଭାରତୀୟ ନୌସେନାର ଗୁଇନ୍ଦା ୟୁନିଟ୍ ଏବଂ NCBର ମିଳିତ ଅଭିଯାନ ବେଳେ ବଡ଼ ସଫଳତା । ଆରବ ସାଗରରେ ବିପୁଳ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହା ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି ଜଣାପଡ଼ିଛି । ପ୍ରାୟ ୨୬ ଶହ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ନୌସେନା ଓ ଏନସିବି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା ହେବ । ଜବତ କରାଯାଇଥିବା ଡ୍ରଗ୍ସ ଇରାନରୁ ଭାରତ ଆସୁଥିଲା । ଗୁଜରାଟ ବନ୍ଦରରେ ପହଞ୍ଚିବା ପୂର୍ବରୁ ଡ୍ରଗ୍ସ ଜବତ ହୋଇଥିବା ନୌସେନାର ଜଣେ ଅଧିକାରୀ କହିଛନ୍ତି ।

ଘଟଣାରେ ମାଫିଆକୁ ଗିରଫ କରିଛି ମିଳିତ ଟିମ୍ । ୨ ହଜାର ୬୦୦ କେଜି ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି । ଧରାପଡ଼ିଥିବା ମାଫିଆକୁ କୋଚି ବନ୍ଦର ନିଆଯାଇଛି । ଏନସିବି ଏବଂ ନୌସେନା ପକ୍ଷରୁ ମିଳିତ ତଦନ୍ତ କରାଯାଉଛି । ଏହି ରାକେଟରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଖୋଳତାଡ଼ ଜାରି ରହିଛି ।ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଏନେଇ ପୂର୍ବରୁ ଖବର ମିଳିଥିଲା । ଆରବ ସାଗର ରାସ୍ତାରେ ଡ୍ରଗ୍ସ ମାଫିଆମାନେ ଭାରତର କୌଣସି ସମୁଦ୍ରୀ ଉପକୂଳରେ ଡ୍ରଗ୍ସ ଡେଲିଭର କରିବାକୁ ଚାହୁଁଥିବା ନେଇ ସୂଚନା ମିଳିବା ପରେ ସତର୍କ ଥିଲା ଟିମ୍ ।

ଖବରକୁ ଭିତ୍ତି କରି ନୌସେନା ଏବଂ ଏନସିବି ଏକ ମିଳିତ ଅପରେସନକୁ ରୂପ ଦେଇଥିଲେ ଏବଂ କୋଟି କୋଟି ଟଙ୍କାର ଡ୍ରଗ୍ସ ଧରିଥିଲେ । ନୌସେନାର ଜାହାଜ INSTEGF-45 ଏହି ଡ୍ରଗ୍ସ କନସାଇନମେଣ୍ଟ ଆରବ ସାଗର ଅଞ୍ଚଳରୁ ଧରିଛି । ଏହା ପୂର୍ବରୁ ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟ୍ ଫେବ୍ରୁଆରୀ ୨୦୨୨ରେ ୨୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଥିଲା । ଗୁଜରାଟକୁ ଲାଗି ବିଭିନ୍ନ ଅଞ୍ଚଳରୁ ଅନେକ ଥର କୋଟି କୋଟି ଟଙ୍କାର ଡ୍ରଗ୍ସ ଧରାଯାଇଛି । ହେଲେ ଭାରତ ଅଣାଯାଉଥିବା ଏହା ଏପର୍ଯ୍ୟନ୍ତ ସବୁଠୁ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ବୋଲି କହିଛନ୍ତି ଅଧିକାରୀ । ପୂର୍ବରୁ ଡ୍ରଗ୍ସ ମାମଲାରେ ଅନେକ ମାଫିଆ ଗିରଫ ହୋଇଛନ୍ତି । ନୌସେନା, ପୋଲିସ, NCB ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ଗତିବିଧି ଉପରେ ନଜର ରଖି ଅନେକ ମାଫିଆଙ୍କୁ ଗିରଫ କରିଛି । ଏବେ ଇରାନରୁ ଆସିଥିବା ଏହି ଡ୍ରଗ୍ସ କାରବାରର ମାଷ୍ଟରମାଇଣ୍ଡ କିଏ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଟିମ୍ ।

Leave a Reply

Your email address will not be published. Required fields are marked *