ଜୀବନରେ ପିତା-ମାତାଙ୍କୁ ସବୁଠୁ ବେଶୀ ପ୍ରେମ କର, ମନ୍ଦିର ଯିବା ଦରକାର ପଡ଼ିବନି: ଅନୁଭବ

ଷ୍ଟେଜ ଉପରେ ଭାବବିହ୍ୱଳ ହେଲେ କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । ଭାଷଣ ଭିତରେ କହୁ କହୁ କହିଦେଲେ ମନର ବେଦନା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଜିଗ୍ନିପୁର ଠାରେ ପ୍ରଭୁ ବଳଦେବଜୀଉଙ୍କ ପବିତ୍ର ପୀଠରେ ଚନ୍ଦନ ଯାତ୍ରା ଚାଲିଥାଏ । ଏହି ଉପଲକ୍ଷେ ମାହାଙ୍ଗା ମହୋତ୍ସବର ଆୟୋଜନ କରିଥିଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଉଦଯାପନି ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ଭଳି ମଞ୍ଚରେ ଥିଲେ ସାଂସଦ ଅନୁଭବ ମହାନ୍ତି । ଭାଷଣ ଦେବାର ସମୟ ଆସିଲା । ଅନୁଭବ ଆଜିର ଯୁବକ ପିଢ଼ିଙ୍କୁ ବୁଝାଇ ଦେଲେ ପ୍ରକୃତ ପ୍ରେମର ସଂଜ୍ଞା ଏବଂ ଉପସ୍ଥିତ ହଜାର ହଜାର ଦର୍ଶକ ମାନଙ୍କୁ ସମ୍ବୋଧନ କଲାବେଳେ ନିଜେ ଭାବବିହ୍ୱଳ ହୋଇ ବଖାଣିଲେ ନିଜ ପ୍ରେମର ଅଙ୍ଗେଲିଭା କଥା । ନିଜ ଜୀବନର କାହାଣୀ , ପୃଥିବୀର ସବୁଠୁ ବଡ଼ ସିନେମା ହୋଇଗଲାଣି ବୋଲି କହିଥିଲେ ଅନୁଭବ ମହାନ୍ତି । ଆଉ ତାଙ୍କୁ ଏହି ସମୟ ଭିତରେ ଯେମିତି ବଡ଼ କ୍ରୀମିନାଲ ପରି ଲାଗିଲାଣି ବୋଲି କହିଥିଲେ ।

ହଁ ଆଜ୍ଞା ଓଲିଉଡ ହିରୋ ଅନୁଭବ ମହାନ୍ତି ଆଉ ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ଲଭ ଷ୍ଟୋରୀ କାହାକୁ ବା ଅଛପା । ପ୍ରେମ ସିନ୍ଦୁରର ରୂପ ନେଲା ପରେ ଦୁହିଙ୍କ ଜୀବନରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ । ତେଣୁ ଅଭିନେତା ଅନୁଭବ ମହାନ୍ତି ଅବା କେମିତି ଭୁଲିପାରିବେ ପ୍ରେମର ସେହି କରୁଣ ପରିଣତିକୁ । ଆଉ ସେଥିପାଇଁ ଭରା ସଭାରେ ପ୍ରେମକୁ ନେଇ ବହୁତ କିଛି କହିଗଲେ ଅନୁଭବ ମହାନ୍ତି । ଅନୁଭବ କହିଥିଲେ, ”ଭାଇମାନେ ପ୍ରେମ କର, ପ୍ରେମ ଠୁ ପବିତ୍ର ଜିନିଷ ଆଉ କିଛି ବି ନାହିଁ । ହେଲେ ପ୍ରେମ କଲାବେଳେ ଟିକେ ଦେଖି ଚାହିଁ କର । ତମେ ଜନ୍ମ ହେଲା ବେଳେ ଯିଏ ତମକୁ ଅଧିକ ଭଲପାଉଥିଲେ ସେ ହେଉଛନ୍ତି ତମ ବାପା-ମା । ତେଣୁ ତମ ବାପା ମାଙ୍କୁ ତମେ ଅଧିକ ଭଲପାଅ ।”

Leave a Reply

Your email address will not be published. Required fields are marked *