ଅତି ଭୀଷଣ ରୂପରେ ଲ୍ୟାଣ୍ଡଫଲ କଲା ବାତ୍ୟା ‘ମୋକା’

ଶେଷରେ ସ୍ଥଳଭାଗ ଛୁଇଁଲ ଅତି ଭୀଷଣ ବାତ୍ୟା ‘ମୋକା’ । ବାଂଲାଦେଶର କକ୍ସବଜାର ଏବଂ ଉତ୍ତର ମିଆଁମାର ଉପକୂଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିଛି । ଏହାର ପ୍ରଭାବରେ ବାଂଲାଦେଶ,ମିଆଁମାର ଉପକୂଳରେ ପ୍ରବଳ ବର୍ଷା ହୋଇଛି । ଏଥିସହ ଘଣ୍ଟାକୁ ୨ ଶହ କିଲୋମିଟର ବେଗରେ ପବନ ବହୁଛି । ବାଂଲାଦେଶର କକ୍ସବଜାର, ଚଟ୍ଟଗ୍ରାମ ଓ ପାୟରା ବନ୍ଦରରେ ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଗତ ଦୁଇ ଦଶନ୍ଧି ଭିତରେ ମୋକା ସବୁଠୁ ଶକ୍ତିଶାଳୀ ବାତ୍ୟା ଭାବେ ବାଂଲାଦେଶ ଉପକୂଳରେ ଲ୍ୟାଣ୍ଡଫଲ୍ କରିଛି । ଭାସନ ଚାର ଉପକୂଳରେ ୫୫ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମିତ କରାଯାଇଛି । ୩୦ ହଜାରରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ ସ୍ଥାନାନ୍ତର କରାଯାଇଛି ।

ସାମୁଦ୍ରିକ ବାତ୍ୟା ‘ମୋକା’ମୁକାବିଲା ପାଇଁ ପୂର୍ବରୁ ଜୋରଦାର ପ୍ରସ୍ତୁତି କରିଥିଲେ ବାଂଲାଦେଶ ସରକାର । ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ଲାଗି ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କକ୍ସ ବଜାର ଅଞ୍ଚଳ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।

ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିସହ ୧୦ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । କକ୍ସ ବଜାର ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ରହୁଥିବାରୁ ସେଠାରେ ସ୍ଥିତି ଉପରେ ନଜର ରଖାଯାଇଛି । ସେହି ଅଞ୍ଚଳ ଅଧିକ ବିପର୍ଯ୍ୟସ୍ତ ହେବା ଆଶଙ୍କା କରାଯାଉଛି । ୮ ହଜାର ୬୦୦ ରେଡ୍ କ୍ରିସେଣ୍ଟ ସ୍ୱେଚ୍ଛାସେବୀ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟରେ ଅନ୍ୟାନ୍ୟ ବାହିନୀ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ଯୋଗୁଁ ୮ରୁ ୧୨ ଫୁଟର ଜୁଆର ଆସିବା ଆଶଙ୍କା ରହିଛି । ସେଥିପାଇଁ ବାଂଲାଦେଶ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ମୋକାର ପ୍ରଭାବରେ ବାଂଲାଦେଶ ଓ ମିଆଁମାର ସୀମାରେ ଘଣ୍ଟା ପ୍ରତି ୧୯୦ରୁ ୨୦୦ କିମି ବେଗରେ ପବନ ବହିବାରେ ଲାଗିଛି। ବେଳେବେଳେ ପବନର ବେଗ ୨୨୦ ମଧ୍ୟ ଛୁଇଁଥିବା ଢାକା ଟ୍ରିବ୍ୟୁନରେ ରିପୋର୍ଟ ପ୍ରକାଶ ପାଇଛି । ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଏଥିସହ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି । ସେହିପରି ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଗ୍ୟାସ ଷ୍ଟେସନକୁ ବନ୍ଦ କରାଯାଇଥିଲା । ଏଥିଯୋଗୁଁ ଗ୍ୟାସ୍ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ବଡ଼ ଧରଣର ବାତ୍ୟା ବାଂଲାଦେଶ ଉପକୂଳରରେ ପ୍ରଭାବ ପକାଇଛି।

ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇପାରିନି ସାମୁଦ୍ରିକ ବାତ୍ୟା ‘ମୋକା’। ମୁକାବିଲା ପାଇଁ ରାଜ୍ୟ ସରକାର ପୂର୍ବ ପ୍ରସ୍ତୁତି କରିଥିବା ବେଳେ ଏହାର ଗତିପଥ ବଦଳିଗଲା । ଓଡ଼ିଶାରେ ପ୍ରଭାବହୀନ ରହିଛି ମୋକା ।

Leave a Reply

Your email address will not be published. Required fields are marked *