ଖରସ୍ରୋତା ନଦୀର ଶାଖା କାଣୀନଦୀରେ ବନ୍ୟା ଆସି ଭାଙ୍ଗିଦେଇଛି ଲୋକଙ୍କ ମେରୁଦଣ୍ଡ।

ଖରସ୍ରୋତା ନଦୀର ଶାଖା କାଣୀନଦୀରେ ବନ୍ୟା ଆସି ଭାଙ୍ଗିଦେଇଛି ଲୋକଙ୍କ ମେରୁଦଣ୍ଡ। ଆଳି ଧୋ୍ୟାଞ୍ଚଳ କୁ ଗମନା ଗମନ ନିମନ୍ତେ ଥିବା ଆଳି-ଗୋବିନ୍ଦପୁର ମୁଖ୍ୟରାସ୍ତାର ମାନପୁର ଘୋଷରା ନିକଟରେ ପ୍ରାୟ ୩ ଫୁଟରୁ ଅଧିକ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି ଫଳରେ ପୁରା ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହେବା ସହିତ ଯାଜପୁର ଜିଲ୍ଲା କୁ ମଧ୍ୟ ଯାତାୟାତ ଠପ ହୋଇଛି।

ପ୍ରଶାସନ ପକ୍ଷରୁ ଯାତାୟାତ ନିମନ୍ତେ କୌଣସି ପ୍ରକାର ସୁବିଧା ନ ହେତୁ ବନ୍ୟାବିପନ୍ନ ପୀଡ଼ିତ ଆଳିକୁ ଜରୁରୀ କାର୍ଯ୍ୟପାଇଁ ଯିବାନିମନ୍ତେ ଦୈନିକ 80 ରୁ 100 ଟଙ୍କା ଡ଼ଙ୍ଗା ଚାଳକକୁ ଦେଇ ଯା’ଆସ କରୁଥିବା ବେଳେ ଅନେକ ଅସହାୟ ଲୋକ ପକେଟରେ ଟଙ୍କା ନଥିବାରୁ ଏଥିରୁ ବଞ୍ଚିତ ରହୁଛନ୍ତି । କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ଜଳର ପ୍ରଖର ସ୍ରୋତରେ ଯା’ଆସ କରୁଥିବା ଦୁଃଖଦ ଦୃଶ୍ୟ ସାମନାକୁ ଆସିଛି ।
ବନ୍ୟାର ସ୍ଥିତି କିପରି ଏବଂ ବନ୍ୟାବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ କିଭଳି ସହ୍ୟତା ମିଳୁଛି,ଆଦି ତମାମ ଖବର ସଂଗ୍ରହ କରିବାକୁ ଯେତେବଳେ ସୂଚନା ଟିମ ବିପନ୍ନଙ୍କ ପାଖରେ ପହଞ୍ଚିଥିଲା କ’ଣ କହିଛନ୍ତି ଆସନ୍ତୁ ଶୁଣିବା…
କିଛି ଦିନ ତଳେ ସଦରମହକୁମା ଆଳିକୁ ଔଷଧ ଆଣିବାକୁ ଯାଇ ଠାକୁରପାଟଣା ଗାଁର ୩୧ ବର୍ଷୀୟ ପ୍ରବୀର ଦାସ (ସୀତୁନା) ଘୋଷରା ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଥିଲେ।
ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଧୋ୍ୟାଞ୍ଚଳର ଅଧିକ କ୍ଷତିଗ୍ରସ୍ତ ପେତପଡା, ସଂସିଦା, ଅର୍ଗଳ, କେତୁଆପାଳ, ଏରଡଙ୍ଗ ଓ ପଦନୀପାଳ ପଂଚାୟତ ଦୈତାରୀପୁର ଗାଁ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।
ବିଶେଷ କରି ପେ୍ତପଡ଼ା ପଞ୍ଚାୟତ ୫ଶହରୁ ଉର୍ଦ୍ଧ ଘର ଓ ସେଥିରେ ବସବାସ କରୁଥିବା ୫ହଜାରରୁ ଅଧିକ ଲୋକ ଦୀର୍ଘ ୧୫ ଦିନ ହେବ ପାଣିଘେର ରେ ଫସି ରହିଛନ୍ତି। ୧୩ ଦିନ ଧରି ପାଣି ଘେରରେ ରହିବା ପରେ ଖାଦ୍ୟ ଓ ପାନୀୟ ଜଳର ଅଭାବକୁ ନେଇ ବନ୍ୟା ବିପନ୍ନ ଦୁର୍ଦ୍ଦିନ କଥା କହିଲେ ନ ସରେ।
ଦୁଇ ଦିନ ହେବ ଜଳସ୍ତର ବଢୁଥିବା ବେଳେ ଆଜି ବନ୍ୟା ଜଳ କମିଛି ସତ ହେଲେ ଆଜିବି ପେତପଡା ପଞ୍ଚାୟତବାସୀ ପାଣି ଘେର ଭିତରେ କାଟୁଛନ୍ତି ଜୀବନ। ଅନେକଙ୍କ ମାଟି ଘର ଭାଙ୍ଗି ଯାଇ ପାଣିରେ ମିଶି ଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି ଏହି ବନ୍ୟା ସମ୍ପୂର୍ଣ ଚାଷବାସକୁ ପ୍ରଭାବିତ କରିବା ସାଙ୍ଗକୁ ଘରେ ପାଣି ପଶି ଚୁଲି ଜଳିବା ମଧ୍ୟ ବନ୍ଦ ହୋଇଯାଇଛି ।
ଅନ୍ୟପଟେ ନଳକୂପ ଗୁଡିକ ବୁଡ଼ି ଯାଇଥିବା ବେଳେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ସ୍କୁଲ ଓ କଲେଜ ଖୋଲା ରହିଥିବା ହେତୁ ପିଲାମାନେ ବିପଦ ସଂକୁଳ ଭାବେ ବନ୍ୟା ଜଳରେ ପ୍ରବେଶ କରି ଯାତାୟତ କରୁଛନ୍ତି। କୁମ୍ଭୀରର ଭୟ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ବନ୍ୟାର ପ୍ରଖର ସ୍ରୋତରେ ଭାସିଯିବାର ମଧ୍ୟ ଭୟ ଘାରିଛି।
ଗୃହପାଳିତ ପଶୁ ମେଣ୍ଢା,ଛେଳି ଚାଷୀଙ୍କୁ ଅଣଦେଖା କରି ଗାଈଙ୍କ ପାଇଁ ବ୍ଲକ ପ୍ରଶାସନ ତରଫରୁ ସମୁଦ୍ରକୁ ଶଙ୍ଖେ ଭଳି ମୁଣ୍ଡପିଛା ୩ କିଲୋ ଗୋଖାଦ୍ୟ ଯୋଗାଇ ଦିଆଯାଇଥିଲେ ମଧ୍ୟ ତାହା ଏଯାଏଁ ପେତପଡା ଓ ଅଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚି ପାରି ନ ଥିବା ନେଇ ଅସନ୍ତୋଷ ଦେଖା ଦେଇଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସର୍ବାଧିକ କ୍ଷତିଗ୍ରସ୍ତ ସଂସିଦା ଓ ପେ୍ତପଡ଼ା ପଂଚାୟତର ବନ୍ୟା ବିପନ୍ନଙ୍କ ସମସ୍ୟା ବୁଝିବା ସହିତ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଯାଇଥିଲେ ସୁଦ୍ଧା ଅଞ୍ଚଳବାସୀଙ୍କ ଦୁଃଖ ବୁଝିବାକୁ କେହିନାହିଁ।
ଚଳିତ ବନ୍ୟା ପାଣିରେ ଉଜୁଡି ଯାଇଛି ହେକ୍ଟର ହେକ୍ଟର ଚାଷ ଜମି। ବନ୍ୟାର କରାଳ ରୂପରେ ଚାଷୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। କେଉଁଠି ତଳି ପଚି ଯାଇଛି ତ କେଉଁଠି ରୁଆ ହୋଇଥିବା ଧାନକୁ ପାଣି ଭସେଇ ନେଇଛି। ଧାରକରଜ କରି ଚାଷ କରିଥିବା ବେଳେ କେମିତି ସେ ଟଙ୍କା ସୁଝିବେ ଯାହାକୁ ନେଇ ଏବେ ମୁଣ୍ଡରେ ହାତ ଡେଇ ବସିଛି ଚାଷୀ।