ନନ୍ଦନ କାନନରେ ପାଳନହୋଇଛି ବିଶ୍ବ ହସ୍ତୀ ଦିବସ

ହାତୀ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଆଉ ଜଙ୍ଗଲ ବଞ୍ଚିଲେ ସୁରକ୍ଷିତ ରହିବ ପରିବେଶ । ଏହି ବାର୍ତ୍ତା ସହ ଆଜି ପାଳନ ହେଉଛି ବିଶ୍ୱ ହସ୍ତୀ ଦିବସ । ବିଲୁପ୍ତି ଆଶଙ୍କାରେ ଥିବା ଗଜରାଜଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ହାତୀ-ମଣିଷ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ । ବିଶ୍ୱ ହସ୍ତୀ ଦିବସ ପାଳନର ଚିନ୍ତାଧାରା ୨୦୧୧ ମସିହାରେ ଆସିଥିଲା । କାନାଡାର ଚଳଚ୍ଚିତ୍ର ନିର୍ମାତା ପ୍ୟାଟ୍ରିସିଆ ସିମସ୍ ଓ ମିଚେଲ୍ କ୍ଲାର୍କଙ୍କ ସହ ଥାଇଲାଣ୍ଡର ଏଲିଫ୍ୟାଣ୍ଟ ରିଇଣ୍ଟ୍ରୋଡକ୍ସନ୍ ଫାଉଣ୍ଡେସନ୍‌ର ସହଯୋଗରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । ୨୦୧୨ ଅଗଷ୍ଟ ୧୨ରେ ପ୍ରଥମଥର ପାଇଁ ଏହାକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଇଥିଲା । ଓଡ଼ିଶାରେ ମଧ୍ୟ ବିଶ୍ୱ ହସ୍ତୀ ଦିବସର ବିଶେଷ ମହତ୍ତ୍ୱ ରହିଛି। ପ୍ରତିବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ସଂରକ୍ଷଣ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । ପର୍ଯ୍ୟଟକ, ବନ୍ୟପ୍ରାଣୀ ପ୍ରେମୀ, ସ୍କୁଲ୍‌ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇ ହାତୀ ସୁରକ୍ଷାର ବାର୍ତ୍ତା ଦିଆଯାଏ ।

ପୂର୍ବରୁ ନନ୍ଦନକାନନର ଫାଟକ ସମ୍ମୁଖରେ ବଡ଼ ଆୟୋଜନ କରାଯାଉଥିଲା । ଏହି ବିଶ୍ବ ହସ୍ତୀ ଦିବସରେ ହାତୀମାନଙ୍କୁ ସୁସଜ୍ଜିତ କରି ଉତ୍ସବ ସ୍ଥଳକୁ ଆଣାଯାଉଥିଲା । ସେମାନଙ୍କ ପାଇଁ ନଡ଼ିଆ, ସେଓ, କଦଳୀ, ତରଭୁଜ, ମକା ଓ ଆଖୁ ଭଳି ଫଳ ଓ ଖାଦ୍ୟର ବ୍ୟବସ୍ଥା କରାଯାଉଥିଲା । ମୁଖ୍ୟ ଅତିଥିଙ୍କ ହାତରେ ହାତୀ ଛୁଆକୁ ଫଳ ଖୁଆଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଥିଲା । ପରେ ମାହୁନ୍ତମାନଙ୍କୁ ସମ୍ମାନିତ କରାଯିବା ସହ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରଶ୍ନୋତ୍ତର ପ୍ରତିଯୋଗିତା ହେଉଥିଲା । ହେଲେ ହାତୀ ଏକ ବନ୍ୟପ୍ରାଣୀ ହୋଇଥିବାରୁ ଅଧିକ ଭିଡ଼, କୋଳାହଳ କିମ୍ବା ଉତ୍ସବମୁଖର ପରିବେଶରେ ସେମାନଙ୍କୁ ଆଣିବା ଉପରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କଟକଣା ରହିଛି । ସେଥିପାଇଁ ଗତ ତିନି ବର୍ଷ ଧରି ନନ୍ଦନକାନନ ପରିସରର ହାତୀଶାଳରେ ହିଁ ହସ୍ତୀ ଦିବସ ପାଳନ ହେଉଛି । ଏଠାରେ ହାତୀମାନଙ୍କୁ ଫଳ ଖୁଆଯାଉଥିବା ବେଳେ ମାହୁନ୍ତମାନଙ୍କୁ ପୁରସ୍କୃତ କରାଯାଏ । ଦର୍ଶକମାନେ ଦୂରରୁ ହାତୀମାନଙ୍କୁ ଦେଖିବା ସହ ସେଲ୍‌ଫି ପଏଣ୍ଟରେ ଫଟୋ ଉଠାଇଥାନ୍ତି । ପରେ ସଭାଗୃହରେ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ମଧ୍ୟ ସେହିପରି ଭାବେ ହସ୍ତୀ ଦିବସ ପାଳନ ହେବ।

ନନ୍ଦନକାନନର କୁନି ହାତୀ ଲିସା, ଆଶା, ବୃଦ୍ଧା ବାସନ୍ତୀ ଏବଂ ଯୁବତୀ ହୀରା ଏହି କାର୍ଯ୍ୟକ୍ରମର ଆକର୍ଷଣ ହେବେ। ଅତିଥିଙ୍କ ହାତରୁ ଫଳ ଖାଇ ସେମାନେ ଯେମିତି ମଣିଷଙ୍କୁ ଶୁଣ୍ଢ ଟେକି ଅଭିବାଦନ ଜଣାଇବେ, ସେହି ଦୃଶ୍ୟ ନିଶ୍ଚିତ ଭାବେ ସମସ୍ତଙ୍କ ମନ ଜିତିବ । ବାସନ୍ତୀଙ୍କ କଥା ମଧ୍ୟ ବେଶ୍‌ ରୋଚକ। ୧୯୮୫ ମସିହାରେ ୨୧ ବର୍ଷ ବୟସରେ ତାଙ୍କୁ ଭନ୍ଦାଲୁରରୁ ନନ୍ଦନକାନନ ଅଣାଯାଇଥିଲା । ହୀରାଙ୍କୁ ୧୯୯୮ରେ ଚନ୍ଦକା ଅଭୟାରଣ୍ୟରୁ ଆଣାଯାଇଥିଲା। ସେହିପରି ଆଶାଙ୍କୁ ୨୦୨୩ ନଭେମ୍ବର ୨୦ରେ କେନ୍ଦୁଝରରୁ ଏବଂ ଲିସାଙ୍କୁ ୨୦୨୪ ଜାନୁଆରୀ ୭ରେ ଅନୁଗୁଳରୁ ଉଦ୍ଧାର କରି ନନ୍ଦନକାନନକୁ ଅଣାଯାଇଥିଲା । ଆଜିର ଦିନର ମୁଖ୍ୟ ବାର୍ତ୍ତା କେବଳ ହାତୀଙ୍କ ପ୍ରତି ଭଲପାଇବା ନୁହେଁ, ସେମାନଙ୍କ ବାସସ୍ଥାନ, ଚଳାଚଳ ପଥ ଓ ଜୀବନ ସୁରକ୍ଷା ପାଇଁ ସମାଜକୁ ସଚେତନ କରିବା । ମଣିଷ-ହାତୀ ସଂଘର୍ଷ ବଢ଼ୁଥିବା ଏହି ସମୟରେ ହାତୀଙ୍କୁ ଜଙ୍ଗଲରେ ସୁରକ୍ଷିତ ରଖିବା ଓ ମଣିଷଙ୍କ ସହ ସହାବସ୍ଥାନର ବାଟ ଖୋଜିବା ହିଁ ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ।