ବାଲ୍ୟବିବାହ ଓ ଶିଶୁ ଶ୍ରମିକ ପ୍ରଥା ରୋକିବାକୁ ସଚେତନତା

ଶିଶୁ ହସିଲେ ହସିବ ସମାଜ। ଶିଶୁ ସୁରକ୍ଷିତ ରହିଲେ ସୁରକ୍ଷିତ ରହିବ ଦେଶର ଭବିଷ୍ୟତ। ଏହି ବାର୍ତ୍ତାକୁ ନେଇ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକର ବିଭିନ୍ନ ଗ୍ରାମରେ ଆୟୋଜିତ ହୋଇଛି ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ। ରାମିମୁଣ୍ଡା, କଙ୍କିନାଳୀ, ସାନ୍ତରାପୁର, ଅରାହାଟ ଓ ବଉଳିଗୋଡ଼ ଆଦି ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୋଳ ଦ୍ୱାରା ପରିଚାଳିତ ‘ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସଚେତନତା ସୃଷ୍ଟି କରାଯାଇଛି। ବିଶେଷକରି ଶିଶୁମାନେ ଯେପରି କୌଣସି ପ୍ରକାର ଶୋଷଣ, ନିର୍ଯାତନା କିମ୍ବା ଅବହେଳାର ଶିକାର ନହୁଅନ୍ତି, ସେଥିପାଇଁ ପରିବାର ଓ ସମାଜର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି।

ବୈଠକରେ ବାଲ୍ୟବିବାହ ଭଳି କୁପ୍ରଥାର ଭୟାବହ ପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କମ୍ ବୟସରେ ବିବାହ ଯୋଗୁଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ଉପରେ କିଭଳି କୁପ୍ରଭାବ ପଡ଼ିଥାଏ, ସେନେଇ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ ବାଲ୍ୟବିବାହ ନିଷେଧ ଆଇନ ଅନୁଯାୟୀ ରହିଥିବା ନିୟମ ଓ ଦଣ୍ଡବିଧାନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ସେହିପରି ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ଏବଂ ଶିଶୁ ଶ୍ରମିକ ପ୍ରଥା ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶିଶୁମାନଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ଦ୍ୱାରା ସେମାନଙ୍କ ଜୀବନ ଓ ଭବିଷ୍ୟତ କିଭଳି ବିପଦରେ ପଡ଼ିଥାଏ, ସେନେଇ ସଚେତନ କରାଯାଇଥିଲା। ଶିଶୁ ଶ୍ରମ ନିରୋଧ ଆଇନ ଓ ଏହାର ଉଲ୍ଲଂଘନ କ୍ଷେତ୍ରରେ ରହିଥିବା ଆଇନଗତ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

କେବଳ ଶିଶୁଙ୍କୁ ବିପଦରୁ ରକ୍ଷା କରିବା ନୁହେଁ, ବରଂ ସେମାନଙ୍କୁ ଏକ ସୁସ୍ଥ, ସୁରକ୍ଷିତ ଓ ସମ୍ମାନଜନକ ପରିବେଶ ଯୋଗାଇଦେବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ଶିଶୁର ଚାରୋଟି ପ୍ରମୁଖ ଅଧିକାର, ଯଥା ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସୁରକ୍ଷାର ଅଧିକାର ଏବଂ ଅଂଶଗ୍ରହଣର ଅଧିକାର ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ନାଏବ ସରପଞ୍ଚ, ୱାର୍ଡ ସଦସ୍ୟ, ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ ଓ କିଶୋରୀମାନେ ଉପସ୍ଥିତ ରହିଥିଲେ। ଗ୍ରାମସ୍ତରରେ ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଶୋଷଣକୁ ରୋକିବା ଦିଗରେ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଥିବା ନେଇ ଆଲୋଚନା ହୋଇଥିଲା।

ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର ଏବଂ ପୂଜା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ପ୍ରକଳ୍ପ ସହଯୋଗୀ ଲକ୍ଷ୍ମୀ ବେହେରା ବୈଠକ ପରିଚାଳନା କରିଥିଲେ।

ଗ୍ରାମାଞ୍ଚଳରେ ଶିଶୁ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧି ସହ ଶିଶୁଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ। କାରଣ ଶିଶୁମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ। ସେମାନଙ୍କ ସୁରକ୍ଷା ଓ ସର୍ବାଙ୍ଗୀନ ବିକାଶ ପାଇଁ କେବଳ ପ୍ରଶାସନ ନୁହେଁ, ବରଂ ପରିବାର, ଗ୍ରାମବାସୀ ଏବଂ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ନିହାତି ଜରୁରୀ।