ରାଜଧାନୀର ଉପକଣ୍ଠ ଅଞ୍ଚଳରେ ଚାଲିଥିବା ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ। ଜଟଣି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ବଜାର ନିକଟସ୍ଥ ବେହେରା ସାହିରେ ଥିବା ଏକ ଭଡ଼ା ଘରେ ଏହି ବେଆଇନ କାରବାର ଚାଲିଥିଲା। ପୋଲିସ ଏହି ଘଟଣାରେ ସଂପୃକ୍ତ ୪ ଜଣ ଯୁବତୀଙ୍କ ସମେତ ସମୁଦାୟ ୭ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଦଲାଲ ଏବଂ ୪ ଜଣ ଗ୍ରାହକ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ର୍ୟାକେଟର ମୁଖ୍ୟ ସୂତ୍ରଧର ଦୀର୍ଘ ଦିନ ହେବ ସେହି ଘରକୁ ଭଡ଼ାରେ ନେଇ ରହୁଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସରଳ ଯୁବତୀମାନଙ୍କୁ ଆଣି ସେଠାରେ ରଖାଯାଉଥିଲା ଏବଂ ସେମାନଙ୍କୁ ଜବରଦସ୍ତି ଏହି ପଙ୍କିଳ ବ୍ୟବସାୟ ସହ ଯୋଡ଼ିବାକୁ ବାଧ୍ୟ କରାଯାଉଥିଲା। ଉକ୍ତ ଘରକୁ ଅଜଣା ଲୋକଙ୍କ ଯାତାୟାତ ଦେଖି ସ୍ଥାନୀୟ ବାସିନ୍ଦା ସନ୍ଦେହ ପ୍ରକଟ କରିବା ସହ ଏହାର ବିରୋଧ କରିଥିଲେ। ପଡ଼ୋଶୀଙ୍କ ବିରୋଧ ପରେ ମଧ୍ୟ କିଙ୍ଗପିନ୍ ଜଣକ ନିଜ ଚାଲାକି ବଳରେ ଖସିଯାଉଥିଲେ। ସେଠାରେ ଯୁବତୀମାନଙ୍କୁ କୌଣସି “ଧନ୍ଧାମୂଳକ ଶିକ୍ଷା” କିମ୍ବା ତାଲିମ ଦିଆଯାଉଛି ବୋଲି ସେ ମିଛ ବାହାନା ଦେଖାଉଥିଲେ। ଗୁପ୍ତ ସୂଚନା ଆଧାରରେ ବୁଧବାର ରାତି ପ୍ରାୟ ୮ଟା ସମୟରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଘରେ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଦେହଜୀବୀ ଏବଂ ଗ୍ରାହକମାନେ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଥିଲେ।

ଘଟଣାସ୍ଥଳରୁ ପୋଲିସ ନଗଦ ଟଙ୍କା, ଏକାଧିକ ମୋବାଇଲ୍ ଫୋନ୍, ଗାଡ଼ି ସମେତ ବିପୁଳ ପରିମାଣର ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।