ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲୁଥିବା ନିଶ୍ଚିନ୍ତକୋଇଲି–ଢିହିଗୋପ ଭାୟା ବାଲିପଡ଼ା ରାସ୍ତା ଉନ୍ନତିକରଣ କାର୍ଯ୍ୟକୁ ନେଇ ଏବେ ଅଞ୍ଚଳରେ ଗଭୀର ଅସନ୍ତୋଷ ଦେଖାଦେଇଛି। ୮ କୋଟି ଟଙ୍କାରୁ ଅଧିକ ଅନୁଦାନରେ ଚାଲୁଥିବା ଏହି ପ୍ରକଳ୍ପରେ ନିମ୍ନମାନ କାମ ହେଉଥିବା ଅଭିଯୋଗ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।
ସୂଚନା ଅନୁଯାୟୀ, ୨୦୨୫ ଅକ୍ଟୋବର ୧୮ ତାରିଖରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଉପସ୍ଥିତ ଥିଲେ। ପ୍ରକଳ୍ପ ଅନୁଯାୟୀ ୧୨ ଫୁଟ ଓସାର ବିଶିଷ୍ଟ ପୁରୁଣା ରାସ୍ତାକୁ ୧୮ ଫୁଟ ଓସାର କରି ପୂର୍ଣ୍ଣ ଭାବେ ପୁନର୍ନିର୍ମାଣ କରିବାର ଯୋଜନା ଥିଲା।କିନ୍ତୁ ଏବେ ଅଭିଯୋଗ ହେଉଛି ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀମାନଙ୍କ ଯଥୋଚିତ ତଦାରଖ ଅଭାବରୁ କାର୍ଯ୍ୟରେ ଗୁଣମାନ ରହୁନାହିଁ। ରାସ୍ତା ପାର୍ଶ୍ୱରେ ନିର୍ମିତ ସୁରକ୍ଷା ପାଚେରି କାମ ମଧ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ଉଠିଛି।
ସ୍ଥାନୀୟ ବ୍ୟବସାୟୀ ଓ ଅଞ୍ଚଳବାସୀମାନେ କହୁଛନ୍ତି ଯେ, ଅସହ୍ୟ ଧୂଳି ଏବଂ ଗ୍ରୀଷ୍ମ ତାତିରେ ଜୀବନ ଦୁର୍ବିସହ ହୋଇପଡ଼ିଛି। ରାସ୍ତାରେ ପାଣି ପକାଇ ଧୂଳି ନିୟନ୍ତ୍ରଣ କରିବାକୁ ଠିକାଦାର କିମ୍ବା ସୁପରଭାଇଜରଙ୍କ ଦ୍ୱାରା କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛି।ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅନୁପସ୍ଥିତିକୁ ନେଇ ମଧ୍ୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି। ତଦାରଖ ଅଭାବରେ ପ୍ରକଳ୍ପ ନୀତି-ନିୟମ ଅନୁଯାୟୀ ହେଉନାହିଁ ବୋଲି ସ୍ଥାନୀୟ ଲୋକଙ୍କ ମତ।ଯଦି ଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟର ଗୁଣମାନ ସୁଧାର ଆଣାଯାଇ ନଥାଏ, ତେବେ ତୀବ୍ର ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଅଞ୍ଚଳବାସୀ ସିଧାସିଧି ଚେତାବନୀ ଦେଇଛନ୍ତି।