ଆଜିର ସମାଜରେ ଜନ୍ମଦିନ ପାଳନ ମାନେ ସାଧାରଣତଃ କେକ୍ କାଟିବା, ପାର୍ଟି କରିବା ଓ ସାଙ୍ଗସାଥୀଙ୍କ ସହ ଖୁସି ବାଣ୍ଟିବା। କିନ୍ତୁ ପାରାଦ୍ୱୀପର ଯୁବ ସମାଜସେବୀ ଉଜ୍ଜଳ ଗୋଲଦାର ତାଙ୍କ ଝିଅ ‘ଗୁଡି’ଙ୍କ ଜନ୍ମଦିନକୁ ଏକ ନିଆରା ଓ ମାନବିକ ଢଙ୍ଗରେ ପାଳନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ପାରାଦ୍ୱୀପ ମୁନିସିପାଲିଟି ଅଧୀନ ୯ ନମ୍ବର ୱାର୍ଡର ବୃନ୍ଦାବନ କଲୋନୀ-୨ରେ ବସବାସ କରୁଥିବା ଶେଷଦେବ ସାହୁ ଏକ ସମୟରେ ଦହିବରା ବ୍ୟବସାୟ କରି ପରିବାର ଚଳାଉଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣା ପରେ ତାଙ୍କ ଶାରୀରିକ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଚିକିତ୍ସା ସମୟରେ ସଂକ୍ରମଣ ବଢ଼ିଯିବାରୁ ପ୍ରଥମେ ଗୋଟିଏ ଏବଂ ପରେ ଅନ୍ୟ ଗୋଡ଼ଟି ମଧ୍ୟ କାଟିବାକୁ ପଡ଼ିଥିଲା। ଫଳରେ ସେ ସମ୍ପୂର୍ଣ୍ଣ ଭାବେ ଶଯ୍ୟାଶାୟୀ ହୋଇପଡ଼ିଥିଲେ।
ଅନ୍ୟପଟେ ତାଙ୍କ ସ୍ତ୍ରୀ ଶକୁନ୍ତଳା ବୁଟ ଓ ମଟର ବିକ୍ରି କରି କଷ୍ଟେମଷ୍ଟେ ପରିବାର ଚଳାଉଥିଲେ। ହେଲେ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହେବା ପରେ ସେ ମଧ୍ୟ କାମ କରିବାକୁ ଅସମର୍ଥ ହୋଇପଡ଼ିଥିଲେ। ରୋଜଗାରର ସମସ୍ତ ବାଟ ବନ୍ଦ ହୋଇଯିବାରୁ ସ୍ୱାମୀ-ସ୍ତ୍ରୀ ଦୁହେଁ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସେମାନଙ୍କ ଦୁଃଖଦ ଜୀବନ କାହାଣୀ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଏହା ଉଜ୍ଜଳ ଗୋଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଏହି ଖବର ଦେଖି ଭାବବିହ୍ୱଳ ହୋଇପଡ଼ିଥିବା ଉଜ୍ଜଳ ସେମାନଙ୍କ ପାଖରେ ପୁଅ ଭଳି ଠିଆ ହେବାକୁ ନିଷ୍ପତ୍ତି ନେଇଥିଲେ। ଆଜି ତାଙ୍କ ଝିଅ ଗୁଡିଙ୍କ ଜନ୍ମଦିନ ଅବସରରେ ସେ ପରିବାର ସହ ଶେଷଦେବ ଓ ଶକୁନ୍ତଳାଙ୍କ ଘରକୁ ପହଞ୍ଚିଥିଲେ। ସେଠାରେ ଝିଅର ଜନ୍ମଦିନ ପାଳନ କରିବା ସହ ବୃଦ୍ଧ ଦମ୍ପତିଙ୍କୁ ନୂତନ ବସ୍ତ୍ର ଉପହାର ଦେଇଥିଲେ। ଏହାସହ ପ୍ରାୟ ଦୁଇ ମାସ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ।
ଉଜ୍ଜଳ କହିଛନ୍ତି, “ଜନ୍ମଦିନ କେବଳ ନିଜ ପରିବାରର ଖୁସିରେ ସୀମିତ ନ ରହି, ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବାର ଏକ ସୁଯୋଗ ହେବା ଉଚିତ। ଶେଷଦେବ ଓ ଶକୁନ୍ତଳାଙ୍କ ସହ ଏହି ଦିନ ପାଳନ କରି ଆମେ ବହୁତ ଆନନ୍ଦ ଅନୁଭବ କରିଛୁ। ଆଗାମୀ ଦିନରେ ମଧ୍ୟ ସେମାନଙ୍କ ପୁଅ ଭଳି ସହଯୋଗ କରିବାକୁ ପ୍ରୟାସ ଜାରି ରହିବ।ସେ ଆହୁରି ମଧ୍ୟ ସମାଜର ସହୃଦୟ ବ୍ୟକ୍ତି, ସମାଜସେବୀ, ସରକାରୀ ଓ ବେସରକାରୀ ସଂସ୍ଥା ସହ ପାରାଦ୍ୱୀପର ବିଭିନ୍ନ କମ୍ପାନୀଙ୍କୁ ଏହି ବୃଦ୍ଧ ଦମ୍ପତିଙ୍କ ସହଯୋଗ ପାଇଁ ଆଗକୁ ଆସିବାକୁ ଅନୁରୋଧ କରିଛନ୍ତି। ସେମାନଙ୍କୁ ଯଦି ଆର୍ଥିକ ଓ ମାନବିକ ସହାୟତା ମିଳେ, ତେବେ ଜୀବନର ଶେଷ ସମୟକୁ କିଛିଟା ସୁଖ ଓ ସମ୍ମାନ ସହିତ ବିତାଇ ପାରିବେ ବୋଲି ସେ ମତ ପ୍ରକାଶ କରିଛନ୍ତି।ଉଜ୍ଜଳଙ୍କ ଏହି ମାନବିକ ପଦକ୍ଷେପ ସମାଜରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇଛି। ଜନ୍ମଦିନକୁ କେବଳ ଉତ୍ସବ ନୁହେଁ, ବରଂ ସେବା ଓ ସହଯୋଗର ଦିନରେ ପରିଣତ କରି ସେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି।