Sensex Today : ହଠାତ୍‌ ଆକାଶ ଛୁଇଁଲା ସେନ୍‌ସେକ୍ସ, ମାଲାମାଲ୍‌ ହେଲେ ନିବେଶକ !

ନୂଆଦିଲ୍ଲୀ, ୨୫ ନଭେମ୍ବର: ଭାରତୀୟ ସେୟାର ବଜାରରେ ଆଜି ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ। ଗତ କାରବାର ଦିବସରେ ବଡ଼ ଧରଣର ହ୍ରାସ ପରେ ବୁଧବାର ବଜାରରେ ହଠାତ୍‌ ବୃଦ୍ଧି ଘଟିଛି। ମଧ୍ୟାହ୍ନ କାରବାର ସୁଦ୍ଧା ସେନ୍‌ସେକ୍ସ ପ୍ରାୟ ୨୦୦୦ ପଏଣ୍ଟ ବୃଦ୍ଧି ପାଇ ୮୪,୪୪୨.୦୯ ପଏଣ୍ଟରେ ପହଞ୍ଚିଛି। ସେହିପରି ନିଫ୍ଟି ୫୮୦.୯୫ ପଏଣ୍ଟ ବୃଦ୍ଧି ପାଇ ୨୫,୯୨୮.୮୫ ପଏଣ୍ଟରେ କାରବାର କରୁଛି। ବ୍ୟାଙ୍କ ନିଫ୍ଟିରେ ମଧ୍ୟ ୧୫୦୦ ପଏଣ୍ଟରୁ ଅଧିକ ବୃଦ୍ଧି ରେକର୍ଡ ହୋଇଛି। AajTak

କାହିଁକି ହଠାତ୍‌ ବଢ଼ିଲା ସେୟାର ବଜାର ?

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଭାରତୀୟ ସେୟାର ବଜାର ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ନଭେମ୍ବର ମାସରେ ଅଶୋଧିତ ତୈଳ ଦର ପ୍ରାୟ ୨୩ ପ୍ରତିଶତ ହ୍ରାସ ପାଇଛି। ଏହାଦ୍ୱାରା ଭାରତର ତୈଳ ଆମଦାନୀ ଖର୍ଚ୍ଚ କମିବାର ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ବିଦେଶୀ ସଂସ୍ଥାଗତ ନିବେଶକଙ୍କ ଲଗାତାର ସେୟାର କ୍ରୟ ବଜାରକୁ ଅଧିକ ମଜଭୁତ କରିଛି। ନଭେମ୍ବର ମାସରେ ବିଦେଶୀ ପୁଞ୍ଜିନିବେଶ ରେକର୍ଡ ସ୍ତରରେ ପହଞ୍ଚିଛି। ବିଶ୍ୱ ବଜାରର ଅନୁକୂଳ ସଙ୍କେତ ଏବଂ କମ୍ପାନୀଗୁଡ଼ିକର ଉନ୍ନତ ଆର୍ଥିକ ପ୍ରଦର୍ଶନ ମଧ୍ୟ ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଇଛି।

କେଉଁ ସେୟାରରେ ବଢ଼ିଲା ଦର ?

ବଜାଜ ଫିନ୍‌ସର୍ଭ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ ଏବଂ ଟାଟା ଗ୍ରୁପ୍‌ର ଟ୍ରେଣ୍ଟ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି। ବଜାଜ ଫିନ୍‌ସର୍ଭ ସେୟାର ପ୍ରାୟ ୫ ପ୍ରତିଶତ ବୃଦ୍ଧି ପାଇଛି। ବ୍ୟାଙ୍କିଙ୍ଗ୍‌, ଆଇଟି, ଏଫ୍‌ଏମ୍‌ସିଜି ଏବଂ ଫାର୍ମା କ୍ଷେତ୍ରରେ ମଧ୍ୟ ଉତ୍ସାହଜନକ କାରବାର ହୋଇଛି।

ନିବେଶକଙ୍କ ସମ୍ପତ୍ତିରେ ବଡ଼ ବୃଦ୍ଧି

ଆଜତକର ରିପୋର୍ଟ ଅନୁଯାୟୀ, ଏହି ବୃଦ୍ଧି ଫଳରେ ନିବେଶକଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ବଢ଼ିଛି। ବିଏସ୍‌ଇର ମୋଟ ବଜାର ପୁଞ୍ଜିକରଣ ୫୧୩ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି।

ତେବେ ବଜାରରେ ବଡ଼ ଧରଣର ବୃଦ୍ଧି ସତ୍ତ୍ୱେ ସମସ୍ତ ସେୟାରରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିନାହିଁ। କେତେକ ଛୋଟ କମ୍ପାନୀର ସେୟାରରେ ହ୍ରାସ ଜାରି ରହିଛି। ତେଣୁ ନିବେଶ କରିବା ପୂର୍ବରୁ ବଜାରର ସ୍ଥିତି ଏବଂ କମ୍ପାନୀର ଆର୍ଥିକ ପ୍ରଦର୍ଶନକୁ ଭଲ ଭାବେ ଅନୁଧ୍ୟାନ କରିବା ଜରୁରୀ।