ରାତିସାରା ନିସ୍ତୁକ ମାଡ଼, ଜୀବନ ହାରିଲେ ଯୁବକ

ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା । କାଠଫାଳିଆ ଏବଂ ବାଉଁଶ ବାଡ଼ିରେ ପିଟିପିଟି ଜଣେ ଯୁବକଙ୍କୁ ଜୀବନରୁ ମାରିଦେଲେ । ଏଭଳି ଏକ ନିର୍ମମ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମୟୂରଭଞ୍ଜ ମୋରଡ଼ା ବ୍ଲକ୍ ଭାଲିଆଡ଼ିହା ପଞ୍ଚାୟତର କେନ୍ଦୁଛାଟିଆ ଗାଁରେ ।

କେନ୍ଦୁଛାଟିଆ ଗାଁର ଜାସାୟ ଟୁଡୁ ଏବଂ ତାଙ୍କ ପୁଅ ମଧୁ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ପିଟୁପିଟୁ ତାର ମୃତ୍ୟୁ ହୋଇଥିଲା । ସୂଚନା ଅନୁସାରେ ଗତ ସୋମବାର କେନ୍ଦୁଛାଟିଆ ଗାଁରେ ଜାହିରା ପୂଜା ଚାଲିଥିଲା । ପୂଜା ପରେ ପାରମ୍ପରିକ ନୃତ୍ୟଗୀତର ଆୟୋଜନ ହୋଇଥିଲା । ଠିକ୍ ଏତିକିବେଳେ ସୁରେଇଡ଼ିହି ପଞ୍ଚାୟତ ଗଣ୍ଡିଗୋଧା ଗାଁର ସୁନାରାମ ଟୁଡୁ, ଜାସାୟଙ୍କ ସ୍ତ୍ରୀକୁ ଧରି ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ଥିବା ଘରକୁ ନେଇଯାଇଥିଲା । ସେଠାରେ ସେମାନେ ଅସଞ୍ଜତ ଅବସ୍ଥାରେ ଥିବାବେଳେ ବାପା ଓ ପୁଅ ଦେଖିଥିଲେ । ଅଭିଯୁକ୍ତ ସୁନାରାମକୁ ଏକ ଗଛରେ ବାନ୍ଧି ରାତିସାରା ପିଟିଚାଲିଲେ । କାଠ ଫାଳିଆ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରିଲେ । ଶେଷରେ ସେମାନଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ସୁନାରାମ ।

ଖବରପାଇ ବେତନଟୀ ଏସଡିପି, ଆଇଆଇସି, ବାରିପଦା ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଜାସାୟ ଏବଂ ମଧୁକୁ ଅଟକ ରଖି ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply

Your email address will not be published. Required fields are marked *