ଆସନ୍ତା 28ରେ ମହିଳା ରେସଲର ଯୌନଉତ୍ପୀଡନ ମାମଲାର ଶୁଣାଣି

ଦିଲ୍ଲୀର ଜନ୍ତରମନ୍ତରରେ ପୁଣି ରେସଲରଙ୍କ ବିରୋଧ ପ୍ରଦର୍ଶନକୁ ନେଇ ସୁପ୍ରିମ କୋର୍ଟ ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ତଲବ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି, ଅନ୍ତର୍ଜାତୀୟସ୍ତରରେ ଦେଶର ପ୍ରତିନିଧିତ୍ବ କରୁଥିବା ରେସଲର ଯାଚିକାରେ ଯୌନ ଉତ୍ପୀଡନ ପରି ଗମ୍ଭୀର ଅଭିଯୋଗ ଆଣିଥିବାରୁ କୋର୍ଟ ଏହାର ଶୁଣାଣି କରିବାର ଆବଶ୍ୟକତା ରହିଛି। ତେବେ ବରିଷ୍ଠ ଓକିଲ କପିଲ ସିବଲଙ୍କ ଦ୍ୱାରା ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ପରେ କୋର୍ଟ ଏହି ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସିବଲ ସର୍ବୋଚ୍ଚ କୋର୍ଟଙ୍କୁ ରେସଲରଙ୍କ ମାମଲାର ତ୍ୱରିତ ଶୁଣାଣି ପାଇଁ ଦାବି ଉପସ୍ଥାପନ କରିବା ପରେ ସିଜେଆଇ ଯାଚିକାର ସାରମର୍ମ, ଉଦ୍ଦେଶ୍ୟ, ପକ୍ଷକାରଙ୍କ ସମ୍ପର୍କରେ ପଚାରିଥିଲେ। ସିବଲ କହିଥିଲେ କି 7 ଜଣ ମହିଳା ପହଲୱାନଙ୍କ ଦ୍ୱାରା ଏହି ଯୌନ ଉତ୍ପୀଡନ ଯାଚିକା ଦାୟର ହୋଇଛି ଓ ପୋଲିସ ସେମାନଙ୍କ ଏଫଆଇଆର ଗ୍ରହଣ କରୁ ନ ଥିବାରୁ ଏଫଆଇଆର ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାକୁ ଯାଚିକାରେ ଦାବି କରାଯାଇଛି। ମାମଲାର ଗୁରୁତ୍ୱ ବୁଝି କୋର୍ଟ ଏହା ଉପରେ 28 ଏପ୍ରିଲରେ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି।

ସୋମବାର ଦିନ ପ୍ରଦର୍ଶନ ରତ ରେସଲର ଧମକ ଦେଇଥିଲେ କି, ଯଦି ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୁଷଣ ସିଂହଙ୍କ ବିରୋଧରେ ଏଫଆଇଆର ଦାୟର କରା ନ ଯାଏ, ତେବେ ସେମାନେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହେବେ। ସେପଟେ, ମହାସଂଘ ଓ ରେସଲରଙ୍କ ଭିତରେ ଜାରି ବିବାଦ ଭିତରେ ଆସନ୍ତା ମେ 7ରେ ହେବାକୁ ଥିବା ମହାସଂଘ ନିର୍ବାଚନ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି।

ସୂଚନାଯୋଗ୍ୟ, ସରକାର ଡବ୍ଲୁଏଫଆଇ ବିରୋଧରେ ଯୌନ ଉତ୍ପୀଡନ ଓ ଡରେଇବା ଧମକେଇବା ମାମଲାର ଯାଞ୍ଚ ପାଇଁ 23 ଜାନୁଆରୀରେ 6 ଜଣିଆ କମିଟି ଗଠନ କରିଦେଇଥିଲା। କମିଟି ତାର ରିପୋର୍ଟ 5 ଏପ୍ରିଲରେ ଦାଖଲ କରି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।  

Leave a Reply

Your email address will not be published. Required fields are marked *