କ’ଣ ହେବ ମେଣ୍ଟର ଭବିଷ୍ୟତ, କୌଣସି ଦଳ କରୁନାହାନ୍ତି ସ୍ପଷ୍ଟ

ଏବେ ରାଜ୍ୟରେ ଗୋଟିଏ ଚର୍ଚ୍ଚା । କେବେ ହେବ ବିଜେଡି-ବିଜେପି ମେଣ୍ଟ । ଗତ କିଛି ଦିନ ଧରି ଓଡିଶାରେ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇଛି । ଗୋଟିଏ ଦିନରେ ଦୁଇଟି ବଡ ଘଟଣା, ରାଜନୀତିର ତାତିକୁ ବହୁତ ମାତ୍ରାରେ ବଢାଇ ଦେଇଥିଲା । ଗୋଟିଏ ପଟେ ବିଜେପିର ତୁଙ୍ଗ ନେତାଙ୍କୁ ଦିଲ୍ଲୀରୁ ଆସିଲା ଡକରା ।

ଅନ୍ୟପଟେ ନବୀନ ନିବାସରେ ବିଜେଡିର ବଡ ବଡ ଲିଡର ରୁଦ୍ଧ ଦ୍ବାର ବୈଠକ । ଆସନ ଗଣିତ ଭିତରେ ବିଜେଡି-ବିଜେପି ମେଣ୍ଟ ଆଗକୁ ବଢିପାରୁନଥିବା ଚର୍ଚ୍ଚା ହେଉଥିବା ବେଳେ ଅଚାନକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗତକାଲି ଦିଲ୍ଲୀ ଗସ୍ତରେ ବାହାରିଲେ । ମାତ୍ର ଗୋଟିଏ ଦିନରେ ପୁଣି ରାଜ୍ୟକୁ ଫେରିଆସିଲେ । ହେଲେ ସେମାନଙ୍କ ଗସ୍ତ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନଥିବା ବେଳେ ଏବେ କଣ ହେବ ରାଜ୍ୟ ରାଜନୀତିର ଭାଗ୍ୟ ତାହାକୁ ନେଇ ଉଠିଛି ପ୍ରଶ୍ନ ।

ଏବେ ବିଭିନ୍ନ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ, ପୁରୀ ଭୁବନେଶ୍ବର ଲୋକସଭା ଆସନ ପାଇଁ ଏହି ମେଣ୍ଟ ଅଙ୍କ ଛିଡିପାରୁନି । ଅନ୍ୟପଟେ କୁଆଡେ ବିଜେପି ବିଧାନସଭା ପାଇଁ ଶତାଧିକ ଆସନ ଦାବି କରୁଛି । ସେପଟେ ବିଜେଡି ବିଧାୟକ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଅପେକ୍ଷା କରନ୍ତୁ କଣ ହେବ ଦେଖିବେ । ଆଗକୁ ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ଦେଖିବେ ।

ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଇଛନ୍ତି ।

ତେବେ ଦିଲ୍ଲୀରୁ ଫେରିଥିବା ପ୍ରଣବ ପ୍ରକାଶ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କୁହାଯାଉଛି ଯେ ସେମାନେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ସାକ୍ଷାତ କରିଛନ୍ତି । ହେଲେ ଏହା କେତେ ଦୂର ସତ ତାହା ହୁଏତ ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ ।

Leave a Reply

Your email address will not be published. Required fields are marked *