ଆଜି ବ୍ରିଟେନରେ ହେବ ନୂଆ ରାଜାଙ୍କ ରାଜ୍ୟାଭିଷେକ, ରାଜା ସିଂହାସନରେ ବସିବେ ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ

ଆଜି ବ୍ରିଟେନବାସୀଙ୍କ ପାଇଁ ଖୁସି ଖବର । କିଙ୍ଗ୍ ଚାର୍ଲସଙ୍କର ରାଜ୍ୟାଭିଷେକ ପରେ ୟୁନାଇଟେଡ କିଙ୍ଗଡମକୁ ମିଳିବ ନୂଆ ରାଜା । ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କରିବେ ଚାର୍ଲସ ତୃତୀୟ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସମେତ ଅନ୍ୟ ୧୪ଟି ଦେଶର ମଧ୍ୟ ୪୦ ତମ ରାଜା ହେବେ । ସେଥିପାଇଁ ଆଜି ବଙ୍କିଙ୍ଗହମ୍ ପ୍ୟାଲେସକୁ ଏକ ନବବଧୂ ପରି ସଜାଯାଇଛି । ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ କିଙ୍ଗ୍ ଚାର୍ଲସ ଓ ରାଣୀ କାମିଲା ବଙ୍କିଙ୍ଗହମ୍ ପ୍ୟାଲେସରୁ ଶୋଭାଯାତ୍ରାରେ ବାହାରିବେ । ଏହାପରେ ସେମାନେ ୱେଷ୍ଟମିନଷ୍ଟର ଆବେକୁ ଯିବେ । ସେମାନେ ଯେଉଁ ବାହାନରେ ବସି ଯିବେ ତାହାର ନାମ ହେଉଛି, ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚ । ୧୮ ଫୁଟ୍ ଲମ୍ବା, ୩ ଟନ୍ ଓଜନ ଡାଇମଣ୍ଡ ଜୁବଲି ଷ୍ଟେଟ୍ କୋଚକୁ ଟାଣିଟାଣି ନେବେ ୬ଟି ଘୋଡ଼ା ଆଉ ତାଙ୍କ ସାଥିରେ ଚାଲିବେ ଅଙ୍ଗରକ୍ଷୀ ।

ଅପରାହ୍ନ ସାଢ଼େ ୩ଟା ବେଳକୁ ରାଜପରିବାର ସଦସ୍ୟ ଏବଂ ଅତିଥିଙ୍କ ଉପସ୍ଥିତିରେ ରାଜ୍ୟାଭିଷେକ କରିବେ ଆର୍କ ବିଶପ୍ । ପ୍ରାୟ ଏକ ଘଣ୍ଟା ଧରି ଚାଲିବ ବିଭିନ୍ନ ରୀତିନୀତି । ଏହାପରେ ସନ୍ଧ୍ୟା ୬ଟା ୪୫ରେ ରାଜପରିବାର ବକିଙ୍ଗହମ୍ ପ୍ୟାଲେସ ବାଲକୋନିକୁ ଆସି ଜନସାଧାଣଙ୍କୁ ଦେଖା କରିବେ ।

ଦେଶ ତଥା ବିଦେଶରୁ ପ୍ରାୟ ୨ ହଜାର ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାର ସିଧା ପ୍ରସାରଣ ବିଭିନ୍ନ ଚ୍ୟାନେଲ ଜରିଆରେ କରାଯିବ । ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଓ ତାଙ୍କ ପତ୍ନୀ ଏହି ଅବସରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ହୋଇଥିଲା । ଏହାପରେ ଏହି ପଦ କିଙ୍ଗ୍ ଚାର୍ଲସ ହିଁ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ରାଜ୍ୟାଭିଷେକ ହୋଇନଥିଲା, ଯାହା ଆଜି ସମାପନ ହେବ ।

Leave a Reply

Your email address will not be published. Required fields are marked *