୨୦୨୨ରେ ୬୭ ସାମ୍ୱାଦିକଙ୍କ ହତ୍ୟା

ସତ୍ୟକୁ ଉଜାଗର କରି ଜନସଚେତନତା ସୃଷ୍ଟି କରିବା ହେଉଛି ସାମ୍ବାଦିକତା। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବର ପ୍ରତି କୋଣରେ ଏହି ମହତ ପେସାର କଣ୍ଠରୋଧ କରାଯାଉଛି। ସତକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିମାନଙ୍କ ହତ୍ୟା କରାଯାଉଛି, ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଜାତିସଂଘ। ମଙ୍ଗଳବାର ବିଶ୍ୱ ପ୍ରେସ ଡେ ଅବସରରେ ୟୁଏନ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଉଦବେଗ ପ୍ରକାଶ କରିଛନ୍ତି ।

ବିଶ୍ୱ ପ୍ରେସ ଦିବସର ୩୦ ତମ ବାର୍ଷିକୀ ପାଳନ ଅବସରରେ ଗୁଟେରସ କହିଛନ୍ତି କି, ୨୦୨୨ରେ ଗଣମାଧ୍ୟମ କର୍ମଚାରୀଙ୍କ ହତ୍ୟା ଘଟଣା ୫୦ ପ୍ରତିଶତ ବୃଦ୍ଧି ପାଇବା ଏକ ଅବିଶ୍ୱସନୀୟ ଘଟଣା। ସାରା ବିଶ୍ୱରେ କେବଳ ଏହି ବର୍ଷ ୬୮ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ରହିଛି। ସେହିପରି ପ୍ରାୟ ତିନି ଚତୁର୍ଥାଂଶ ମହିଳା ସାମ୍ବାଦିକ ଅନଲାଇନ ହିଂସାର ଶରବ୍ୟ ହୋଇଛନ୍ତି। ସେମାନଙ୍କ ଭିତରୁ ପ୍ରତି ୪ ଜଣରେ ଜଣଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବାକୁ ଧମକ ମିଳିଛି।

ଗୁଟେରସ ଆହୁରି କହିଛନ୍ତି କି, ସମ୍ପ୍ରତି ସତ୍ୟର ମୁହଁ ବନ୍ଦ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଦେଶର ନିୟମ ଓ ସରକାର ସାମ୍ୱାଦିକଙ୍କ କାର୍ଯ୍ୟ ପଥରେ ବାଧା ସୃଷ୍ଟି କରୁଛନ୍ତି। ଏପରି କରି ପ୍ରେସର ଅଭିବ୍ୟକ୍ତି ଅଧିକାରକୁ ସଙ୍କୁଚିତ କରି ଦିଆଯାଉଛି। ସତ୍ୟ ସଂଗ୍ରହ ପଥରେ ବ୍ରତୀ ସାମ୍ୱାଦିକଙ୍କୁ ହଇରାଣ ହରକତ କରାଯାଉଛି। ଭୟଭୀତ କରାଯାଉଛି। ସତ୍ୟ ଓ କାଳ୍ପନିକ, ବିଜ୍ଞାନ ଓ ଷଡଯନ୍ତ୍ର ମଧ୍ୟରେ ଥିବା ରେଖାକୁ ଅସ୍ପଷ୍ଟ କରିବାକୁ ଚାହୁଁଥିବା ବିଚ୍ଛିନ୍ନତାବାଦ ଏବଂ ଘୃଣାର ବକ୍ତବ୍ୟ ଦ୍ୱାରା ସତ୍ୟ ପ୍ରତି ବିପଦ ରହିଛି। ଏସବୁ ସତ୍ତ୍ୱେ ମଧ୍ୟ ସେମାନେ ନିଜ କାର୍ଯ୍ୟରେ ଆଗେଇ ଚାଲିଲେ ସେମାନଙ୍କୁ ପୋଲିସ ଅଟକ ରଖୁଛି, ଜେଲ ପଠାଇ ଦିଆଯାଉଛି। ତେଣୁ ଏପରି କାର୍ଯ୍ୟ ବନ୍ଦ କରିବାକୁ ପ୍ରେସ ଦିବସରେ ଆହ୍ୱାନ ଦେଇଛନ୍ତି ଗୁଟେରସ।

ରିପୋର୍ଟର୍ସ ୱିଦାଉଟ ବଡର ତଥ୍ୟ ଅନୁଯାୟୀ, ୨୦୨୨ରେ ବିଶ୍ୱର ବିଭିନ୍ନ ଦେଶରେ ମୋଟ ୫୫ସାମ୍ୱାଦିକଙ୍କ ସହ ୪ ମିଡିଆ କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଯାହା ବିଶ୍ୱବ୍ୟାପୀ ପ୍ରେସ ସ୍ୱାଧୀନତାକୁ ଦୁର୍ବଳ କରିବାକୁ ହେଉଥିବା ପ୍ରୟାସକୁ ସ୍ପଷ୍ଟ କରୁଛି।  ସେହିପରି ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗଠିତ କମିଟି (ସିପିଜେ) ତଥ୍ୟ କହୁଛି କି, ୨୦୨୨ରେ ୬୮ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୩୦ରୁ ଅଧିକ ଦେଶରେ ୩୬୩ ସାମ୍ୱାଦିକଙ୍କୁ ଜେଲରେ ବନ୍ଦୀ କରାଯାଇଛି। ଏହି କ୍ଷେତ୍ରରେ ଇରାନ, ଚୀନ, ମିଆମାର ଆଗରେ ରହିଛି। ଏହିସଂଖ୍ୟା ୨୦୧୫ ତୁଳନାରେ ଦ୍ୱିଗୁଣିତ ହୋଇଥିବା ଦେଖିବାକୁ ମିଳିଥିବା ସିପିଜେ କହିଛି।  

ଏହି ହତ୍ୟା ପଛର କାରଣ ସମ୍ପର୍କରେ ୟୁକ୍ରେନ ଯୁଦ୍ଧ କିଛି ମାତ୍ରାରେ ଦାୟୀ କରାଯାଉଥିବା ବେଳେ କୁତ୍ସ ରାଜନୀତି ମଧ୍ୟ ଅନେକାଂଶରେ ସାମ୍ବାଦିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସେହିପରି ଆତଙ୍କବାଦ ମଧ୍ୟ ଗଣମାଧ୍ୟମର କଣ୍ଠରୋଧ କରିବା ଦେଖିବାକୁ ମିଳୁଛି। ଇଜରାଏଲରେ ଏପରି ହିଂସାରେ ବରିଷ୍ଠ ଆମେରିକୀୟ-ପାଲିଷ୍ଟିନୀୟ ସାମ୍ୱାଦିକ ଶ୍ରୀରିନ ଅବୁ ଅକଲେହଙ୍କ ହତ୍ୟା କରାଯାଇଥିଲା। ସାମ୍ପ୍ରତିକ ସ୍ଥିତିକୁ ଦେଖି ପ୍ରେସ ଡେ’ରେ ସାମ୍ୱାଦିକଙ୍କ କାର୍ଯ୍ୟକୁ ନିର୍ବିଘ୍ନରେ କରିବାକୁ ଦେବାକୁ ହେଲେ ପ୍ରେସ ସ୍ୱାଧୀନତାକୁ ସୁନିଶ୍ଚିତ କରିବାକୁ ହେବ ବୋଲି ଗୁଟାରସ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୧୯୯୩ରୁ ୟୁଏନ୍ ସାଧାରଣ ସଭା ଦ୍ୱାରା ପ୍ରେସ ଡେ’ର ଘୋଷିତ ହୋଇଥିଲା ଏବଂ ପ୍ରତ୍ୟେକ ବର୍ଷ ମେ ୩ ତାରିଖ ରେ ଏହି ଦିବସର ପାଳନ ହୋଇ ଆସୁଛି।

Leave a Reply

Your email address will not be published. Required fields are marked *