ଆଜି ଶପଥ ନେବେ ଦୀପାଳି ଦାସ । ସ୍ୱର୍ଗତ ନବକିଶୋର ଦାସଙ୍କ ଝିଅ ତଥା ଝାରସୁଗୁଡ଼ାର ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ତାଙ୍କୁ ଶପଥ ପାଠ କରାଇବେ ଉପବାଚସ୍ପତି ରଜନୀକାନ୍ତ ସିଂ । ଆଜି ସକାଳ ୧୦ଟା ୪୫ରେ ଦୀପାଳି ଶପଥ ନେବା କାର୍ଯ୍ୟକ୍ରମ ରହିଛି ।
୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ଫଳାଫଳ ଆସିଥିଲେ । ଏଥିରେ ବାଜି ମାରିଥିଲେ ଦୀପାଳି ଦାସ । ସେ କହିଛନ୍ତି ଏ ବିଜୟ ଝାରସୁଗୁଡ଼ାବାସୀଙ୍କ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଏବଂ ଭାବମୂର୍ତ୍ତି ତଥା ଝାରସୁଗୁ଼ଡ଼ାବାସୀଙ୍କୁ ସ୍ନେହ, ପ୍ରେମ ଓ ଭଲ ପାଇବା ହିଁ ବିଜୟର ମୂଳମନ୍ତ୍ର । ଉପନିର୍ବାଚନ ପାଇଁ ସମସ୍ତେ ବହୁତ ପରିଶ୍ରମ କରିଛନ୍ତି । ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ଝାରସୁଗୁଡ଼ା ଉପନିର୍ବାଚନରେ ୪୮ ହଜାର ୭୨୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ଦୀପାଳି । ବିଜୟୀ ଘୋଷଣା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ଦୀପାଳି ।
ଜିଲ୍ଲାର ସମସ୍ତ ବିକାଶ କାର୍ଯ୍ୟ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଝାରସୁଗୁଡ଼ାବାସୀଙ୍କ ସ୍ୱପ୍ନ ସାକାର କରିବି ବୋଲି ସେ କହିଛନ୍ତି । ଝାରସୁଗୁଡା ଲୋକଙ୍କ ପାଇଁ ସମର୍ପିତ ହୋଇ ସମସ୍ତ କାମ କରିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ଦିନରେ ଜିଲ୍ଲାର ସବୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବି ବୋଲି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ କହିଛନ୍ତି ।