ଓଟିପି ସେୟାରିଂ ସ୍କାମ୍ ନେଇ ୩ ଜଣଙ୍କୁ ଧରିଲା STF

ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ । ନୟାଗଡ଼ ଏବଂ ଯାଜପୁରରୁ ସେମାନଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା,ସରୋଜ କୁମାର ନାୟକ ଏବଂ ଯାଜପୁରର ସୌମ୍ୟ ପଟ୍ଟନାୟକଙ୍କୁ ଧରିଛି STF ଟିମ୍ । ସେମାନଙ୍କ ଠାରୁ ୧୯ଟି ଦାମୀ ମୋବାଇଲ,୪୭ଟି ସିମକାର୍ଡ, ୬୧ଟି ଏଟିଏମ୍ କାର୍ଡ ଓ ୨୩ଟି ସିମ୍ କଭର ଜବତ ହୋଇଛି ।

ସବୁଠାରୁ ବଡ଼ ପ୍ରଶ୍ନ କାହିଁକି ୩ ଅଭିଯୁକ୍ତ ଗିରଫ ହେଲେ । ସେମାନେ ଏମିତି କଣ କଲେ ଯାହାକୁ ଦେଶଦ୍ରୋହୀ ବୋଲି କହିବାକୁ ପଡ଼ିଲା । ୩ ଅଭିଯୁକ୍ତଙ୍କ ନାଁରେ ପାକିସ୍ତାନ ଲିଙ୍କ୍ ରହିଛି । ଓଟିପି ସେୟାରିଂ ସ୍କାମ୍ ସହ ଲିଙ୍କ୍ ଜେନେରେଟ୍ କରି ପାକିସ୍ତାନୀ ଇଣ୍ଟଲିଜେନ୍ସ ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କୁ ତଥ୍ୟ ଦେଉଥିଲେ। ଏଥିପାଇଁ ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟ ସେମାନଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ଦେଉଥିଲେ ।

ଗତବର୍ଷ ରାଜସ୍ତାନରେ ହନିଟ୍ରାପ୍ ମାମଲାରେ ଧରାଯାଇଥିବା ମହିଳା ପିଆଇଓ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ ଏହି ୩ ଅଭିଯୁକ୍ତ । ସୋସିଆଲ ମିଡିଆ ପ୍ଳାଟଫର୍ମ, ହ୍ୱାଟ୍ସଆପ୍,ଟେଲିଗ୍ରାମ,ଇନଷ୍ଟାଗ୍ରାମରେ ବିଭିନ୍ନ ଆକାଉଣ୍ଟ ଖୋଲି ପାକିସ୍ତାନୀ ଏଜେଣ୍ଟଙ୍କୁ ଲିଙ୍କ୍ ସେୟାର କରିଥିଲେ । ଏହି ଲିଙ୍କ୍ ବ୍ୟବହାର କରି ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗ କରୁଥିଲେ । ଏଥିସହ ମାନବଚାଲାଣ,ହନି ଟ୍ରାପିଂ ଓ ଦେଶ ବିରୋଧୀ ପ୍ରଚାର କରୁଥିଲେ ପାକିସ୍ତାନୀ ଏଜେଣ୍ଟ ।

ଭାରତୀୟ ମୋବାଇଲ ନମ୍ବର ସଂଯୋଗ ଓ ଭାରତୀୟ ଲୋକଙ୍କ ନାଁରେ ସୋସିଆଲ ମିଡିଆ ଆକାଉଣ୍ଟ ଥିବାରୁ ଏହା ସନ୍ଦେହ ଘେରକୁ ଆସିନଥିଲା । ଅନଲାଇନ୍ ସପିଂ ପାଇଁ ଅନେକ ଆକାଉଣ୍ଟ ଖୋଲି ଆତଙ୍କବାଦୀମାନଙ୍କୁ ସାମଗ୍ରୀ ଯୋଗାଣ କରାଯାଉଥିଲା । ଅଭିଯୁକ୍ତଙ୍କୁ ଓଟିପି ସେୟାରିଂ ସ୍କାମ୍ ନେଇ ଅନେକ ପ୍ରଶ୍ନ ପଚାରିଥିଲା STF ଟିମ୍ । ହେଲେ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେମାନଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *