ଶଙ୍ଖ ଛାଡି ଫୁଲ ଧରିଲେ ଏଇ ସାଂସଦମାନେ…

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେହିଭଳି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେପି ଦଳରେ ସାମିଲ ହୋଇଛନ୍ତି। ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ବ୍ୟତୀତ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଭର୍ତ୍ତୃହରି ବିଜେଡି ଛାଡିବା ପରେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭର୍ତ୍ତୃହରି । ଦିଲ୍ଲୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସେହିଭଳି ସିଦ୍ଧାନ୍ତ ମହାପାତ୍ର ବିଜେପିରେ ସାମିଲ ହେବେ ବୋଲି ଗତ ୨ ଦିନ ହେବ ଚର୍ଚ୍ଚା ହେଉଥିଲା । ସିଦ୍ଧାନ୍ତ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ୨୦୧୯ରେ ସିଦ୍ଧାନ୍ତଙ୍କୁ ଦଳ ଟିକେଟ ଦେଇନଥିଲା । ଏହାପରେ ସିଦ୍ଧାନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । କିନ୍ତୁ କିଛି ମାସ ପୂର୍ବରୁ ସିଦ୍ଧାନ୍ତ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦିଲ୍ଲୀରେ ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ସିଦ୍ଧାନ୍ତ । ଭର୍ତ୍ତୃହରିଙ୍କୁ ଦଳ କଟକ ଲୋକସଭାରୁ ପ୍ରାର୍ଥୀ କରିପାରେ। ସେହିଭଳି ସିଦ୍ଧାନ୍ତଙ୍କୁ ଦଳ ବ୍ରହ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *