ପାନୀୟ ଜଳ ପାଇଁ ଡହଳବିକଳ, ପହଞ୍ଚି ପାରି ନାହିଁ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା

ଆମ ରାଜ୍ୟର ପାନୀୟ ଜଳ ଯୋଜନାର ଏ ହେଉଛି ବିକଳ ଚିତ୍ର। ଏମାନଙ୍କ ନିକଟରେ ପହଞ୍ଚିପାରିନି ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା। ରାଜ୍ୟର ପ୍ରତି ଗାଁର ପ୍ରତିଟି ପରିବାରକୁ ଟ୍ୟାପ ଯୋଗେ ଜଳ ଯୋଗାଇ ଦିଆଯାଉଥିବା ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର। ଏଥିପାଇଁ ସରକାର ହଜାର ହଜାକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଖଡିଆଶୋଳ ଗ୍ରାମବାସୀଙ୍କ ପାଇଁ ଏହି ଜଳ ଯୋଜନା ସାତ ସପନ। ବିଜାତଳା ବ୍ଲକର ଖଡିଆଶୋଳ ଗ୍ରାମରେ ୫ ଟି ନଳକୂଅ ଅଛି ୪୫୦ରୁ ଅଧିକ ଲୋକଙ୍କ ପାଇଁ। ହେଲେ କୌଣସି ନଳକୂଅରୁ ପାଣି ବାହାରୁ ନାହିଁ।

ଏନେଇ ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଗ୍ରାମବାସୀଙ୍କ ପ୍ରତି ଧ୍ୟାନ ଦେଉନାହାନ୍ତି। ସେପଟେ ପାଣି ମୁନ୍ଦେ ପାଇଁ ମହିଳା ମାନେ ରାତି ପାହିଲେ ଗରା, ବାଲ୍ଟି, ହାଣ୍ଡି, ଡେକ୍ଚି ଧରି ଗାଁ ନିକଟବର୍ତ୍ତୀ ନଦୀ, ଚୁଆକୁ ଯାଉଛନ୍ତି। ସେଠାରୁ ପାଣି ସଂଗ୍ରହ କରି ତାକୁ ବ୍ୟବହାର କରିବାକୁ ବାଧ୍ୟହେଉଛନ୍ତି। ଅନ୍ୟପଟେ ଖରା ଆରମ୍ଭରୁ ସ୍ଥିତି ଏମିତି ହୋଇଥିବା ବେଳେ ଆଗକୁ ଖରା ଟାଣ ହେଲେ ଏହି ସବୁ ଜଳ ଉତ୍ସ ମଧ୍ୟ ଶୁଖିଯିବ। ତେଣୁ ଆଜି ଗ୍ରାମବାସୀ ରାଇରଙ୍ଗପୁର ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେମାନଙ୍କ ଜଳ ସମସ୍ୟା ତୁରନ୍ତ ଦୂର କରା ନ ଗଲେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ।

ଉପ ଜିଲ୍ଲାପାଳଙ୍କ ଅଫିସରେ ଗ୍ରାମବାସୀ ପାନୀୟ ଜଳ ନେଇ ନିଜ ଦାବିପତ୍ର ଉପସ୍ଥାପନ କରିବା ପରେ ଖୁବ ଶୀଘ୍ର ସେମାନଙ୍କ ଆବେଦନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ଯାଳୟ ତରଫରୁ କୁହାଯାଇଛି। ତେବେ ଦେଖିବାକୁ ବାକି ରହିଲା, କେବେ ପୂରଣ ହେଉଛି ଲୋକଙ୍କ ପାଣି ପରି ମୌଳିକ ଆବଶ୍ୟକତା।

Leave a Reply

Your email address will not be published. Required fields are marked *