ପାନୀୟ ଜଳ ପାଇଁ ଲୋକେ ଡହଳବିକଳ, ଅପରିଷ୍କାର ଚୁଆପାଣି ଲୋକଙ୍କ ଭରସା

ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳକଷ୍ଟ ମଧ୍ୟ ବଢୁଛି । ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । କେନ୍ଦୁଝର ତେଲକୋଇ ବ୍ଲକରେ ଦିନବେଳା ତାପମାତ୍ରା ୪୨ ଡିଗ୍ରୀ ରହୁଥିବା ବେଳେ ଟାଇଁଟାଇଁ ଖରା ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ସେପଟେ, ଅତ୍ୟଧିକ ଖରା ଯୋଗୁଁ କୂଅ ଜଳସ୍ତର ହ୍ରାସ ଘଟିଲାଣି । କିଛି ସ୍ଥାନରେ କୂଅ,ପୋଖରୀ ଜଳ ଶୁଖିଲାଣି ।

କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁ କାଇଁଶିନାଳି ସାହିରେ ଜଳ ସଙ୍କଟ । କୂଅ, ପୋଖରୀ କଥା ତ ଛାଡ଼ନ୍ତୁ ନଳକୂପ ମଧ୍ୟ ଶୁଖିଯାଇଛି । ସାହିରେ ଥିବା ଏକମାତ୍ର ନଳକୂପରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହଁ । ପାନୀୟ ଜଳ ପାଇଁ ଏକମାତ୍ର ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ବିଲରେ ଚୁଆ ଖୋଳି ଅପରିଷ୍କାର ପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନା ଏଠାର ଲୋକଙ୍କ ପାଇଁ ସାତସପନ ପାଲଟିଛି ।

ସାହିରେ ୩୦ରୁ ଅଧିକ ଆଦିବାସୀ ପରିବାର ବାସ କରନ୍ତି । ଚୁଆପାଣି ସାହି ଲୋକଙ୍କ ଶୋଷ ମେଣ୍ଟାଉଥିବା ବେଳେ ଗାଈଗୋରୁଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ସମାଧାନ ପାଇଁ ଅନେକ ଥର ଗୁହାରି ହୋଇଛନ୍ତି ତଥାପି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗାଁ ଲୋକେ । ଖୁବଶୀଘ୍ର ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ଏବଂ ନଳକୂପର ବ୍ୟବସ୍ଥା କରାଯିବ ବୋଲି ତେଲକୋଇ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ବୁଧବାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ସେପଟେ, କେନ୍ଦୁଝରରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ତେଲକୋଇ କାଇଁଶିନାଳି ସାହିରେ ତାତି ଅସହ୍ୟ ହୋଇଥିବା ବେଳେ ଘରୁ ବାହାରିବା ବି ମୁସ୍କିଲ ହୋଇଛି । ପିଇବା ପାଣି ଲୋକଙ୍କୁ ମିଳୁନି ଯାହା ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀଙ୍କ ଅବେହଳା ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଖୁବଶୀଘ୍ର ଏହାର ସମାଧାନ କଲେ ଲୋକେ ଉପକୃତ ହୋଇପାରିବେ ।

Leave a Reply

Your email address will not be published. Required fields are marked *