ଟଙ୍କା ହଡ଼ପ ପରେ ଚିନ୍ତାରେ ଜମାକାରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ସମବାୟ ସମିତି ଅଫିସ ରାତାରାତି ଉଭାନ ହୋଇଯିବା ଘଟଣା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତିବାଦରେ ଜମାକାରୀମାନେ ଏବେ ଧାରଣାରେ ବସିଛନ୍ତି ।

ଚିନ୍ତାରେ ଜମାକାରୀ । ସେମାନଙ୍କ ଟଙ୍କା ଫେରସ୍ତ ପାଇବେ କିପରି । ଏ ଦିଗରେ କେହି ବି ସାହାଯ୍ୟ କରୁନାହାଁନ୍ତି । କଟକ ଜିଲ୍ଲା ସାଲେପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମବାୟ ସମିତି ଅଫିସ କର୍ମଚାରୀ ଓ ଜମାକାରୀମାନେ ସାଲେପୁର ତହସିଲ ଅଫିସ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଟଙ୍କା ଫେରସ୍ତ ପାଇବା ପାଇଁ ସେମାନେ ଏହି ପନ୍ଥାକୁ ଆପଣେଇଛନ୍ତି ।

ସୂଚନା ଅନୁସାରେ ସାଲେପୁର କ୍ରେଡିଟ କୋଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ଏବଂ ପ୍ରଶାସନିକ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଜମାକାରୀଙ୍କ ଠାରୁ ଟଙ୍କା ନେଇ ବର୍ଷେ ପୂର୍ବରୁ ସେମାନେ ଫେରାର ଅଛନ୍ତି । ଏ ନେଇ ଥାନା, ସମବାୟ ବିଭାଗ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଜମାକାରୀ । ତେବେ କୌଣସି ଅଧିକାରୀ ସେମାନଙ୍କ ସହାୟତା କରିନାହାଁନ୍ତି । ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି ।

ସବୁଥିରେ ଫେଲ୍ ମାରିବା ପରେ ଜମାକାରୀମାନେ ଏକାଠି ହୋଇଥିଲେ । ଟଙ୍କା ପାଇବା ପାଇଁ ସେମାନେ ଧାରଣାରେ ବସିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ, ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନାହାଁନ୍ତି । ଅନ୍ୟପକ୍ଷେ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ । ଏଭଳି ଘଟଣା ଏବେ ସାଲେପୁର ଅଞ୍ଚଳରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘଦିନ ହେଲା ଟଙ୍କା ନମିଳିବା ଅଫିସ ଉଭାନ ହେବା ଲୋକଙ୍କୁ ଆହୁରି ଟେନସନ୍ । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *