Blog

  • ଆସିଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର, ସ୍ନାତକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା

    ଆସିଲା କଂଗ୍ରେସ ନିର୍ବାଚନୀ ଇସ୍ତାହାର, ସ୍ନାତକଙ୍କୁ ମିଳିବ ମାସିକ ୩୦୦୦ ଟଙ୍କା

    ନିର୍ବାଚନ ତାତିରେ କର୍ଣ୍ଣାଟକ ଉଠୁଛି ପଡୁଛି । ଏହରି ମଧ୍ୟରେ କଂଗ୍ରେସ ତାର ଘୋଷଣାପତ୍ର ଜାରି କରିଛି । ଆଜି କଂଗ୍ରେସ ଜାରି କରିଥିବା ନିର୍ବାଚନୀ ଇସ୍ତାହାରରେ ଲୋକଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ସହ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଛି ।

    କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରୈମୟା ଓ ପ୍ରଦେଶ ଅଧ୍ୟକ୍ଷ ଡି.କେ ଶିବକୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଏହି ଘୋଷଣା ପତ୍ର ଜାରି କରିଛି । ଏଥିରେ ବେରୋଜଗାର ସ୍ନାତକଙ୍କୁ ମଧ୍ୟ ଧ୍ୟାନରେ ରଖାଯାଇଛି । ସ୍ନାତକ ଡିଗ୍ରୀଧାରୀ ବେକାର ଯୁବକଙ୍କୁ ଦୁଇ ବର୍ଷ ପାଇଁ ମାସିକ ୩ ହଜାର ଲେଖାଏଁ ଭତ୍ତା ଦିଆଯିବ । ସେହିପରି ବେରୋଜଗାର ଡିପ୍ଲୋମାଧାରୀଙ୍କୁ ମାସିକ ଦେଢ ହଜାର ଲେଖାଏଁ ଭତ୍ତା ଦିଆଯିବ ବୋଲି କଂଗ୍ରେସ ପ୍ରତିଶୃତି ଦେଇଛି । ଏଥିସହିତ
    କେଏସଆରଟିସି ଏବଂ ବିଏମଟିସିରେ ସବୁ ମହିଳାଙ୍କୁ ମାଗଣା ଯାତ୍ରାର ପ୍ରତିଶ୍ରୁତି ଦେଇଛି କଂଗ୍ରେସ ।

    ସେହିପରି କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଜାତୀୟ ସଂରକ୍ଷଣକୁ ମଧ୍ୟ ଧ୍ୟାନରେ ରଖାଯାଇଛି । ଅନୁସୂଚିତ ଜାତି ପାଇଁ ସଂରକ୍ଷଣ ୧୫ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ଥିବା ସଂରକ୍ଷଣକୁ ୩ରୁ ୭ ପ୍ରତିଶତକୁ ଏବଂ ସଂଖ୍ୟାଲଘୁଙ୍କ ପାଇଁ ଥିବା ସଂରକ୍ଷଣକୁ ୪ ପ୍ରତିଶତ କରିବାକୁ କଂଗ୍ରେସ ନିଜର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଛି । ଆଇନ୍ ଏବଂ ସମ୍ବିଧାନକୁ ସର୍ବୋପରି ଦର୍ଶାଇ କଂଗ୍ରେସ ଘଷଣା ପତ୍ରରେ ଦର୍ଶାଇଛି ଯେ, ସମୁଦାୟ ଭିତରେ ଘୃଣା ବଡାଇବା ପାଇଁ ସମ୍ବିଧାନ ଓ ଆଇନର ଉଲ୍ଲଙ୍ଘନ କରିବାକୁ ଦିଆଯିବନି ।

  • ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନର ଦୁରାବସ୍ଥା

    ରାଜ୍ୟର ସର୍ବ ପୁରାତନ ଶିକ୍ଷାନୁଷ୍ଠାନର ଦୁରାବସ୍ଥା

    ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥାକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ କିନ୍ତୁ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ହରାଇଛି ପୂର୍ବ ଗୌରବ। ନାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ କାଉନସିଲ (ନାକ୍)ଗ୍ରେଡେସନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏକ ପାଦ ତଳକୁ ଖସିଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ଏହି ଅନୁଷ୍ଠାନ। ୨୦୧୬ରେ ଉତ୍କଳ ବିଶ୍ୱବିଦ୍ୟାଳୟ  A+ ମାନ୍ୟତା ପାଇଥିଲା।

    ପୂର୍ବରୁ ନାକ୍ ମୂଲ୍ୟାୟନରେ ଉତ୍କଳ ବିଶ୍ବବିଦ୍ୟାଳୟ A+ ମାନ୍ୟତା ହାସଲ କରିଥିଲା। କିନ୍ତୁ ଚଳିତ ମୂଲ୍ୟାଙ୍କନରେ ପାଦେ ତଳକୁ ଖସି ୩.୧୬ ପଏଣ୍ଟ ସହ A ମାନ୍ୟତା ହାସଲ କରିଛି। ଗତ ମାସରେ ନାକର ମୂଲ୍ୟାୟନ ଟିମ୍ ବିଶ୍ୱବିଦ୍ୟାଳୟ ଆସି ଅନୁଧ୍ୟାନ କରି କାଉନ୍‌ସିଲକୁ ରିପୋର୍ଟ ଦେଇଥିଲେ।

    ନାକ୍ ରିପୋର୍ଟ ଆସିବା ପରେ ରାଜ୍ୟ ଗୌରବର ପ୍ରତୀକ ଏହି ସବୁଠାରୁ ପୁରୁଣା ବିଶ୍ୱବିଦ୍ୟାଳୟର ଅବନତିକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ଅନୁଷ୍ଠାନର ଦୁର୍ବଳ ଭିତ୍ତିଭୂମିକୁ   କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ ପ୍ରତିକ୍ରିୟା ଦେଇନାହାନ୍ତି।

  • ଆଜି ଗୁଜୁରାଟ ହାଇକୋର୍ଟରେ ହେବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମାମଲାର ଶୁଣାଣୀ

    ଆଜି ଗୁଜୁରାଟ ହାଇକୋର୍ଟରେ ହେବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ମାମଲାର ଶୁଣାଣୀ

    କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲାରେ ଆଜି ହେବ ଶୁଣାଣି । ମୋଦୀ ସୋରନେମ ମାମଲାରେ ଆସିଥିବା ନିମ୍ନ କୋର୍ଟର ରାୟକୁ ନେଇ ସେସନସ କୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ । ହେଲେ ଗତ ସେସନସ କୋର୍ଟ ଏପ୍ରିଲ 20 ତାରିଖରେ ପୂର୍ବ ରାୟକୁ କାଏମ ରଖିବା ପରେ ଗୁଜରାଟ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାହୁଲ । ରାହୁଲ ଗାନ୍ଧୀଙ୍କ ପାଇଁ କେଶ ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି । ପ୍ରଥମେ ଏହି ମାମଲାର ଶୁଣାଣୀ ପାଇଁ ଜଷ୍ଟିସ ଗୀତା ଗୋପୀ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ବିଚାର ଭାର ଜଷ୍ଟିସ ହେମନ୍ତ ପ୍ରଚ୍ଛକଙ୍କୁ ଦିଆଯାଇଛି ।

    ଆପଣଙ୍କୁ ଏଠାରେ କହିରଖୁଛୁ, 2019ରେ କର୍ଣ୍ଣାଟକର କୋଲରରେ ନିର୍ବାଚନ ରାଲି ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ମୋଦି ସାଙ୍ଗିଆକୁ ନେଇ ଏକ ବୟାନ ଦେଇଥିଲେ । ଯହାକୁ ନେଇ ସୁଟରତର ନିମ୍ନ ଅଦାଲତରେ ରାହୁଲଙ୍କ ବିରୁଦ୍ଧରେ ଏକ ମାନହାନୀ କେଶ କରାଯାଇଥିଲା । ଆଉ ସେହି ମାମଲାରେ ମାର୍ଚ୍ଚ ମାସ 23 ତାରିଖରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ 2 ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ ସିଜେଏମ କୋର୍ଟ । ଏହାପରେ ରାଜନୈତିକ ଝଡ ସୃଷ୍ଟି ହୋଇଥିଲା । କେବଳ ଯେ ରାହୁଲ ଗାନ୍ଧୀଙ୍କୁ ଜେଲ ହୋଇଥିଲା ତାହା ନୁହେଁ, ଦଣ୍ଡ ଶୁଣାଣୀର ମାତ୍ର ଗୋଟିଏ ଦିନ ପରେ ଅର୍ଥାତ ମାର୍ଚ୍ଚ 24ରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧୀ । ଏହାପରେ ତାଙ୍କୁ ସରକାରୀ ବଙ୍ଗଳା ମଧ୍ୟ ଖାଲି କରିବାକୁ କୁହାଯାଇଥିଲା ।

  • IPL ମୈଦାନରେ ପୁଣି ମୁହାଁମୁହିଁ, ଦୁଇ ଜଣଙ୍କ କଟିଲା ମ୍ୟାଚ୍ ଫି’

    IPL ମୈଦାନରେ ପୁଣି ମୁହାଁମୁହିଁ, ଦୁଇ ଜଣଙ୍କ କଟିଲା ମ୍ୟାଚ୍ ଫି’

    ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ ଯେତିକି ଲୋକପ୍ରିୟତା ହାସଲ କରୁଛି ତା ପଛରେ ବିବାଦ ବି ବଢ଼ିବାରେ ଲାଗିଛି । IPL ଇତିହାସରେ ଏମିତି ଅନେକ ଘଟଣା ଅଛି ଯେଉଁଥିରେ ଖେଳାଳି, ଅମ୍ପାୟାର, ଦର୍ଶକ, ମ୍ୟାନେଜମେଣ୍ଟ, ମାଲିକ ସମସ୍ତେ ବିବାଦ ଘେରକୁ ଆସିଛନ୍ତି । ଏବେ ପୁଣି ଥରେ ସେହି ବିବାଦ ନେଇ ପ୍ରଶ୍ନ ଉଠିଛି । ଏବେ କିନ୍ତୁ ଖେଳାଳି-ଖେଳାଳି ବିବାଦ ନୁହେଁ, ମୁହାଁମୁହିଁ ହୋଇଛନ୍ତି ଜଣେ ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ତ ଆଉ ଜଣେ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ମେଣ୍ଟର ।

    ସୋମବାର ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ–ବାଙ୍ଗାଲୋର ମଧ୍ୟ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ୧୨୭ ରନ୍ ଚେଜ୍ କରିନପାରି ୧୮ ରନରେ ହାରିଥିଲା ଲକ୍ଷ୍ନୌ । ହେଲେ ଏହା କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଆରସିବି ଠାରୁ ଲକ୍ଷ୍ନୌ ହାରିବା ପରେ ବିରାଟଙ୍କ ସହ ମୁହାଁମୁହିଁ ହୋଇଥିଲେ ଲକ୍ଷ୍ନୌ ମେଣ୍ଟର । ପଡ଼ିଆ ଭିତରେ ଉତ୍ତେଜନାମୂଳକ କଥାବାର୍ତ୍ତା ହୋଇଥିଲା । ମ୍ୟାଚ୍ ପରେ ରେଜଲ୍ଟ ଆସିଲା ହେଲେ ବାକ୍ ଯୁଦ୍ଧ ଆରମ୍ଭ ହେଲା । ପଡି଼ଆରେ ଅମିତ ମିଶ୍ର, ଫାପ୍ ଡୁ ପ୍ଲେସିସ୍ ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟାଙ୍କ ପରି ଖେଳାଳିଙ୍କ ଉପସ୍ଥିତିରେ ପୁଣି ଥରେ ମୁହାଁମୁହିଁ ହୋଇଥିଲେ କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର । ଦୁଇ ଜଣଙ୍କ ମଧ୍ୟରେ ବେଶ୍ କିଛି ସମୟ କଥା କଟାକଟି ହୋଇଥିଲା ।

    ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଜଣଙ୍କୁ ଜରିମାନା କରାଯାଇଛି । ଲକ୍ଷ୍ନୌ ମେଣ୍ଟର ଗୌତମ ଗମ୍ଭୀର ଓ ଆରସିବି ଖେଳାଳି ବିରାଟ କୋହଲିଙ୍କ ଶତ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ସେହିପରି, ଏହି ଘଟଣାରେ ‌ଲକ୍ଷ୍ନୌ ବୋଲର ନବୀନ୍-ଉଲ୍-ହକଙ୍କ ୫୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି । ୨୦୧୩ରେ ଆଇପିଏଲ୍ ମ୍ୟାଚ୍ ବେଳେ ଗମ୍ଭୀର ଏବଂ କୋହଲିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା । ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଥିବାବେଳେ ଆରସିବି ଦାୟିତ୍ୱରେ ଥିଲେ କୋହଲି ।

  • ସରକାରୀ ଜମି ଆବଣ୍ଟନରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

    ସରକାରୀ ଜମି ଆବଣ୍ଟନରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

    ରାଜ୍ୟରେ ଗୃହ ଓ ନଗର ଉନ୍ନୟ ବିଭାଗ ଅଧୀନରେ ଥିବା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଏକାଧିକ ପ୍ଲଟ ନେବା ଉପରେ ହାଇକୋର୍ଟ ରୋକ । ସରକାରୀ ଜମି ଆବଣ୍ଟନରେ ଜଣେ ବ୍ୟକ୍ତି ରାଜ୍ୟର କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତେଣୁ ଏଥିସମ୍ବନ୍ଧିତ ନିୟମାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

    ମାମଲାର ବିଚାର କରି ହାଇକୋର୍ଟ କହିଛନ୍ତି କି, ଜଣେ ବ୍ୟକ୍ତି ଏକାଧିକ ପ୍ଲଟ ନେବାରୁ ଅନେକ ଜମି ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣଙ୍କ ପାଖରେ ଏକାଧିକ ପ୍ଲଟ ତ ଅନ୍ୟ ଜଣେ ଖଣ୍ଡେ ବି ପ୍ଲଟ ପାଉନାହାନ୍ତି। ତେଣୁ ଏହା ଉପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ ସେମାନଙ୍କ ନିୟମ ପ୍ରସ୍ତୁତ କଲା ବେଳେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।  କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଠାରୁ ଜଣେ ବ୍ୟକ୍ତି  ଗୋଟିଏ ପ୍ଲଟ ପାଇବା ପରେ ଦ୍ୱିତୀୟ ଥର ଆବେଦନ କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

  • IPL: ଗୁଜରାଟ ବିପକ୍ଷରେ ଜିତିବ କି ଦିଲ୍ଲୀ, କିଏ ବନିବ ହିରୋ ?

    IPL: ଗୁଜରାଟ ବିପକ୍ଷରେ ଜିତିବ କି ଦିଲ୍ଲୀ, କିଏ ବନିବ ହିରୋ ?

    IPLରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ ମ୍ୟାଚ୍ ।

    ପଏଣ୍ଟ ଟେବୁଲର ଶେଷରେ ରହିଛି ଦିଲ୍ଲୀ । ୮ଟି ମ୍ୟାଚରୁ ଦଳ ମାତ୍ର ୨ଟିରେ ବିଜୟୀ ହୋଇଛି । ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଦିଲ୍ଲୀ । ପ୍ଲେ ଅଫ୍ ରାଉଣ୍ଡକୁ ଯିବାକୁ ହେଲେ ଦଳକୁ ସବୁ ମ୍ୟାଚରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ଅଧିନାୟକ ୱାର୍ଣ୍ଣର ଫ୍ଲପ୍ ସୋ’ ଜାରି ରଖିଥିବା ବେଳେ ଅନ୍ୟମାନେ ମଧ୍ୟ ଆଉଟ୍ ଅଫ୍ ଫର୍ମରେ ଅଛନ୍ତି ।

    ସେପଟେ, ଗତବର୍ଷର ଚାମ୍ପିଅନ୍ ଗୁଜରାଟ ଏଥର ମଧ୍ୟ ଦମଦାର ପ୍ରଦର୍ଶନ ଜାରି ରଖିଛି । ୮ଟି ମ୍ୟାଚରୁ ଦଳ ୬ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ବ୍ୟାଟିଂ ଓ ବୋଲିଂ ପ୍ରତି ଡିପାର୍ଟମେଣ୍ଟରେ ଭଲ ପ୍ରଦର୍ଶନ କରୁଛନ୍ତି ଖେଳାଳି । ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଗୁଜରାଟ ଏବେ ପ୍ଲେ ଅଫ୍ ରାଉଣ୍ଡ ନିକଟତର ହୋଇଛି । ଆଜିର ମ୍ୟାଚ୍ ଜିତିବାକୁ ଦଳ ସମସ୍ତ ବଳ ପ୍ରୟୋଗ କରିବ । ତେଣୁ ମୈଦାନରେ ଦୁଇ ଟିମ୍ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ।