ଖଲିପତ୍ର ତୋଳିବା ବେଳେ ମହିଳାଙ୍କ ପେଟରେ ବାଜିଲା ଗୁଳି

ଗୁଳି ବାଜି ମହିଳା ଖଲିପତ୍ର ତୋଳାଳି ଗୁରୁତର। ଜଙ୍ଗଲରେ ଖଲି ତୋଳୁଥିବା ବେଳେ ଗୁଳିମାଡ଼ ହୋଇଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ବେଡ଼ିଗୋବା ଗ୍ରାମରେ । ଗ୍ରାମର ଦୁଇ ଜଣ ମହିଳା ନିକଟରେ ଥିବା ଏକ ଜଙ୍ଗଲକୁ ଖଲି ପତ୍ର ତୋଳିବା ପାଇଁ ଯାଇଥିଲେ। ସେମାନେ ଖଲି ତୋଳିବା ବେଳେ କେହି ଦୃର୍ବୁତ୍ତ ଗୁଳିମାଡ଼ କରିଥିଲା । ଜଣଙ୍କ ଦେହରେ ଗୁଳି ବାଜିବା ପରେ ସେ ଗୁରୁତର ହୋଇପଡିଥିଲେ। ଖବର ପାଇ ପରିବାର ଲୋକେ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ମହିଳାଙ୍କ ପେଟରେ ଗୁଳି ବାଜିଛି । ଡାକ୍ତର ଗୁଳି ବାହାର କରି ମହିଳାଙ୍କ ଚିକିତ୍ସା କରୁଛନ୍ତି। ଗୁଳି ବାଜିଥିବା ମହିଳା ହେଲେ ଭଞ୍ଜନଗର ଥାନା ଦଦରାଲୁଣ୍ଡା ପଞ୍ଚାୟତ ବେଡିଗୋବା ଗ୍ରାମର ୩୪ ବର୍ଷୀୟା ସ୍ବପ୍ନା ସାହୁ। ତେବେ କିଏ ଓ କାହିଁକି ଗୁଳିମାଡ କଲା ତାହା ଜଣା ପଡି ନ ଥିବା ବେଳେ ବନ୍ୟ ଜୀବ ଶିକାରୀ ଏଭଳି କାଣ୍ଡ କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *