Category: ରାଜ୍ୟ ଖବର

  • ଅର୍ଚ୍ଚନା ନାଗ ନିର୍ଦ୍ଦୋଷ, ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣପତ୍ର ନାହିଁ: ଓକିଲ

    ଅର୍ଚ୍ଚନା ନାଗ ନିର୍ଦ୍ଦୋଷ, ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣପତ୍ର ନାହିଁ: ଓକିଲ

    ଅର୍ଚ୍ଚନା ନାଗ ନିର୍ଦ୍ଦୋଷ । ତାଙ୍କ ବିରୋଧରେ ଠୋସ୍ କିଛି ପ୍ରମାଣପତ୍ର ନାହିଁ । ତେଣୁ ED ତାଙ୍କ ବିରୁଦ୍ଧରେ କୌଣସି ଆକ୍ସନ ନେଇପାରିବ ନାହିଁ । ଏଭଳି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ । EDକୁ ସବୁ ପ୍ରକାର ସହଯୋଗ କରାଯାଉଛି କିନ୍ତୁ ଅର୍ଚ୍ଚନାଙ୍କ ବିରୁଦ୍ଧରେ ED କୌଣସି ପ୍ରମାଣପତ୍ର ଯୋଗାଡ଼ କରିପାରିନି ।

    ବହୁ ଚର୍ଚ୍ଚିତ ବ୍ଲାକମେଲିଙ୍ଗ ଘଟଣାରେ ଅର୍ଚ୍ଚନା ମୁଖ୍ୟ ଅଭିଯୁକ୍ତ ବୋଲି ଇଡି ଦାବି କରି ଆସୁଛି । ପୂର୍ବରୁ ୨୨୪୧ ପୃଷ୍ଠାର ଚାର୍ଜସିଟ ପ୍ରସ୍ତୁତ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କ ସମେତ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ଏବଂ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ଚାର୍ଜସିଟ ପ୍ରସ୍ତୁତ କରିସାରିଛି । ଏଥିସହ ପୂର୍ବରୁ କମିଶନରେଟ ପୋଲିସ ନିକଟରେ ହୋଇଥିବା ମାମଲା ଓ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବୟାନ ଆଧାରରେ ପ୍ରସ୍ତୁତ ହୋଇଥିବା ୫୦୧ ପୃଷ୍ଠାର ଚାର୍ଜସିଟକୁ କମିଶନରେଟ ପୋଲିସ ଜେଏମଏଫସି କୋର୍ଟରେ ପୂର୍ବରୁ ଦାଖଲ କରିସାରିଥିଲା । ଉକ୍ତ ଚାର୍ଜସିଟରେ ଅର୍ଚ୍ଚନାଙ୍କ ବିରୁଦ୍ଧରେ ଅନେକ ତଥ୍ୟ ପ୍ରମାଣ ରହିଥିବା ଦାବି କରିଥିଲା ED । ଅଡିଓ ଭିଡିଓ ରେକର୍ଡ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା ।

    ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଆଲିସାନ ବଙ୍ଗଳାରେ ତନାଘନା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଘରଟିର ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ । ଅର୍ଥ ହେରଫେର, ବ୍ଲାକମେଲିଂ ପରି ଅନେକ ଅଭିଯୋଗ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ନାଁରେ ରହିଛି । ଅର୍ଚ୍ଚନାଙ୍କ ସହ ଅନେକ ନେତା, ଅଧିକାରୀଙ୍କ ସମ୍ପର୍କ ରହିଥିବା ନେଇ ଚର୍ଚ୍ଚା ଧରିଛି ।

  • ସେବାଶ୍ରମ ଛାତ୍ରୀଙ୍କ ସହ ଖାଇଲେ ବୌଦ୍ଧ ଜିଲ୍ଲାପାଳ

    ସେବାଶ୍ରମ ଛାତ୍ରୀଙ୍କ ସହ ଖାଇଲେ ବୌଦ୍ଧ ଜିଲ୍ଲାପାଳ

    ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ଏଇ ଯେପରି ସ୍କୁଲ ରୂପାନ୍ତରୀକରଣ, ଛାତ୍ରବୃତ୍ତି ପ୍ରଦାନ, ମଧ୍ୟାହ୍ନ ଭୋଜନ ଭଳି କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ପାଠପଢ଼ା କ୍ଷେତ୍ରରେ ପିଲାଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ପ୍ରଦାନ ପାଇଁ ସରକାର ସର୍ବଦା ଉଦ୍ୟମ କରିଥାନ୍ତି । ବେଳେବେଳେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ ଯାହାର ସମାଧାନ ଦିଗରେ ପଦକ୍ଷେପ ନିଆଯାଏ । ଏବେ ଏମିତି କିଛି ଭିଜୁଆଲ୍ ଆସିଛି ଯାହାକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।

    ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ହରଭଙ୍ଗା ବ୍ଲକ୍ ବଡ଼ବନ୍ଧ ସେବାଶ୍ରମକୁ ଯାଇଥିଲେ । ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ତାଙ୍କ ସହ ଗସ୍ତ କରିଥିଲେ । ଜିଲ୍ଲାପାଳ ଆସୁଛନ୍ତି ତେଣୁ ଖାଇବାର ବନ୍ଦୋବସ୍ତ କରାଯାଇଥିଲା । ସେବାଶ୍ରମରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ଅଧିକାରୀମାନଙ୍କ ପାଇଁ ବିଭିନ୍ନ ଆଇଟମ୍ ଖାଇବା ପରଷିଥିଲେ ସେବାଶ୍ରମ ଷ୍ଟାଫ୍ । ଆଜ୍ଞା, ଜାଣନ୍ତି ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ସହ ଲାଇନରେ ବସିଥିଲେ ଛାତ୍ରୀ । ଖାଇବାର ଏଭଳି ଭିଜୁଆଲ୍ ଏବେ ଭାଇରାଲ୍ ହେଉଛି । ଛାତ୍ରୀମାନଙ୍କ ପ୍ଲେଟରେ ବିଭିନ୍ନ ପ୍ରକାର ଆଇଟମ୍ ଥିଲା । ଏହାକୁ ଖାଇ ସମସ୍ତେ ଖୁସ୍ ।

    ତେବେ, ଏଭଳି ଖାଦ୍ୟ ପରଷାକୁ ନେଇ କୁଆଡ଼େ ପ୍ରଶ୍ନ ଉଠିଛି । ଜିଲ୍ଲାପାଳଙ୍କ ଗସ୍ତ ପାଇଁ ଏଭଳି ଖାଇବା ପ୍ରସ୍ତୁତ କରାଯାଇଥିଲା ନା ପ୍ରତିଦିନ ଏମିତି ଖାଇବା ମିଳେ ।

  • ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ୮ ତାରିଖ ସୁଦ୍ଧା ବାତ୍ୟା ଚିତ୍ର ସ୍ପଷ୍ଟ ହେବ, କହିଲେ IMD DG

    ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଜୋରଦାର ପ୍ରସ୍ତୁତ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆସନ୍ତାକାଲି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାଖାପାଖି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ୭ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଅବପାତ ଏବଂ ସାମୁଦ୍ରିକ ଝଡ଼ ରୂପ ନେଇପାରେ ।

    ସାମୁଦ୍ରିକ ଝଡ଼ ରୂପ ନେବା ପରେ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିବା ସମ୍ଭାବନା ରହିଛି । ଏବେ ଠାରୁ ଏହାର ତୀବ୍ରତା ଓ ଗତିପଥ ଆକଳନ କରାଯାଇପାରିବ ନାହିଁ । ଓଡ଼ିଶା ଉପରେ ପ୍ରଭାବ ରହିବ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ । ସାଧାରଣତଃ ଖରାଦିନ ଅର୍ଥାତ୍ ମେ’ରେ ଟିକେ ଟେନସନ୍ ବଢ଼ିଥାଏ ।

    ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ମଧ୍ୟ ବାତ୍ୟା ହୋଇଥାଏ । ପୂର୍ବରୁ ଏହି ବାତ୍ୟା ଗୁଡ଼ିକର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ତେବେ ସବୁଥର ପ୍ରଭାବ ପଡ଼ିବ ବୋଲି ସେମିତି କିଛି କହିପାରିବା ନାହିଁ । ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଆକଳନ କରିହେବ । ଏବେଠୁ ଆକଳନ କରାଯାଇପାରିବ ନାହିଁ ବୋଲି କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

  • ଓଡ଼ିଶାରେ CJI, ଆସନ୍ତାକାଲି କଟକରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେବେ

    ଓଡ଼ିଶାରେ CJI, ଆସନ୍ତାକାଲି କଟକରେ ଅନୁଷ୍ଠିତ ସମ୍ମିଳନୀରେ ଯୋଗଦେବେ

    ଓଡ଼ିଶାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଆସନ୍ତାକାଲି କଟକ ଜୁଡିସିଆଲ୍ ଏକାଡେମୀରେ ନ୍ୟାସନାଲ୍ କନଫରେନ୍ସ ଅନ୍ ଡିଜିଟାଇଜେନସ ପେପରଲେସ୍ କୋର୍ଟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବେ ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ଏଥିରେ ବହୁ ରାଜ୍ୟର ହାଇକୋର୍ଟ ବିଚାରପତିମାନେ ସାମିଲ ହେବେ । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ପୁରୀ ଗସ୍ତ କରିଛନ୍ତି । ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ ।

    ଜଷ୍ଟିସ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼ ନଭେମ୍ବର ୨୦୨୨ରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ଼ । ୨୦୧୬ରୁ ୨୦୨୨ ଯାଏ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

  • IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    IAS ଅନନ୍ୟା ଓ ଚଞ୍ଚଳଙ୍କ ପରେ ଏବେ ‘ସ୍ୱଧାଦେବ-ସମର୍ଥ’ଙ୍କ ପାଳି

    ନିକଟରେ IAS ଅନନ୍ୟା ଦାସ ଏବଂ ଚଞ୍ଚଳ ରାଣା ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ପୁଣି ଆଉ ଦୁଇ ଜଣ ଜିଲ୍ଲାପାଳ ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଖବର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

    ମେ’ ୨୧ ତାରିଖ । କିଏ ବନିବେ ନୂଆ ଦମ୍ପତି । IAS ମାନଙ୍କ ଭିତରେ ଏଥର କାହା ପାଳି । ଶୁଣାଯାଉଛି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହାତକୁ ଦି’ହାତ ହେବେ । ମାନେ ବିବାହ କରିବାକୁ ଯାଉଛନ୍ତି ସମର୍ଥ ବର୍ମା । ସେ କାହାକୁ ମ୍ୟାରେଜ୍ କରିବେ କନଫ୍ୟୁଜ୍ ହେବାର ନାହିଁ । ଏବେ IASମାନଙ୍କ ବିବାହ ଋତୁ ଚାଲିଥିବା ବେଳେ ଆଉ ଜଣେ ଜିଲ୍ଲାପାଳଙ୍କୁ ବିବାହ କରିବେ ପୁରୀ ଜିଲ୍ଲାପାଳ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂ ବନିବେ ତାଙ୍କ ଧର୍ମପତ୍ନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଅପେକ୍ଷା ୧୫ ତାରିଖକୁ । ଆଜ୍ଞା, ଓଡ଼ିଶାରୁ ଯାଇ ବାରଣାସୀରେ ବିବାହ କରିବେ ଦୁଇ ଜିଲ୍ଲାପାଳ ।

    ଦ୍ୱିତୀୟ ବିବାହ କରିବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପୂର୍ବରୁ ସେ ସୁଚି ସିଂ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ସେମାନଙ୍କ ବିବାହ ବିଚ୍ଛେଦ ପରେ ଦ୍ୱିତୀୟ ବିବାହକୁ ଅପେକ୍ଷା କରିଥିଲେ । ସେପଟେ, ସ୍ୱଧାଦେବ ସିଂଙ୍କ ମଧ୍ୟ ଏହା ହେବ ଦ୍ୱିତୀୟ ବିବାହ । ପୂର୍ବରୁ ସେ IAS ଚଞ୍ଚଳ ରାଣାଙ୍କୁ ମ୍ୟାରେଜ୍ କରିଥିଲେ ।

    ମେ’ ୨୧ ତାରିଖକୁ ଅପେକ୍ଷା କରିଛି ବାରଣାସୀ । ସେଠାରେ ପୁଣି ଏକ ବିବାହ ଉତ୍ସବ ଅନୁଷ୍ଠିତ ହେବ । IASମାନଙ୍କ ବିବାହ ଋତୁରେ ସମର୍ଥ ବର୍ମା ଏବଂ ସ୍ୱଧାଦେବ ସିଂଙ୍କ ନାଁ ଯୋଡ଼ିହେବ । ସ୍ୱଧାଦେବଙ୍କ ହାତ ଧରିବେ ସମର୍ଥ । ସାମିଲ ହେବେ ହାତଗଣତି କେଇଜଣ ଗେଷ୍ଟ । ପରିବାର ତଥା କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ । ସେଇ ମୁହୂର୍ତ୍ତକୁ ସମସ୍ତଙ୍କ ଅପେକ୍ଷା । ଏହି ଖବର ଏବେ ସୋସାଇଲ୍ ସାଇଟରେ ଘୁରି ବୁଲୁଛି । ମାଇଲେଜ୍ ନେବା ପାଇଁ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏଭଳି ଖବରର ପିଛା ଛାଡୁନାହାଁନ୍ତି ।

    ନିକଟରେ IAS ଚଞ୍ଚଳ ରାଣା ଏବଂ IAS ଅନନ୍ୟା ଦାସ ବିବାହ କରିଛନ୍ତି । ଗୌହାଟିରେ ଖାସ୍ କିଛି ଅତିଥିଙ୍କ ଉପସ୍ଥିତିରେ ଦ୍ୱିତୀୟ ବିବାହ କରିଛନ୍ତି ଉଭୟ IAS । ଚଞ୍ଚଳ ରାଣା ବଲାଙ୍ଗିର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବାବେଳେ IAS ସ୍ୱଧାଦେବ ସିଂ ତଥା ରାୟଗଡ଼ା ଜିଲ୍ଲାପାଳ ତାଙ୍କର ପ୍ରଥମ ପତ୍ନୀ ଥିଲେ । ହେଲେ ସେମାନଙ୍କ ବିବାହ ବିଚ୍ଛେଦ ପରେ ପୁଣି ଥରେ ଉଭୟ IAS ନିଜ ନିଜ ରାସ୍ତା ବାଛିଥିଲେ । ସେହିପରି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ପୂର୍ବରୁ ଅବଦୁଲ ଏମ୍.ଅଖତରଙ୍କୁ ବିବାହ କରିଥିଲେ ଯିଏ ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି । ତେବେ ମତଭେଦ କାରଣରୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଥିଲେ । ନିର୍ବନ୍ଧ ଏବଂ ବିବାହ ଉତ୍ସବରେ ସେମାନେ ଡ୍ୟାନ୍ସ କରି ଧୁମ୍ ମଚାଇଥିଲେ ଯାହା ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ଏଣ୍ଟରଟେନ୍ କରିଥିଲା ।

    ନିକଟରେ ମଜାରେ ମଜାରେ ଆମ ପ୍ରିୟ ବିଧାୟକ ସୁରବାବୁ କହିଥିଲେ ଯେ ‘IAS ସହ IAS ଶୋଇଲେ’ ଭଲ କାମ । ଏଥିରେ ଲାଜ କରିବାର ନାହିଁ । ଆମର ନୋ ଟେନସନ୍ । ସେମାନେ ନିଜ ନିଜ ପସନ୍ଦ ବାଛି ନେଲେ । ବହୁତ ବଢ଼ିଆ ପଦକ୍ଷେପ, ଆମେ ସ୍ୱାଗତ କରିବା ।

    ମେ’ ମାସ ଆରମ୍ଭରେ IAS ଚଞ୍ଚଳ ରାଣାଏ ଏବଂ IAS ଅନନ୍ୟା ଦାସଙ୍କ ବିବାହ ସରିବା ପରେ ଏବେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ବିବାହକୁ ସମସ୍ତଙ୍କ ଅପେକ୍ଷା । ଓଡ଼ିଶାରେ IASମାନଙ୍କ ବିବାହ ଋତୁ ଆରମ୍ଭ ହୋଇଛି । ପୁଣି ଥରେ ନୁହେଁ ଡବଲ ଡବଲ ମ୍ୟାରେଜ୍ । କୁହାଯାଏ ସେମାନେ ହିଁ ଲାଇଫ୍ ଏଞ୍ଜୟ କରନ୍ତି । ହେଲେ ପରବର୍ତ୍ତୀ ବିବାହ କାହାର ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି ।

  • ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ

    ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ

    ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଲାମ ଏୟାରପୋର୍ଟରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୁଲେଇକୁଣ୍ଡା ଏୟାର ପୋର୍ଟରେ ଅବତରଣ କରିଥିଲେ । ସେଠାରୁ ସ୍ବତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକପ୍ଟରରେ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ବାଦାମପାହାଡ଼ ଦଲକି ଖେଳପଡ଼ିଆରେ ଅବତରଣ କରିଥିଲେ । ରାଜ୍ଯପାଳ ପ୍ରଫେସର ଗଣେଶୀଲାଲ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

    ପ୍ରଥମେ ଶ୍ୱଶୁର ଘର ଗାଁ ପାହାଡ଼ପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ତାଙ୍କର ସ୍ବାମୀ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଏଲଏଣ୍ଡଟି ଦ୍ବାରା ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଉଦଘାଟନ କରିଥିଲେ । ସେଠାରୁ ଫେରି ସେ ଗାଁର ଗୋଷାଣୀ ଠାରେ ପୂଜାର୍ଚ୍ଚନା କରିଥିଲେ । ଆଦିବାସୀ ନୃତ୍ୟ,ଢୋଲ, ମାଦଳ ନୃତ୍ଯରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପରେ ନାବାର୍ଡ ଦ୍ୱାରା ଏକ ଗୋଷ୍ଠୀକେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଏଥିସହ ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

    ଏସ୍ଏଲ୍ଏସ୍ ମେମୋରିଆଲ ଆବାସିକ ସ୍କୁଲ ଯାଇ ସ୍ବାମୀ ଏବଂ ଦୁଇପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଷ୍ଟ୍ରପତି । ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ନିଜର ସଂପର୍କୀୟ ମାନଙ୍କୁ ନବ ବସ୍ତ୍ର ପ୍ରଦାନ କରିଥିଲେ ମହାମହିମ । ହାଟବାଦଡ଼ା ସନ୍ନିକଟ ସାତପଉଟିଆ ଗାଁର ବ୍ରହ୍ମ କୁମାରୀ କେନ୍ଦ୍ରରେ ପହଞ୍ଚି ଓଡ଼ିଶା ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସେଠାରୁ ସେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ ନେଇଥିଲେ ।

    ଅପରାହ୍ଣ ୪ଟାରେ ପୂର୍ତ୍ତବିଭାଗ ଡାକବଙ୍ଗଳାରୁ ଯାଇ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି,ବଢ଼ବନ୍ଧରେ ୧୦୦ ଫୁଟ ଉଚ୍ଚର ଜାତୀୟ ପତାକା ଉନ୍ମୋଚନ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଷ୍ଟାଡିୟମ ପଡ଼ିଆରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ।


    ଏହି ଅବସରରେ ୪୮ଟି ସାମାଜିକ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଇରଙ୍ଗପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

    ରାଇରଙ୍ଗପୁରରୁ ରାମେଶ୍ୱର କୁମାର ଅଗ୍ରୱାଲ, ସୂଚନାଟିଭି24×7

  • ଶାବକ କଇଁଛଙ୍କ ଘର ବାହୁଡ଼ା, ଚଳିତଥର ରେକର୍ଡ କରିପାରେ ଗହୀରମଥା

    ଶାବକ କଇଁଛଙ୍କ ଘର ବାହୁଡ଼ା, ଚଳିତଥର ରେକର୍ଡ କରିପାରେ ଗହୀରମଥା

    ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଏବେ ଶାବକ କଇଁଛଙ୍କ ଘର ବାହୁଡା଼ । ସମୁଦ୍ର କୂଳରୁ ସମୁଦ୍ର ଭିତରକୁ ଯାଉଛନ୍ତି କୋଟି କୋଟି ଶାବକ । ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

    ଗହୀରମଥାରେ ବିରଳ ଦୃଶ୍ୟ । ମାତ୍ର କିଛି ଦିନ ମଧ୍ୟରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଅଣ୍ଡାରୁ ଛୁଆ ଫୁଟିଛି । କୋଟି କୋଟି ଛୁଆ ସମୁଦ୍ର କୂଳରେ ପଡ଼ି ରହିଛନ୍ତି । ସେମାନେ କେଉଁଠିକି ଯିବେ, ସେମାନଙ୍କ ଘର କେଉଁଠି । ଏଭଳି ଦୃଶ୍ୟ ନିହାତି ବେଶ୍ ଆକର୍ଷଣୀୟ । ଧୀରେ ଧୀରେ ସେମାନେ ଜଳଭାଗ ଭିତରକୁ ପ୍ରବେଶ କରୁଛନ୍ତି । ସମୁଦ୍ର ବକ୍ଷ ହିଁ ସେମାନଙ୍କ ଘର । ସେଥିପାଇଁ ସମୁଦ୍ର ଢେଉରେ ସେମାନେ ଖେଳିବା ଆରମ୍ଭ କଲେଣି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ଜଳମଧ୍ୟକୁ ପ୍ରବେଶ କରିଥାନ୍ତି । ସ୍ଥଳଭାଗ ସେମାନଙ୍କ ପାଇଁ ସୁହାଏ ନାହିଁ । ତେଣୁ କାଳବିଳମ୍ବ ନକରି କଇଁଛ ଶାବକ ଜଳ ମଧ୍ୟରେ ପ୍ରବେଶ କରୁଛନ୍ତି । ଏଭଳି ମନୋରମ ଦୃଶ୍ୟର ବେଶ୍ ମଜା ନେଉଛନ୍ତି ସ୍ଥାନୀୟ ଲୋକେ ।

    ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ବିରଳ ଅଲିଭ ରିଡଲେ କଇଁଛମାନଙ୍କ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ମାତ୍ର ୩ ଦିନରେ ୨ କୋଟି ୩ ଲକ୍ଷ ୯୪ ହଜାର କଇଁଛ ଶାବକ ସମୁଦ୍ର ମଧ୍ୟକୁ ଯାଇସାରିଛନ୍ତି । ଗହୀରମଥା ନାସି-୨ରେ କଇଁଛ ଅଣ୍ଡାରୁ ଶାବକ ବାହାରି ସମୁଦ୍ର ଭିତରକୁ ଯାଉଛନ୍ତି । ଏହି ସମୟରେ ଶାବକମାନଙ୍କ ସୁରକ୍ଷା ପ୍ରତି କଡ଼ା ନଜର ରଖାଯାଇଛି । କୁକୁର,ବିଲୁଆ,କାଉ ଓ ଛଞ୍ଚାଣମାନେ ଖାଇଯିବାର ଭୟ ରହିଛି । ସେଥିପାଇଁ ବନ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ବନ କର୍ମଚାରୀମାନେ କଇଁଛ ଶାବକମାନଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଚଳିତବର୍ଷ ପାଗ ଅନୁକୂଳ ରହିଛି । ତେଣୁ ରେକର୍ଡ ସଂଖ୍ୟକ କଇଁଛ ଶାବକ ସମୁଦ୍ରକୁ ଯିବା ନେଇ ବନ ବିଭାଗ ଆଶା ରଖିଛି । …

  • ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ଜନ୍ମମାଟିରେ ପାଦ ରଖିଲେ ମହାମହିମ

    ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ଜନ୍ମମାଟିରେ ପାଦ ରଖିଲେ ମହାମହିମ

    ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୩ ଦିନିଆ ଗସ୍ତରେ ଆସିଛନ୍ତି ମହାମହିମ । ନିଜ ଜନ୍ମମାଟିରେ ପାଦ ରଖିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ରାଇରଙ୍ଗପୁରରେ ପହଞ୍ଚଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୦ଟା ୧୬ ମିନିଟରେ ରାଇରଙ୍ଗପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ ।

    ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ମୟୂରଭଞ୍ଜ ଗସ୍ତ ହୋଇଥିବାରୁ ସେଠାରେ ଲୋକଙ୍କ ଭିତରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଲୋକଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାଗତ କରିଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ଏହାପରେ ଚାଲିଚାଲି ସ୍ଥାନୀୟ ଲୋକଙ୍କୁ ନମସ୍କାର କରିବା ସହ ହାତ ହଲାଇ ସମସ୍ତଙ୍କର ଅଭିବାଦନ ଗ୍ରହଣ କରିଥିଲେ ମହାମହିମ ।

    ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଡାକବଙ୍ଗଳାରେ ଅବସ୍ଥାନ କରିବେ । ୫ ତାରିଖ ଅର୍ଥାତ୍ ଆସନ୍ତାକାଲି ଶିମିଳିପାଳ ଅଭୟାରଣ୍ୟ ଯାଇ ସେଠାରେ ଭ୍ରମଣ କରିବେ। ପୁଣି ହେଲିକପ୍ଟର ଯୋଗେ ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

    ସେଠାରେ ସର୍କିଟ୍ ହାଉସରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଏଥିସହ ଅତିଥି ଭବନରେ ବିଶ୍ରାମ ନେବେ । ୬ ତାରିଖ ସକାଳେ ବାରିପଦା ତକତପୁରସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । କାର୍ଯ୍ୟକ୍ରମ ପରେ ହେଲିକପ୍ଟରରେ କଲେଇକୁଣ୍ଡା ଯିବେ ଏବଂ ସେଠାରୁ ଦିଲ୍ଲୀ ଫେରିଯିବେ । ..

    ଗତବର୍ଷ ରାଷ୍ଟ୍ରପତି ଭାବେ ନିର୍ବାଚତ ପରେ ମହାମହିମଙ୍କ ଏହା ତୃତୀୟ ଓଡ଼ିଶା ଗସ୍ତ । ଆଜି ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିରେ ପାଦ ରଖିଛନ୍ତି । ଏଥିପାଇଁ ଗାଁ ପୁରାପୁରା ସଜେଇ ହୋଇଛି । ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ କରିଛନ୍ତି ଲୋକେ ।

  • ଟଙ୍କା ହଡ଼ପ ପରେ ଚିନ୍ତାରେ ଜମାକାରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

    ଟଙ୍କା ହଡ଼ପ ପରେ ଚିନ୍ତାରେ ଜମାକାରୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

    ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । ସମବାୟ ସମିତି ଅଫିସ ରାତାରାତି ଉଭାନ ହୋଇଯିବା ଘଟଣା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରତିବାଦରେ ଜମାକାରୀମାନେ ଏବେ ଧାରଣାରେ ବସିଛନ୍ତି ।

    ଚିନ୍ତାରେ ଜମାକାରୀ । ସେମାନଙ୍କ ଟଙ୍କା ଫେରସ୍ତ ପାଇବେ କିପରି । ଏ ଦିଗରେ କେହି ବି ସାହାଯ୍ୟ କରୁନାହାଁନ୍ତି । କଟକ ଜିଲ୍ଲା ସାଲେପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମବାୟ ସମିତି ଅଫିସ କର୍ମଚାରୀ ଓ ଜମାକାରୀମାନେ ସାଲେପୁର ତହସିଲ ଅଫିସ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ଟଙ୍କା ଫେରସ୍ତ ପାଇବା ପାଇଁ ସେମାନେ ଏହି ପନ୍ଥାକୁ ଆପଣେଇଛନ୍ତି ।

    ସୂଚନା ଅନୁସାରେ ସାଲେପୁର କ୍ରେଡିଟ କୋଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ଏବଂ ପ୍ରଶାସନିକ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଛନ୍ତି । ଜମାକାରୀଙ୍କ ଠାରୁ ଟଙ୍କା ନେଇ ବର୍ଷେ ପୂର୍ବରୁ ସେମାନେ ଫେରାର ଅଛନ୍ତି । ଏ ନେଇ ଥାନା, ସମବାୟ ବିଭାଗ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଜମାକାରୀ । ତେବେ କୌଣସି ଅଧିକାରୀ ସେମାନଙ୍କ ସହାୟତା କରିନାହାଁନ୍ତି । ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି ।

    ସବୁଥିରେ ଫେଲ୍ ମାରିବା ପରେ ଜମାକାରୀମାନେ ଏକାଠି ହୋଇଥିଲେ । ଟଙ୍କା ପାଇବା ପାଇଁ ସେମାନେ ଧାରଣାରେ ବସିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ସେପଟେ, ଘଟଣାସ୍ଥଳରେ କୌଣସି ଅଧିକାରୀ ପହଞ୍ଚିନାହାଁନ୍ତି । ଅନ୍ୟପକ୍ଷେ ତହସିଲଦାରଙ୍କ କୌଣସି ପ୍ରତିକ୍ରିୟା ବି ମିଳିପାରିନାହିଁ । ଏଭଳି ଘଟଣା ଏବେ ସାଲେପୁର ଅଞ୍ଚଳରେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଦୀର୍ଘଦିନ ହେଲା ଟଙ୍କା ନମିଳିବା ଅଫିସ ଉଭାନ ହେବା ଲୋକଙ୍କୁ ଆହୁରି ଟେନସନ୍ । ତେଣୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

  • ପାନୀୟ ଜଳ ପାଇଁ ଲୋକେ ଡହଳବିକଳ, ଅପରିଷ୍କାର ଚୁଆପାଣି ଲୋକଙ୍କ ଭରସା

    ପାନୀୟ ଜଳ ପାଇଁ ଲୋକେ ଡହଳବିକଳ, ଅପରିଷ୍କାର ଚୁଆପାଣି ଲୋକଙ୍କ ଭରସା

    ଗ୍ରୀଷ୍ମପ୍ରବାହ ଯୋଗୁଁ ଜଳକଷ୍ଟ ମଧ୍ୟ ବଢୁଛି । ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି । କେନ୍ଦୁଝର ତେଲକୋଇ ବ୍ଲକରେ ଦିନବେଳା ତାପମାତ୍ରା ୪୨ ଡିଗ୍ରୀ ରହୁଥିବା ବେଳେ ଟାଇଁଟାଇଁ ଖରା ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ସେପଟେ, ଅତ୍ୟଧିକ ଖରା ଯୋଗୁଁ କୂଅ ଜଳସ୍ତର ହ୍ରାସ ଘଟିଲାଣି । କିଛି ସ୍ଥାନରେ କୂଅ,ପୋଖରୀ ଜଳ ଶୁଖିଲାଣି ।

    କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗାଁ କାଇଁଶିନାଳି ସାହିରେ ଜଳ ସଙ୍କଟ । କୂଅ, ପୋଖରୀ କଥା ତ ଛାଡ଼ନ୍ତୁ ନଳକୂପ ମଧ୍ୟ ଶୁଖିଯାଇଛି । ସାହିରେ ଥିବା ଏକମାତ୍ର ନଳକୂପରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହଁ । ପାନୀୟ ଜଳ ପାଇଁ ଏକମାତ୍ର ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ । ବିଲରେ ଚୁଆ ଖୋଳି ଅପରିଷ୍କାର ପାଣି ବ୍ୟବହାର କରିବାକୁ ସେମାନେ ବାଧ୍ୟ ହେଉଛନ୍ତି । ସରକାରୀ ଯୋଜନା ଏଠାର ଲୋକଙ୍କ ପାଇଁ ସାତସପନ ପାଲଟିଛି ।

    ସାହିରେ ୩୦ରୁ ଅଧିକ ଆଦିବାସୀ ପରିବାର ବାସ କରନ୍ତି । ଚୁଆପାଣି ସାହି ଲୋକଙ୍କ ଶୋଷ ମେଣ୍ଟାଉଥିବା ବେଳେ ଗାଈଗୋରୁଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି । ସମାଧାନ ପାଇଁ ଅନେକ ଥର ଗୁହାରି ହୋଇଛନ୍ତି ତଥାପି କୌଣସି ପଦକ୍ଷେପ ନିଆଯାଇନଥିବା କହିଛନ୍ତି ଗାଁ ଲୋକେ । ଖୁବଶୀଘ୍ର ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯିବ ଏବଂ ନଳକୂପର ବ୍ୟବସ୍ଥା କରାଯିବ ବୋଲି ତେଲକୋଇ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।

    ରାଜ୍ୟରେ ଏବେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ବେଳେ ବୁଧବାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି । ସେପଟେ, କେନ୍ଦୁଝରରେ ଲୋକେ ଜଳକଷ୍ଟ ଭୋଗୁଛନ୍ତି । ତେଲକୋଇ କାଇଁଶିନାଳି ସାହିରେ ତାତି ଅସହ୍ୟ ହୋଇଥିବା ବେଳେ ଘରୁ ବାହାରିବା ବି ମୁସ୍କିଲ ହୋଇଛି । ପିଇବା ପାଣି ଲୋକଙ୍କୁ ମିଳୁନି ଯାହା ସରକାରୀ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନିକ ଅଧିକାରୀଙ୍କ ଅବେହଳା ନେଇ ଏବେ ପ୍ରଶ୍ନ ଉଠିଛି । ତେବେ ଖୁବଶୀଘ୍ର ଏହାର ସମାଧାନ କଲେ ଲୋକେ ଉପକୃତ ହୋଇପାରିବେ ।