ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଭବ୍ୟ ସ୍ୱାଗତ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ମହାମହିମ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାଲାମ ଏୟାରପୋର୍ଟରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗର କୁଲେଇକୁଣ୍ଡା ଏୟାର ପୋର୍ଟରେ ଅବତରଣ କରିଥିଲେ । ସେଠାରୁ ସ୍ବତନ୍ତ୍ର ଆଇଏଏଫ ଏମଆଇ-୧୭ ହେଲିକପ୍ଟରରେ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ବାଦାମପାହାଡ଼ ଦଲକି ଖେଳପଡ଼ିଆରେ ଅବତରଣ କରିଥିଲେ । ରାଜ୍ଯପାଳ ପ୍ରଫେସର ଗଣେଶୀଲାଲ ଏବଂ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଥମେ ଶ୍ୱଶୁର ଘର ଗାଁ ପାହାଡ଼ପୁରରେ ପହଞ୍ଚିଥିଲେ ରାଷ୍ଟ୍ରପତି । ସେଠାରେ ତାଙ୍କର ସ୍ବାମୀ ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ଏଲଏଣ୍ଡଟି ଦ୍ବାରା ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର ଉଦଘାଟନ କରିଥିଲେ । ସେଠାରୁ ଫେରି ସେ ଗାଁର ଗୋଷାଣୀ ଠାରେ ପୂଜାର୍ଚ୍ଚନା କରିଥିଲେ । ଆଦିବାସୀ ନୃତ୍ୟ,ଢୋଲ, ମାଦଳ ନୃତ୍ଯରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପରେ ନାବାର୍ଡ ଦ୍ୱାରା ଏକ ଗୋଷ୍ଠୀକେନ୍ଦ୍ରର ଶିଳାନ୍ୟାସ କରିଥିଲେ । ଏଥିସହ ଦୁଇ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏସ୍ଏଲ୍ଏସ୍ ମେମୋରିଆଲ ଆବାସିକ ସ୍କୁଲ ଯାଇ ସ୍ବାମୀ ଏବଂ ଦୁଇପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ରାଷ୍ଟ୍ରପତି । ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ନିଜର ସଂପର୍କୀୟ ମାନଙ୍କୁ ନବ ବସ୍ତ୍ର ପ୍ରଦାନ କରିଥିଲେ ମହାମହିମ । ହାଟବାଦଡ଼ା ସନ୍ନିକଟ ସାତପଉଟିଆ ଗାଁର ବ୍ରହ୍ମ କୁମାରୀ କେନ୍ଦ୍ରରେ ପହଞ୍ଚି ଓଡ଼ିଶା ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ସେଠାରୁ ସେ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ଯାଇ ମଧ୍ୟାହ୍ନ ଭୋଜନ କରିବା ପରେ ବିଶ୍ରାମ ନେଇଥିଲେ ।

ଅପରାହ୍ଣ ୪ଟାରେ ପୂର୍ତ୍ତବିଭାଗ ଡାକବଙ୍ଗଳାରୁ ଯାଇ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି,ବଢ଼ବନ୍ଧରେ ୧୦୦ ଫୁଟ ଉଚ୍ଚର ଜାତୀୟ ପତାକା ଉନ୍ମୋଚନ କରିଥିଲେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଷ୍ଟାଡିୟମ ପଡ଼ିଆରେ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ।


ଏହି ଅବସରରେ ୪୮ଟି ସାମାଜିକ ଓ ସାଂସ୍କୃତିକ ସଂଗଠନର କର୍ମକର୍ତ୍ତାମାନେ ତାଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଇରଙ୍ଗପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଇରଙ୍ଗପୁରରୁ ରାମେଶ୍ୱର କୁମାର ଅଗ୍ରୱାଲ, ସୂଚନାଟିଭି24×7

Leave a Reply

Your email address will not be published. Required fields are marked *