ରାଜ୍ୟରେ ଥମୁନି ମହଙ୍ଗା ମାଡ଼। ଦରଦାମ ବୃଦ୍ଧିରେ ଅତିଷ୍ଠ ସାଧାରଣ ଜନତା। ପିଆଜଠାରୁ ଆରମ୍ଭ କରି ଅଦା, ରସୁଣ, ଖାଇବା ତେଲ ଓ ପନିପରିବା ପର୍ଯ୍ୟନ୍ତ ଦରଦାମ ବୃଦ୍ଧି ଲୋକଙ୍କ ଚିନ୍ତା ବଢ଼ାଇଛି। ମାସ ପରେ ମାସ ରାଜ୍ୟରେ ବଢ଼ିଚାଲିଛି ଖୁଚୁରା ମୁଦ୍ରାସ୍ଫୀତି। ଏବେ ଦେଶର ଅଧିକ ମୁଦ୍ରାସ୍ଫୀତି ଥିବା ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା। ଯାହା ସାଧାରଣ ଲୋକଙ୍କ ପାରିବାରିକ ବଜେଟ୍ ଉପରେ ଅତିରିକ୍ତ ବୋଝ ସୃଷ୍ଟି କରୁଛି।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଗୁରୁବାର ପ୍ରକାଶିତ ଅକ୍ଟୋବର ୨୦୨୬ର ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧୭ ପ୍ରତିଶତରେ ପହଞ୍ଚିଛି। ଯେତେବେଳେ ଜାତୀୟ ସ୍ତରରେ ଏହି ହାର ୬.୦୯ ପ୍ରତିଶତ ରହିଛି। ଅର୍ଥାତ୍ ଜାତୀୟ ହାରାହାରି ତୁଳନାରେ ଓଡ଼ିଶାର ମୁଦ୍ରାସ୍ଫୀତି ୧.୦୮ ପ୍ରତିଶତ ପଏଣ୍ଟ ଅଧିକ ରହିଛି।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ସେପ୍ଟେମ୍ବର ମାସରେ ରାଜ୍ୟର ମୁଦ୍ରାସ୍ଫୀତି ହାର ୬.୭୦ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ଏହା ୭.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ମାତ୍ର ଗୋଟିଏ ମାସ ମଧ୍ୟରେ ୦.୪୭ ପ୍ରତିଶତ ପଏଣ୍ଟ ବୃଦ୍ଧି ପାଇଛି ମୁଦ୍ରାସ୍ଫୀତି ହାର।
ଅନ୍ୟପଟେ ଅକ୍ଟୋବର ମାସରେ ତାମିଲନାଡୁରେ ମୁଦ୍ରାସ୍ଫୀତି ୭.୨୯ ପ୍ରତିଶତ, ତେଲେଙ୍ଗାନାରେ ୭.୨୬ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୭.୨୫ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୭.୧୯ ପ୍ରତିଶତ ରହିଛି। ଏହି ଚାରି ରାଜ୍ୟ ପରେ ପଞ୍ଚମ ସ୍ଥାନରେ ରହିଛି ଓଡ଼ିଶା।
ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୮.୯୪ ପ୍ରତିଶତକୁ ବୃଦ୍ଧି ପାଇଛି। ବିଶେଷକରି ପିଆଜ, ରସୁଣ ଓ ଅଦା ଭଳି ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଦରଦାମ ବୃଦ୍ଧି ଯୋଗୁଁ ମଧ୍ୟବିତ୍ତ ଓ ନିମ୍ନ ଆୟବର୍ଗର ପରିବାର ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଦୈନନ୍ଦିନ ଖର୍ଚ୍ଚ ବଢ଼ୁଥିବା ବେଳେ ଆୟ ସେହି ଅନୁପାତରେ ବଢ଼ୁନଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଦରଦାମ ନିୟନ୍ତ୍ରଣ ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି।