Category: ରାଜ୍ୟ ଖବର

  • ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନାଇଜରର ନିର୍ଦ୍ଦେଶକ ସମ୍ମାନିତ

    ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବିଜୁ ପଟ୍ଟନାୟକ ପୁରସ୍କାର ୨୦୨୦ ପୁରସ୍କାର ଘୋଷଣା କରାଯାଇଛିା ଜଟଣୀସ୍ଥିତ ନାଇଜରର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ବିଜ୍ଞାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ।

    ସୁଧାକରଙ୍କ ବ୍ୟତୀତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗର ଏଚଓଡି  ପ୍ରଫେସର ଲୁନା ସାମନ୍ତ, ରାଉରକେଲାସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ “ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯିବ। ଦ୍ୱିତୀୟ ଶ୍ରେଣୀରେ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଟରାଲ ଫେଲୋ ଡ.ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ.ନିବେଦିତା ଦାଶ, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ମଧ୍ୟ ମନୋନିତ ହୋଇଛନ୍ତି।

    ସେହିପରି ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପ୍ରଦାନ କରାଯିବ। ଯୁବବୈଜ୍ଞାନିକ ପୁରସ୍କାର ଓ “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ର ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ ହେବେ। ଏକ ରାଜ୍ୟସ୍ତରୀୟ ସମାରୋହରେ ସମସ୍ତଙ୍କୁ ପୁରସ୍କୃତ କରାଯିବ |

  • ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ, ଧରିଲା ଅବକାରୀ ଗୁଇନ୍ଦା ବିଭାଗ

    ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିଲେ, ଧରିଲା ଅବକାରୀ ଗୁଇନ୍ଦା ବିଭାଗ

    ନିଜକୁ ବିଧାୟକ ପରିଚୟ ଦେଇ ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିଲେ । ହେଲେ ଖବର ପାଇ ମାଡ଼ି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ।

    ଏକ ଦାମୀ ହୋଣ୍ଡା ସିଟି କାରରେ ଗଞ୍ଜେଇ ଚାଲାଣ ହେଉଛି । ଅବକାରୀ ବିଭାଗକୁ ସୂଚନା ମିଳିବା ପରେ ଧରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଥିଲେ ଅଧିକାରୀ । CH 01 AX 6990 ହୋଣ୍ଡା ସିଟି କାର୍ ଜବତ କରାଯାଇଥିଲା । ହେଲେ କାରରେ ବସିଥିବା ତାବ୍ରେଜ୍ ନିଜକୁ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇଥିଲେ । ଅନ୍ୟମାନଙ୍କୁ ଭୟଭୀତ କରିବା ପାଇଁ ଚେଷ୍ଟା କରିଥିଲା ।

    ଅଧିକାରୀମାନେ କାର୍ ଜବତ କରି ଯାଞ୍ଚ କରିଥିଲେ । ଆଉ ସିକ୍ରେଟ ଚାମ୍ବର ଭିତରୁ ଯାହା ମିଳିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସିକ୍ରେଟ ଚାମ୍ବରରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ଗାଡ଼ିରେ ଥିବା ଦୁଇ ଜଣ ଅମଜାଦ ଓ ତାବ୍ରେଜକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ ଆନ୍ଧ୍ରରୁ ଉତ୍ତରପ୍ରଦେଶ ଗଞ୍ଜେଇ ନେଇ ଯାଉଥିବା ବେଳେ ଧରାପଡ଼ିଥିଲେ । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡିଏସପି କହିଛନ୍ତି । ସେପଟେ, ପ୍ରଥମ ଥର ପାଇଁ ଏଭଳି ଚାଲାଣ କରୁଥିବା କହିଛନ୍ତି ଚାଲାଣକାରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟତଃ ଗଞ୍ଜେଇ ଜବତ ହେଉଛି । ଏପରିକି କିଛି ଜିଲ୍ଲାରେ ଗଞ୍ଜେଇ ଚାଷ ପ୍ରବଳ ମାତ୍ରାରେ କରାଯାଉଛି । ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଗଛ ନଷ୍ଟ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ ଗଞ୍ଜେଇ ମଧ୍ୟ ଜବତ ହେଉଛି ।

  • ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ

    ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ

    କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଚୋରା ଅଷ୍ଟ୍ରେଲିଆନ୍ କୋଇଲା କାରବାର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଖବର ପାଇ ଆଳି ନିଆଳର କାଳୀମନ୍ଦିର ନିକଟରେ ଚାଲିଥିବା ଚୋରା କୋଇଲା ଡିପୋ ଉପରେ ଚଢ଼ାଉ କରିଥିଲା ପୋଲିସ ।

    ଦୁଇଟି କୋଇଲା ବୋଝେଇ ଟ୍ରକ୍, ଗୋଟିଏ ବୋଲେରୋ, କାର୍, ଦୁଇଟି ବାଇକ୍, ୭ଟି ମୋବାଇଲ ଓ ଏକ ଭୁଜାଲି ଜବତ କରାଯାଇଛି । ଚୋରା କୋଇଲା କାରବାରରେ ସମ୍ପୃକ୍ତି ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

    ଘଟଣା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଆଡିସିନାଲ ଏସପି । ଏମିତି କି କୋଇଲା ଡିପୋ ଉପରେ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ପୋଲିସ ଉପରେ ଗାଡ଼ି ଚଢ଼ାଇ ମାରିଦେବା ପାଇଁ ଉଦ୍ୟମ କରିଥିବା ଆଡିସନାଲ ଏସ୍ପି କହିଛନ୍ତି । ଦୀର୍ଘଦିନ ହେବ ଆଳି ଓ ରାଜକନିକା ଥାନା ଅଞ୍ଚଳରେ ଚୋରା କୋଇଲା କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା । ଏବେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

  • ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

    ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

    କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଫିରିଙ୍ଗିଆ ବ୍ଲକ୍ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୂର୍ବତନ ସରପଞ୍ଚଙ୍କୁ ହତ୍ୟାକରି ମାଓବାଦୀମାନେ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ସୁମେରବନ୍ଧ ପଞ୍ଚାୟତ ଗଠନ ପରଠାରୁ ପ୍ରଥମ ସରପଞ୍ଚ ଭାବେ ଦାୟିତ୍ୱ ନେଇଥିଲେ । ପଞ୍ଚାୟତର ଉନ୍ନତି ପାଇଁ ସେ ବହୁ ଉଦ୍ୟମ କରିଥିଲେ ଯେଉଁଥିପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ସୁବଳ ।

    ପୂର୍ବରୁ ଅନେକ ଥର ମାଓବାଦୀମାନେ ତାଙ୍କୁ ଧମକ ଦେଇ ଆସୁଥିଲେ । ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ନିଜ ପରିବାର ସହ ସାଉଲିପଡ଼ାସ୍ଥିତ ନିଜ ଘରେ ଶୋଇଥିଲେ ସୁବଳ । ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକିନେଇ ଘର ଅଗଣାରେ ହିଁ ଗୁଳି କରିଥିଲେ । ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ୍ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋମିଟର ।

    କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ମାଓବାଦୀମାନେ କିଭଳି ଏହି ଘଟଣା ଘଟାଇଲେ ସେ ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଯାଏ କୌଣସି ପୋଲିସ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଗାଁରେ ପହଞ୍ଚିନଥିବା ସୂଚନା ମିଳିଛି । ମାଓବାଦୀଙ୍କ ଏଭଳି ବର୍ବରତା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି । ସାଉଲପଡ଼ା ଗାଁ ଏବେ ଭୟରେ ଜନଶୂନ୍ୟ ହୋଇଛି ।

    ଗତ କିଛି ଦିନ ହେଲା ମାଓବାଦୀମାନେ ହିଂସା ଠାରୁ ଦୂରେଇ ଥିଲେ । କିଛି ଜଣାଶୁଣା ତଥା ଟପ୍ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ହିଂସା ଛାଡ଼ିଥିଲେ । କୁହାଯାଉଥିଲା କି ମାଓଗଡ଼ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । କିନ୍ତୁ ଏବେ ପୁଣି ଥରେ ସେମାନେ ସକ୍ରିୟ ହେଲେଣି । ଏଭଳି ହତ୍ୟାକାଣ୍ଡ ଘଟାଇ ପୁଣିଥରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

  • ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

    ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

    କେନ୍ଦୁଝର ବଡ଼ବିଲ ଗୁଳିକାଣ୍ଡ ଘଟଣାରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ଚାପରେ ଆସି ତଦନ୍ତର ଦିଗ ବଦଳାଉଛି ପୋଲିସ । ଏଭଳି ଅଭିଯୋଗ କରିଛି ରାଜ୍ୟ ବିଜେପି ।

    ମେ’ ୧ ତାରିଖ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ତଥା ବଡ଼ବିଲ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ବଡ଼ବିଲ ଥାନାଧିକାରୀ ଏଭଳି କହିବା ପରେ ବଡ଼ବିଲ ପୋଲିସକୁ ଘେରିଛି ବିଜେପି । ଏସପିଙ୍କୁ ଭେଟି ବିଜେପି ନେତା ମୁରଲି ମନୋହର ଶର୍ମା ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜନୈତିକ ଚାପରେ ତଦନ୍ତ ବାଟବଣା ନ ହେବାକୁ ସେ ଅନୁରୋଧ କରିଛନ୍ତି । ଭୋଲା ସିହ୍ନା ହତ୍ୟାକାଣ୍ଡର ତଦନ୍ତ ଠିକ୍ ରାସ୍ତାରେ ଯାଉନଥିବା କହିଛି ବିଜେପି । ଅନ୍ୟପଟେ, ସୁପାରୀ କିଲରକୁ ଦେବା ପାଇଁ ୫ ଲକ୍ଷ ଟଙ୍କା ଆସିଲା କେଉଁଠୁ ସେ ନେଇ ପ୍ରଶ୍ନ କରିଛି ବିଜେପି ।

    ବଡ଼ବିଲ ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ଠାରୁ ପାଉଥିବା ନିୟମିତ ଆର୍ଥିକ ସହାୟତା ବନ୍ଦ ହୋଇଯିବାରୁ ହତ୍ୟାକାଣ୍ଡ ଘଟିଥିବା ବିଶ୍ବାସ ହେଉ ନାହିଁ । ଏଭଳି ସ୍ଥିତିରେ ଅଭିଯୁକ୍ତ ସୁଖବିନ୍ଦର କୌର, ମୃତ ଭୋଲା ସିହ୍ନା ଓ ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କ ମଧ୍ୟରେ ଥିବା ସଂପର୍କର ଅଧିକ ଅନୁସନ୍ଧାନ ଆବଶ୍ୟକ । ସେଥିପାଇଁ ଏ ତିନି ଜଣଙ୍କ ମୋବାଇଲ ତୁରନ୍ତ ଜବତ କରି କଲ୍ ରେକର୍ଡ ଓ ସେଥିରେ ଥିବା ସନ୍ଦେହଜନକ ଭିଡିଓ, ଅଡିଓକୁ ଅନୁସନ୍ଧାନ ପରିସରଭୁକ୍ତ କରାଯିବା ଜରୁରୀ । ସେପଟେ,ତଦନ୍ତ ଜାରି ଥିବା ଏସପି କହିଛନ୍ତି । ବିଜେପି ଯେଉଁ ନେତାମାନଙ୍କ ନାମ ଦେଇଛନ୍ତି ତା ଉପରେ ମଧ୍ୟ ତଦନ୍ତ ଚାଲିଛି ।

  • ଆୟକର ଠକୁଥିଲେ କି ସନାତନ ? ଘରେ ପଶିଲା ଟିମ୍

    ଆୟକର ଠକୁଥିଲେ କି ସନାତନ ? ଘରେ ପଶିଲା ଟିମ୍

    ଅଡୁଆରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ । ତାଙ୍କ ଘରେ ଚଢ଼ାଉ କରିଛି ଆୟକର ବିଭାଗ । ସନାତନଙ୍କ ଭୁବନେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଥିବା ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଆୟକର ଟିମ୍ । ସନାତନଙ୍କ କେନ୍ଦୁଝରରସ୍ଥିତ ବଡ଼ବିଲରେ ଥିବା ଭଡ଼ା ଘର,ନନ୍ଦିରାରେ ଥିବା ପୈତୃକ ଘର ଏବଂ ଉଚ୍ଚବାଲିରେ ଥିବା କ୍ୟାମ୍ପ ଅଫିସରେ ଆୟକର ଟିମ୍‌ ଚଢ଼ାଉ ରେଡ୍ କରିଛି । ଆୟକର ବିଭାଗର ୩ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି ।

    ପ୍ରଭାବଶାଳୀ ବିଧାୟକଙ୍କ ମଧ୍ୟରୁ ସନାତନ ମହାକୁଡ଼ ଅନ୍ୟତମ । ସେ କୋଟିକୋଟି ଟଙ୍କା ଆୟକର ଫାଙ୍କିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ପୂର୍ବରୁ ତାଙ୍କ ଘରେ ଚଢ଼ାଉ କରିଥିଲା ଆୟକର ବିଭାଗ । ଆଜି ଭୋରରୁ ଭୁବନେଶ୍ୱର ଓ କେନ୍ଦୁଝରରେ ଥିବା ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସନାତନ ସମାଜସେବା କ୍ଷେତ୍ରରେ ଅନେକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଥିଲା । ହେଲେ ଏତେ ଟଙ୍କା କେଉଁଠୁ ଆଣୁଥିଲେ, ସେ ଆୟକର ଦେଉଥିଲେ ନା ନାହିଁ ସେ ନେଇ ଯାଞ୍ଚ କରାଯାଉଛି । ଏହି ଚଢ଼ାଉ ବେଳେ ସନାତନଙ୍କ ଘରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଟିମ୍ ।

    ପୂର୍ବରୁ ଅନେକ ଥର ବିଭିନ୍ନ ବିବାଦରେ ଛନ୍ଦି ହୋଇଥିଲେ ସନାତନ । ତାଙ୍କ ନାଁରେ ଥାନାରେ ଅନେକ ମାମଲା ମଧ୍ୟ ରହିଛି । କିଛି ମାମଲାର ସମାଧାନ ହୋଇଥିବା ବେଳେ ଆଉ କେତେକ ମାମଲା ଏବେ ବି ଚାଲିଛି । ସେହିପରି ସନାତନଙ୍କ ଭୁବନେଶ୍ୱର ଥିବା ଆଲିସାନ ଘର, ଅଫିସ ସମେତ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱରରେ ଚାଲିଥିବା ଚଢ଼ାଉରେ ଆୟକର ବିଭାଗର ୩ଟି ଟିମ୍ ସାମିଲ ଥିବାବେଳେ ପ୍ରତି ଟିମ୍‌ରେ ୧୦ ଜଣ ଆୟକର ବିଭାଗ ସଦସ୍ୟ ଅଛନ୍ତି । ଆଗକୁ ଆହୁରି କିଛି ତଥ୍ୟ ମିଳିବାର ସମ୍ଭାବନା ରହିଛି । ଆଉ କିଛି ସମ୍ପତ୍ତି ମଧ୍ୟ ଠାବ କରାଯିବ ବୋଲି ଅନୁମାନ କରିଛି ଟିମ୍ । କୁହାଯାଉଛି ବାରମ୍ବାର ଆୟକର ଫାଙ୍କୁଥିବାରୁ ତାଙ୍କ ଉପରେ ନଜର ରଖିଥିଲା ଆୟକର ବିଭାଗ । ଏବେ ସୁବିଧାସୁଯୋଗ ଦେଖି ଘରେ ରେଡ୍ କରାଯାଇଛି ।

  • ଭୁବନେଶ୍ୱର ୟୁନିଟ-୨ ସରକାରୀ କ୍ୱାର୍ଟର୍ସରେ ନିଆଁ, ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ

    ଭୁବନେଶ୍ୱର ୟୁନିଟ-୨ ସରକାରୀ କ୍ୱାର୍ଟର୍ସରେ ନିଆଁ, ବାଣ ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ

    ଭୁବନେଶ୍ୱର ୟୁନିଟ୍ ୨ରେ ଅଗ୍ନିକାଣ୍ଡ । ବାଣ ବିସ୍ଫୋରଣ ଘଟି ସରକାରୀ କ୍ୱାର୍ଟର୍ସରେ ନିଆଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଭୁବନେଶ୍ୱର ୟୁନିଟ୍ ୨ରେ ଥିବା ଏକ ସରକାରୀ କ୍ୱାର୍ଟର୍ସରେ ବେଆଇନ୍ ଭାବେ ବାଣ ତିଆରି କରାଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତିଆରି କରି ବାଣ ଗୁଡ଼ିକ ବଜାରରେ ବିକ୍ରି କରାଯାଉଥିଲା ।

    ଆଜି ସକାଳେ ବାଣ ତିଆରି ଘରେ ନିଆଁ ଲାଗିଯାଇଥିଲା । ବାଣଗୁଡ଼ିକ ବିସ୍ଫୋରଣ ଘଟିବାରୁ ନିଆଁ କ୍ୱାର୍ଟର୍ସକୁ ବ୍ୟାପି ଯାଇଥିଲା । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବାଣ ବିସ୍ଫୋରଣ ଘଟଣାରେ କେହି ମୃତାହତ ହୋଇନାହାଁନ୍ତି । ନିକଟରେ ଥିବା ସରକାରୀ କ୍ୱାର୍ଟର୍ସରେ କିଛି କ୍ଷୟକ୍ଷତି ହୋଇନାହିଁ । ତେବେ ଏହି ସରକାରୀ କ୍ୱାର୍ଟର୍ସଟି କାହା ନାଁରେ ଅଛି ତାହା ଏ ଯାଏ ଜଣାପଡ଼ିନାହିଁ । ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ଗଜପତି ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ବୁଲି ଦେଖିଲେ 5T ସଚିବ

    ଗଜପତି ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ସ୍ଥାନ ବୁଲି ଦେଖିଲେ 5T ସଚିବ

    ଗଜପତି ଜିଲ୍ଲା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଆଜି 5T ସଚିବଙ୍କ ଗଜପତି ଗସ୍ତର ଦ୍ୱିତୀୟ ଦିନ । ସକାଳୁ ସକାଳ ସେ ଜିରାଙ୍ଗର ବୌଦ୍ଧ ମନ୍ଦିର ବୁଲିଥିଲେ । ଏହାପରେ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ଗୁମ୍ମାର ମିନି ଷ୍ଟାଡିୟମ ମଧ୍ୟ ବୁଲି ଦେଖିଥିଲେ 5T ସେକ୍ରେଟାରୀ ।

    ସେଠାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ଅନେକ ଜନହିତକର ଯୋଜନା ରହିଛି । ସେଗୁଡ଼ିକ ମଧ୍ୟରୁ ପରିବା ଶୀତଳଭଣ୍ଡାର,ଯାତ୍ରୀ ବିଶ୍ରାମଗାର, ସାମୁହିକ ବଜାର ପ୍ରାଙ୍ଗଣ ସହ ନୂତନ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି 5T ସଚିବ । ଉପାନ୍ତ ଅଞ୍ଚଳରେ ଶିକ୍ଷା ଅନୁଷ୍ଠାନରେ 5T ରୂପାନ୍ତରଣ ହାଇସ୍କୁଲଗୁଡ଼ିକୁ ମଧ୍ୟ ବୁଲି ଦେଖିଛନ୍ତି।ଏଥିସହ ଆୟୋଜିତ ସାଧାରଣ ସଭାରେ ଜନସାଧାରଣଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା । ପାରଳାଖେମୁଣ୍ଡି ବେତାଗୁଡ଼ାସ୍ଥିତ ଅନ୍ୱେଷା କାର୍ଯ୍ୟାଳୟ ପରିସରରେ ପାରଳା ପୌର ପରିଷଦର କାଉନସିଲରମାନଙ୍କ ସହ ସେ ଆଲୋଚନା କରିଛନ୍ତି ।

    ଜନସାଧାରଣଙ୍କ ଠାରୁ ଅଭିଯୋଗ ଗ୍ରହଣ କରି ଗୋଷାଣୀ ବ୍ଲକ ଗସ୍ତରେ ଯାଇଥିଲେ । ରାମ ସାଗର ଓ କୃଷ୍ଣ ସାଗର ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ୍ । ଏସବୁ ସାଗର ଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ହେବ । ଏହାର ଉନ୍ନତିକରଣ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ନେଇ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଗୋଷାଣୀ ବ୍ଲକର ମିଶନ ଶକ୍ତି ଦ୍ବାରା ପରିଚାଳିତ କାଫେ ପରିଦର୍ଶନ କରିଥିଲେ 5T ସଚିବ । ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟଖାଇ ଭୁବନେଶ୍ୱର ଫେରିଛନ୍ତି ।

  • ମାହାଙ୍ଗା ମହୋତ୍ସବ ଉଦଘାଟିତ, ୫ ଦିନ ଯାଏ ମଜା ନେବେ ଦର୍ଶକ

    ମାହାଙ୍ଗା ମହୋତ୍ସବ ଉଦଘାଟିତ, ୫ ଦିନ ଯାଏ ମଜା ନେବେ ଦର୍ଶକ

    କଟକ ଜିଲ୍ଲାର ବ୍ରହ୍ମକ୍ଷେତ୍ର ଜିଗ୍ନିପୁର, ପ୍ରଭୁ ବଳଦେବଜିୟୁଙ୍କ ପବିତ୍ର ପୀଠ । ଚନ୍ଦନ ଯାତ୍ରା ଅବସରରେ ମାହାଙ୍ଗା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦଘାଟନୀ ଉତ୍ସବରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଥିଲେ ।

    ମହୋତ୍ସବ କମିଟି ପକ୍ଷରୁ ଉତ୍ସବର ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ କଳାକାରମାନେ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ । ଏହାର ଭରପୂର ମଜା ନେଇଥିଲେ ଦର୍ଶକ । ସେପଟେ, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଜିଲ୍ଲା ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକମାନେ ମଧ୍ୟ ସମ୍ମାନିତ ହୋଇଥିଲେ ।

    ୫ ଦିନି ଧରି ମାହାଙ୍ଗା ମହୋତ୍ସବର ମଜା ନେବେ ଦର୍ଶକ । ପ୍ରଥମ ଦିନରୁ ହିଁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ, ଓରମାସ ଓ ମାହାଙ୍ଗା ମହୋତ୍ସବ କମିଟି ଦ୍ୱାରା ଏହାକୁ ଆୟୋଜନ କରାଯାଇଛି ।

    https://youtu.be/iCZ_AmLO5eA
  • ମୟୂରଭଞ୍ଜରୁ ଯାଇ ଚେନ୍ନାଇରେ ଜୀବନ ହାରିଲେ ଓଡ଼ିଆ ଶ୍ରମିକ

    ମୟୂରଭଞ୍ଜରୁ ଯାଇ ଚେନ୍ନାଇରେ ଜୀବନ ହାରିଲେ ଓଡ଼ିଆ ଶ୍ରମିକ

    ଚେନ୍ନାଇରେ ଜୀବନ ହାରିଲେ ମୟୂରଭଞ୍ଜର ଦାଦନ ଶ୍ରମିକ । ରାତିରେ ଖାଇସାରି ଶୋଇଥିଲେ ହେଲେ ସକାଳେ ଆଉ ଉଠିଲେ ନାହିଁ । ଯୁବକଙ୍କୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

    ମୟୂରଭଞ୍ଜ ଜାମଦା ବ୍ଳକ୍ ଜାମଦା ପଞ୍ଚାୟତର ରୁମାପାହାଡ଼ି ଗାଁ । ଏଠାରେ ଦୁଃଖକଷ୍ଟରେ ଜୀବନ ବିତାଉଥିଲେ ଦାକ୍ଷିଣ ମାରାଣ୍ଡି । ପୁଅ ସାଲାଇ ମାରାଣ୍ଡି ବଡ଼ ହେଲା, ପରିବାର ପ୍ରତିପୋଷଣ ପାଇଁ ମାସକ ପୂର୍ବେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲା । ସେଠାରେ ଗୋଟିଏ କମ୍ପାନୀରେ କାମ କରୁଥିଲା ସାଲାଇ । ତାଙ୍କ ସହ ଜାମଦା ଅଂଚଳର ଆଉ ୧୦ ଜଣ ଯୁବକ ମଧ୍ୟ କାମ କରୁଥିଲେ । ରବିବାର ରାତିରେ ଖାଇସାରି ଶୋଇଥିଲେ । ହେଲେ ସକାଳେ ସାଙ୍ଗସାଥୀ ଡାକିବା ପରେ ବି ନ ଉଠିବାରୁ ମାଲିକଙ୍କୁ ଜଣାଇଥିଲେ । କାରଣ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କିପରି ଜୀବନ ହାରିଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

    ତେବେ ବ୍ୟବଚ୍ଛେଦ ପରେ ସାଲାଇଙ୍କ ଶବ ଜାମଦାକୁ ପଠାଇଯାଇଥିଲା । ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଗାଁରେ ଶବ ସତ୍କାର କରାଯାଇଥିବା ବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଖରେ ଭାଙ୍ଗିପଡ଼ିଲେ ପରିବାର ଲୋକେ । ସରପଞ୍ଚ ମାଳତୀ କିସ୍କୁ, ଯୁବ ସମାଜସେବୀ ସଚିଦାନନ୍ଦ ମହାନ୍ତ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଏବଂ ପରିବାରକୁ ସମବେଦନା ଜଣାଇଥିଲେ । ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ସାମାଜିକ ସୁରକ୍ଷା ଆଇନ୍ ବଳରେ ଗରିବ ପରିବାରକୁ ପ୍ରଶାସନ ତରଫରୁ ସହୟତା ରାଶି ପ୍ରଦାନ ପାଇଁ ଗାଁ ଲୋକେ ଦାବି କରିଛନ୍ତି ।