ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ପୂର୍ବତନ ସରପଞ୍ଚଙ୍କୁ ଗୁଳିକରି ହତ୍ୟା

କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳରେ ପୁଣି ଥରେ ମାଓ ହିଂସା ଦେଖିବାକୁ ମିଳିଛି । ଫିରିଙ୍ଗିଆ ବ୍ଲକ୍ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ପୂର୍ବତନ ସରପଞ୍ଚଙ୍କୁ ହତ୍ୟାକରି ମାଓବାଦୀମାନେ ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ସୁମେରବନ୍ଧ ପଞ୍ଚାୟତ ଗଠନ ପରଠାରୁ ପ୍ରଥମ ସରପଞ୍ଚ ଭାବେ ଦାୟିତ୍ୱ ନେଇଥିଲେ । ପଞ୍ଚାୟତର ଉନ୍ନତି ପାଇଁ ସେ ବହୁ ଉଦ୍ୟମ କରିଥିଲେ ଯେଉଁଥିପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ସୁବଳ ।

ପୂର୍ବରୁ ଅନେକ ଥର ମାଓବାଦୀମାନେ ତାଙ୍କୁ ଧମକ ଦେଇ ଆସୁଥିଲେ । ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିଲେ । ନିଜ ପରିବାର ସହ ସାଉଲିପଡ଼ାସ୍ଥିତ ନିଜ ଘରେ ଶୋଇଥିଲେ ସୁବଳ । ୧୦ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକିନେଇ ଘର ଅଗଣାରେ ହିଁ ଗୁଳି କରିଥିଲେ । ଘଟଣାସ୍ଥଳରୁ ସୁମେରବନ୍ଧ ସିଆରପିଏଫ୍ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋମିଟର ।

କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ମଧ୍ୟ୍ୟ ମାଓବାଦୀମାନେ କିଭଳି ଏହି ଘଟଣା ଘଟାଇଲେ ସେ ନେଇ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏଯାଏ କୌଣସି ପୋଲିସ ଅଧିକାରୀ କିମ୍ବା ସୁରକ୍ଷାକର୍ମୀ ଗାଁରେ ପହଞ୍ଚିନଥିବା ସୂଚନା ମିଳିଛି । ମାଓବାଦୀଙ୍କ ଏଭଳି ବର୍ବରତା ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇଛି । ସାଉଲପଡ଼ା ଗାଁ ଏବେ ଭୟରେ ଜନଶୂନ୍ୟ ହୋଇଛି ।

ଗତ କିଛି ଦିନ ହେଲା ମାଓବାଦୀମାନେ ହିଂସା ଠାରୁ ଦୂରେଇ ଥିଲେ । କିଛି ଜଣାଶୁଣା ତଥା ଟପ୍ ମାଓବାଦୀ ଆତ୍ମସମର୍ପଣ ମଧ୍ୟ କରିଥିଲେ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେମାନେ ହିଂସା ଛାଡ଼ିଥିଲେ । କୁହାଯାଉଥିଲା କି ମାଓଗଡ଼ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । କିନ୍ତୁ ଏବେ ପୁଣି ଥରେ ସେମାନେ ସକ୍ରିୟ ହେଲେଣି । ଏଭଳି ହତ୍ୟାକାଣ୍ଡ ଘଟାଇ ପୁଣିଥରେ ନିଜର ସ୍ଥିତି ଜାହିର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *