ଆଦାନି-ହିଣ୍ଡେନବର୍ଗ  ବିବାଦ: ବନ୍ଦ ଲଫାପାରେ ରିପୋର୍ଟ ଦାଖଲ

ବନ୍ଦ ଲଫାପାରେ ସୁପ୍ରିମ କୋର୍ଟରେ କମିଟି ଦାଖଲ କରିଛି ତାର ରିପୋର୍ଟ। ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ଦ୍ୱାରା ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ସମୂହ ବି‌ରୋଧରେ ପ୍ରକାଶ ପାଇଥିବା ରିପୋର୍ଟ ପରେ ସୁପ୍ରିମକୋର୍ଟ ୬-ଜଣିଆ ଏକ କମିଟି ଗଠନ କରି ରିପୋର୍ଟର ସତ୍ୟା ସତ୍ୟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କମିଟି ତାର ଯାଞ୍ଚ ଶେଷ କରି ରିପୋର୍ଟ ଦାଖଲ କରିଛି। ତେବେ କମିଟି କୋର୍ଟଙ୍କ ନିର୍ଦ୍ଦେଶ ମତେ ସବୁ ଦିଗରେ ତଦନ୍ତ କରିଛି କି ନାହିଁ ତାହା ଜଣାପଡ଼ିନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୧୨ରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠରେ ହେବାକୁ ଯାଉଛି।

ଆଦାନି-ହିଣ୍ଡେନବର୍ଗ  ବିବାଦକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା। ବିରୋଧି ହିଣ୍ଡେନବର୍ଗର ଅଭିଯୋଗର ତଦନ୍ତ ପାଇଁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ବା ଜେପିସି ଗଠନ କରିବାକୁ ଦାବି କରି ଆସୁଥିଲେ ମଧ୍ୟ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟକୁ ମାମଲା ଆସିଥିଲା ଓ  ପୂର୍ବତନ ବିଚାରପତି ଏ ଏମ୍ ସାପ୍ରେଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା। କମିଟିରେ ଷ୍ଟେଟ୍‌ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓ ପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ  କେ ଭି କାମାଥ, ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି, ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜେ ପି ଦେବଧର ଏବଂ ପ୍ରତିଭୂତି ଆଇନଜୀବୀ ସୋମଶେଖର ସୁନ୍ଦରସନ ସଦସ୍ୟ ରହିଛନ୍ତି।

ଏହି ମାମଲରେ ପ୍ରତିଭୂତି ଓ ବିନିମୟ ବୋର୍ଡ ବା ସେବି ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି। ମାମଲାରେ ସେବିକୁ  ଦୁଇ ମାସ ଭିତରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ପରେ ଏପ୍ରିଲ୍ ୨୯ରେ ସେବି କୋର୍ଟଙ୍କୁ ଜଣାଇଥିଲା କି ତଦନ୍ତ ପାଇଁ ୨ ମାସର ସମୟ ପର୍ଯ୍ୟାପ୍ତ ନୁହେଁ। ତେଣୁ ଆଉ ଛଅ ମାସ ସମୟ ଦେବାକୁ ସେବି କୋର୍ଟଙ୍କୁ ଅନୁରୋଧ କରିଥିଲା।

ଆଦାନି ସମୂହ ବିରୋଧରେ ହିଣ୍ଡେନବର୍ଗ ଦେଇଥିବା ରିପୋର୍ଟରେ କୌଣସି ସତ୍ୟାସତ୍ୟ ନ ଥିବା କହି ସମସ୍ତ ଅଭିଯୋଗକୁ ମରିସସର ଆର୍ଥିକ ସେବା ମନ୍ତ୍ରୀ ମାହେନ କୁମାର ସୀରୁଟୁନ ଭିତ୍ତିହୀନ କହିଛନ୍ତି। ମରିସସ୍‌ରେ ଆଦାନିର ଜାଲ୍ କଂପାନି ଥିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ସଂସଦରେ ସେ ଏହି ଉତ୍ତର ଦେଇଛନ୍ତି।

Leave a Reply

Your email address will not be published. Required fields are marked *