ରକ୍ତ ପରିବହନ କରିବ ଡ୍ରୋନ୍

ରକ୍ତ ଅଭାବ ତଥା ସମୟରେ ରକ୍ତ ନ ପହଞ୍ଚିବାରୁ ଅନେକ ସମୟରେ ବହୁ ଜୀବନ ଚାଲିଯାଉଛି। ଏହି ସମସ୍ୟାକୁ ଏଣିକି ଦୂର କରିବ ଡ୍ରୋନ। ଦୂରଦୂରାନ୍ତରେ ଆବଶ୍ୟକ ହେଉଥିବା ରକ୍ତ ଡ୍ରୋନ୍ ମାଧ୍ୟମରେ ଅଳ୍ପ ସମୟରେ ଡେଲିଭରି ହୋଇପାରିବ । ଚିକିତ୍ସା କ୍ଷେତ୍ରରେ ରକ୍ତର ଆବଶ୍ୟକତା ପୂରଣ କରିବାକୁ ଡ୍ରୋନ ଟେକନୋଲଜିର ସଫଳ ପ୍ରୟୋଗ ହୋଇଛି। ତେବେ ବର୍ତ୍ତମାନ ପାଇଁ ଏହି ପ୍ରଣାଳୀର ପ୍ରୟୋଗ ଜାତୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ଏହାକୁ ଦେଶର ଅନ୍ୟ ଅଞ୍ଚଳରେ ବି କରାଯିବ ।

ରାଜଧାନୀ ଦିଲ୍ଲୀରେ ଡ୍ରୋନ୍ ସାହାଯ୍ୟରେ ରକ୍ତ ଥଳୀ ପରିବହନ ପରୀକ୍ଷା ସଫଳ ହୋଇଛି। ICMR ପକ୍ଷରୁ ଏହି ପରୀକ୍ଷଣ ହୋଇଥିବା ବେଳେ ଏଥିରେ ସଫଳତା ମିଳିଛି। କିଛି ପର୍ଯ୍ୟାୟର ପରୀକ୍ଷଣ ପରେ ସାରା ଦେଶରେ ରକ୍ତ ପରିବହନ ପାଇଁ ଏହି ପଦ୍ଧତିକୁ ସ୍ୱୀକୃତି ଦିଆଯିବ ବୋଲି ଆଇସିଏମଆରର ମହାନିର୍ଦ୍ଦେଶକ ଡ. ରାଜୀବ ବେହଲ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ଡ୍ରୋନ ଦ୍ୱାରା ରକ୍ତ ପରିବହନ ପରୀକ୍ଷଣରେ କେତେକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି। ମୁଖ୍ୟତଃ ତାପମାତ୍ରା ରକ୍ତକୁ ବ୍ୟବହାର ଉପଯୋଗୀ ରଖିଥାଏ। ଏଥିରେ ବ୍ୟତିକ୍ରମ ହେଲେ ରକ୍ତ ନଷ୍ଟ ହୋଇଯାଏ। ତେଣୁ ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ କାଳରେ ନିର୍ଦ୍ଦିଷ୍ଟ ତାପମାତ୍ରାକୁ ଗୁରୁତ୍ୱ ଦିଆଯାଇଛି।  ବାକ୍ସରେ ରକ୍ତ ଥଳିକୁ ରଖି ପରିବହନ କରାଯାଇଥିଲା ବେଳେ ବାକ୍ସକୁ ସେହି ତାପମାତ୍ରାରେ ରଖିବାର ବ୍ୟବସ୍ଥା କରାଯାଇଛି ।

ପରୀକ୍ଷାମୁଳକ ରକ୍ତ ପରିବହନରେ ରକ୍ତ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପରେ ତାର ମାନ ପରୀକ୍ଷା କରାଯାଇଥିଲା । ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ହୋଇନଥିବା ପରୀକ୍ଷାରୁ ଜଣାପଡ଼ିଲା। ଏହି ସଫଳତା ପରେ ଆଇସିଏମ୍‌ଆର ଡିଜି କହିଛନ୍ତି କି, ଅଧିକ ଉଚ୍ଚତାରେ ଯିବା ବେଳେ ଯେପରି ରକ୍ତର ଗୁଣବତ୍ତାରେ କୌଣସି ପରିବର୍ତ୍ତନ ନ ହେବ ତାହା ଉପରେ ନଜର ରଖାଯାଇଥିଲା। ଏହି ପରୀକ୍ଷଣରେ ଆମେ ଉତ୍ତୀର୍ଣ୍ଣ ହୋଇଛୁ। ତେଣୁ ଆଗାମୀ ଦିନରେ ଦେଶର ବିଭିନ୍ନ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ରକ୍ତ ଯୋଗାଣକୁ କାର୍ଯ୍ୟକାରୀ କରାଯିବାକୁ ପ୍ରାଥମିକତା ଦିଆଯିବ ।

ଏଠାରେ କହି ରଖୁଛୁ କଅନେକ ସମୟରେ ରକ୍ତ ଅଭାବରୁ ଅନେକ ରୋଗୀଙ୍କର ଅକାଳ ମୃତ୍ୟୁ ହୋଇଥାଏ। ଯଦି ଡ୍ରୋନ ମାଧ୍ୟମରେ ରକ୍ତ ପରିବହନ ହେବ ତେବେ ଦୂରଦୂରାନ୍ତ ଅଞ୍ଚଳକୁ ସ୍ୱଳ୍ପ ସମୟରେ ରକ୍ତ ପହଞ୍ଚା ଯାଇପାରିବ ଓ ରକ୍ତ ଅଭାବଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ସମ୍ଭବ ହେବ।

Leave a Reply

Your email address will not be published. Required fields are marked *