ମୟୂରଭଞ୍ଜରୁ ଯାଇ ଚେନ୍ନାଇରେ ଜୀବନ ହାରିଲେ ଓଡ଼ିଆ ଶ୍ରମିକ

ଚେନ୍ନାଇରେ ଜୀବନ ହାରିଲେ ମୟୂରଭଞ୍ଜର ଦାଦନ ଶ୍ରମିକ । ରାତିରେ ଖାଇସାରି ଶୋଇଥିଲେ ହେଲେ ସକାଳେ ଆଉ ଉଠିଲେ ନାହିଁ । ଯୁବକଙ୍କୁ ହରାଇ ପରିବାର ଏବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।

ମୟୂରଭଞ୍ଜ ଜାମଦା ବ୍ଳକ୍ ଜାମଦା ପଞ୍ଚାୟତର ରୁମାପାହାଡ଼ି ଗାଁ । ଏଠାରେ ଦୁଃଖକଷ୍ଟରେ ଜୀବନ ବିତାଉଥିଲେ ଦାକ୍ଷିଣ ମାରାଣ୍ଡି । ପୁଅ ସାଲାଇ ମାରାଣ୍ଡି ବଡ଼ ହେଲା, ପରିବାର ପ୍ରତିପୋଷଣ ପାଇଁ ମାସକ ପୂର୍ବେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲା । ସେଠାରେ ଗୋଟିଏ କମ୍ପାନୀରେ କାମ କରୁଥିଲା ସାଲାଇ । ତାଙ୍କ ସହ ଜାମଦା ଅଂଚଳର ଆଉ ୧୦ ଜଣ ଯୁବକ ମଧ୍ୟ କାମ କରୁଥିଲେ । ରବିବାର ରାତିରେ ଖାଇସାରି ଶୋଇଥିଲେ । ହେଲେ ସକାଳେ ସାଙ୍ଗସାଥୀ ଡାକିବା ପରେ ବି ନ ଉଠିବାରୁ ମାଲିକଙ୍କୁ ଜଣାଇଥିଲେ । କାରଣ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । କିପରି ଜୀବନ ହାରିଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

ତେବେ ବ୍ୟବଚ୍ଛେଦ ପରେ ସାଲାଇଙ୍କ ଶବ ଜାମଦାକୁ ପଠାଇଯାଇଥିଲା । ଶବ ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା । ଗାଁରେ ଶବ ସତ୍କାର କରାଯାଇଥିବା ବେଳେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଖରେ ଭାଙ୍ଗିପଡ଼ିଲେ ପରିବାର ଲୋକେ । ସରପଞ୍ଚ ମାଳତୀ କିସ୍କୁ, ଯୁବ ସମାଜସେବୀ ସଚିଦାନନ୍ଦ ମହାନ୍ତ ପ୍ରମୁଖ ତାଙ୍କ ଘରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଏବଂ ପରିବାରକୁ ସମବେଦନା ଜଣାଇଥିଲେ । ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ସାମାଜିକ ସୁରକ୍ଷା ଆଇନ୍ ବଳରେ ଗରିବ ପରିବାରକୁ ପ୍ରଶାସନ ତରଫରୁ ସହୟତା ରାଶି ପ୍ରଦାନ ପାଇଁ ଗାଁ ଲୋକେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *