Category: ଦେଶ-ବିଦେଶ

  • କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍, ଘୃଣା ଆଉଟ୍ ପ୍ରେମ ଇନ୍

    କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍, ଘୃଣା ଆଉଟ୍ ପ୍ରେମ ଇନ୍

    କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍ । ଶେଷରେ ବିଜେପିକୁ ଆଉଟ୍ କରିଛି କଂଗ୍ରେସ । ୨୨୪ରୁ ଦଳକୁ ମିଳିଛି ୧୩୬ ଆସନ । ବିଜେପି ୬୫ ଆସନ ଦଖଲ କରଥିବା ବେଳେ JDSକୁ ମିଳିଛି ୧୯ ଆସନ । ସେହିପରି ଅନ୍ୟାନ୍ୟ ଦଳକୁ ମାତ୍ର ୪ଟି ସିଟ୍ ଯାଇଛି । ଦୀର୍ଘଦିନର ବାଦବିବାଦ, ବୟାନବାଜି, ବିବାଦୀୟ ମନ୍ତବ୍ୟ ପରେ ଶେଷରେ କର୍ଣ୍ଣାଟକ ଶାସନ କ୍ଷମତା ପାଇଛି କଂଗ୍ରେସ ।

    ଏବେ କିଏ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବ ସେ ନେଇ ପ୍ରଶ୍ନ ଉଠିଛି । ଶିବକୁମାର ନା ସିଦ୍ଧରମେୟା ..। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ବିଜୟ ମିଳିବା ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଟେନସନରେ ପକାଇଛି । ଦଳ ବହୁମତଠୁ ଅଧିକ ଆସନ ଜିତିଛି ସତ, ହେଲେ କାହା ହାତରେ କର୍ଣ୍ଣାଟକ ଦିଆଯିବ ସେ ସସପେନ୍ସ ଲାଗି ରହିଛି ।

    ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି । ତେବେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାରି ସିଦ୍ଧରମେୟା ଏବଂ ଡିକେ ଶିବକୁମାର । ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କର୍ଣ୍ଣାଟକର ବଡ଼ ନେତା ଭାବରେ ପରିଚିତ । ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରୁ କିଏ ସିଏମ୍ ହେବ ତାହା ଦଳ ପାଇଁ କାଠିକର ପାଠ ।

    ନିର୍ବାଚନରେ ବଡ଼ ବିଜୟ ପରେ ଶିବକୁମାର ମନେ ପକାଇଛନ୍ତି ଯେ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲେ ତାହା ପୂରଣ ହୋଇଛି । ସମର୍ଥନ ପାଇଁ କର୍ଣ୍ଣାଟକବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଲୋକମାନେ ଆମ ଉପରେ ବିଶ୍ୱାସ କରି ଭୋଟ୍ ଦେଇଥିବା କହିଛନ୍ତି ଶିବକୁମାର ।

    ସିଦ୍ଧରମେୟା କହିଛନ୍ତି ଯେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ ଯାହା ଏକ ବଡ଼ ବିଜୟ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ ଯାହା ଆଜି ସମ୍ଭବ ହୋଇଛି । ବିଜେପି ସରକାରରେ ଲୋକେ ଅତିଷ୍ଠ ହୋଇ ଶେଷରେ କଂଗ୍ରେସକୁ ବାଛିନେଲେ । ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା ରଖିଥିବା କହିଛନ୍ତି ସିଦ୍ଧରମେୟା ।

    ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏ ବିଜୟର ଶ୍ରେୟ କର୍ଣ୍ଣାଟକ ଜନତାଙ୍କୁ ଦେଇଛନ୍ତି । ଘୃଣାର ବଜାର ବନ୍ଦ ହୋଇଯାଇଥିବା ବେଳେ ପ୍ରେମର ଦୋକାନ ଖୋଲିଛି । ପ୍ରଥମ କ୍ୟାବିନେଟରେ ହିଁ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତି ପୂରଣ କରିବ ।

    ଅନ୍ୟପକ୍ଷରେ ପରାଜୟର ସାମ୍ନା କରିଥିବା ବିଜେପି ପୁଣିଥରେ ଅପରେସନ ଲୋଟସ୍ ଚଳାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ବିଜେପି । ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କାହାକୁ ବି ଧରିପାରେ ବିଜେପି । କଂଗ୍ରେସକୁ ସରକାର ଗଢ଼ିବାରେ ସମସ୍ୟା ହେବା ଆଶଙ୍କା ରହିଛି । ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା କହିସାରିଥିବା ବେଳେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ ବି କିଛି କହିନାହାଁନ୍ତି ।

  • ଭାରତୀୟ ବିମାନ କମ୍ପାନୀ ଅଭ୍ୟାସଗତ ଅସମୟାନୁବର୍ତ୍ତି

    ଭାରତୀୟ ବିମାନ କମ୍ପାନୀ ଅଭ୍ୟାସଗତ ଅସମୟାନୁବର୍ତ୍ତି

    ଲୋକେ ଆଜିକାଲି ସମୟ ବଞ୍ଚାଇବାକୁ ବିମାନ ଯାତ୍ରାକୁ ଆପଣେଇ ନେଇଛନ୍ତି। ଅଧିକ ଖର୍ଚ୍ଚ ପଛେ ହେଉ ସ୍ୱଳ୍ପ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଦରକାର। କିନ୍ତୁ ଅନେକ ସମୟରେ ବିମାନ ଯାତ୍ରା ମଧ୍ୟ ସମୟ ନଷ୍ଟ କରିଥାଏ। ଏଥିପାଇଁ ବିମାନ କମ୍ପାନୀ କେତେବେଳେ ଖରାପ ପାଗକୁ ଦାୟୀ କରି ନିଜ ମୁଣ୍ଡରୁ ଦୋଷ ଉତାରି ଦେଇଥାନ୍ତି ତ ପୁଣି କେତେବେଳେ ବିମାନ ବନ୍ଦରର ପକ୍ଷରୁ ସଠିକ ସମୟରେ କ୍ଲିୟରାନ୍ସ ନ ମିଳିବାକୁ।

    କିନ୍ତୁ ଏମିତି କିଛି ବିମାନ ସେବା ଯୋଗାଣକାରୀ ସଂସ୍ଥା ରହିଛନ୍ତି ଯେଉଁମାନେ ଅଭ୍ୟାସଗତ ବିଳମ୍ବ କରିଥାନ୍ତି। କଦାପି ଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ଯାତ୍ରୀଙ୍କୁ ପହଞ୍ଚାଇ ନ ଥାନ୍ତି।  ଏହି ଆଭ୍ୟାସଗତ ବିଳମ୍ବ ବିମାନ ସେବା ଯୋଗାଇବା କ୍ଷେତ୍ରରେ ରହିଛି ଭାରତର ବିମାନ କମ୍ପାନୀ ସବୁ। ସେହିପରି ସଠିକ ସମୟ ବା ସମୟ ପୂର୍ବରୁ ଉଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ମଧ୍ୟ ନାମ ଅର୍ଜନ କରିଛନ୍ତି ବହୁ ଦେଶର ବିମାନ କମ୍ପାନୀ। ସଠିକ ସମୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ବିମାନ କମ୍ପାନୀ ତାଲିକାରେ ୧ ନମ୍ବରରେ ରହିଛି ବ୍ରାଜିଲ୍ ଏୟାରଲାଇନ୍ସ। ବ୍ରାଜିଲ୍ ଏୟାରଲାଇନ୍ସର ସମୟାନୁବର୍ତ୍ତିତାକୁ ମୂଲ୍ୟଙ୍କନ କରାଯାଇ ୮୮.୯୩ ପ୍ରତିଶତ ନମ୍ବର ମିଳିଛି।

    ୱାର୍ଲଡ ଅଫ ଷ୍ଟାଟିଟିକସ୍ ରିପୋର୍ଟ ମୁତାବାକ, ବ୍ରାଜିଲ ଏୟାରଲାଇନ୍ସ ପରେ ଦ୍ୱିତୀୟ ଓ ତୃତୀୟରେ ଆସୁଛି ଜାପାନର ଅଲ୍ ନିପନ୍ ଏୟାରଲାଇନ୍ସ ଓ ଜାପାନ ଏୟାରଲାଇନ୍ସ। ଯାହାର ସମୟାନୁବର୍ତ୍ତିତା ହାର ଯଥାକ୍ରମେ ୮୮.୬୧ ପ୍ରତିଶତ ଏବଂ ୮୮ ପ୍ରତିଶତ ରହିଛି । ସେହିପରି ଲାଟିନ୍ ଆମେରିକାର ସବୁଠାରୁ ବଡ ବିମାନସେବା ଯୋଗାଉଥିବା କମ୍ପାନୀ ଲତାମର ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୬.୩୧ ପ୍ରତିଶତ ଥିବାବେଳେ ଏହା ରହିଛି ଚତୁର୍ଥ ସ୍ଥାନରେ। ଲତାମର ଏୟାରଲାଇନ୍ସର ମୋଟ କର୍ମଚାରୀଙ୍କ ସଂଖ୍ୟା ୪୩ ହଜାର। ୨୦୧୮ରେ ଏହାର ମୋଟ ସମ୍ପତ୍ତି ୧୭.୫୬୬ ବିଲିୟନ ଡ଼ଲାର୍ ଥିଲା।

    ସେହିପରି ଆମେରିକାର ଡେଲଟା ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୩.୬୩ ପ୍ରତିଶତ ରହିଛି। ଏହାର ପ୍ରତିଦିନ ୫୪୦୦ ରୁ ଅଧିକ ବିମାନ ଚଳାଚଳ କରିଥାଏ। ଦୁବାଇର ଏମିରେଟ୍ସର ସମୟାନୁବର୍ତ୍ତିତା ହାର ୮୧.୩୦ ପ୍ରତିଶତ ଏବଂ ୟୁନାଇଟେଡ୍ ଏୟାରଲାଇନ୍ସର ସମୟାନୁବର୍ତ୍ତିତା ହାର ୮୦.୪୬ ପ୍ରତିଶତ ରହିଛି। କିନ୍ତୁ ସମୟାନୁବର୍ତ୍ତିତା ତାଲିକାରେ ନାହିଁ ଭାରତର ନାଁ।

  • ପ୍ରେମ ମାନେନା ବୟସର ତାରତମ୍ୟ

    ପ୍ରେମ ମାନେନା ବୟସର ତାରତମ୍ୟ

    କଥାରେ ଅଛି ପ୍ରେମ ଦେଖେ ନାହିଁ ଜାତି, ଧର୍ମ, ବର୍ଣ୍ଣ ଓ ବୟସ। ହୁଏତ ସେଥିପାଇଁ ସମାଜ, ଲୋକ ଲଜ୍ଜା ସବୁକୁ ପଛ କରି ୨୨ବର୍ଷର ଛାତ୍ର ବିବାହ କରିଛନ୍ତି ୪୮ ବର୍ଷୀୟା ମହିଳାଙ୍କୁ। ଯାହା ଏବେ ଚାରିଆଡେ ଚର୍ଚ୍ଚାରେ। ୪୮ ବର୍ଷୀୟା ମହିଳାଙ୍କୁ ସ୍କୁଲରେ ଭେଟିଥିଲେ ୨୨ବର୍ଷୀୟ ଯୁବକ। ମହିଳା ସେହି ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଥିଲେ ଓ ଯୁବକଙ୍କୁ ପଢାଉଥିଲେ। ସ୍କୁଲରେ ପାଠ ପଢୁଥିବା ବେଳେ କେତେବେଳେ ସେ ନିଜଠାରୁ ୨୬ ବର୍ଷ ବଡ଼ ମହିଳାଙ୍କ ପ୍ରେମରେ ପଡିଥିଲେ। ଆଉ ଶେଷରେ ଏମିତି ପ୍ରେମରେ ପାଗଳ ହୋଇଯାଇଥିଲେ କି, ନିଜ ବୟସରୁ ଦୁଇଗୁଣା ବଡ ଶିକ୍ଷୟିତ୍ରୀଙ୍କ ବିନା ବଞ୍ଚିପାରିବେ ନାହିଁ। ତେଣୁ ସେ ଶେଷରେ ବିବାହ କରିଛନ୍ତି ଶିକ୍ଷୟିତ୍ରୀଙ୍କୁ। ଏମିତି ବିରଳ ଏକ ବିବାହ ଘଟିଛି ମାଲେସିଆରେ।

    ମାଲେସିଆର ନ୍ୟୁଜ୍ ୱେବସାଇଟ୍ ନ୍ୟୁ ଷ୍ଟ୍ରେଟ୍ସ ଟାଇମ୍ସ ଖବର ଅନୁଯାୟୀ, ମାଲେସିଆର ୨୨ ବର୍ଷୀୟ ମହମ୍ମଦ ଡାନିଏଲ ଅହମ୍ମଦ ଅଲି ଶିକ୍ଷୟିତ୍ରୀ ଜମିଲା ମହମ୍ମଦଙ୍କୁ ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୬ ମସିହାରେ ଡାନିଏଲ୍ ହାଇସ୍କୁଲରେ ପଢ଼ୁଥିବା ସମୟରେ ଜମିଲା ମହମ୍ମଦ ତାଙ୍କର ଶିକ୍ଷୟିତ୍ରୀ ଥିଲେ।ଜମିଲାଙ୍କ ବ୍ୟବହାର, ପଢାଇବା ଶୈଳୀ ତଥା ଛାତ୍ର ଛାତ୍ରୀଙ୍କ ପ୍ରତି ସ୍ନେହପୂର୍ଣ୍ଣ ବ୍ୟବହାରକୁ ନେଇ ଡାନିଏଲ୍ ଜମିଲାଙ୍କୁ ବହୁତ ପସନ୍ଦ କରିବା ଆରମ୍ଭ କରିଥିଲେ। ଜମିଲା ଯେଉଁଭଳି  ଛାତ୍ରଛାତ୍ରୀମାନଙ୍କର ଯତ୍ନ ନେଉଥିଲେ, ତାହା ଡାନିଏଲଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରିଥିଲା। ଦିନ ବିତିବା ସହ ଡାନିଏଲ ଯୁବକତ୍ୱ ଲାଭ କଲେ। ଧୀରେ ଧୀରେ ଡାନିଏଲ ଓ ଜମିଲାଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ ହୋଇଥିଲା। ସ୍କୁଲରେ ପରସ୍ପରକୁ ଭେଟି କଥା ହେବା ନିତିଦିନିଆ ଘଟଣା ହୋଇଗଲା।

    ଡାନିଏଲଙ୍କ ଜନ୍ମଦିନରେ ଜମିଲା ମେସେଜ କରି ଶୁଭେଚ୍ଛା ଜଣାଇବା ଥିଲେ। ଏହା ପରେ ଦୁହେଁ ମୋବାଇଲ ମେସେଜରେ ପରସ୍ପର ସହ ଆହୁରି ଘନିଷ୍ଠ ହୋଇଥିଲେ। କିନ୍ତୁ ଜାମିଲା ଜଣେ ସ୍ନେହ ବତ୍ସଳା ଶିକ୍ଷୟତ୍ରୀ ହୋଇଥିବାରୁ ଜଣେ ଛାତ୍ର ସହ ବନ୍ଧୁତ୍ୱ ଭାବି ନେଇଥିଲେ। କିନ୍ତୁ ଡାନିଏଲ  ଦିନ ଟିଏ କଥା ନ ହେଇ, ମେସେଜ ନ କରି ରହିପାରୁନଥିଲେ। ଏମିତି ବହୁ ଦିନ ଚାଲିବା ପରେ ଡାନିଏଲ ଅନୁଭବ କଲେ ସେ ଆଉ ଜମିଲାଙ୍କ ବିନା ରହିପାରିବେ ନାହିଁ। ଦିନେ ସାହସ କରି  ଜମିଲାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ବୟସରେ ଅଧା ହୋଇଥିବା ଡାନିଏଲଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିଥିଲେ ଜାମିଲା।

    ଜାମିଲାଙ୍କ ପ୍ରତ୍ୟାକ୍ଷାନର ଭାଙ୍ଗି ପଡିନଥିଲେ ଡାନିଏଲ।  ଜମିଲାଙ୍କ ଘରକୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ନିଜ ପାଇଁ ଡାନିଏଲଙ୍କ ମନରେ ଏତେ ଭଲପାଇବା ଦେଖି ଶେଷରେ ଜମିଲା ମଧ୍ୟ ଡାନିଏଲଙ୍କୁ ଭଲପାଉଥିବା ସ୍ବୀକାର କରିଥିଲେ। ଏହା ପରେ ଦୁହେଁ ପରିବାରର ସ୍ୱୀକୃତିକ୍ରମେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

  • ବଜରଙ୍ଗ ଦଳ ସହ ବଜରଙ୍ଗ ବଲିଙ୍କୁ ତୁଳନା ହେଲା କାଳ: କଂଗ୍ରେସ

    ବଜରଙ୍ଗ ଦଳ ସହ ବଜରଙ୍ଗ ବଲିଙ୍କୁ ତୁଳନା ହେଲା କାଳ: କଂଗ୍ରେସ

    କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ କଂଗ୍ରେସର ବିଜୟ ସ୍ଥିର ନିଶ୍ଚିତ ହୋଇଯାଇଛି। ଏହା ପରେ ବିଜେପି ଉପରେ କଂଗ୍ରେସ ନେତାଙ୍କ ଆରମ୍ଭ ହୋଇଗଲାଣି ବୟାନ ବାଜି। କେହି କେହି ରାହୁଲ ଗାନ୍ଧୀ ଏବଂ ତାଙ୍କର ‘ଭାରତ ଯୋଡୋ ଯାତ୍ରା’କୁ କଂଗ୍ରେସର ବିଜୟର ଶ୍ରେୟ ଦେଉଥିବା ବେଳେ କେହି କେହି ଏହାକୁ ୨୦୨୪ପୂର୍ବରୁ ‘ ବିରୋଧୀ ଏକତା’ର ବାର୍ତ୍ତା ବୋଲି କହୁଛନ୍ତି।

    କର୍ଣ୍ଣାଟକରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ ଉପରେ ଦଳର ମୁଖପାତ୍ର ପବନ ଖେଡା କହିଛନ୍ତି, ଏଭଳି ନିର୍ବାଚନ ଫଳାଫଳ ରାତାରାତି ଆସେ ନାହିଁ। ଏହା ଭାରତ ଯୋଡୋ ଯାତ୍ରାରୁ ଆରମ୍ଭ ହୋଇ ୫ଗ୍ୟାରେଣ୍ଟି କାର୍ଡ ସହିତ ସମାପ୍ତ ହୋଇଥିଲା। ହନୁମାନଜୀଙ୍କ ଭକ୍ତମାନେ ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚିତ ଜବାବ ଦେଇଛନ୍ତି। ଲୋକମାନେ ସେହି ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କଲେ ଯେଉଁଠାରେ ଈଶ୍ବରଙ୍କୁ ‘ବଜରଙ୍ଗ ଦଳ’ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ଯଦି ‘ବଜରଙ୍ଗ ଦଳ’କୁ ‘ବଜରଙ୍ଗ ବଲି’ଙ୍କ ସହିତ ତୁଳନା କରାଯାଏ ତେବେ ପରିଣାମ ଏଭଳି ହେବ।  ସେପଟେ ସୋସିଆଲ ମିଡିଆରେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହେବ ବୋଲି ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଟ୍ବିଟରରେ #ବିଜେପିମୁକ୍ତସାଉଥଇଣ୍ଡିଆ ଟ୍ରେଣ୍ଡ କରୁଥିବା ଦେଖାଯାଇଛି।

    ଏଥି ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ପରାଜୟ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ହାର ମାନି ବୋମ୍ମାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ‘ବିଜେପି’ କର୍ମୀମାନଙ୍କର ବହୁ ଉଦ୍ୟମ ସତ୍ତ୍ବେ ଆମେ ସନ୍ତୋଷଜନ ଫଳ ପାଇବାକୁ ସମର୍ଥ ହେଲୁ ନାହିଁ। ସମ୍ପୂର୍ଣ୍ଣ ପରିଣାମ ପ୍ରକାଶ ପାଇବା ପରେ ଆମେ ସବିଶେଷ ସମୀକ୍ଷା କରିବୁ। ଏହି ଫଳାଫଳକୁ ଆଧାର କରି ଆମେ ଲୋକସଭା ନିର୍ବାଚନରେ ଜିଣିବାକୁ ଉଦ୍ୟମ କରିବୁ।

    ସେପଟେ ଜନମତର ଟ୍ରେଣ୍ଡକୁ ଦେଖି କଂଗ୍ରେସ ଶିବିରରେ ଆରମ୍ଭ ହୋଇଗଲାଣି ଉତ୍ସବର ମାହୋଲ। ମିଠା, ବାଣ ସବୁ ପ୍ରସ୍ତୁତ ରହିଲାଣି ବିଭିନ୍ନ କଂଗ୍ରେସ ଅଫିସରେ। ନିର୍ବାଚନ ଗଣତିର ଶେଷ ପର୍ଯ୍ୟାୟର ଫଳାଫଳ ବାହାରିଲେ ଆରମ୍ଭ ହୋଇଯିବା ଉତ୍ସବ।

  • ୟୁପି: ନଗର ନିଗମ ନିର୍ବାଚନରେ ୧୭ରୁ ୧୭ ହାତେଇଲା ବିଜେପି

    ୟୁପି: ନଗର ନିଗମ ନିର୍ବାଚନରେ ୧୭ରୁ ୧୭ ହାତେଇଲା ବିଜେପି

    ଉତ୍ତର ପ୍ରଦେଶରେ ନଗର ନିକାୟ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଫିଆରାଜର ଅନ୍ତ ଅଭିଯାନ ଆଣିଦେଇଛି ବିପୁଳ ବିଜୟ। ଟ୍ରିପଲ ଇଞ୍ଜିନର ନାରା ଦେଇ ନିର୍ବାଚନ ଲଢୁଥିବା ବିଜେପି ୧୭ ନଗର ନିଗମ ଆସନରେ ବାଜିମାତ୍ କରିଛି। ବହୁ ନଗର ନିଗମର ପାରିଷଦ ପଦରେ ବିଜେପି ବିପୁଳ ବିଜୟ ହାସଲ କରି ପୂର୍ଣ୍ଣ ବହୁମତ ହାସଲ କରିଛି। ମୁନସିପାଲିଟି ସହ ନଗର ପାଳିକା ଓ ନଗର ନିକାୟ ନିର୍ବାଚନରେ ବିଜେପି ମୋଟ ୧୪୫୨୧ ପଦରେ ୮୩୩୭୨ ପ୍ରାର୍ଥୀଙ୍କୁ ଠିଆକରିଥିଲା।

    ୧୭ ନଗର ନିଗମକୁ ବିଜେପି ନିଜ ଅଧୀନକୁ ଆଣିବା ସହ ନଗରପାଳିକା ଚେୟାରମ୍ୟାନର ୧୯୯ ପଦରୁ ୯୮ ବିଜେପିକୁ ମିଳିଛି। ସେହିପରି ସପାକୁ ୫୯, ବସପାକୁ୧୯, କଂଗ୍ରେସକୁ୭ ଓ ଅନ୍ୟ ଦଳ ସବୁକୁ ୧୬ ଆସନ ଯାଇଛି। ନଗର ପଞ୍ଚାୟତରେ ୫୪୪ ଅଧ୍ୟକ୍ଷ ପଦର ନିର୍ବାଚନରେ ବିଜେପିର ୨୦୪, ସପାର ୧୭୧, ବସପାର ୫୧, କଂଗ୍ରେସର ୪୪ ଓ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନଙ୍କୁ ଯାଇଛି ୭୪।

    ଶାହଜହାଂପୁର ସିଟ ନୂଆ ହୋଇଥିବାରୁ ଏହି ସିଟ ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ତିନି ଜଣ ମନ୍ତ୍ରୀ ଏହି ସିଟର ପ୍ରଚାର ଭାର ଗ୍ରହଣ କରିଥିଲେ। ତେବେ ସବୁଠାରୁ ବଡ ରଣନୀତି ଥିଲା, ସପାର ଘୋଷିତ ପ୍ରାର୍ଥୀ ଓ ୪୦ ବର୍ଷ କାଳ ସପା ସହ ରହିଥିବା ପୂର୍ବତନ ସାଂସଦ ରାମମୂର୍ତ୍ତି ବର୍ମାଙ୍କ ବୋହୂ ଅର୍ଚ୍ଚନା ବର୍ମାଙ୍କୁ ପାର୍ଟିରେ ମିଶାଇବା। ସେହିପରି ନଗର ପାଳିକାର ବିଭିନ୍ନ ସ୍ଥାନରୁ ନେତାଙ୍କୁ ନେଇ ନିଜ ଦଳରେ ସାମିଲ କରାଯାଇଥିଲା।

    ୟୁପିର ଏହି ନଗରପାଳିକା ନିର୍ବାଚନ ପାଇଁ ବିଜେପି ଚଳିତ ଥର ବିଶେଷକରି ମୁସଲମାନଙ୍କୁ ମଧ୍ୟ ପ୍ରଲୋଭିତ କରିବାକୁ ଚେଷ୍ଟା କରିଥିଲା। ବିଭିନ୍ନ ସ୍ଥାନରେ ନଗର ପାଳିକା ଓ ନଗର ପଞ୍ଚାୟତରେ ମୁସଲମାନ ପ୍ରତ୍ୟାଶୀଙ୍କୁ ଠିଆ କରାଯାଇଥିଲା। ଯାହା ଦଳର ମୁସଲମାନ ବିରୋଧୀ ଛବିକୁ ମଳିନ କରିବାରେ ସହାୟକ ହୋଇଥିଲା। ଏଥିସହ ଆଗାମୀ ଦିନ ପାଇଁ ଏହା ବିଜେପିର ରଣନୀତିର ଏକ ସଙ୍କେତ ଦେଇଛି। ସହରାଞ୍ଚଳର ବହୁ ଶିକ୍ଷିତ ମୁସଲମାନଙ୍କୁ ବିଜେପିରେ ସାମିଲ କରାଯାଇଥିଲା।

    Ś୨୦୧୭ ମୁନସିପାଲିଟି ନିର୍ବାଚନରେ ୟୁପିରେ ୧୬ ସିଟ ଥିଲା।  ସେଥିରୁ ବିଜେପି ଖାତାକୁ ଯାଇଥିଲା ୧୪ସିଟ। ମେରଟ, ଅଲିଗଡ ଉପରେ ଥିଲା ବିଏସପିର କବ୍ଜା। ଚଳିତ ନିର୍ବାଚନରେ ଶାହଜହାଂପୁର ନୂଆ କ୍ଷେତ୍ର ହୋଇଥିଲା। କିନ୍ତୁ ଚଳିତ ଥର ସବୁ ୧୭ ଆସନକୁ ନିଜ ଅକ୍ତିଆରକୁ ନେଇଛି ବିଜେପି। ଦଳ ପ୍ରତି ଥର ପରି ମାଇକ୍ରୋ ମ୍ୟାନେଜମେଣ୍ଟ କରି ସରକାରର ମନ୍ତ୍ରୀ ଓ ଦଳର ପଦାଧିକାରୀମାନଙ୍କୁ ଅଲଗା ଅଲଗା ନଗର ନିଗମ ଓ ନଗର ପାଳିକା ପରିଷଦର ଦାୟିତ୍ବ ଦେଇଥିଲା। ଗଣତି ଆରମ୍ଭରୁ ହିଁ ବିଜେପିର ରଣନୀତି ଗୋଟିଏ ପରେ ଗୋଟିଏ ସିଟ ଉପରେ ବିଜୟ ହାସଲ କରିଥିଲେ।

  • କିଏ ହେବେ ମୁଖ୍ୟମନ୍ତ୍ରୀ, ଶିବକୁମାର ନା ସିଦ୍ଧରମୟା ?

    କିଏ ହେବେ ମୁଖ୍ୟମନ୍ତ୍ରୀ, ଶିବକୁମାର ନା ସିଦ୍ଧରମୟା ?

    ଆସିଲା କର୍ଣ୍ଣାଟକ ନିର୍ବାଚନ ଫଳାଫଳ । ସଂଖ୍ୟା ଗରିଷ୍ଠତାର ବହୁତ ଆଗରେ ରହିଛି କଂଗ୍ରେସ ପାର୍ଟି । ହେଲେ ଏବେ ଦଳରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ବିଚାର ବିମର୍ସ । କର୍ଣ୍ଣାଟକ କଂଗ୍ରେସରେ ରହିଛନ୍ତି ଦୁଇ ଜଣ ଟାଣୁଆ ନେତା । ଜଣେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଦ୍ଧରମୟା ଆଉ ଜଣେ ହେଲେ ଡିକେ ଶିବକୁମାର । କଂଗ୍ରେସ ନିର୍ବାଚନ ପୂର୍ବରୁ ଦଳର ଚେହେରା କାହାକୁ କରାଯିବ ସେନେଇ କୌଣସି ଘୋଷଣା କରିନଥିଲା । ଦେବେ ଦଳର ବିଜୟ ପରେ ସିଏମ ଚେହେରାକୁ ନେଇ ସସପେନ୍ସ ଜାରି ରହିଛି । ନିର୍ବାଚନ ପୂର୍ବରୁ ଶିଦ୍ଧରମୟା ଏହା ତାଙ୍କର ଶେଷ ନିର୍ବାଚନ ବୋଲି ଏକ ଭାବନାତ୍ମକ କାର୍ଡ ଖେଳିଥିବା ବେଳେ ସେପଟେ ଡିକେ ଶିବକୁମାରଙ୍କ ଦଳପ୍ରତି ଥିବା ଅବଦାନକୁ କେହି ଅଗ୍ରାହ୍ୟ କରିପାରିବେ ନାହିଁ । ତେଣୁ, ଦଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସିଦ୍ଧରମୟା ଏବଂ ଡିକେ ଶିବକୁମାର ପ୍ରବଳ ଦାବିଦାର ରହିଛନ୍ତି । ଡିକେ ଶିବକୁମାର ଦଳର ପ୍ରଦେଶ ଅଧ୍ୟକ୍ଷ ଥିବା ବେଳେ ସିଦ୍ଧରମୟା ହେଉଛନ୍ତି ଦଳର ପ୍ରମୁଖ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ।
    ତେଣୁ, କଂଗ୍ରେସ ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାଛିବା ଏତେ ସହଜ ହେବ ନାହିଁ ।

    ଏହା ପୂର୍ବରୁ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଡିକେ ଶିବକୁମାର କହିଥିଲେ, ମୁଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦେଇଥିବା କଥା ରଖିପାରିଛି । ମୁଁ କର୍ଣ୍ଣାଟକବାସୀଙ୍କୁ ସେମାନଙ୍କ ଭଲପାଇବା ପାଇଁ ଅଶେଷ ଧନ୍ୟବାଦ ଜଣାଉଛି । ତାଙ୍କ ଗୋଡ ତଳେ ପଡି ତାଙ୍କ ଆଶୀର୍ବାଦ ମାଗୁଛି । ଆଉ ଏହି ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।

    ସେହିପରି ସିଦ୍ଧରମୟା କହିଛନ୍ତି, କଂଗ୍ରେସ ଦଳକୁ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି । ଆମେ ପ୍ରଚାର ବେଳେ କହିଥିଲୁ ଯେ, ଆମକୁ ୧୩୦ରୁ ଅଧିକ ଆସନ ମିଳିବାକୁ ଯାଉଛି । ଏହା ଆମ ପାଇଁ ବଡ ବିଜୟ । କର୍ଣ୍ଣାଟକବାସୀ ପରିବର୍ତ୍ତନ ଚାହୁଁଥିଲେ ସେମାନେ ଭାଜପା ସରକାର ଠାରୁ ମୁକ୍ତି ଚାହୁଁଥିଲେ । ଏହା ଲୋକସଭା ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ମଜବୁତ କରିବ । ଆଗାମୀ ଲୋକସଭା ନିର୍ବାଚନରେ ମଧ୍ୟ ଏହା ଦଳ ପାଇଁ ବହୁତ ସହାୟକ ହେବ । ଏଥିସହିତ ଜନସାଧାରଣଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି ।

  • ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

    ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ

    ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଉପରେ କୋଲକାତା ହାଇକୋର୍ଟଙ୍କ କଠୋର କାର୍ଯ୍ୟାନୁଷ୍ଠାନ। ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତାକୁ ନେଇ ଦାୟର ଯାଚିକାର ଶୁଣାଣି କରି ଦୁର୍ନୀତିର ପ୍ରମାଣ ପାଇବା ପରେ କାଲ୍‌କାଟା ହାଇକୋର୍ଟ ପଶ୍ଚିମବଙ୍ଗରେ ପ୍ରାୟ ୩୬,୦୦୦ ପ୍ରାଥମିକ ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଛନ୍ତି।

    ରାଜ୍ୟ ସରକାରର ଅନୁଦାନ ପ୍ରାପ୍ତ ଏବଂ ପ୍ରାୟୋଜିତ ସ୍କୁଲ୍‌ଗୁଡ଼ିକରେ ନିଯୁକ୍ତି ପାଇବା ବେଳେ ସେମାନେ ଅଣତାଲିମପ୍ରାପ୍ତ ଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର ଅନୁପଳନ କରା ନ ଯାଇ ଏତେ ସଂଖ୍ୟକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହା ଉପରେ ରାୟ ଶୁଣାଇ କୋର୍ଟ ଶିକ୍ଷକଙ୍କ ନିଯୁକ୍ତି ରଦ୍ଦ କରିଦେଇଛନ୍ତି। ଏଥିସହ ବିଚାରପତି ଅଭିଜିତ ଗ‌ଙ୍ଗୋପାଧ୍ୟାୟ କହିଛନ୍ତି କି, ରାଜ୍ୟରେ ପୂର୍ବରୁ କେବେ ଏଭଳି ବଡ଼ଧରଣର ଘୋଟାଲା ହୋଇ ନ ଥିଲା। ତେଣୁ, ୨୦୧୬ରେ ପ୍ରାଥମିକ ଶିକ୍ଷକ ପଦବୀ ନିମନ୍ତେ ବ‌ୋର୍ଡର ନିଯୁକ୍ତି ପ୍ରକ୍ରିୟା ସମୟରେ ଅଣତାଲିମପ୍ରାପ୍ତ ଥିବା ୩୬,୦୦୦ ପ୍ରାର୍ଥୀଙ୍କ ନିଯୁକ୍ତିକୁ ରଦ୍ଦ କରାଗଲା।

    ବିଚାରପତି ଗଙ୍ଗୋପାଧ୍ୟାୟ ହାଇକୋର୍ଟ ୱେବ୍‌ସାଇଟ୍‌ରେ ଗତ ରାତି ୧୧ଟାରେ ୧୭ପୃଷ୍ଠା ସମ୍ବଳିତ ରାୟ ଅପ୍‌ଲୋଡ୍‌ କରିଥିଲେ। ରାୟରେ ଆହୁରି ମଧ୍ୟ କହିଛନ୍ତି ଯେ, ବିନା ‘ଆପ୍‌ଟିଚ୍ୟୁଡ୍‌ ଟେଷ୍ଟ୍‌’ରେ ଉକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା, ଯାହା ଅବୈଧ।

    ତେବେ  ନିଯୁକ୍ତି ରଦ୍ଦ ହୋଇଥିବା ୩୬,୦୦୦ ଶିକ୍ଷକ ଆଉ ୪ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ। କିନ୍ତୁ, ତାଙ୍କର ବେତନ ଜଣେ ‘ପାରା ଟିଚର୍‌’ର ବତନ ସହ ସମାନ ରହିବ। ଏଥିସହ ଆହୁରି ନିର୍ଦ୍ଦେଶ ଦେଇଛନ୍ତି କି, ୩ ମାସ ମସରେ ପଶ୍ଚିମବଙ୍ଗ ସରକାର ଖାଲିପଡ଼ିଥିବା ଶିକ୍ଷକ ପଦବୀ ସବୁ ପୂରଣ କରିବ।

  • ସୁପ୍ରିମକୋର୍ଟ ରାୟ ବିରୋଧରେ ସୋମବାର ରାସ୍ତାକୁ ଓହ୍ଲାଇବ ଶେହବାଜ ସରକାର

    ସୁପ୍ରିମକୋର୍ଟ ରାୟ ବିରୋଧରେ ସୋମବାର ରାସ୍ତାକୁ ଓହ୍ଲାଇବ ଶେହବାଜ ସରକାର

    ପାକିସ୍ତାନରେ ଚାଲିଛି ହାଇ ଭୋଲ୍ଟେଜ ଡ୍ରାମା । ସରକାର, ବିରୋଧି ଆଉ ସୁପ୍ରିମକୋର୍ଟ ମଧ୍ୟରେ ଚାଲିଛି ବଳ କସାକସି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି । ତାଙ୍କୁ କୋର୍ଟ ଦ୍ବାରା ୨ ସପ୍ତାହର ଜାମିନ ଦିଆଯାଇଛି । ଅଲ କାଦିର ଟ୍ରଷ୍ଟ ମାମଲାରେ ତାଙ୍କୁ ଶେହବାଜ ସରକାରଙ୍କ ଦ୍ବାରା ଜବରଦସ୍ତି ଗିରଫ କରାଯାଇଥିଲା । ଆଉ ସୁପ୍ରିମକୋର୍ଟର ଏହି ନିଷ୍ପତ୍ତ ଉପରେ ରାଗିକି ଖପ୍ପା ଶେହବାଜ ସରକାର । ତେଣୁ, ଶାସକ ଦଳ ପକ୍ଷରୁ ସୁପ୍ରିମକୋର୍ଟର ରାୟ ବିରୋଧରେ ସୋମବାର ତୀବ୍ର ଆନ୍ଦୋଳନ କରାଯିବା ନେଇ ଘୋଷଣା କରାଯାଇଛି ।

    ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରବର୍ତ୍ତୀ ରଣନୀତି ସ୍ଥିର କରାଯାଇଛି । ଡେମୋକ୍ରାଟିକ ମୁଭମେଣ୍ଟର ପ୍ରମୁଖ ମୌଲାନା ଫଜଲୁର ରହମାନ କହିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଆମେ ସହଜରେ ଗ୍ରହଣ କରିପାରୁ ନାହୁଁ । ତେଣୁ, ଏହାର ତୀବ୍ର ବିରୋଧ କରାଯିବ । ଏହି ବିରୋଧ ପାଇଁ ସମଗ୍ର ଦେଶବାସୀଙ୍କୁ ଇସଲାମବାଦ ଅଭିମୁଖେ ଆସିବାକୁ ଆହ୍ବାନ କରାଯାଇଛି । ସୋମବାର ଦିନ ସୁପ୍ରିମକୋର୍ଟ ଆଗରେ ତିବ୍ର ବିରୋଧ କରାଯିବ ।

    ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶୁକ୍ରବାର ସକାଳେ ଇସଲାମବାଦ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ସମୟ ଶୁଣାଣି ପରେ ତାଙ୍କୁ ଜାମିନ ମିଳିଥିଲା । ତାଙ୍କୁ ଦୁଇ ସପ୍ତାହର ଜାମିନ ଦିଆଯାଇଥିବା ବେଳେ ସୋମବାର ପର୍ଯ୍ୟନ୍ତ ଅନ୍ୟ କୌଣସି ମାମଲାରେ ଗିରଫ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

  • କର୍ଣ୍ଣାଟକରେ ବିଜୟର ନିକଟତର କଂଗ୍ରେସ, ବିଜୟୀ ବିଧାୟକଙ୍କୁ ଏକାଠି ରଖିବାକୁ ଯୋଜନା

    କର୍ଣ୍ଣାଟକରେ ବିଜୟର ନିକଟତର କଂଗ୍ରେସ, ବିଜୟୀ ବିଧାୟକଙ୍କୁ ଏକାଠି ରଖିବାକୁ ଯୋଜନା

    କର୍ଣ୍ଣାଟକରେ ବିଜେପିକୁ ଧକ୍କା ଲାଗିପାରେ କାରଣ କଂଗ୍ରେସ ବିଜୟର ନିକଟତର ହେଉଛି । ଏଭଳି ସ୍ଥିତିରେ ବିଧାୟକମାନଙ୍କ ସୁରକ୍ଷା ଲାଗି କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ତାର ସମସ୍ତ ବିଧାୟକଙ୍କୁ ତାମିଲନାଡୁ ନେଇଯିବାକୁ ଯୋଜନା କରୁଛି ଦଳ । ଏଥିପାଇଁ ଡିଏମ୍‌କେ ନେତୃତ୍ବ ସହିତ ଯୋଗା‌ଯୋଗ ଚାଲିଥିବା ଜାତୀୟ ଗଣମାଧ୍ୟମରୁ ଖବର ମିଳିଛି ।

    ଚଳିତ ନିର୍ବାଚନରେ ୧୧୦ରୁ ୧୧୫ଟି ଆସନ ପାଇବା ଆଶା ରଖିଛି କଂଗ୍ରେସ । ତେଣୁ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଯୋଜନା କରିଛି । ବିଧାୟକମାନଙ୍କୁ ତାମିଲନାଡୁ ନେଇଯିବାକୁ ଦଳ ଯୋଜନା କରୁଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚିତ କଂଗ୍ରେସ ବିଧାୟକମାନଙ୍କୁ ପ୍ରଥମେ ବେଙ୍ଗାଳୁରୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ, କଂଗ୍ରେସ ୧୨୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ।

    ଆଜି କାଉଣ୍ଟିଂ ଆରମ୍ଭରୁ ହିଁ ବିଭିନ୍ନ ଆସନରେ ଅଗ୍ରଣୀ ରହିଥିଲା କଂଗ୍ରେସ । ଏହାପରେ ଦଳ ପକ୍ଷରୁ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରାର ଭିଡିଓ ପୋ‌ଷ୍ଟ କରାଯାଇଥିଲା । ରାହୁଲ ହିଁ ଶ୍ରେଷ୍ଠ । ଦଳର ସଫଳତାର ଶ୍ରେୟ ରାହୁଲ୍‌ ଗାନ୍ଧିଙ୍କ ପଦଯାତ୍ରାକୁ ଦିଆଯାଇଛି । ଏଥର ଦଳର ଉତ୍ତମ ପ୍ରଦର୍ଶନରେ ତାଙ୍କର ପଦଯାତ୍ରା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ନେତା କହିଛନ୍ତି । ସେପଟେ, କର୍ଣ୍ଣାଟକ ଫଳାଫଳରେ ରାହୁଲ ଗାନ୍ଧିଙ୍କ ଯାତ୍ରା ସମୟର ବାତାବରଣ ପରିଲକ୍ଷିତ ହେଉଥିବା ଟ୍ୱିଟ୍ କରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍‌ଲଟ୍‌ ।

  • କୋରୋନା ଟେନସନ୍, ୨୪ ଘଣ୍ଟାରେ ଗଲା ୧୪ ଜୀବନ

    କୋରୋନା ଟେନସନ୍, ୨୪ ଘଣ୍ଟାରେ ଗଲା ୧୪ ଜୀବନ

    ଦେଶରେ କୋରୋନା ପୁଣି ତାର କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୧ ହଜାର ୨୨୩ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ୧,୨୨୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪.୪୯ କୋଟିରେ ପହଞ୍ଚିଛି । ସେହିପରି ଗତ ୨୪ ‌ଘଣ୍ଟାରେ ୧୪ ଜଣଙ୍କ ଜୀବନ ନେଇଛି କୋରୋନା । ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୧ ହଜାର ୭୬୭କୁ ବୃଦ୍ଧି ପାଇଛି । ..

    ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ କିଛି ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ହେଉଛି ୪ କୋଟି ୪୪ ଲକ୍ଷ ୩୧ ହଜାର ୧୩୭ ରହିଛି । ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି । ସେପଟେ, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୪୯୮କୁ ହ୍ରାସ ପାଇଥିବା ରେକର୍ଡ କରାଯାଇଛି । ଏହା ଦେଶର ସମୁଦାୟ ସଂକ୍ରମଣର ୦.୦୪ ପ୍ରତିଶତ ରହିଛି । ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୨୦ କୋଟି ୬୬ ଲକ୍ଷ ୮୯ ହଜାର ୯୯୩ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

    କୋଭିଡ୍ ମୁକାବିଲା ପାଇଁ କିଛି ରାଜ୍ୟରେ କଟକଣା ଜାରି ରହିଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆମ ରାଜ୍ୟରେ ମଧ୍ୟ ସରକାର ପ୍ରସ୍ତୁତ ଥିବାବେଳେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ମେଡିକାଲ ଗୁଡ଼ିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶନାମା ମାନିବା, ସତର୍କତା ଅବଲମ୍ବନ କଲେ ଆମେ ସୁସ୍ଥ ରହିବା ସହ ଅନ୍ୟମାନଙ୍କ ଜୀବନ ବି ବଞ୍ଚାଇପାରିବା । ତେଣୁ ମୁକାବିଲା କ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ଏବଂ ସହଯୋଗ ଜରୁରୀ ହୋଇଛି ।