ବଜରଙ୍ଗ ଦଳ ସହ ବଜରଙ୍ଗ ବଲିଙ୍କୁ ତୁଳନା ହେଲା କାଳ: କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଘୋଷଣା ହୋଇନଥିଲେ ମଧ୍ୟ କଂଗ୍ରେସର ବିଜୟ ସ୍ଥିର ନିଶ୍ଚିତ ହୋଇଯାଇଛି। ଏହା ପରେ ବିଜେପି ଉପରେ କଂଗ୍ରେସ ନେତାଙ୍କ ଆରମ୍ଭ ହୋଇଗଲାଣି ବୟାନ ବାଜି। କେହି କେହି ରାହୁଲ ଗାନ୍ଧୀ ଏବଂ ତାଙ୍କର ‘ଭାରତ ଯୋଡୋ ଯାତ୍ରା’କୁ କଂଗ୍ରେସର ବିଜୟର ଶ୍ରେୟ ଦେଉଥିବା ବେଳେ କେହି କେହି ଏହାକୁ ୨୦୨୪ପୂର୍ବରୁ ‘ ବିରୋଧୀ ଏକତା’ର ବାର୍ତ୍ତା ବୋଲି କହୁଛନ୍ତି।

କର୍ଣ୍ଣାଟକରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ ଉପରେ ଦଳର ମୁଖପାତ୍ର ପବନ ଖେଡା କହିଛନ୍ତି, ଏଭଳି ନିର୍ବାଚନ ଫଳାଫଳ ରାତାରାତି ଆସେ ନାହିଁ। ଏହା ଭାରତ ଯୋଡୋ ଯାତ୍ରାରୁ ଆରମ୍ଭ ହୋଇ ୫ଗ୍ୟାରେଣ୍ଟି କାର୍ଡ ସହିତ ସମାପ୍ତ ହୋଇଥିଲା। ହନୁମାନଜୀଙ୍କ ଭକ୍ତମାନେ ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଚିତ ଜବାବ ଦେଇଛନ୍ତି। ଲୋକମାନେ ସେହି ବର୍ଣ୍ଣନାକୁ ପ୍ରତ୍ୟାଖ୍ୟାନ କଲେ ଯେଉଁଠାରେ ଈଶ୍ବରଙ୍କୁ ‘ବଜରଙ୍ଗ ଦଳ’ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଥିଲା। ଯଦି ‘ବଜରଙ୍ଗ ଦଳ’କୁ ‘ବଜରଙ୍ଗ ବଲି’ଙ୍କ ସହିତ ତୁଳନା କରାଯାଏ ତେବେ ପରିଣାମ ଏଭଳି ହେବ।  ସେପଟେ ସୋସିଆଲ ମିଡିଆରେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହେବ ବୋଲି ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଟ୍ବିଟରରେ #ବିଜେପିମୁକ୍ତସାଉଥଇଣ୍ଡିଆ ଟ୍ରେଣ୍ଡ କରୁଥିବା ଦେଖାଯାଇଛି।

ଏଥି ମଧ୍ୟରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ପରାଜୟ ସ୍ବୀକାର କରିଛନ୍ତି। ଅନ୍ୟପକ୍ଷରେ ହାର ମାନି ବୋମ୍ମାଇ କହିଛନ୍ତି, ପ୍ରଧାନମନ୍ତ୍ରୀ ଓ ‘ବିଜେପି’ କର୍ମୀମାନଙ୍କର ବହୁ ଉଦ୍ୟମ ସତ୍ତ୍ବେ ଆମେ ସନ୍ତୋଷଜନ ଫଳ ପାଇବାକୁ ସମର୍ଥ ହେଲୁ ନାହିଁ। ସମ୍ପୂର୍ଣ୍ଣ ପରିଣାମ ପ୍ରକାଶ ପାଇବା ପରେ ଆମେ ସବିଶେଷ ସମୀକ୍ଷା କରିବୁ। ଏହି ଫଳାଫଳକୁ ଆଧାର କରି ଆମେ ଲୋକସଭା ନିର୍ବାଚନରେ ଜିଣିବାକୁ ଉଦ୍ୟମ କରିବୁ।

ସେପଟେ ଜନମତର ଟ୍ରେଣ୍ଡକୁ ଦେଖି କଂଗ୍ରେସ ଶିବିରରେ ଆରମ୍ଭ ହୋଇଗଲାଣି ଉତ୍ସବର ମାହୋଲ। ମିଠା, ବାଣ ସବୁ ପ୍ରସ୍ତୁତ ରହିଲାଣି ବିଭିନ୍ନ କଂଗ୍ରେସ ଅଫିସରେ। ନିର୍ବାଚନ ଗଣତିର ଶେଷ ପର୍ଯ୍ୟାୟର ଫଳାଫଳ ବାହାରିଲେ ଆରମ୍ଭ ହୋଇଯିବା ଉତ୍ସବ।

Leave a Reply

Your email address will not be published. Required fields are marked *