କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍, ଘୃଣା ଆଉଟ୍ ପ୍ରେମ ଇନ୍

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍ । ଶେଷରେ ବିଜେପିକୁ ଆଉଟ୍ କରିଛି କଂଗ୍ରେସ । ୨୨୪ରୁ ଦଳକୁ ମିଳିଛି ୧୩୬ ଆସନ । ବିଜେପି ୬୫ ଆସନ ଦଖଲ କରଥିବା ବେଳେ JDSକୁ ମିଳିଛି ୧୯ ଆସନ । ସେହିପରି ଅନ୍ୟାନ୍ୟ ଦଳକୁ ମାତ୍ର ୪ଟି ସିଟ୍ ଯାଇଛି । ଦୀର୍ଘଦିନର ବାଦବିବାଦ, ବୟାନବାଜି, ବିବାଦୀୟ ମନ୍ତବ୍ୟ ପରେ ଶେଷରେ କର୍ଣ୍ଣାଟକ ଶାସନ କ୍ଷମତା ପାଇଛି କଂଗ୍ରେସ ।

ଏବେ କିଏ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବ ସେ ନେଇ ପ୍ରଶ୍ନ ଉଠିଛି । ଶିବକୁମାର ନା ସିଦ୍ଧରମେୟା ..। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ବିପୁଳ ବିଜୟ ମିଳିବା ପରେ ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଟେନସନରେ ପକାଇଛି । ଦଳ ବହୁମତଠୁ ଅଧିକ ଆସନ ଜିତିଛି ସତ, ହେଲେ କାହା ହାତରେ କର୍ଣ୍ଣାଟକ ଦିଆଯିବ ସେ ସସପେନ୍ସ ଲାଗି ରହିଛି ।

ବିଧାୟକ ଦଳ ବୈଠକରେ କଂଗ୍ରେସର ଜିତିଥିବା ପ୍ରାର୍ଥୀ ପ୍ରସ୍ତାବ ପାରିତ କରି ହାଇକମାଣ୍ଡଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ି ପାରନ୍ତି । ତେବେ କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ପ୍ରମୁଖ ଦାବିଦାରି ସିଦ୍ଧରମେୟା ଏବଂ ଡିକେ ଶିବକୁମାର । ଶିବକୁମାର ବର୍ତ୍ତମାନ ରାଜ୍ୟ କଂଗ୍ରେସ ସଭାପତି ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କର୍ଣ୍ଣାଟକର ବଡ଼ ନେତା ଭାବରେ ପରିଚିତ । ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରୁ କିଏ ସିଏମ୍ ହେବ ତାହା ଦଳ ପାଇଁ କାଠିକର ପାଠ ।

ନିର୍ବାଚନରେ ବଡ଼ ବିଜୟ ପରେ ଶିବକୁମାର ମନେ ପକାଇଛନ୍ତି ଯେ ସୋନିଆ ଏବଂ ରାହୁଲ ଗାନ୍ଧିଙ୍କୁ ଯେଉଁ କଥା ଦେଇଥିଲେ ତାହା ପୂରଣ ହୋଇଛି । ସମର୍ଥନ ପାଇଁ କର୍ଣ୍ଣାଟକବାସୀଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଲୋକମାନେ ଆମ ଉପରେ ବିଶ୍ୱାସ କରି ଭୋଟ୍ ଦେଇଥିବା କହିଛନ୍ତି ଶିବକୁମାର ।

ସିଦ୍ଧରମେୟା କହିଛନ୍ତି ଯେ କ୍ୟାମ୍ପେନ ସମୟରେ କହିଥିଲୁ ଯେ କଂଗ୍ରେସକୁ ପ୍ରାୟ ୧୩୦ ଆସନ ମିଳିବ ଯାହା ଏକ ବଡ଼ ବିଜୟ । କର୍ଣ୍ଣାଟକର ଲୋକ ପରିବର୍ତ୍ତନ ଚାହୁଁଥିଲେ ଯାହା ଆଜି ସମ୍ଭବ ହୋଇଛି । ବିଜେପି ସରକାରରେ ଲୋକେ ଅତିଷ୍ଠ ହୋଇ ଶେଷରେ କଂଗ୍ରେସକୁ ବାଛିନେଲେ । ଆଗାମୀ ନିର୍ବାଚନରେ ରାହୁଲ ଗାନ୍ଧି ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା ରଖିଥିବା କହିଛନ୍ତି ସିଦ୍ଧରମେୟା ।

ସେପଟେ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏ ବିଜୟର ଶ୍ରେୟ କର୍ଣ୍ଣାଟକ ଜନତାଙ୍କୁ ଦେଇଛନ୍ତି । ଘୃଣାର ବଜାର ବନ୍ଦ ହୋଇଯାଇଥିବା ବେଳେ ପ୍ରେମର ଦୋକାନ ଖୋଲିଛି । ପ୍ରଥମ କ୍ୟାବିନେଟରେ ହିଁ କଂଗ୍ରେସ ଦେଇଥିବା ୫ ପ୍ରତିଶ୍ରୁତି ପୂରଣ କରିବ ।

ଅନ୍ୟପକ୍ଷରେ ପରାଜୟର ସାମ୍ନା କରିଥିବା ବିଜେପି ପୁଣିଥରେ ଅପରେସନ ଲୋଟସ୍ ଚଳାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶ ଭଳି କର୍ଣ୍ଣାଟକରେ ବିଦ୍ରୋହୀ ସିନ୍ଧିଆ ଖୋଜୁଛି ବିଜେପି । ଡିକେ ଶିବକୁମାର ଏବଂ ସିଦ୍ଧରମେୟାଙ୍କ ମଧ୍ୟରୁ କାହାକୁ ବି ଧରିପାରେ ବିଜେପି । କଂଗ୍ରେସକୁ ସରକାର ଗଢ଼ିବାରେ ସମସ୍ୟା ହେବା ଆଶଙ୍କା ରହିଛି । ଅନେକ ଥର ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ପାଇଁ ଦାବିଦାର ଥିବା କହିସାରିଥିବା ବେଳେ ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ନେଇ କେବେ ବି କିଛି କହିନାହାଁନ୍ତି ।

Leave a Reply

Your email address will not be published. Required fields are marked *