ସମ୍ବଲପୁର: ୧୫ ଦିନ ପରେ ବନ୍ଦ ଘରୁ ମା’ଓ ୨ ଶିଶୁଙ୍କ ମୃତଦେହ ଠାବ

ସମ୍ବଲପୁର ଜିଲ୍ଲାରେ ଚାଞ୍ଚଲ୍ୟ । ବନ୍ଦ ଘରୁ ତିନି ଜଣଙ୍କ ମୃତଦେହ ଠାବ କରାଯାଇଛି । ଘରୁ ଜଣେ ମହିଳା ଓ ୨ ଶିଶୁଙ୍କ ମୃତଦେହ ମିଳିଛି । ମୃତ ଶିଶୁଙ୍କ ମଧ୍ୟରେ ୪ ବର୍ଷୀୟ ଝିଅ ଓ ୭ ବର୍ଷୀୟ ପୁଅ ଅଛନ୍ତି । ଗତ ୧୫ ଦିନ ହେଲା ଘରଟି ବାହାରୁ ତାଲା ପଡ଼ି ବନ୍ଦ ରହିଥିଲା । ଏବେ ଏହି ଘଟଣା ପଦାକୁ ଆସିଛି ।

କିଏ, କାହିଁକି ସେମାନଙ୍କୁ ହତ୍ୟା କଲା । ନା ମହିଳା ଆତ୍ମହତ୍ୟା କରି ପିଲାଙ୍କୁ ମାରିଦେଲେ । ଏହାରି ଭିତରେ ଅନେକ ପ୍ରଶ୍ନ । ପୂର୍ବରୁ ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ଧନୁପାଲ୍ଲୀ ଥାନା ପୋଲିସ ଏଭଳି ଏକ ଘଟଣାର ତଦନ୍ତ ଜାରି ରଖିଛି । ମୃତ ମହିଳାଙ୍କ ନାମ ସାଜିଆ ପରବୀନ । ମୃତକଙ୍କ ପଡ଼ୋଶୀ କହିଛନ୍ତି ଯେ ଜଣେ ରଙ୍ଗମିସ୍ତ୍ରୀ, ମହିଳାଙ୍କ ଘରକୁ ଯାଆସ କରୁଥିଲେ । ହେଲେ କିଛି ଦିନ ହେଲା ସେ ଆଉ ଆସୁନାହାଁନ୍ତି । ଏହି ହତ୍ୟାକାଣ୍ଡ ପଛରେ ତାଙ୍କର ସଂପୃକ୍ତି ଥିବା ନେଇ ସନ୍ଦେହ କରିଛି ପୋଲିସ ।

୧୫ ଦିନ ହେଲା ୩ଟି ମୃତଦେହ ଘର ଭିତରେ ପଡ଼ିଥିବାରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘରୁ ପଚାଗନ୍ଧ ନିର୍ଗତ ହେଉଥିଲା । ହେଲେ ତଳ ମହଲାରେ କୁକୁଡ଼ା ମାଂସ ଦୋକାନ ଥିବାରୁ ଏଭଳି ଗନ୍ଧକୁ କିଏ ବାରି ପାରିନଥିଲେ । ତେବେ ତଳ ମହଲାରେ ଥିବା ଦୋକାନୀ ଆଜି ପୋଲିସକୁ ଖବର ଦେଇଥିଲେ । ଧନୁପାଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗିଥିଲା । ହେଲେ ଘର ଭିତରେ ପଶିବା ପରେ ଆଷ୍ଚର୍ଯ୍ୟ ହୋଇଥିଲା ପୋଲିସ । ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ମୃତଦେହ ବ୍ୟବଛେଦ ପାଇଁ ପଠାଯିବ ବୋଲି ସଦର ଏସଡିପିଓ କହିଛନ୍ତି । ସେପଟେ, ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *