Category: ଦେଶ-ବିଦେଶ

  • ଓକିଲଙ୍କ ମନମୁଖି ଉପରେ ସର୍ବୋଚ୍ଚ ଅଦାଲତଙ୍କ କଡା ଆଭିମୁଖ୍ୟ

    ଓକିଲଙ୍କ ମନମୁଖି ଉପରେ ସର୍ବୋଚ୍ଚ ଅଦାଲତଙ୍କ କଡା ଆଭିମୁଖ୍ୟ

    ଆଉ ଚାଲିବନି ଓକିଲଙ୍କ ମନମୁଖି। ଦେଇପାରିବେନି ଧର୍ମଘଟର ଧମକ। କି କୋର୍ଟଙ୍କ କାର୍ଯ୍ୟରେ କରି ପାରିବେନି ଅବହେଳା। ଏମିତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ। ଗୁରୁବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଆଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ କରିବାକୁ କୋର୍ଟ ସମସ୍ତ ରାଜ୍ୟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଟି ନିକଟରେ ଆଇନଜୀବୀମାନେ ଆବେଦନ କରି ସମସ୍ୟାର ସମାଧାନ କରିପାରିବେ।

    ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜିଲା କୋର୍ଟ ସ୍ତରରେ ମଧ୍ୟ ପୃଥକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବା ଉଚିତ। ଓକିଲମାନେ ଏଠାରେ ପ୍ରକୃତ ଅଭିଯୋଗର ମାମଲା ମଧ୍ୟ ପଞ୍ଜିକରଣ କରିପାରିବେ। ଏଥିସହ, ବାରର କୌଣସି ସଦସ୍ୟ ଧର୍ମଘଟ କରିପାରିବେ ନାହିଁ। ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

  • ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ

    ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ

    ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କୋରୋନା। ସିଂହଙ୍କଠାରେ କୋରୋନାର ହାଲକା ଲକ୍ଷଣ ଦେଖା ଦେବା ପରେ ସେ ନିଜକୁ ହୋମ କ୍ୱାରେଣ୍ଟାଇନ ରଖିଛନ୍ତି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ରକ୍ଷା ମନ୍ତ୍ରୀଙ୍କୁ ଦିଲ୍ଳୀରେ ବାୟୁ ସେନାର କମାଣ୍ଡରମାନଙ୍କ ସହ କନଫେରେନ୍ସରେ ଭାଗନେବାର ଥିଲା। କିନ୍ତି କୋରୋନା ପଜିଟିଭ ଜଣାପଡିବା ପରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ।  

    ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ କୋଭିଡ 19 ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଗତ 24 ଘଣ୍ଟାରେ 12ହଜାର 591 ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4.48 କୋଟିରେ ପହଞ୍ଚିଛି। ଏହା ପୂର୍ବରୁ 8 ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ସେହିପରି, ସୁସ୍ଥ ସଂଖ୍ୟା ବୃଦ୍ଧିପାଇ 65,286 ଛୁଇଁଛି। ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି କି, 24 ଘଣ୍ଟାରେ 40 ମୃତ୍ୟୁ ଘଟି ମୋଟ ମୃତ୍ୟୁ ସଂଖ୍ୟା 5,31,230 ହୋଇଛି।

  • ଦଳାଚକଟାରେ ଚାଲିଗଲା 85ରୁ ଅଧିକ ଜୀବନ

    ଦଳାଚକଟାରେ ଚାଲିଗଲା 85ରୁ ଅଧିକ ଜୀବନ

    ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନରେ ମରଣାନ୍ତକ ଦଳାଚକଟା। ଦଳାଚକଟାରେ 85 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗୁରୁବାର ସେଠାରେ ଯୁଦ୍ଧ କ୍ଷତିଗ୍ରସ୍ତଙ୍କ ପାଇଁ ଆୟୋଜିତ ଏକ ମାଗଣା ବଣ୍ଟନ କାର୍ଯ୍ୟକ୍ରମ ବେଳେ ଏପରି ଅଘଟଣ ଘଟିଛି। ଚଳିତ ଦଶକରେ ଘଟିଥିବା ବିଭିନ୍ନ ଦଳାଚକଟା ଘଟଣା ଭିତରେ ଏହା ସବୁଠାରୁ ବଡ ଘଟଣା। ମୁସଲମାନଙ୍କ ପବିତ୍ର ଇଦ ଅଲ-ଫିତରର ଅବ୍ୟବହିତ ପୂର୍ବରୁ ଆରବ ଉପଦ୍ୱୀପର ଏହି ସବୁଠାରୁ ଗରିବ ରାଷ୍ଟ୍ରରେ ଏପରି ଅଘଟଣ ଘଟିଯାଇଛି।

    ହୁଥି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ଅଲ ମସିରାହ ଟିଭି ଚାନେଲରେ ଦଳାଚକଟାର ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ମାଗଣା ସାମଗ୍ରୀ ପାଇବାକୁ ସେଠାରେ ପ୍ରବଳ ଭିଡ ହୋଇଥିଲା। ସାମଗ୍ରୀ ପାଇବାକୁ ଲୋକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଆଉ ଏହି ଧକ୍କା ପେଲା ଭିତରେ କିଛି ତଳେ ପଡିଯାଇଥିଲେ।  ଏଥିପ୍ରତି କାହାରି ନଜର ନ ଥିଲା। ପଡିରହିଥିବା ଲୋକଙ୍କୁ ଦଳିଚକଟି ବଣ୍ଟନସ୍ଥଳି ଆଡକୁ ଧାଇଁଥିଲେ ଅନ୍ୟମାନେ।  ଆଉ ଏହାରି ଭିତରେ ଅନେକଙ୍କ ଚାଲିଯାଇଥିଲା ଜୀବନ। ମୃତଦେହ ଉପରେ ଚଢି ନିଜ ପାଇଁ ରାସ୍ତା ପ୍ରସ୍ତୁତକରି ଥିଲେ ଲୋକେ। ନିଜ ଲୋକଙ୍କ ମୃତଦେହ ଦେଖି ମଧ୍ୟ ସେମାନଙ୍କ  ଭିତରେ ନଥିଲା ସାମାନ୍ୟତମ ସମ୍ବେଦନା। ଲୋକଙ୍କ ପାଦତଳେ ଚାପି ହୋଇ ଅନେକ ମୃତଦେହ ଲୁଚିଯାଉଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳୁଛି।

    ଅନ୍ୟପଟରେ ଏପରି ଦୁର୍ଘଟଣା ପରେ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକ ଓ ସୁରକ୍ଷାବଳ ତଳେ ପଡିଥିବା ଲୋକଙ୍କ ଉଦ୍ଧାର ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ଭିଡିଓରେ। ଘଟଣାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

    ୟେମେନର ରାଜଧାନୀ ସାନାରେ ଆୟୋଜିତ ଦାତବ୍ୟ କାର୍ଯ୍ୟକ୍ରମରେ ହୋଇଥିବା ଦଳାଚକଟାରେ ଅନ୍ୟୁନ 85 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 322ରୁ ଅଧିକ ଆହତ ହୋଇଥିବା ଜଣେ ହୁଥି ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ରହିଛନ୍ତି। ରାଜଧାନୀର ଏକ ସ୍କୁଲରେ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ମାଗଣା ବଣ୍ଟନର ଖବର ମିଳିବା ପରେ ସେଠାକୁ ଏହି ଗରିବ ରାଷ୍ଟ୍ରର ହଜାର ହଜାର ସଂଖ୍ୟକ ଲୋକଙ୍କ ସୁଅ ଛୁଟିଥିଲା ।

  • ରାହୁଲଙ୍କୁ ସୁରଟ ସେସନ କୋର୍ଟରୁ ଝଟକା

    ରାହୁଲଙ୍କୁ ସୁରଟ ସେସନ କୋର୍ଟରୁ ଝଟକା

    ସୁରଟ ସେସନ କୋର୍ଟରୁ କଂଗ୍ରେସ ନେତା ରାହୁଲଙ୍କୁ ଝଟକା।  ଏକ ଅପରାଧିକ ମାନହାନୀ ମକଦମାରେ ତାଙ୍କ ବିରୋଧରେ ଦୋଷ ସାବ୍ୟସ୍ତ କରିବା ଉପରେ ସ୍ଥଗିତାଦେଶ ଜାରି କରିବାକୁ ତଥା ତାଙ୍କ ସଂସଦର ସଦସ୍ୟତାକୁ ବଳବତ୍ତର ରଖିବାକୁ  ରାହୁଲଙ୍କ ଦ୍ୱାରା ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଫଳରେ ପାର୍ଲାମେଣ୍ଟରେ ପୁନଃ ପ୍ରତିଷ୍ଠିତ ହୋଇପରିବେ ନାହିଁ।  ମୋଦି ସାଜ୍ଞାକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପି ନେତା ପୁର୍ନେଶ ମୋଦି ଅଭିଯୋଗ କରିଥିଲେ।

    ବିଚାରପତି ରବିନ ମୋଗେରା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। 2019 ନିର୍ବାଚନ ରାଲି ସମୟରେ ସବୁ ମୋଦି କାହିଁକି ଚୋର ପରି ବୟାନକୁ ନେଇ ବିଜେପି ନେତାଙ୍କ ଆଭିଯୋଗ ଆଧାରରେ ପୂର୍ବରୁ ମାର୍ଚ୍ଚ 23 ତାରିଖରେ ସୁରଟ ମେଟ୍ରୋପଲିଟାନ କୋର୍ଟ ଏହି ମାମଲାରେ ରାହୁଲଙ୍କୁ 2 ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ସେହି ଦିନ ସେସନ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଥିସହ ଉଚ୍ଚ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ମେଟ୍ରୋପଲିଟାନ କୋର୍ଟଙ୍କ ରାୟ ପରେ ମାର୍ଚ୍ଚ 24ରେ  ରାହୁଲଙ୍କୁ ତାଙ୍କ ୱାୟନାଡ ସାଂସଦ ପଦ ହରାଇବାକୁ ପଡିଥିଲା ତଥା ତାଙ୍କ ସରକାରୀ କ୍ୱାଟର ମଧ୍ୟ ଛାଡିବାକୁ ହୋଇଥିଲା।

  • ବିଶ୍ୱ ଜନସଂଖ୍ୟାରେ ଭାରତ ବନିଲା ନଂ-୧

    ବିଶ୍ୱ ଜନସଂଖ୍ୟାରେ ଭାରତ ବନିଲା ନଂ-୧

    ଶେଷରେ ଚୀନକୁ ପଛରେ ପକାଇଲା ଭାରତ । ଚୀନ ଅପେକ୍ଷା ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ବର୍ତ୍ତମାନ ଭାରତରେ ଅଛନ୍ତି । ଜନସଂଖ୍ୟାରେ ଭାରତ ଏବଂ ଚୀନ ଦୁଇ ରାଷ୍ଟ୍ର ପାଖାପାଖି ଥିବାବେଳେ ଶେଷରେ ବେଜିଂକୁ କ୍ରସ୍ କରିଛି ନୂଆଦିଲ୍ଲୀ ।

    ଏବେ ଭାରତର ଏହି ନୂଆ ଜନସଂଖ୍ୟା ଉପରେ ମୋହର ମାରିଛି ଜାତିସଂଘ । ଭାରତ ଏବେ ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଦେଶ ହୋଇଥିବା ବେଳେ ଚାଇନା ତୁଳନାରେ ୩୦ ଲକ୍ଷରୁ ଅଧିକ ଲୋକ ହିନ୍ଦୁସ୍ତାନରେ ଅଛନ୍ତି । ଭାରତର ଜନସଂଖ୍ୟା ଏବେ ୧୪୨ କୋଟି ୮୬ ଲକ୍ଷ ଥିବା ନେଇ ରିପୋର୍ଟ ଜାରି କରିଛି ୟୁଏନଏଫପିଏର ଦ ଷ୍ଟେଟ୍ ଅଫ୍ ୱାର୍ଲଡ ପପୁଲେସନ୍ । ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି । ୧୯୫୦ ପରେ ପ୍ରଥମ ଥର ପାଇଁ ଭାରତର ଜନସଂଖ୍ୟା ଚୀନଠାରୁ ଅଧିକ ରହିଛି ।

    ପ୍ରକାଶିତ ରିପୋର୍ଟ ଅନୁଯାୟୀ ଭାରତର ୨୫% ଜନସଂଖ୍ୟା ୧୪ ବର୍ଷ ମଧ୍ୟରେ ଥିବାବେଳେ ୨୬% ଲୋକ ୧୦ରୁ ୨୪ ବର୍ଷୀୟ । ସେହିପରି ୬୮%ଙ୍କ ବୟସ ୧୫ରୁ ୬୪ ବର୍ଷ ମଧ୍ୟରେ ରହିଛି । ୬୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ରହିଛି ମାତ୍ର ୭% । ୨୦୧୧ ଜନଗଣନା ଅନୁଯାୟୀ ବାର୍ଷିକ ଜନସଂଖ୍ୟା ବୃଦ୍ଧି ହାର ୧.୨% ଥିଲା । ୨୦୧୫ରେ ଭାରତର ମୋଟ ଜନସଂଖ୍ୟା ଥିଲା ୧୨୮ କୋଟି । ଦେଶରେ ଜନସଂଖ୍ୟା ଯେମିତି ବୃଦ୍ଧି ପାଉଛି ଆଉ କିଛି ବର୍ଷ ପରେ ଏହା ଚୀନ ଠାରୁ ଢେର ଅଧିକ ହୋଇଯିବ ।

  • ସମଲିଙ୍ଗି ବିବାହର ବୈଧତାକୁ ନେଇ ସୁପ୍ରିମକୋର୍ଟ ଆଉ କେନ୍ଦ୍ର ମଧ୍ୟରେ ଯୁକ୍ତିତର୍କ

    ସମଲିଙ୍ଗି ବିବାହର ବୈଧତାକୁ ନେଇ ସୁପ୍ରିମକୋର୍ଟ ଆଉ କେନ୍ଦ୍ର ମଧ୍ୟରେ ଯୁକ୍ତିତର୍କ

    ଦେଶରେ ସମଲିଙ୍ଗୀ ବିବାହ ମାମଲା ଧିରେ ଧିରେ ରାଜନୈତିକ ବିଷୟ ହେବାକୁ ଆରମ୍ଭ କରିଛି । ସପ୍ରିମକୋର୍ଟରେ ତାହାର ଶୁଣାଣି ଚାଲିଛି । ଆଉ ଏହି ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା କହିଛନ୍ତି,ସମଲିଙ୍ଗୀ ବିବାହ ସଂକ୍ରାନ୍ତ ବିତର୍କ ରାଜ୍ୟ ବିଧାନସଭା ପରିସରଭୁକ୍ତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଉଚିତ । କାରଣ,ଏ ବିଷୟରେ ସେମାନଙ୍କ ମତାମତର ମଧ୍ୟ ଗୁରୁତ୍ବ ରହିଛି ।

    ଏଠାରେ କହି ରଖୁଛୁ,ସମ୍ପ୍ରତି ସୁପ୍ରିମ‌କୋର୍ଟ ସମଲିଙ୍ଗୀ ବିବାହର ଆଇନଗତ ବୈଧତା ଦାବିରେ ଦାଏର କରାଯାଇଥିବା କେତେକ ପିଟିସନ୍‌ର ଶୁଣାଣି କରୁଛନ୍ତି। ହେଲେ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବୈଧତା ମଞ୍ଜୁର କରିବା ଦାବିକୁ ଘୋର ବିରୋଧ କରିଆସୁଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ମାମଲାର ପକ୍ଷ ହୋଇ ୧୦ ଦିନ ମଧ୍ୟରେ ନିଜ ନିଜର ମତାମତ ଦାଖଲ କରନ୍ତୁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

    ବର୍ତ୍ତମାନ ଏହି ମାମଲାରେ ଯେଉଁ ପକ୍ଷମାନେ ରହିଛନ୍ତି ସେମାନେ ହେଲେ ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼,ବିଚାରପତି ସଞ୍ଜୟ କିଷନ୍‌ କ‌ଉଲ୍‌,ଏସ୍‌.ରବୀନ୍ଦ୍ର ଭଟ୍ଟ,ହିମା କୋହଲି ଏବଂ ପି.ଏସ୍. ନରସିଂହ । ଏହି 5 ଜଣ ବିଚାରପତି ସୁପ୍ରିମ‌କୋର୍ଟ ସାମ୍ବିଧାନିକ ଖଣ୍ଡପୀଠରେ ଅନ୍ତର୍ଭୁକ୍ତ ରହିଛନ୍ତି ।

    ସମଲିଙ୍ଗି ବିବାହର ବୈଧତା ପାଇଁ ପିଟିସନ୍‌ ଦାଖଲକାରୀଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଓକିଲମାନେ ହେଉଛନ୍ତି ମୁକୁଲ୍‌ ରୋହ‌ତୋଗି,ସୌରଭ କୃପାଳ,ନୀରଜକିଷନ୍‌ କଉଲ୍‌,ମେନକା ଗୁରୁସ୍ୱାମୀ,ଅରୁନ୍ଧତୀ କାଟଜୁ,ଆନନ୍ଦ ଗ୍ରୋଭର୍‌,ଅଖିଳ ସିବଲ୍‌,ଶାହାଦନ୍‌ ଫରାସତ୍‌ ଓ କରୁଣା ନନ୍ଦୀ ।

    ଏଠାରେ କହିରଖୁଛୁ ଯେ,ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ଏହି ପ୍ରସଙ୍ଗକୁ ନେଇ ଆଗରୁ କେନ୍ଦ୍ର ସରକାରଙ୍କୁ କଡ଼ା ଆଭିମୁଖ୍ୟ ଦେଖାଇଥିଲେ । ଯେତେବେଳେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ଅନେକ ପ୍ରସଙ୍ଗ ରହିଛି ଯେଉଁଥିରେ କୋର୍ଟ ହସ୍ତକ୍ଷେପ କରିବା ଠିକ୍ ନୁହେଁ । ସେତେବେଳେ ସୁପ୍ରିମକୋର୍ଟ କହିଥିଲେ ଯେ କୋର୍ଟଙ୍କୁ ନିଜର ଭୂମିକା ଭଲଭାବେ ଜଣାଅଛି । ତେଣୁ ସେଥିରେ କେହି ଦଖଲ ଦେବା ଆବଶ୍ୟକ ନାହିଁ ।

  • ଭାରତୀୟ ‘ଟଙ୍କା’ ହେଲା ଚତୁର୍ଥ ଆନ୍ତର୍ଜାତିକ ମୁଦ୍ରା

    ଭାରତୀୟ ‘ଟଙ୍କା’ ହେଲା ଚତୁର୍ଥ ଆନ୍ତର୍ଜାତିକ ମୁଦ୍ରା

    ଭାରତ ପାଇଁ ଖୁସି ଖବର ଆଣିଛି ‘ଟଙ୍କା’। ଆନ୍ତର୍ଜାତିକ ମୁଦ୍ରା ବିନିମୟ କ୍ଷେତ୍ରରେ ଦ୍ରୁତ ଗତିରେ ଅଗ୍ରସର ହେଉଛି ଭାରତୀୟ ‘ଟଙ୍କା’। ଡଲାର, ପାଉଣ୍ଡ ଏବଂ ୟୁରୋ ପରେ ବୈଷୟିକ କ୍ଷେତ୍ରରେ ବିମାନ ବନ୍ଦର ଗୁଡ଼ିକରେ ମୁଦ୍ରା ବିନିମୟ କାଉଣ୍ଟରରେ ଟଙ୍କା ସ୍ୱୀକାର କରାଯିବା ପରେ ଭାରତୀୟ ‘ଟଙ୍କା’ଚତୁର୍ଥ ଅନ୍ତର୍ଜାତୀୟ ମୁଦ୍ରା ହୋଇଛି ଯାହା ଭାରତୀୟଙ୍କ ପାଇଁ ଖୁସି ଖବର ଆଣିଦେଇଛି ।

    ବର୍ତ୍ତମାନ ସମୟରେ ବିଶ୍ୱରେ ୧୭ଟି ରାଷ୍ଟ୍ର ଭାରତୀୟ ମୁଦ୍ରା​‌ରେ କାରବାର କରୁଛନ୍ତି । ଏହି ତାଲିକାରେ ଅନେକ ବିକଶିତ ଦେଶ ମଧ୍ୟ ରହିଛନ୍ତି । ଜର୍ମାନୀ,ଇସ୍ରାଏଲ ଭଳି ୬୪ଟି ବିକଶିତ ଦେଶ ଟଙ୍କା ମାଧ୍ୟମରେ କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ବରେ ଯେଉଁ ୧୭ ଦେଶ ଭାରତୀୟ ମୁଦ୍ରାରେ ବର୍ତ୍ତମାନ ବ୍ୟବସାୟ କରୁଛନ୍ତି ସେମାନେ ହେଲେ ୟୁକେ,ମାଲେସିଆ,ରୁଷ,ସିଙ୍ଗାପୁର, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ମିଆଁମାର, ବୋତ୍ସୱାନା, ଇସ୍ରାଏଲ, ଫିଜି, ଓମାନ, ଜର୍ମାନୀ, କେନିଆ, ଗୁଏନା, ମରିସସ୍‌, ସିଚେଲ୍ସ ଏବଂ ତାଞ୍ଜାନିଆ । ଯଦି ଭାରତୀୟ ମୁଦ୍ରା ‘ଟଙ୍କା’ ବିଶ୍ୱର ୩୦ରୁ ଅଧିକ ଦେଶ ସହିତ ବ୍ୟବସାୟ କରେ ତେବେ ଏହାକୁ ଅନ୍ତର୍ଜାତୀୟ ବ୍ୟବସାୟିକ ମୁଦ୍ରା ଭାବେ ଘୋଷଣା କରାଯିବା ସମ୍ଭାବନା ରହିଛି ।

    ସେପଟେ, ୟୁରୋପୀୟ ୟୁନିୟନରେ ସାମିଲ୍‌ ଜର୍ମାନୀ ପ୍ରଥମ ଥର ଏସିଆର ମୁଦ୍ରା ଅର୍ଥାତ୍‌ ଭାରତୀୟ ମୁଦ୍ରା ‘ଟଙ୍କା’ ସହ ବ୍ୟବସାୟ କରିବା ପାଇଁ ଆଗ୍ରହ ଦେଖାଇଛି । ଜର୍ମାନୀ ସହ ଇସ୍ରାଏଲ ମଧ୍ୟ ଭାରତୀୟ ମୁଦ୍ରା​ରେ କାରବାର କରିବା ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଏନେଇ କଥାବାର୍ତ୍ତା ଆରମ୍ଭ କରିଛି ।

  • ମୁକୁଲଙ୍କ ଦଳଡିଆଁ କଳା, ଏବେ ପୁଣି ବିଜେପିକୁ ଡେଇଁବେ !

    ମୁକୁଲଙ୍କ ଦଳଡିଆଁ କଳା, ଏବେ ପୁଣି ବିଜେପିକୁ ଡେଇଁବେ !

    ପଶ୍ଚିମବଙ୍ଗ ରାଜନୀତିରେ କେତେବେଳେ କ’ଣ ଘଟୁଛି ତାହା ଆକଳନ କରିବା ଅସମ୍ଭବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିତରେ ଚାଲିଥିବା ସିଂହାସନ ଟଣାଓଟରା ଯୁଦ୍ଧ କାହାକୁ ଅଛପା ନାହିଁ । ଟିଏମସିରୁ ଅନେକ ନେତା ଯାଇ ବିଜେପିରେ ମଧ୍ୟ ମିଶି ସାରିଲେଣି । ଏଥିପାଇଁ ମମତା ବାନାର୍ଜୀ ସର୍ବଦା କେନ୍ଦ୍ରୀୟ ଏଜେନ୍ସି ମାନଙ୍କ ଦୁରୁପୋଯୋଗ କରାଯାଉଥିବା ଅଭିଯୋଗ କରନ୍ତି । ଏବେ ବିଜେପି ଛାଡ଼ି ଟିଏମସିରେ ପୁନଶ୍ଚ ଯୋଗ ଦେଇଥିବା ମୁକୁଲ ରୟଙ୍କ ଚର୍ଚ୍ଚା ଜୋର୍ ଧରିଛି । ବ୍ୟକ୍ତିଗତ କାର୍ଯ୍ୟରେ ମୁକୁଲ ରୟ ସୋମବାର ରାତିରେ ନୂଆଦିଲ୍ଲୀ ଯାଇଥିବା ବେଳେ ସେ ନିଖୋଜ ହୋଇଥିବା ଗତକାଲି ତାଙ୍କ ପରିବାର ଲୋକେ କହିଥିଲେ । କିନ୍ତୁ ମଙ୍ଗଳବାର ସନ୍ଧ୍ୟାବେଳେ ରୟ ଏକ ବଙ୍ଗଳା ନିଉଜ୍‌ ଚାନେଲ୍‌କୁ ସାକ୍ଷାତକାର ଦେଇ କହିଛନ୍ତି,’ଜଣେ ବିଜେପି ବିଧାୟକ,ମୁଁ ବିଜେପିକୁ ସମର୍ଥନ କରିବି । ଦଳ ମୋ ରହଣି ପାଇଁ ବ୍ୟବସ୍ଥା କରିଛି । ମୁଁ ଅମିତ ଶାହାଙ୍କୁ ଭେଟିବା ସହିତ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଥାବାର୍ତ୍ତା ହେବାକୁ ଚାହେଁ । ଏବେ ପୁଣି ବିଜେପିକୁ ଫେରିବାକୁ ଚାହୁଁଛି।”

    ଏଠାରେ ଜଣାଇ ଦେଉଛୁ, ମୁକୁଲ ରୟ ତୃଣମୂଳ କଂଗ୍ରେସର ଜଣେ ପ୍ରମୁଖ ନେତା ଥିଲେ । 2017 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚରେ ଟିଏମସି ଛାଡି ବିଜେପିରେ ମିଶିଯାଇଥିଲେ । ବିଜେପି ପ୍ରାର୍ଥୀଭାବେ ସେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। କିନ୍ତୁ, ବିଧାନସଭାରୁ ଇସ୍ତଫା ନ‌ଦେଇ ସେ ପରେ ପୁଣି ତୃଣମୂଳ କଂଗ୍ରେସକୁ ଫେରିଆସିଥିଲେ।

    ରୟ କହିଛନ୍ତି, ବହୁଦିନ ହେବ ମୋର ଦେହ ଭଲ ନଥିଲା। ତେଣୁ,ରାଜନୀତିରୁ ଦୂରେଇ ରହୁଥିଲି। କିନ୍ତୁ,ଏବେ ମୁଁ ଭଲ ଅଛି ଏବଂ ପୁଣି ସକ୍ରିୟ ରାଜନୀତି କରିବି । ସେ ଆଉ ତୃଣମୂଳ କଂଗ୍ରେସରେ ସାମିଲ ହେବେନାହିଁ ବୋଲି ସୁନିଶ୍ଚିତ କରିଛନ୍ତି । ପୁଅ ଶୁଭ୍ରାଂଶୁକୁ ମଧ୍ୟ ବିଜେପିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଛନ୍ତି । ଏହା କୁଆଡେ ତାଙ୍କ ପୁଅଙ୍କ ପାଇଁ ଶୁଭଙ୍କର ହେବ ବୋଲି ରୟ କହିଛନ୍ତି ।
    ସେପଟେ ରୟଙ୍କ ପୁଅ ଶୁଭ୍ରାଂଶୁ କହିଛନ୍ତି ଯେ,ତାଙ୍କ ବାପା ‘ଡିମେନ୍‌ସିଆ ଓ ପାର୍କିନ୍‌ସନ୍‌ସ୍‌’ ରୋଗରେ ପୀଡ଼ିତ । ତେଣୁ ତାଙ୍କ ଦେହ ଅସୁସ୍ଥ ରହୁଛି । ଗତ ମାସରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଛି। ସେ ପରିବାର ଲୋକ ଏବଂ ଘନିଷ୍ଠ ସହଯୋଗୀମାନଙ୍କୁ ବି ଚିହ୍ନିପାରୁ ନାହାଁନ୍ତି ।

  • ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ନାରୀ, ଶାଢ଼ୀ ପିନ୍ଧି ଦୌଡ଼ିଲେ ୪୨ କି.ମି.

    ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ନାରୀ, ଶାଢ଼ୀ ପିନ୍ଧି ଦୌଡ଼ିଲେ ୪୨ କି.ମି.

    ୟୁନାଇଟେଡ୍ କିଙ୍ଗଡମରେ ଓଡ଼ିଆ ମହିଳାଙ୍କ କମାଲ । ମାଞ୍ଚେଷ୍ଟର ମାରାଥନରେ ଅଂଶଗ୍ରହଣ କରି ଓଡ଼ିଆଙ୍କୁ ସେ ଗର୍ବିତ କରିଛନ୍ତି । ୪୨.୫ କିଲୋମିଟର ମାରାଥନକୁ ୪ ଘଣ୍ଟା ୫୦ ମିନିଟରେ ପାର୍ କରିଛନ୍ତି UKରେ ରହୁଥିବା ୪୧ ବର୍ଷୀୟ ମହିଳା ।

    ମହିଳା ଜଣକ ବିଦେଶିନୀ ନୁହଁନ୍ତି, ଓଡ଼ିଆ ଝିଅ ମଧୁସ୍ମିତା ଜେନା ଦାସ । ଖାଣ୍ଟି ସମ୍ବଲପୁରୀ ହ୍ୟାଣ୍ଡଲୁମ୍ ଶାଢ଼ୀ ଏବଂ ବୁଟ୍ ପିନ୍ଧି ମାରାଥନରେ ପାର୍ଟିସପେଟ୍ କରିଥିଲେ । ଅନ୍ୟମାନଙ୍କ ପରି ସେ ଏହି ମାରାଥନରେ ସାମିଲ ହୋଇ ରାଜ୍ୟ ପାଇଁ ସମ୍ମାନ ଆଣିଛନ୍ତି ।

    ଟ୍ୱିଟରରେ ତାଙ୍କୁ ବେଶ୍ ପ୍ରଶଂସା ମିଳିଛି । ବ୍ରିଟେନର ମାଞ୍ଚେଷ୍ଟରରେ ରହୁଥିବା ଓଡ଼ିଆ, ସମ୍ବଲପୁରୀ ଶାଢ଼ୀ ପିନ୍ଧି ବ୍ରିଟେନର ଦ୍ୱିତୀୟ ବୃହତ୍ତମ ମାଞ୍ଚେଷ୍ଟର ମାରାଥନରେ ଅଂଶଗ୍ରହଣ କରିଛନ୍ତି । ଦୌଡ଼ିବା ବେଳେ ତାଙ୍କର ଅଙ୍ଗଭଙ୍ଗୀ ଏବଂ ରନିଂ ଷ୍ଟାଇଲ୍ ବେଶ୍ ଆକର୍ଷଣୀୟ ଥିଲା । ତାଙ୍କର ଶାଢ଼ୀ ଏବଂ କଲର କମ୍ବିଂନେସନ ସମସ୍ତଙ୍କୁ ବେଶ୍ ପସନ୍ଦ ହୋଇଛି । ସମ୍ବଲପୁର ସହ ରାଜ୍ୟ ପାଇଁ ଏହା ଏକ ସ୍ୱତନ୍ତ୍ର ପରିଚୟ । ରାଜ୍ୟ ସଂସ୍କୃତିର ଏହା ଏକ ଖାସ୍ ଝଲକ । ଆଦିବାସୀ ତଥା ଲୋକ ସମ୍ପ୍ରଦାୟର ସଙ୍ଗଠନରୁ ଏହାର ସୃଷ୍ଟି । ଏହା ଶାନ୍ତି ଏବଂ ଭାଇଚାରା ରକ୍ଷା ପାଇଁ ବାର୍ତ୍ତା ଦେଇଥାଏ । ମାରାଥନରେ ମଧୁସ୍ମିତାଙ୍କ ଅଂଶଗ୍ରହଣ ସହ ପ୍ରଶଂସା ପାଇବା ନିହାତି ଓଡ଼ିଶା ପାଇଁ ଗର୍ବର ବିଷୟ । ସବୁଠି ତାଙ୍କୁ ପ୍ରଶଂସା ମିଳିବା ସହ ଶୁଭେଚ୍ଛାର ସୁଅ ଛୁଟିଛି ।

  • ଅମ୍ବାନୀ ପରିବାରରେ ଏମିତି କ’ଣ ହେଲା, ମୁକେଶ ସଫଳତା ଶିଡ଼ି ଚଢ଼ିଲେ କିନ୍ତୁ ଅନିଲ ଋଣରେ ବୁଡ଼ିଲେ ?

    ଅମ୍ବାନୀ ପରିବାରରେ ଏମିତି କ’ଣ ହେଲା, ମୁକେଶ ସଫଳତା ଶିଡ଼ି ଚଢ଼ିଲେ କିନ୍ତୁ ଅନିଲ ଋଣରେ ବୁଡ଼ିଲେ ?

    ଦେଶର ଦୁଇ ପ୍ରମୁଖ ଉଦ୍ୟୋଗପତି ଭାଇ ମୁକେଶ ଆଉ ଅନିଲ ଆମ୍ବାନୀଙ୍କୁ ଉତ୍ତରାଧିକାରୀ ଭାବେ ମିଳିଛି ରିଲିଆନ୍ସ ଇଣ୍ଡଷ୍ଟ୍ରି । ଆଜି ଦୁଇ ପୁଅ, ବାପା ଧିରୁଭାଇ ଅମ୍ବାନୀଙ୍କ କାରବାରକୁ ପୃଥକ୍ ଭାବେ ଆଗକୁ ବଢ଼ାଉଛନ୍ତି । ଯଦିଓ ଅନିଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ତଳକୁ ଖସିଛି କିନ୍ତୁ ମୁକେଶ ନିଜ ଭାଗରେ ପାଇଥିବା ରିଲିଆନ୍ସ କାରବାରକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛନ୍ତି ।

    ଯେତେବେଳେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ଭାଗବଣ୍ଟା ଚାଲିଥିଲା ସେତେବେଳେ ଅନିଲଙ୍କ ଆର୍ଥିକ ସ୍ଥିତି ବହୁତ ସୁଦୃଢ଼ ଥିବା କୁହାଯାଉଥିଲା । କିନ୍ତୁ ସମୟ ଗଡ଼ିବା ସହ ଅନିଲଙ୍କ ବେପାର ତଳକୁ ଖସିବା ଆରମ୍ଭ କରିଥିଲା । ଆଉ ଆଜି ତାଙ୍କ କମ୍ପାନୀ ଋଣ ବୋଝରେ ଦବିଯାଇଛି । ଅନ୍ୟପଟେ ମୁକେଶଙ୍କ ପ୍ରତ୍ୟେକ କାରବାର ଚମକିବାରେ ଲାଗିଛି ।

    2000 ମସିହାରେ ରିଲିଆନ୍ସର ଭିତ୍ତିପ୍ରସ୍ତର ରଖିଥିବା ଧିରୁଭାଇଙ୍କ 70 ବର୍ଷ ବୟସରେ ଦେହାନ୍ତ ହୋଇଗଲା । ଭାରତର ଉଦ୍ୟୋଗ ଜଗତକୁ ସେତେବେଳେ ଏକ ବଡ଼ ଝଟକା ଲାଗଥିଲା । କିନ୍ତୁ ଧିରୁଭାଇଙ୍କ ମୃତ୍ୟୁ ପରେ ଯାହା ଘଟିଲା ତାହା କେହି କେବେ କଳ୍ପନା ବି କରିନଥିବେ । ଧିରୁଭାଇଙ୍କ ଉତ୍ତରାଧିକାରୀ ଭାବେ ଦୁଇ ଭାଇଙ୍କୁ ଏକ ବଡ଼ ଉଦ୍ୟୋଗ ମିଳିଥିଲା । ଆଶା କରାଯାଉଥିଲା ଯେ ଦୁହେଁ ମିଶି ରିଲିଆନ୍ସ ଉଦ୍ୟୋଗକୁ ଆଗକୁ ବଢ଼ାଇବେ । କିନ୍ତୁ ତାହା ହେଲା ନାହିଁ ।

    ଧିରୁଭାଇଙ୍କ ମୃତ୍ୟୁର ଦୁଇ ବର୍ଷ ହିଁ ବିତିଥିଲା ଆଉ ସେପଟେ ଦୁଇ ଭାଇଙ୍କ ଭିତରେ ତିକ୍ତତା ଆରମ୍ଭ ହୋଇଯାଇଥିଲା । ମୁକେଶ ଆଉ ଅନିଲଙ୍କ ଭିତରେ ଅବିଶ୍ବାସର ପ୍ରାଚୀର ଏମିତି ଠିଆ ହେବା ଆରମ୍ଭ କଲା ଯେ,ମା’ କୋକିଳାବେନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଆଉ ବାଧ୍ୟ ହୋଇ କୋକିଳାବେନ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବାଣ୍ଟିଥିଲେ । ମୁକେଶଙ୍କୁ ଅଏଲ୍ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ବେପାର ଦେଇଥିଲେ । ସେହିପରି ଅନିଲଙ୍କୁ ମିଳିଥିଲା ଟେଲିକମ, ଫାଇନାନ୍ସ ଏବଂ ଏନର୍ଜି ୟୁନିଟ୍ସ । ଏଥିସହିତ ଦୁଇ ଭାଇ ନିଜ ନିଜ ଭିତରେ ପ୍ରତିଯୋଗିତା ନକରିବା ପାଇଁ ଏକ ଚୁକ୍ତିପତ୍ରରେ ହସ୍ତାକ୍ଷର ମଧ୍ୟ କରିଥିଲେ । ସ୍ଥିର ହେଲା ଯେ,ମୁକେଶ ଟେଲିକମ ଉଦ୍ୟୋଗରେ ହାତ ମାରିବେନି ଆଉ ଅନିଲ ଏନର୍ଜି ଓ ପେଟ୍ରୋକେମିକାଲ୍ ଠାରୁ ଦୂରେଇ ରହିବେ ।

    ଭାଗବଣ୍ଟା ବେଳେ ଅନିଲଙ୍କୁ ସେହି ସମସ୍ତ ଉଦ୍ୟୋଗ ମିଳିଥିଲା ଯାହାପାଇଁ ସେ ଉଡୁଥିଲେ । କିନ୍ତୁ ଯେଉଁ ଟେଲିକମ୍ ବିଜନେସକୁ ମୁକେଶ ନିଜ ହାତରେ ତିଆରି କରିଥିଲେ ତାହା ତାଙ୍କ ହାତରୁ ବାହାରିଗଲା । ପରନ୍ତୁ ମୁକେଶ ସେହି ସମୟରେ ଚୁପ୍ ରହିଥିଲେ । ଭାଗବଣ୍ଟା ପରେ ଅନିଲଙ୍କ ବିଜିନେସ ପାଇଁ ସ୍ଥିତି ଅନୁକୁଳ ଥିଲା । ଧିରେ ଧିରେ ସମୟ ବଢ଼ିବା ସହିତ ଅନିଲଙ୍କ ବିଜିନେସ ତଳକୁ ଖସିବା ଆରମ୍ଭ କରିଥିଲା । ଏହି ସମୟରେ 2008ର ଆର୍ଥିକ ମାନ୍ଦାବସ୍ଥା ତାଙ୍କୁ ବଡ଼ ଝଟକା ଦେଇଥିଲା । ଏକ ଆକଳନ ମୁତାବକ ପାଖାପାଖି 31 ଆରବ ଡଲାର କ୍ଷତି ହୋଇଥିଲା ଅନିଲ ଅମ୍ବାନୀଙ୍କୁ । ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ଅଂଶରେ ଆସିଥିବା ଉଦ୍ୟୋଗ ଧିରେ ଧିରେ ସଫଳତାର ରାସ୍ତାରେ ଦଉଡ଼ିବା ଅରମ୍ଭ କରିଥିଲା ।

    ଅନ୍ୟପଟେ ମୁକେଶ ଭାରି ଚତୁରତାର ସହିତ ଧୀରେଧୀରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିଲେ । ଏହି ସମୟରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ପ୍ରତିଯୋଗିତା ନକରିବାର ସର୍ତ୍ତ 2010 ମସିହାରେ ସମାପ୍ତ ହୋଇଗଲା । ମୁକେଶ, ଅନିଲଙ୍କ ସ୍ଥିତିକୁ ଏକ ମଉକା ହିସାବରେ ଦେଖିଲେ । ସେ ତୁରନ୍ତ ଟେଲିକମ୍ କ୍ଷେତ୍ରରେ ପାଦ ରଖିବାକୁ ସ୍ଥିର କଲେ । ଏହାର ପ୍ରସ୍ତୁତି ପାଇଁ ଆଗାମୀ 7 ବର୍ଷରେ ସେ 2.5 ଲକ୍ଷ କୋଟି ଟଙ୍କା ନିବେଶ କଲେ । ଆଉ ନୂଆ କମ୍ପାନୀ ରିଲିଆନ୍ସ ଜିଓ ଇନ୍ଫୋକମ୍ ପାଇଁ ହାଇସ୍ପିଡ 4ଜି ଓ୍ବୟାରଲେସ ନେଟଓ୍ବର୍କ ତିଆରି କଲେ । ମୁକେଶଙ୍କ ଏହି ପଦକ୍ଷେ ଏକାଥରକେ ତାଙ୍କୁ ଗାଁ ଗାଁରେ ସ୍ବତନ୍ତ୍ର ପରିଚୟ ଦେଲା । ଧୀରେଧୀରେ ମୁକେଶଙ୍କ ଟେଲିକମ୍ ସାମ୍ରାଜ୍ୟ ବିସ୍ତାର ହେବାରେ ଲାଗଲା । ଆଉ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚାଲିଲେ ମୁକେଶ ।