ଦଳାଚକଟାରେ ଚାଲିଗଲା 85ରୁ ଅଧିକ ଜୀବନ

ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନରେ ମରଣାନ୍ତକ ଦଳାଚକଟା। ଦଳାଚକଟାରେ 85 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗୁରୁବାର ସେଠାରେ ଯୁଦ୍ଧ କ୍ଷତିଗ୍ରସ୍ତଙ୍କ ପାଇଁ ଆୟୋଜିତ ଏକ ମାଗଣା ବଣ୍ଟନ କାର୍ଯ୍ୟକ୍ରମ ବେଳେ ଏପରି ଅଘଟଣ ଘଟିଛି। ଚଳିତ ଦଶକରେ ଘଟିଥିବା ବିଭିନ୍ନ ଦଳାଚକଟା ଘଟଣା ଭିତରେ ଏହା ସବୁଠାରୁ ବଡ ଘଟଣା। ମୁସଲମାନଙ୍କ ପବିତ୍ର ଇଦ ଅଲ-ଫିତରର ଅବ୍ୟବହିତ ପୂର୍ବରୁ ଆରବ ଉପଦ୍ୱୀପର ଏହି ସବୁଠାରୁ ଗରିବ ରାଷ୍ଟ୍ରରେ ଏପରି ଅଘଟଣ ଘଟିଯାଇଛି।

ହୁଥି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ଅଲ ମସିରାହ ଟିଭି ଚାନେଲରେ ଦଳାଚକଟାର ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ମାଗଣା ସାମଗ୍ରୀ ପାଇବାକୁ ସେଠାରେ ପ୍ରବଳ ଭିଡ ହୋଇଥିଲା। ସାମଗ୍ରୀ ପାଇବାକୁ ଲୋକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଆଉ ଏହି ଧକ୍କା ପେଲା ଭିତରେ କିଛି ତଳେ ପଡିଯାଇଥିଲେ।  ଏଥିପ୍ରତି କାହାରି ନଜର ନ ଥିଲା। ପଡିରହିଥିବା ଲୋକଙ୍କୁ ଦଳିଚକଟି ବଣ୍ଟନସ୍ଥଳି ଆଡକୁ ଧାଇଁଥିଲେ ଅନ୍ୟମାନେ।  ଆଉ ଏହାରି ଭିତରେ ଅନେକଙ୍କ ଚାଲିଯାଇଥିଲା ଜୀବନ। ମୃତଦେହ ଉପରେ ଚଢି ନିଜ ପାଇଁ ରାସ୍ତା ପ୍ରସ୍ତୁତକରି ଥିଲେ ଲୋକେ। ନିଜ ଲୋକଙ୍କ ମୃତଦେହ ଦେଖି ମଧ୍ୟ ସେମାନଙ୍କ  ଭିତରେ ନଥିଲା ସାମାନ୍ୟତମ ସମ୍ବେଦନା। ଲୋକଙ୍କ ପାଦତଳେ ଚାପି ହୋଇ ଅନେକ ମୃତଦେହ ଲୁଚିଯାଉଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳୁଛି।

ଅନ୍ୟପଟରେ ଏପରି ଦୁର୍ଘଟଣା ପରେ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକ ଓ ସୁରକ୍ଷାବଳ ତଳେ ପଡିଥିବା ଲୋକଙ୍କ ଉଦ୍ଧାର ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ଭିଡିଓରେ। ଘଟଣାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

ୟେମେନର ରାଜଧାନୀ ସାନାରେ ଆୟୋଜିତ ଦାତବ୍ୟ କାର୍ଯ୍ୟକ୍ରମରେ ହୋଇଥିବା ଦଳାଚକଟାରେ ଅନ୍ୟୁନ 85 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 322ରୁ ଅଧିକ ଆହତ ହୋଇଥିବା ଜଣେ ହୁଥି ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ରହିଛନ୍ତି। ରାଜଧାନୀର ଏକ ସ୍କୁଲରେ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ମାଗଣା ବଣ୍ଟନର ଖବର ମିଳିବା ପରେ ସେଠାକୁ ଏହି ଗରିବ ରାଷ୍ଟ୍ରର ହଜାର ହଜାର ସଂଖ୍ୟକ ଲୋକଙ୍କ ସୁଅ ଛୁଟିଥିଲା ।

Leave a Reply

Your email address will not be published. Required fields are marked *