ଅମ୍ବାନୀ ପରିବାରରେ ଏମିତି କ’ଣ ହେଲା, ମୁକେଶ ସଫଳତା ଶିଡ଼ି ଚଢ଼ିଲେ କିନ୍ତୁ ଅନିଲ ଋଣରେ ବୁଡ଼ିଲେ ?

ଦେଶର ଦୁଇ ପ୍ରମୁଖ ଉଦ୍ୟୋଗପତି ଭାଇ ମୁକେଶ ଆଉ ଅନିଲ ଆମ୍ବାନୀଙ୍କୁ ଉତ୍ତରାଧିକାରୀ ଭାବେ ମିଳିଛି ରିଲିଆନ୍ସ ଇଣ୍ଡଷ୍ଟ୍ରି । ଆଜି ଦୁଇ ପୁଅ, ବାପା ଧିରୁଭାଇ ଅମ୍ବାନୀଙ୍କ କାରବାରକୁ ପୃଥକ୍ ଭାବେ ଆଗକୁ ବଢ଼ାଉଛନ୍ତି । ଯଦିଓ ଅନିଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ତଳକୁ ଖସିଛି କିନ୍ତୁ ମୁକେଶ ନିଜ ଭାଗରେ ପାଇଥିବା ରିଲିଆନ୍ସ କାରବାରକୁ ଦ୍ରୁତ ଗତିରେ ବଢ଼ାଇ ଚାଲିଛନ୍ତି ।

ଯେତେବେଳେ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତିକୁ ଭାଗବଣ୍ଟା ଚାଲିଥିଲା ସେତେବେଳେ ଅନିଲଙ୍କ ଆର୍ଥିକ ସ୍ଥିତି ବହୁତ ସୁଦୃଢ଼ ଥିବା କୁହାଯାଉଥିଲା । କିନ୍ତୁ ସମୟ ଗଡ଼ିବା ସହ ଅନିଲଙ୍କ ବେପାର ତଳକୁ ଖସିବା ଆରମ୍ଭ କରିଥିଲା । ଆଉ ଆଜି ତାଙ୍କ କମ୍ପାନୀ ଋଣ ବୋଝରେ ଦବିଯାଇଛି । ଅନ୍ୟପଟେ ମୁକେଶଙ୍କ ପ୍ରତ୍ୟେକ କାରବାର ଚମକିବାରେ ଲାଗିଛି ।

2000 ମସିହାରେ ରିଲିଆନ୍ସର ଭିତ୍ତିପ୍ରସ୍ତର ରଖିଥିବା ଧିରୁଭାଇଙ୍କ 70 ବର୍ଷ ବୟସରେ ଦେହାନ୍ତ ହୋଇଗଲା । ଭାରତର ଉଦ୍ୟୋଗ ଜଗତକୁ ସେତେବେଳେ ଏକ ବଡ଼ ଝଟକା ଲାଗଥିଲା । କିନ୍ତୁ ଧିରୁଭାଇଙ୍କ ମୃତ୍ୟୁ ପରେ ଯାହା ଘଟିଲା ତାହା କେହି କେବେ କଳ୍ପନା ବି କରିନଥିବେ । ଧିରୁଭାଇଙ୍କ ଉତ୍ତରାଧିକାରୀ ଭାବେ ଦୁଇ ଭାଇଙ୍କୁ ଏକ ବଡ଼ ଉଦ୍ୟୋଗ ମିଳିଥିଲା । ଆଶା କରାଯାଉଥିଲା ଯେ ଦୁହେଁ ମିଶି ରିଲିଆନ୍ସ ଉଦ୍ୟୋଗକୁ ଆଗକୁ ବଢ଼ାଇବେ । କିନ୍ତୁ ତାହା ହେଲା ନାହିଁ ।

ଧିରୁଭାଇଙ୍କ ମୃତ୍ୟୁର ଦୁଇ ବର୍ଷ ହିଁ ବିତିଥିଲା ଆଉ ସେପଟେ ଦୁଇ ଭାଇଙ୍କ ଭିତରେ ତିକ୍ତତା ଆରମ୍ଭ ହୋଇଯାଇଥିଲା । ମୁକେଶ ଆଉ ଅନିଲଙ୍କ ଭିତରେ ଅବିଶ୍ବାସର ପ୍ରାଚୀର ଏମିତି ଠିଆ ହେବା ଆରମ୍ଭ କଲା ଯେ,ମା’ କୋକିଳାବେନଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଆଉ ବାଧ୍ୟ ହୋଇ କୋକିଳାବେନ ଦୁଇ ଭାଇଙ୍କ ମଧ୍ୟରେ ସମ୍ପତ୍ତି ଭାଗ ବାଣ୍ଟିଥିଲେ । ମୁକେଶଙ୍କୁ ଅଏଲ୍ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ବେପାର ଦେଇଥିଲେ । ସେହିପରି ଅନିଲଙ୍କୁ ମିଳିଥିଲା ଟେଲିକମ, ଫାଇନାନ୍ସ ଏବଂ ଏନର୍ଜି ୟୁନିଟ୍ସ । ଏଥିସହିତ ଦୁଇ ଭାଇ ନିଜ ନିଜ ଭିତରେ ପ୍ରତିଯୋଗିତା ନକରିବା ପାଇଁ ଏକ ଚୁକ୍ତିପତ୍ରରେ ହସ୍ତାକ୍ଷର ମଧ୍ୟ କରିଥିଲେ । ସ୍ଥିର ହେଲା ଯେ,ମୁକେଶ ଟେଲିକମ ଉଦ୍ୟୋଗରେ ହାତ ମାରିବେନି ଆଉ ଅନିଲ ଏନର୍ଜି ଓ ପେଟ୍ରୋକେମିକାଲ୍ ଠାରୁ ଦୂରେଇ ରହିବେ ।

ଭାଗବଣ୍ଟା ବେଳେ ଅନିଲଙ୍କୁ ସେହି ସମସ୍ତ ଉଦ୍ୟୋଗ ମିଳିଥିଲା ଯାହାପାଇଁ ସେ ଉଡୁଥିଲେ । କିନ୍ତୁ ଯେଉଁ ଟେଲିକମ୍ ବିଜନେସକୁ ମୁକେଶ ନିଜ ହାତରେ ତିଆରି କରିଥିଲେ ତାହା ତାଙ୍କ ହାତରୁ ବାହାରିଗଲା । ପରନ୍ତୁ ମୁକେଶ ସେହି ସମୟରେ ଚୁପ୍ ରହିଥିଲେ । ଭାଗବଣ୍ଟା ପରେ ଅନିଲଙ୍କ ବିଜିନେସ ପାଇଁ ସ୍ଥିତି ଅନୁକୁଳ ଥିଲା । ଧିରେ ଧିରେ ସମୟ ବଢ଼ିବା ସହିତ ଅନିଲଙ୍କ ବିଜିନେସ ତଳକୁ ଖସିବା ଆରମ୍ଭ କରିଥିଲା । ଏହି ସମୟରେ 2008ର ଆର୍ଥିକ ମାନ୍ଦାବସ୍ଥା ତାଙ୍କୁ ବଡ଼ ଝଟକା ଦେଇଥିଲା । ଏକ ଆକଳନ ମୁତାବକ ପାଖାପାଖି 31 ଆରବ ଡଲାର କ୍ଷତି ହୋଇଥିଲା ଅନିଲ ଅମ୍ବାନୀଙ୍କୁ । ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ଅଂଶରେ ଆସିଥିବା ଉଦ୍ୟୋଗ ଧିରେ ଧିରେ ସଫଳତାର ରାସ୍ତାରେ ଦଉଡ଼ିବା ଅରମ୍ଭ କରିଥିଲା ।

ଅନ୍ୟପଟେ ମୁକେଶ ଭାରି ଚତୁରତାର ସହିତ ଧୀରେଧୀରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଥିଲେ । ଏହି ସମୟରେ ଦୁଇ ଭାଇଙ୍କ ମଧ୍ୟରେ ଥିବା ପ୍ରତିଯୋଗିତା ନକରିବାର ସର୍ତ୍ତ 2010 ମସିହାରେ ସମାପ୍ତ ହୋଇଗଲା । ମୁକେଶ, ଅନିଲଙ୍କ ସ୍ଥିତିକୁ ଏକ ମଉକା ହିସାବରେ ଦେଖିଲେ । ସେ ତୁରନ୍ତ ଟେଲିକମ୍ କ୍ଷେତ୍ରରେ ପାଦ ରଖିବାକୁ ସ୍ଥିର କଲେ । ଏହାର ପ୍ରସ୍ତୁତି ପାଇଁ ଆଗାମୀ 7 ବର୍ଷରେ ସେ 2.5 ଲକ୍ଷ କୋଟି ଟଙ୍କା ନିବେଶ କଲେ । ଆଉ ନୂଆ କମ୍ପାନୀ ରିଲିଆନ୍ସ ଜିଓ ଇନ୍ଫୋକମ୍ ପାଇଁ ହାଇସ୍ପିଡ 4ଜି ଓ୍ବୟାରଲେସ ନେଟଓ୍ବର୍କ ତିଆରି କଲେ । ମୁକେଶଙ୍କ ଏହି ପଦକ୍ଷେ ଏକାଥରକେ ତାଙ୍କୁ ଗାଁ ଗାଁରେ ସ୍ବତନ୍ତ୍ର ପରିଚୟ ଦେଲା । ଧୀରେଧୀରେ ମୁକେଶଙ୍କ ଟେଲିକମ୍ ସାମ୍ରାଜ୍ୟ ବିସ୍ତାର ହେବାରେ ଲାଗଲା । ଆଉ ପ୍ରତିଦିନ ଗୋଟିଏ ପରେ ଗୋଟିଏ ସଫଳତାର ଶିଡ଼ି ଚଢ଼ି ଚାଲିଲେ ମୁକେଶ ।

Leave a Reply

Your email address will not be published. Required fields are marked *