Author: suchanatv24x7

  • ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

    ଅଗ୍ନିଶମ ସେବାକେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ନବୀନଙ୍କ ଅନୁମୋଦନ

    ଭୁବନେଶ୍ୱରରେ ୩ଟି ନୂଆ ଅଗ୍ନିଶମ ସେବା କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର କ୍ରମବର୍ଦ୍ଧିଷ୍ଣୁ ପରିସର ଏବଂ ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅଗ୍ନିଶମ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । ଧନଜୀବନକୁ ସୁରକ୍ଷା ଯୋଗାଇଦେବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

    ତମାଣ୍ଡୋ, ମଞ୍ଚେଶ୍ୱର ଏବଂ ପାହାଳରେ ପ୍ରତିଷ୍ଠା ହେବ ୩ଟି ଅଗ୍ନିଶମ ସେବା କେନ୍ଦ୍ର । ଏଥିପାଇଁ ୪୫ଟି ପଦବୀ ମଧ୍ୟ ପୂରଣ ହେବ । ପ୍ରତି କେନ୍ଦ୍ରରେ ୧୫ ଜଣ ଲେଖାଏଁ କର୍ମଚାରୀ ରହିବେ । ଏଥିରେ ଜଣେ ଷ୍ଟେସନ ଅଫିସର, ଦୁଇ ଜଣ ଲିଡିଂ ଫାୟାରମ୍ୟାନ୍, ଜଣେ ଡ୍ରାଇଭର ହାବିଲଦାର, ଜଣେ ଫାୟାରମ୍ୟାନ୍ ଡ୍ରାଇଭର ଏବଂ ୧୦ ଜଣ ଫାୟାରମ୍ୟାନ୍ ରହିବେ ।

  • ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ବିରାଟ ପଟୁଆରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି

    ମଙ୍ଗଳବାର ଝାରସୁଗୁଡା ଉପନିର୍ବାଚନ ପାଇଁ  ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନିଜ ସମର୍ଥକଙ୍କ ସହ ଏକ ବିରାଟ ପଟୁଆରରେ ଦୀପାଳି ପ୍ରଥମେ ଝାରସୁଗୁଡ଼ା ପାଟଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ମନମୋହନ ସ୍କୁଲ ପଡ଼ିଆଠାରୁ ପ୍ରାୟ ୪ କିମି ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୀପାଳିଙ୍କ ସହ ଶୋଭାଯାତ୍ରାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସାରଦା ନାୟକ ପ୍ରମୁଖଙ୍କ ସହ ୧୫ ହଜାରରୁ ଅଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସେହି ଆସନ ଖାଲି ଥିଲା।

    ଝାରସୁଗୁଡ଼ା ଉପନିର୍ବାଚନ ନାମାଙ୍କନ ଦାଖଲ ପାଇଁ ଆଉ ୩ଦିନ ଥିବାବେଳେ ଅଦ୍ୟାବଧି ୫ଜଣ  ନାମାଙ୍କନ ଦାଖଲ କରି ସାରିଛନ୍ତି। କଂଗ୍ରେସର ତରୁଣ ପାଣ୍ଡେ ଓ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ସମେତ ହିନ୍ଦୁସ୍ତାନ ନିର୍ମାଣ ଦଳର ପ୍ରାର୍ଥୀ ବିଜୟ ଜାଲାନ, ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡିଆ ଓ ମନିଷ ଶର୍ମା ନାମାଙ୍କନ ଦାଖଲ କରିଛନ୍ତି।

  • ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିଲେ 6ଷ୍ଠ ଶ୍ରେଣୀ ଛାତ୍ର

    ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିଲେ 6ଷ୍ଠ ଶ୍ରେଣୀ ଛାତ୍ର

    ଚଳିତ ବର୍ଷ କଲବଲ କଲାଣି ଖରା। ପୂର୍ବହ୍ନ 10ଟାରୁ ସୂର୍ଯ୍ୟ ତେଜ ଏମିତି ହେଉଛି କି ଘରୁ ବାହାରିବା ମୁସକିଲ। ଗ୍ରୀଷ୍ମ ପ୍ରବାହ ପାଇଁ ସରକାର ସ୍କୁଲ ସବୁକୁ ସକାଳ 6ଟା30ରୁ 11ଟା କରିଛନ୍ତି। ହେଲେ କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇ ପଶି ପଞ୍ଚାୟତ କେନ୍ଦେଇ ପଶି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ 6ଷ୍ଠ ଶ୍ରେଣୀ ଛାତ୍ର ସକାଳେ ହୋଇଥିବା ପ୍ରାର୍ଥନା ବେଳେ ଅସୁସ୍ଥ ହୋଇଯାଇଥିବା ସୂଚନା ରହିଛି। ଅସୁସ୍ଥ ଛାତ୍ର ହେଉଛନ୍ତି ଆକାଶ ନାଏକ।

    ଆକାଶ ପ୍ରାର୍ଥନା ବେଳେ ଅସୁସ୍ଥ ହୋଇପଡିବାରୁ ଶିକ୍ଷୟିତ୍ରୀମାନେ ଗ୍ଲୁକୋଜ ପାଣି ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିଥିବା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୂଚନା ଦେଇଥିଲେ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏପରି ଖରା ହେଉଥିବା ବେଳେ ସ୍କୁଲ ଖୋଲିବାକୁ ସରକାରଙ୍କ ନିଷ୍ପତ୍ତିକୁ ଅନେକ ନାପସନ୍ଦ କରିଛନ୍ତି।

    ସୂଚନାଯୋଗ୍ୟ, ଆଜି ପାଣିପାଗ ବିଭାଗର ତଥ୍ୟ ମୁତାବକ, ଦିନ 11ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା 40.0 ଡିଗ୍ରୀ ହୋଇଥିବା ବେଳେ, ଝାରସୁଗୁଡାରେ 40.2, କେନ୍ଦୁଝରରେ 39.2, ସମ୍ବଲପୁରରେ 38.6, ହୀରାକୁଦରେ 37.4, ଚାନ୍ଦବାଲିରେ 37, ବାଲେଶ୍ୱରରେ 36.4, ଗୋପାଳପୁରରେ 34.6, ପୁରୀରେ 34.2, ପାରାଦୀପରେ 28 ଡିଗ୍ରୀ ରେକର୍ଡ ହୋଇଛି।

  • ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ମାଞ୍ଚେଷ୍ଟର ମାରାଥନରେ ଓଡ଼ିଆ ଝିଅ, ସମ୍ବଲପୁରୀ ଶାଢ଼ୀରେ ଓଡ଼ିଶାର ସଂସ୍କୃତି

    ବିଦେଶରେ ଓଡ଼ିଶା ସଂସ୍କୃତିର ଝଲକ । ୟନାଇଟେଡ୍ କିଙ୍ଗଡମ୍ ମାଞ୍ଚେଷ୍ଟରରେ ଚାଲିଥିଲା ମାରାଥନ୍-୨୦୨୩ । କ୍ରୀଡ଼ାକୁ ଉତ୍ସାହିତ କରିବା ପାଇଁ ଏଭଳି ଏକ ମାରାଥନର ଆୟୋଜନ ହୋଇଥିଲା । ଯେଉଁଥିରେ ଓଡ଼ିଶାର ସମ୍ବଲପୁରୀ ମହିଳାଙ୍କୁ ଦେଖିବାକୁ ମିଳିଛି ।

    ମାରାଥନରେ ଫୁଲ୍ ଯୋଶରେ ଦୌଡ଼ୁଛନ୍ତି ମଧୁସ୍ମିତା ଜେନା । ଓଡ଼ିଶାର ପ୍ରତୀକ ତଥା ସମ୍ବଲପୁରୀ ଶାଢ଼ୀ ପିନ୍ଧି ଆଗକୁ ମାଡ଼ି ଚାଲିଛନ୍ତି । ମାରାଥନରେ ଅଂଶଗ୍ରହଣ କରି ଓଡ଼ିଆ ସଂସ୍କୃତିର ପରିଚୟ ଦେଇଛନ୍ତି । ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟ ପ୍ରଦର୍ଶନ କରିବାର ଏହା ଏକ ସୁନ୍ଦର ମୌକା ଥିଲା ଯାହାକୁ ମଧୁସ୍ମିତା ହାତଛଡ଼ା କରିନାହାଁନ୍ତି । କ୍ରୀଡ଼ାକୁ ସେ ବହୁତ ଭଲ ପାଆନ୍ତି । ସେଥିପାଇଁ ଆଜି ସମ୍ବଲପୁରର ମଧୁସ୍ମିତା ମାଞ୍ଚେଷ୍ଟର ମାରାଥନରେ ଦୌଡ଼ି ଓଡ଼ିଶାକୁ ଗର୍ବିତ କରିଛନ୍ତି ।

  • ଏକାଠି ଜୀଇଁବା ମରିବାର ପ୍ରତିଶ୍ରୁତି ଦେଇ ଜୀବନ ନେଲା ବିଶ୍ୱାସଘାତ ପ୍ରେମିକ

    ଏକାଠି ଜୀଇଁବା ମରିବାର ପ୍ରତିଶ୍ରୁତି ଦେଇ ଜୀବନ ନେଲା ବିଶ୍ୱାସଘାତ ପ୍ରେମିକ

    ବିଶ୍ୱାସଘାତ ପ୍ରେମିକ। ଏକାଠି ଜୀଇଁବା, ମରିବାର ପଣ କରି ପ୍ରେମିକାକୁ ବିଷ ପିଆଇବା ପରେ ମାରିଥିଲା ଛୁ। ପ୍ରଥମେ ସମାଜ ସାଜିଥିଲା ଉଭୟଙ୍କ ମିଳନ ପଥେ ବଇରୀ, ପରେ ଯାହାକୁ ନେଇ ସମାଜ ସହ ଲଢିବାକୁ ଅଣ୍ଟା ଭିଡିଥିଲା ନାବାଳିକା ପ୍ରେମିକା। କିନ୍ତୁ ପ୍ରେମିକର  ପ୍ରତାରଣା ଭାଙ୍ଗିଦେଲା ଯେମିତି ସବୁ ଦମ୍ଭ। ଦୀର୍ଘ ଏକ ମାସ ଧରି ଜୀବନ ମରଣ ସହ ଯୁଦ୍ଧ କରି ଶେଷରେ ସବୁ ଦିନ ପାଇଁ ଆଖି ବୁଜିଛି ନାବାଳିକା ପ୍ରେମିକା। ଏମିତି ପ୍ରେମରେ ଧୋକାବାଜିର ଖବର ଆସିଛି କଳାହାଣ୍ଡି ଜିଲ୍ଲାରୁ।

    କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ଅନ୍ତର୍ଗତ ନୂନପାଣି ଗାଁର ଜଣେ ନାବାଳିକାର ସେହି ଗ୍ରାମର ଜଣେ ଯୁବକଙ୍କ ସହ ଗଢିଉଠିଥିଲା ପ୍ରେମ ସମ୍ପର୍କ। ଏକାଠି ଜୀଇଁବା ମରିବାର ନେଇଥିଲେ ଶପଥ। କିନ୍ତୁ ଦୁହେଁ ଭିନ୍ନ ଜାତିର ହୋଇଥିବାରୁ ସେମାନଙ୍କ ମିଳନରେ ବାଧା ସାଜିଥିଲା ସମାଜ। ତେଣୁ ସାଙ୍ଗ ହୋଇ ନ ଜୀଅଁନ୍ତୁ ମରିବାକୁ ନେଲେ ନିଷ୍ପତ୍ତି। ଆତ୍ମହତ୍ୟା ପାଇଁ ମାର୍ଚ୍ଚ 19 ତାରିଖକୁ ବାଛିନେଲେ। ପୂର୍ବ ଯୋଜନା ମୁତାବକ ସେହିଦିନ, ନାବାଳିକା ଘରେ କିଛି ନ କହି ଚାଲି ଯାଇଥିଲା ପ୍ରେମିକ ଘରକୁ। ଉଭୟ ପ୍ରେମିକର ବାରିପଟକୁ ଚାଲିଯାଇଥିଲେ। ସେଠାରେ ପ୍ରେମିକା ହାତକୁ ଏକ ବିଷ ବୋତଲ ବଢାଇଦେଇଥିଲା ପ୍ରେମିକ। କହିଥିଲା, ତୁ ଆଗ ପିଇ, ମତେ ଦେ, ମୁଁ ପିଇବି।

    ପ୍ରେମିକ ଉପରେ ଅନ୍ଧ ଭଳି ବିଶ୍ୱାସ କରୁଥିବା ନାବାଳିକା ପ୍ରେମିକା କିଛି ନ ଭାବି, ନ ଚିନ୍ତି ପିଇଥିଲା ବିଷ। ନିଜେ ପିଇ ସାରି ପ୍ରେମିକକୁ ବୋତଲ ଦେବାକୁ ଅନେଇଲା ବେଳକୁ ପ୍ରେମିକ ସେଠାରୁ ମାରିଥିଲା ଛୁ। ବିଷ ଜ୍ୱାଳାରେ ଛଟପଟ ପ୍ରେମିକା ବିକଳ ହୋଇ ଚିତ୍କାର କରୁଥିଲା। ନାବାଳିକାର ଚିତ୍କାର ଶୁଣି ପ୍ରେମିକର ପରିବାର ଆସି ଦେଖି ନାବାଳିକାକୁ ତୁରନ୍ତ ଧର୍ମଗଡ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ତାର ସ୍ଥିତି ଗୁରୁତର ଥିବାରୁ ସେଠାରୁ ବୁର୍ଲା ମେଡିକାଲକୁ ରେଫର କରାଗଲା। ନାବାଳିକାର ପରିବାରକୁ ମଧ୍ୟ ଖବର ଦେଇଥିଲେ ବିଶ୍ୱାସଘାତ ପ୍ରେମିକର ପରିବାର। ସେଠାରେ ସେମାନେ ପହଞ୍ଚିଥିଲେ।

    ଦୀର୍ଘ ଏକ ମାସ ଧରି ମୃତ୍ୟୁ ଯନ୍ତ୍ରଣାରେ ଛଟପଟ ପ୍ରେମିକା ଶେଷରେ ସୋମବାର ରାତିରେ ଆଖି ବୁଜି ଦେଲା। ନାବାଳିକାର ପରିବାର ଲୋକେ ନାବାଳିକାର ମୃତଦେହ ଘରକୁ ନ ନେଇ ପ୍ରେମିକର ଘର ଆଗରେ ରଖି ଧାରଣା ଦେଇଥିଲେ। ତୁରନ୍ତ ସମ୍ପୃକ୍ତ ଧୋକାବାଜକୁ ଗିରଫ କରିବାକୁ ଦାବି କରିଥିଲେ। ପୋଲିସ ସେଠାରେ ପହଞ୍ଚି ତୁରନ୍ତ ଯୁବକକୁ ଗିରଫ କରିବାକୁ ଦେଇଛି ପ୍ରତିଶ୍ରୁତି।

    ସୂଚନାଯୋଗ୍ୟ, ମାର୍ଚ୍ଚ 22 ତାରିଖରେ ଯୁବକ ବିରୋଧରେ ନାବାଳିକାର ପରିବାର ପକ୍ଷରୁ ଏକ ଏତଲା ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ, ଯାହାକୁ ନେଇ ପରିବାରରେ ଅସନ୍ତୋଷ ରହିଛି।  

  • IPL : ଆଜି ମୈଦାନରେ ଲଢ଼ିବେ ମୁମ୍ବାଇ ଓ ହାଇଦ୍ରାବାଦ

    IPL : ଆଜି ମୈଦାନରେ ଲଢ଼ିବେ ମୁମ୍ବାଇ ଓ ହାଇଦ୍ରାବାଦ

    ଫଟାଫଟ୍ କ୍ରିକେଟ IPLରେ ଆଜି ଖେଳାଯିବ ଗୋଟିଏ ମ୍ୟାଚ୍ । ସନରାଇଜର୍ସ ହାଇଦ୍ରାବାଦର ସାମ୍ନା କରିବ ମୁମ୍ବାଇ ଇଣ୍ଡିଆନ୍ସ । ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍ ଖେଳାଯିବ ।

    ହାଇଦ୍ରାବାଦ ପ୍ରଥମ ଦୁଇଟି ମ୍ୟାଚରେ ହାରିବା ପରେ କମବ୍ୟାକ୍ କରିଛି । ଲଗାତାର ଦୁଇଟି ମ୍ୟାଚରେ ଦମଦାର ପ୍ରଦର୍ଶନ କରି ବିଜୟୀ ହୋଇଛି । ୪ଟି ମ୍ୟାଚରୁ ୨ଟି ବିଜୟ ସହ ୪ ପଏଣ୍ଟ ପାଇଛି ଦଳ । ବ୍ରୁକ୍ସ, ଅଧିନାୟକ ମାରାକ୍ରମ, ରାହୁଲ ତ୍ରିପାଠୀ ବିସ୍ଫୋରକ ବ୍ୟାଟିଂ କରିବା ସହ ଏବେ ପୁରା ଫର୍ମରେ ଅଛନ୍ତି । ତେଣୁ ମୁମ୍ବାଇ ବିପକ୍ଷରେ ଭଲ ପରଫରମାନ୍ସ କରିବାକୁ ବେଶ୍ ଆଶାବାଦୀ ଅଛନ୍ତି ଖେଳାଳି ।

    ସେପଟେ, ଶକ୍ତିଶାଳୀ ମୁମ୍ବାଇ ମଧ୍ୟ ଟ୍ରାକକୁ ଫେରିଛି । ଗତ ୨ଟି ମ୍ୟାଚରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି । ୪ଟି ମ୍ୟାଚରୁ ୨ଟିରେ ପରାସ୍ତ ହୋଇଥିବା ୨ଟିରେ ବିଜୟର ସ୍ୱାଦ ପାଇଛି ମୁମ୍ବାଇ ଇଣ୍ଡିଆନ୍ସ । ବ୍ୟାଟିଂ ଓ ବୋଲିଂରେ କମାଲ କରୁଛନ୍ତି ଖେଳାଳି । ଆଜି ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ କଡ଼ା ମୁକାବିଲା ହେବା ଆଶା କରାଯାଉଛି ।

    ଗତକାଲି ଏକ ମ୍ୟାଚରେ ବାଙ୍ଗାଲୋରକୁ ୮ ରନରେ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗସ ।

  • ସମଲିଙ୍ଗି ବିବାହ: କେନ୍ଦ୍ର ଉପରେ ଖପ୍ପା ସିଜେଆଇ

    ସମଲିଙ୍ଗି ବିବାହ: କେନ୍ଦ୍ର ଉପରେ ଖପ୍ପା ସିଜେଆଇ

     ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଦାବି ନେଇ ଦାୟର 20 ଯାଚିକା ଉପରେ ମଙ୍ଗଳବାର ସୁପ୍ରିମ କୋର୍ଟରେ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଚିସ ଏସ ରବୀନ୍ଦ୍ର ଭଟ, ଜଷ୍ଟିସ ହିମା କୋହଲି ଓ ଜଷ୍ଟିସ ପିଏସ ନରସିଂହାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ମାମଲାରେ କପିଲ ସିବଲ ଅପିଲ କରିଛନ୍ତି କି, ରାଜ୍ୟଗୁଡିକୁ  ପକ୍ଷଭୁକ୍ତ କରାଯାଉ।

    କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା  ଖଣ୍ଡପୀଠଙ୍କ ସମ୍ମୁଖରେ କହିଛନ୍ତି କି, ଏହି କେଶରେ ଆମକୁ ଆପତ୍ତି ରହିଛି। ଏହା ସଂସଦର ଅଧିକାର ଅଧୀନରେ ଆସୁଛି। ତେବେ କଣ କୋର୍ଟ ନିଜେ ମାମଲାରେ କୌଣସି ନିଷ୍ପତ୍ତି ନେଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି ମେହତା। ଏହି ଯାଚିକା ସବୁ ଶୁଣାଣି ଯୋଗ୍ୟ ନୁହେଁ। ପ୍ରଥମେ କେନ୍ଦ୍ରକୁ ଶୁଣାଯିବାର ଆବଶ୍ୟକତା ରହିଛି। କାରଣ କେନ୍ଦ୍ର ଏହାକୁ ବିରୋଧ କରୁଛି। ଏହା ନୀତିଗତ ମାମଲା ତେଣୁ ସୁପ୍ରିମ କୋର୍ଟ ମାମଲାରେ ନିଷ୍ପତ୍ତି ନେଇ ପାରିବ ନାହିଁ। କେନ୍ଦ୍ର ଉପଯୁକ୍ତ ମଞ୍ଚ ଅଟେ। ଏଥିରେ ବହୁ ସଂଖ୍ୟାରେ ହିତାଧିକାରୀଙ୍କ ସହ ପରାମର୍ଶ କରିବାର ଆବଶ୍ୟକତା ରହିଛି। ଏହା ଏକ ସମ୍ବେଦନଶୀଳ ମୁଦ୍ଦା ବୋଲି କୋର୍ଟଙ୍କୁ ମେହତା ଜଣାଇଛନ୍ତି।

    ମେହତାଙ୍କ ଯୁକ୍ତି ଉପରେ ସିଜେଆଇ କହିଛନ୍ତି, ବ୍ୟାପକ ଦୃଷ୍ଟିକୋଣ ରଖିବାକୁ ଆମ ଉପରେ ଭରସା ରଖନ୍ତୁ। ପରେ ଆମେ ଆପଣଙ୍କ ପକ୍ଷ ଶୁଣିବୁ। ଏବେ କେଶକୁ ଆରମ୍ଭ କରିବାକୁ ହେବ। ଏହାକୁ ନେଇ ସଲିସିଟର ଜେନେରାଲ କହିଛନ୍ତି କି,  ମାମଲାରେ ଦୋଷ-ଗୁଣ ଉପରେ ନ ଯାଆନ୍ତୁ। କେନ୍ଦ୍ରକୁ କିଛି ସମୟର ଆବଶ୍ୟକତା ରହିଛି।

    ଏଥିରେ ଉତକ୍ଷିପ୍ତ ହୋଇଉଠିଥିଲେ ସିଜେଆଇ। ସେ କହିଛନ୍ତି କି, ଆମକୁ ବୁଝାନ୍ତୁ ନାହିଁ, କିପରି କେଶର ଶୁଣାଣି ହେବ। ମୁଁ କୋର୍ଟର ଇନଚାର୍ଜ। ଆପଣ ଯାହା ମାଗୁଛନ୍ତି ଏହା କେବଳ ଶୁଣାଣିକୁ ବିଳମ୍ବ କରିବା ପାଇଁ। ମାମଲାରେ ଯାଚିକାର୍ତ୍ତାଙ୍କ ପକ୍ଷରୁ ମୁକୁଲ ରୋହତଗୀ କହିଛନ୍ତି କି, ଏହା ମୌଳିକ ଅଧିକାରର ମାମଲା। ସରକାର ପ୍ରତି ମାମଲାରେ ଏହା କହିଥାଏ। କୋର୍ଟଙ୍କୁ ଶୁଣାଣି ଦିଗରେ ବଢିବା ଦରକାର।

  • ତାତି ଅସହ୍ୟ, ଆହୁରି ୩ ଦିନ କଲବଲ କରିବ

    ତାତି ଅସହ୍ୟ, ଆହୁରି ୩ ଦିନ କଲବଲ କରିବ

    ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ତାତି ଅସହ୍ୟ ହୋଇଛି । ଆଜି ବି ତ୍ରାହି ପାଇବା କଷ୍ଟକର । କାରଣ ସକାଳ ସାଢେ ୮ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୨.୬ ଡିଗ୍ରୀ ଛୁଇଁଛି । ଆହୁରି ୩ ଦିନ ରାଜ୍ୟବାସୀଙ୍କୁ ଏଭଳି କଲବଲ କରିବ ତାତି ।

    ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରାହ୍ଣରେ କାଳବୈଶାଖୀ ପ୍ରଭାବରେ ବର୍ଷାର ଆଶଙ୍କା ରହିଛି । ୨୦ ତାରିଖ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସିବା ସମ୍ଭାବନା କ୍ଷୁର୍ଣ୍ଣ ଥିବାବେଳେ ୨୧ରୁ କାଳବୈଶାଖୀ ବର୍ଷା ହୋଇପାରେ । ଆଜି ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗଞ୍ଜାମ,ପୁରୀ,ଜଗତସିଂହପୁର ଓ ସମ୍ବଲପୁର ଭଳି ଜିଲ୍ଲା ଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସତର୍କ କରିଛି ପାଣିପାଗ ବିଭାଗ ।