Author: suchanatv24x7

  • ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁରେ ଜଳିଗଲା ସେନା ଗାଡ଼ି

    ଜମ୍ମୁ କାଶ୍ମୀରରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ସେନା ଗାଡ଼ିରେ ଭୀଷଣ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଅତି କମରେ ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

    ଭାଟାଦୁଡ଼ିଆଁ କ୍ଷେତ୍ରରେ ଏହି ଘଟଣା ଘଟିଥିଲା । ସୂଚନା ମିଳିବା କ୍ଷଣି ସେନା ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହୁତୁହୁତୁ ହୋଇ ଜଳୁଛି ସେନା ଗାଡ଼ି । ଏହାର ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି ।

  • ଏ କେମିତିକା ଠକ?, ଶିକ୍ଷକଙ୍କୁ ଠାରୁ ଲକ୍ଷାଧିକ ନେଇଗଲା

    ଏ କେମିତିକା ଠକ?, ଶିକ୍ଷକଙ୍କୁ ଠାରୁ ଲକ୍ଷାଧିକ ନେଇଗଲା

    କେମିକାଲରେ କାଗଜ ବୁଡ଼ାଇଲେ ବାହାରିବ 500 ଟଙ୍କିଆ ନୋଟ୍ । ଖନ୍ତାପଡ଼ା ଥାନା ଅଞ୍ଚଳର ଜଣେ ଯୁବକ ଏଭଳି କହି ଶିକ୍ଷକଙ୍କୁ ଚୁନ ଲଗାଇଛି । ସୋନପୁର ବୀରମହାରାଜପୁର ଅଞ୍ଚଳର ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା ଠକି ନେଇଛି ।

    ଠକ ଯୁବକଙ୍କ ଚାଲରେ ଫସିଲେ ଶିକ୍ଷକ । ଗତ 11 ତାରିଖରେ ଶିକ୍ଷକ ସନ୍ତୋଷ ମହାକୁଡ଼ଙ୍କୁ କେମିକାଲ ଏବଂ କିଛି କାଗଜ ଦେବା ପାଇଁ ଖନ୍ତାପଡ଼ାସ୍ଥିତ ଦାଣ୍ଡକାଳୀ ମନ୍ଦିର ନିକଟକୁ ଡାକିଥିଲେ । ସେଠାରେ ସେମାନେ ସନ୍ତୋଷଙ୍କ ଫୋନ୍ ପେ ଏବଂ ଏଟିଏମରୁ ଏକ ଲକ୍ଷ ଦଶ ହଜାର ଟଙ୍କା ନେଇଥିଲେ । ସନ୍ତୋଷ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ । ଖନ୍ତାପଡ଼ା ପୋଲିସ ତଦନ୍ତ କରିବା ସହ ଖନ୍ତାପଡ଼ା ଅଞ୍ଚଳର ଜଣକୁ ଗିରଫ କରିଛି । ଏହି ଠକ ଗ୍ୟାଙ୍ଗରେ ସୋନପୁର ଏବଂ ଅନ୍ୟ କିଛି ଅଞ୍ଚଳର ଯୁବକମାନେ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି । ଖୁବଶୀଘ୍ର ସେମାଙ୍କୁ ଗିରଫ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ସଦର ଏସଡିପିଓ ।

  • ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଧମକ !

    ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଧମକ !

    ନାଟକ ଦେଖିବା ହେଲା କାଳ । ଜଣେ ନୁହେଁ ତିନି ତିନି ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଭୋର୍ ସମୟରେ ଘରକୁ ଫେରୁଥିବା ବେଳେ ଏଭଳି ଅମାନୁଷିକ କାର୍ଯ୍ୟ ଘଟିଛି ।

    କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ଏକାଥରକେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ୩ ନାବାଳିକା । ଗତକାଲି ସେମାନେ ମା’ ତାରିଣୀ ଯାତ୍ରା ଦେଖିବାକୁ ଯାଇଥିଲେ । ନାଟକ ଦେଖି ଭୋର୍ ୪ଟା ବେଳେ ୫ ନାବାଳିକା ଘରକୁ ଫେରୁଥିଲେ । ୫ ଜଣ ଯୁବକ ସେମାନଙ୍କୁ ବାଟରେ ଅଟକାଇଥିଲେ । ହେଲେ ୨ ଜଣ କୌଶଳକ୍ରମେ ଖସି ପଳାଥିଲେ । ୩ ଜଣ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିଲେ ସୈତାନ ଯୁବକମାନେ । ପୀଡ଼ିତାଙ୍କୁ ହତ୍ୟା ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଅଭିଯୁକ୍ତ ।

    ସେପଟେ, ଖସିପଳାଇଥିବା ଦୁଇ ନାବାଳିକା ଘଟଣା ସମ୍ପର୍କରେ କହିଥିଲେ । ଘଟଣାସ୍ଥଳରୁ ପୀଡ଼ିତାମାନଙ୍କୁ ଉଦ୍ଧାର କରି ଥାନାରେ ଲଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୀଡ଼ିତାମାନଙ୍କ ଡାକ୍ତରୀମାଇନା କରାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

  • ଓକିଲଙ୍କ ମନମୁଖି ଉପରେ ସର୍ବୋଚ୍ଚ ଅଦାଲତଙ୍କ କଡା ଆଭିମୁଖ୍ୟ

    ଓକିଲଙ୍କ ମନମୁଖି ଉପରେ ସର୍ବୋଚ୍ଚ ଅଦାଲତଙ୍କ କଡା ଆଭିମୁଖ୍ୟ

    ଆଉ ଚାଲିବନି ଓକିଲଙ୍କ ମନମୁଖି। ଦେଇପାରିବେନି ଧର୍ମଘଟର ଧମକ। କି କୋର୍ଟଙ୍କ କାର୍ଯ୍ୟରେ କରି ପାରିବେନି ଅବହେଳା। ଏମିତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମ କୋର୍ଟ। ଗୁରୁବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀଙ୍କ ସମସ୍ୟାର ସମାଧାନ କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଆଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ କରିବାକୁ କୋର୍ଟ ସମସ୍ତ ରାଜ୍ୟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଟି ନିକଟରେ ଆଇନଜୀବୀମାନେ ଆବେଦନ କରି ସମସ୍ୟାର ସମାଧାନ କରିପାରିବେ।

    ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଜିଲା କୋର୍ଟ ସ୍ତରରେ ମଧ୍ୟ ପୃଥକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବା ଉଚିତ। ଓକିଲମାନେ ଏଠାରେ ପ୍ରକୃତ ଅଭିଯୋଗର ମାମଲା ମଧ୍ୟ ପଞ୍ଜିକରଣ କରିପାରିବେ। ଏଥିସହ, ବାରର କୌଣସି ସଦସ୍ୟ ଧର୍ମଘଟ କରିପାରିବେ ନାହିଁ। ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

  • ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    ମହାନଦୀ ତଟୋତ୍ସବ ଉଦଯାପିତ, ଚଟପଟି ଖାଦ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା

    କଟକରେ ଶେଷ ହୋଇଛି ମହାନଦୀ ତଟୋତ୍ସବ । ୫ ଦିନ ଯାଏ ଭରପୁର ମଜା ନେଇଛନ୍ତି ଦର୍ଶକ । ମହାନଦୀ ପଠାରେ ବ୍ୟବସାୟୀମାନେ ବିଭିନ୍ନ ପସରା ମେଲିଥିବା ବେଳେ ଓରମାସ ପକ୍ଷରୁ ୧୪୮ ଷ୍ଟଲ୍ ଖୋଲାଯାଇଥିଲା । ମୀନାବଜାରରେ କିଣାବିକା ସାଙ୍ଗକୁ ଲୋକଙ୍କ ଭିଡ଼ ଜମିଥିଲା । ଚଟପଟି ଖାଦ୍ୟର ବେଶ୍ ମଜା ନେଇଥିଲେ ଦର୍ଶକ । ଘରକରଣା ଜିନିଷ ଓ ନୂଆ ନୂଆ ସାଜସଜା ସାମଗ୍ରୀ ମଧ୍ୟ କିଣିଥିଲେ । ଦି’ପଇସା ରୋଜଗାର କରି ଖୁସିବ୍ୟକ୍ତ କରିଛନ୍ତି ଦୋକାନୀ । ମହାନଦୀ ତଟୋତ୍ସବକୁ କେହିକେହି ମିନି ବାଲିଯାତ୍ରା ମଧ୍ୟ କହିଛନ୍ତି ।

    ମହାନଦୀ ପଠାରେ ବୁଲାବୁଲି କରି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଟକ ସଦର ସାମାଜିକ ଓ ସାଂସ୍କୃତିକ ସଂସଦ ଦ୍ୱାରା ଆୟୋଜିତ ହୋଇଥିଲା । ପ୍ରତିଦିନ ଆୟୋଜିତ ସଭାରେ କଟକ ସଦର ବିଧାୟକଙ୍କ ଚନ୍ଦ୍ର ସାରଥୀ ବେହେରା ସଭାପତିତ୍ୱରେ ଯୋଗ ଦେଇଥିଲେ ବରିଷ୍ଠ ବିଧାୟକ,ମନ୍ତ୍ରୀ । ବିଶିଷ୍ଟ ବ୍ୟକ୍ତି ଓ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ କଟକ ସଦରବାସୀ ପ୍ରଶଂସା କରିଛନ୍ତି ।

  • ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ

    ପ୍ରତିରକ୍ଷା ମନ୍ତ୍ରୀ କୋରୋନା ସଂକ୍ରମିତ

    ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ କୋରୋନା। ସିଂହଙ୍କଠାରେ କୋରୋନାର ହାଲକା ଲକ୍ଷଣ ଦେଖା ଦେବା ପରେ ସେ ନିଜକୁ ହୋମ କ୍ୱାରେଣ୍ଟାଇନ ରଖିଛନ୍ତି। ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଆଜି ରକ୍ଷା ମନ୍ତ୍ରୀଙ୍କୁ ଦିଲ୍ଳୀରେ ବାୟୁ ସେନାର କମାଣ୍ଡରମାନଙ୍କ ସହ କନଫେରେନ୍ସରେ ଭାଗନେବାର ଥିଲା। କିନ୍ତି କୋରୋନା ପଜିଟିଭ ଜଣାପଡିବା ପରେ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ।  

    ଅନ୍ୟପଟେ ଦେଶରେ ଦ୍ରୁତ ଗତିରେ କୋଭିଡ 19 ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଗତ 24 ଘଣ୍ଟାରେ 12ହଜାର 591 ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4.48 କୋଟିରେ ପହଞ୍ଚିଛି। ଏହା ପୂର୍ବରୁ 8 ମାସ ମଧ୍ୟରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ସେହିପରି, ସୁସ୍ଥ ସଂଖ୍ୟା ବୃଦ୍ଧିପାଇ 65,286 ଛୁଇଁଛି। ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡିଛି କି, 24 ଘଣ୍ଟାରେ 40 ମୃତ୍ୟୁ ଘଟି ମୋଟ ମୃତ୍ୟୁ ସଂଖ୍ୟା 5,31,230 ହୋଇଛି।

  • ଦଳାଚକଟାରେ ଚାଲିଗଲା 85ରୁ ଅଧିକ ଜୀବନ

    ଦଳାଚକଟାରେ ଚାଲିଗଲା 85ରୁ ଅଧିକ ଜୀବନ

    ଯୁଦ୍ଧ କ୍ଷତିଗ୍ରସ୍ତ ୟେମେନରେ ମରଣାନ୍ତକ ଦଳାଚକଟା। ଦଳାଚକଟାରେ 85 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଗୁରୁବାର ସେଠାରେ ଯୁଦ୍ଧ କ୍ଷତିଗ୍ରସ୍ତଙ୍କ ପାଇଁ ଆୟୋଜିତ ଏକ ମାଗଣା ବଣ୍ଟନ କାର୍ଯ୍ୟକ୍ରମ ବେଳେ ଏପରି ଅଘଟଣ ଘଟିଛି। ଚଳିତ ଦଶକରେ ଘଟିଥିବା ବିଭିନ୍ନ ଦଳାଚକଟା ଘଟଣା ଭିତରେ ଏହା ସବୁଠାରୁ ବଡ ଘଟଣା। ମୁସଲମାନଙ୍କ ପବିତ୍ର ଇଦ ଅଲ-ଫିତରର ଅବ୍ୟବହିତ ପୂର୍ବରୁ ଆରବ ଉପଦ୍ୱୀପର ଏହି ସବୁଠାରୁ ଗରିବ ରାଷ୍ଟ୍ରରେ ଏପରି ଅଘଟଣ ଘଟିଯାଇଛି।

    ହୁଥି ବିଦ୍ରୋହୀଙ୍କ ଦ୍ୱାରା ପରିଚାଳିତ ଅଲ ମସିରାହ ଟିଭି ଚାନେଲରେ ଦଳାଚକଟାର ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ମାଗଣା ସାମଗ୍ରୀ ପାଇବାକୁ ସେଠାରେ ପ୍ରବଳ ଭିଡ ହୋଇଥିଲା। ସାମଗ୍ରୀ ପାଇବାକୁ ଲୋକଙ୍କ ଭିତରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା। ଆଉ ଏହି ଧକ୍କା ପେଲା ଭିତରେ କିଛି ତଳେ ପଡିଯାଇଥିଲେ।  ଏଥିପ୍ରତି କାହାରି ନଜର ନ ଥିଲା। ପଡିରହିଥିବା ଲୋକଙ୍କୁ ଦଳିଚକଟି ବଣ୍ଟନସ୍ଥଳି ଆଡକୁ ଧାଇଁଥିଲେ ଅନ୍ୟମାନେ।  ଆଉ ଏହାରି ଭିତରେ ଅନେକଙ୍କ ଚାଲିଯାଇଥିଲା ଜୀବନ। ମୃତଦେହ ଉପରେ ଚଢି ନିଜ ପାଇଁ ରାସ୍ତା ପ୍ରସ୍ତୁତକରି ଥିଲେ ଲୋକେ। ନିଜ ଲୋକଙ୍କ ମୃତଦେହ ଦେଖି ମଧ୍ୟ ସେମାନଙ୍କ  ଭିତରେ ନଥିଲା ସାମାନ୍ୟତମ ସମ୍ବେଦନା। ଲୋକଙ୍କ ପାଦତଳେ ଚାପି ହୋଇ ଅନେକ ମୃତଦେହ ଲୁଚିଯାଉଥିବା ମଧ୍ୟ ଭିଡିଓରୁ ଦେଖିବାକୁ ମିଳୁଛି।

    ଅନ୍ୟପଟରେ ଏପରି ଦୁର୍ଘଟଣା ପରେ ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକ ଓ ସୁରକ୍ଷାବଳ ତଳେ ପଡିଥିବା ଲୋକଙ୍କ ଉଦ୍ଧାର ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ଭିଡିଓରେ। ଘଟଣାସ୍ଥଳରୁ ମୃତ ଓ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଣ୍ଟନ କାର୍ଯ୍ୟକ୍ରମର ଆୟୋଜକଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି।

    ୟେମେନର ରାଜଧାନୀ ସାନାରେ ଆୟୋଜିତ ଦାତବ୍ୟ କାର୍ଯ୍ୟକ୍ରମରେ ହୋଇଥିବା ଦଳାଚକଟାରେ ଅନ୍ୟୁନ 85 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 322ରୁ ଅଧିକ ଆହତ ହୋଇଥିବା ଜଣେ ହୁଥି ଅଧିକାରୀ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ରହିଛନ୍ତି। ରାଜଧାନୀର ଏକ ସ୍କୁଲରେ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା। ମାଗଣା ବଣ୍ଟନର ଖବର ମିଳିବା ପରେ ସେଠାକୁ ଏହି ଗରିବ ରାଷ୍ଟ୍ରର ହଜାର ହଜାର ସଂଖ୍ୟକ ଲୋକଙ୍କ ସୁଅ ଛୁଟିଥିଲା ।

  • ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ଅନଲାଇନ୍ ଟ୍ରେଡିଂ ଠକଙ୍କୁ ଧରିଲା EOW

    ସୋର ଅଞ୍ଚଳରେ ଅନଲାଇନ୍ ଟ୍ରେଡିଂ ନାଁରେ ଠକେଇ । ୪ କୋଟିରୁ ଅଧିକ ଟଙ୍କା ଚୂନ ଲଗାଇଛନ୍ତି ଠକ । ଶେଷରେ ମାମଲାରେ ହସ୍ତକ୍ଷେପ କରିଥିଲା EOW । ଅନଲାଇନ୍ ଟ୍ରେଡିଂ କରି ମାଲେମାଲ ହୁଅ । ଏଭଳି ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ଠକ । ୪ ବର୍ଷ ହେଲା ଦୁଇ ଯୁବକ ସୋର,ବାଲେଶ୍ୱର,ଭଦ୍ରକ,ବାସୁଦେବପୁର,ଖଇରା ଓ କୁପାରୀ ଅଞ୍ଚଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ଫେରାର୍ ଥିଲେ ।

    ଟଙ୍କା ଫେରି ନପାଇ ଜମାକାରୀମାନେ ଟେନସନରେ ଥିଲେ । କିପରି ସେମାନେ ନିଜ ନିଜ ଟଙ୍କା ପାଇବେ ସେ ନେଇ ଅର୍ଥନୈତିକ ଅପରାଧ ଶାଖା ବା EOWରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ଶେଷରେ ୨ ଜଣଙ୍କୁ ଧରିଛି EOW ଟିମ୍ । ୨ ଅଭିଯୁକ୍ତ ସୋର ଉତ୍ତରେଶ୍ୱର ଅଞ୍ଚଳର ରିପନ୍ ଜେନା ଓ ଅନୁପମ ପ୍ରଧାନ । ଦୀର୍ଘଦିନ ହେଲା ସେମାନେ ଅଞ୍ଚଳର ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କୋଟିକୋଟି ଟଙ୍କା ଠକି ନେଇଥିଲେ । ଏବେ କିନ୍ତୁ ସେମାନେ EOW ହାତରେ ଧରାପଡ଼ିଛନ୍ତି ।

  • ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ତାତିରେ ରାଜ୍ୟବାସୀ କଲବଲ, ଝାରସୁଗୁଡ଼ାରେ ସ୍ଥିତି ଅସମ୍ଭାଳ

    ପ୍ରଚଣ୍ଡ ତାତିରେ କଲବଲ ହେଉଛନ୍ତି ରାଜ୍ୟବାସୀ । ସକାଳୁ ସକାଳୁ ଅନୁଭୂତ ହେଲାଣି ଟାଣ ଖରା । ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି । ଝାରସୁଗୁଡ଼ାରେ ପାରଦ ୩୪ ଡିଗ୍ରୀ, କେନ୍ଦୁଝରରେ ତାପମାତ୍ରା ୩୩.୬ ଡିଗ୍ରୀ ରହିଥିଲା । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

    ଆଜି ପାଇଁ ୬ଟି ଜିଲ୍ଲାକୁ ହିଟୱେଭ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ସମ୍ବଲପୁର,ସୋନପୁର,ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼। ତେବେ ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସହର ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

    ଆସନ୍ତାକାଲି ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଗଜପତି,ଗଞ୍ଜାମ,ନବରଙ୍ଗପୁର,କଳାହାଣ୍ଡି,କନ୍ଧମାଳ ଓ ରାୟଗଡ଼ା କୋରାପୁଟ,ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ଆଶଙ୍କା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

  • ରାହୁଲଙ୍କୁ ସୁରଟ ସେସନ କୋର୍ଟରୁ ଝଟକା

    ରାହୁଲଙ୍କୁ ସୁରଟ ସେସନ କୋର୍ଟରୁ ଝଟକା

    ସୁରଟ ସେସନ କୋର୍ଟରୁ କଂଗ୍ରେସ ନେତା ରାହୁଲଙ୍କୁ ଝଟକା।  ଏକ ଅପରାଧିକ ମାନହାନୀ ମକଦମାରେ ତାଙ୍କ ବିରୋଧରେ ଦୋଷ ସାବ୍ୟସ୍ତ କରିବା ଉପରେ ସ୍ଥଗିତାଦେଶ ଜାରି କରିବାକୁ ତଥା ତାଙ୍କ ସଂସଦର ସଦସ୍ୟତାକୁ ବଳବତ୍ତର ରଖିବାକୁ  ରାହୁଲଙ୍କ ଦ୍ୱାରା ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଫଳରେ ପାର୍ଲାମେଣ୍ଟରେ ପୁନଃ ପ୍ରତିଷ୍ଠିତ ହୋଇପରିବେ ନାହିଁ।  ମୋଦି ସାଜ୍ଞାକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପି ନେତା ପୁର୍ନେଶ ମୋଦି ଅଭିଯୋଗ କରିଥିଲେ।

    ବିଚାରପତି ରବିନ ମୋଗେରା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। 2019 ନିର୍ବାଚନ ରାଲି ସମୟରେ ସବୁ ମୋଦି କାହିଁକି ଚୋର ପରି ବୟାନକୁ ନେଇ ବିଜେପି ନେତାଙ୍କ ଆଭିଯୋଗ ଆଧାରରେ ପୂର୍ବରୁ ମାର୍ଚ୍ଚ 23 ତାରିଖରେ ସୁରଟ ମେଟ୍ରୋପଲିଟାନ କୋର୍ଟ ଏହି ମାମଲାରେ ରାହୁଲଙ୍କୁ 2 ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ସେହି ଦିନ ସେସନ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଥିସହ ଉଚ୍ଚ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ମେଟ୍ରୋପଲିଟାନ କୋର୍ଟଙ୍କ ରାୟ ପରେ ମାର୍ଚ୍ଚ 24ରେ  ରାହୁଲଙ୍କୁ ତାଙ୍କ ୱାୟନାଡ ସାଂସଦ ପଦ ହରାଇବାକୁ ପଡିଥିଲା ତଥା ତାଙ୍କ ସରକାରୀ କ୍ୱାଟର ମଧ୍ୟ ଛାଡିବାକୁ ହୋଇଥିଲା।