ଅଦିନିଆ ବର୍ଷା ଚାଷ ଉଜାଡିବା ପରେ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ

ଅଦିନିଆ କୁଆପଥର ବର୍ଷାରେ ଵରଗଡ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପବନ ଓ କୁଆପଥର ମାଡରେ ସୋରିଷ, ପରିବା ଓ ଅନ୍ୟାନ୍ୟ ଚାଷବାସ ଉଜୁଡି ଯାଇଛି । ଫଳରେ ଚାଷୀ ବହୁ କ୍ଷତି ସହିଛନ୍ତି। ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଚାଷୀ। ସେପଟେ ଏହି ଘଟଣାକୁ ଦୁଇ ସପ୍ତାହ ବିତିବାକୁ ବସିଥିବା ବେଳେ କ୍ଷୟକ୍ଷତିର ଆକଳନ କରି ପ୍ରଶାସନ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରୁନାହିଁ।ସେହିପରି ଗତ ମିକଜୋମ ଘୂର୍ଣ୍ଣିବଳୟର କ୍ଷତିର ବି ଟେର ପାଉନାହାନ୍ତି ଚାଷୀ। ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି ବରଗଡ ଚାଷୀ। ଅମ୍ବାଭୋନା ବ୍ଲକର ଲୁଦୁପାଲୀ, କପାସିରା, ଅନ୍ତରାଡି, କଣ୍ଠିପାଲୀ, ସମେତ ଆହୁରୀ ଅନେକ ଗ୍ରାମର ଶହ ଶହ ସଂଖ୍ୟାରେ ଚାଷୀ ନିଜ କ୍ଷତିପୂରଣ ପାଇଁ ଦାବିପତ୍ର ଦେଇଛନ୍ତି। ତହସିଲଦାରଙ୍କୁ ଦାବୀପତ୍ର ଦେବା ସହ ଉଚିତ ତଦନ୍ତ କରି କ୍ଷତିପୂରଣ ଦେବା ପାଇଁ ଅନୁରୋଧ କରାଯାଇଛି।

ସେହିପରି ଗତ ଡିସେମ୍ବରରେ ମିକଜୋମ ବର୍ଷାରେ ଅତାବିରା ବ୍ଲକ ଅନ୍ତର୍ଗତ ୨୪ଟି ପଞ୍ଚାୟତ ଏବଂ ଏନଏସିର ୫୮୦୧ ହେକ୍ଟର ଜମି ପ୍ରଭାବିତ ହୋଇଥିବା ସରକାରୀ ରିପୋର୍ଟ ଆସିଥିଲେ ମଧ୍ୟ ଚାଷୀଙ୍କୁ ଏଯାବତ୍ କ୍ଷତିପୂରଣ ମିଳିପାରି ନାହିଁ। ଯାହାକୁ ନେଇ ଅଭାବରେ ଚାଷୀ ପରିବାର। ବାରମ୍ବାର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଲେ ମଧ୍ୟ ମିଳୁନି ସୁଫଳ। ତେଣୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ଉପସଭାପତି ଟିକେଲାଲ ମିଶ୍ରଙ୍କ ନେତୃତ୍ବରେ ଚାଷୀମାନେ ମଙ୍ଗଳବାର ଦିନ ଅତାବିରା ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। କାର୍ଯ୍ୟାଳୟର କାମକାଜ ବନ୍ଦ କରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକୁ ଏକାଧିକ ଦିନ ବିତିଗଲାଣି, ହେଲେ ଶୁଣୁନି ପ୍ରଶାସନ। ସେପଟେ ପ୍ରଶାସନର ସ୍ଥାଣୁତା ପାଇଁ ବରଗଡର ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।

Leave a Reply

Your email address will not be published. Required fields are marked *